Unknown

 

 

 

 

 

 

 

 

 

୯୫ତମ ସଂଖ୍ୟା କୋଣାର୍କ ୧୯୯୫

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର

 

ବିବିଧ ପ୍ରସଙ୍ଗ

 

ସଭାପତି:

ଶ୍ରୀ କିଶୋରୀଚରଣ ଦାସ

 

ସୌଜନ୍ୟ ସମ୍ପାଦକ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ସମ୍ପାଦନା

ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

ଉପସଭାପତି

ପରିଚାଳନା ସମ୍ପାଦକ

ଶ୍ରୀ ରାଜକିଶୋର ମିଶ୍ର

ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ସହଯୋଗୀ

ଶ୍ରୀ ମହେନ୍ଦ୍ର କୁମାର ଛୁଆଳସିଂହ

ଶ୍ରୀମତୀ ଅନସୂୟା ଦେବୀ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଜୟଦେବ ରାଜ୍ୟ ସଂଗ୍ରହାଳୟ ପରିସର

ଭୁବନେଶ୍ୱର-୧୪

ଫୋନ୍‍-୫୨୬୪୦

 

ପ୍ରଚ୍ଛଦ : ଶିଳ୍ପୀ ଛନ୍ଦାଚରଣ ଆଚାର୍ଯ୍ୟ

ସର୍ବାଧିକାର ଏକାଡେମୀ କର୍ତ୍ତୃକ ସଂରକ୍ଷିତ

ପ୍ରକାଶିତ ସାମଗ୍ରୀର ପୁନର୍ମୁଦ୍ରଣ ଲେଖକ, ଅନୁବାଦକ

ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ଅନୁମତି ସାପେକ୍ଷ ।

ପ୍ରକାଶିତ ରଚନାର ମତାମତ ଲେଖକଙ୍କର ନିଜସ୍ୱ ମତ ।

 

ସଂପାଦକୀୟ : ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

୧.

ନିକଟ ଅପହଞ୍ଚ.

ଡକ୍‍ଟର ସୌରୀନ୍ଦ୍ର ବାରିକ୍‍

୨.

ଜଗନ୍ନାଥ ଦାସ ଓ ଶଙ୍କରଦେବ.

ଡକ୍ଟର ଲକ୍ଷ୍ମୀଧର ଦାସ

୩.

ଫକୀରମୋହନ ସାହିତ୍ୟ ସମୀକ୍ଷା:

ଏକ ପରିଶୀଳନ.

ଶ୍ରୀ ଦାଶରଥି ଦାସ

୪.

ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ.

ଡକ୍‍ଟର ବାଉରୀବନ୍ଧୁ କର

୫.

‘ବିବେକୀ’ର ଦାର୍ଶନିକ ବିଚାର.

ଡକ୍‍ଟର ଦିଲୀପ କୁମାର ନାୟକ

୬.

ଆଧୁନିକ ଓଡ଼ିଆ କବିତାର ବିସ୍ତୃତିରେଖା.

ଡକ୍‍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ

୭.

ମେହେର ସାହିତ୍ୟ : ଏକ ଦୃଷ୍ଟିପାତ.

ଶ୍ରୀ ପାର୍ଥସାରଥି ଅଜୟ ବାରିକ୍‍

୮.

ସାରଳା ଦାସଙ୍କ ରାଜନୈତିକ ଦୃଷ୍ଟିଭଙ୍ଗୀ.

ଡକ୍‍ଟର ସୂର୍ଯ୍ୟନାରାୟଣ ଦାସ

୯.

ଭୀମଭୋଇ ଓ ଖଲିଆପାଲି.

ଶ୍ରୀ ରାଜେନ୍ଦ୍ର ପ୍ରସାଦ ମିଶ୍ର

୧୦.

ଗାଁର ଡାକ : ଏକ ଅନୁଶୀଳନ.

ଶ୍ରୀ ଚିତ୍ତରଞ୍ଜନ ଦାସ

୧୧.

ପୁଷ୍ପଗିରି.

ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ

୧୨.

ଏକାଡେମୀ ସମାଚାର

 

 

“କୋଣାର୍କ” ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୮/-ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୨୫/- ରହିବ । ବିଶେଷ ସଂଖ୍ୟାଗୁଡ଼ିକର ମୂଲ୍ୟ ସ୍ୱତନ୍ତ୍ର-ଭାବେ ନିରୂପିତ ହେବ ଏବଂ ଏଗୁଡ଼ିକ ବାର୍ଷିକ ଗ୍ରାହକମାନଙ୍କୁ ଯୋଗଇବାକୁ ଥିବା ୪ ଗୋଟି ସଂଖ୍ୟାର ଅନ୍ତର୍ଭୁକ୍ତ ହେବନାହିଁ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ସାହିତ୍ୟିକଙ୍କ ସହ ସାକ୍ଷାତକାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟି କୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ । ସମାଲୋଚନା ପାଇଁ ଦୁଇଖଣ୍ଡ ପୁସ୍ତକ ସମ୍ପାଦକଙ୍କ ନିକଟକୁ ପ୍ରେରିତ ହେବା ଉଚିତ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

୪.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

୫.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ଓ ଏହା ‘କୋଣାର୍କ’ର ପ୍ରତି ସଂଖ୍ୟାର ସୂଚୀପତ୍ର ତଳେ ମୁଦ୍ରିତ ହେବ ।

୬.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ.୨୦୦/-(ଦୁଇଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୭.

‘କୋଣାର୍କ’ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

ସଂପାଦକୀୟ :

୧୯୯୫ ଆରମ୍ଭ ହେଲା । ଚାହୁଁ ଚାହୁଁ ୯୪ ଚାଲିଗଲା । ସେଭଳି ଏ ଆସନ୍ତା କାଲି ବିଂଶ ଶତାବ୍ଦୀ ମଧ୍ୟ କାଳର ବିପୁଳ ଗର୍ଭରେ ଲୀନ ହୋଇଯିବ । ଆମକୁ ବିଶାଳ ବୋଲି ମନେ ହେଉଥିବା ଏଇ କାଳଖଣ୍ଡ ମହାକାଳର ଦୃଶ୍ୟପଟଳରେ ହୁଏତ ବିନ୍ଦୁଟିଏ ଭଳି ମଧ୍ୟ ଦୃଶ୍ୟ ହେବ ନାଇଁ ।

 

ସବୁ କାଳର ଶ୍ରୀକୃଷ୍ଣ ଦ୍ୱୈପାୟନ ସତ୍ୟ ହିଁ କହିଛନ୍ତି । ବର୍ତ୍ତମାନର ଭୂମି ଉପରେ ଠିଆ ହେଇ ଭବିଷ୍ୟତର କଥା କହିଛନ୍ତି, ସତର୍କ ସଚେତନ କରାଇଛନ୍ତି, ଚେତାବନୀ ଶୁଣାଇଛନ୍ତି । ସେମାନେ ସତ୍ୟର ଉଦ୍‍ଗାତା । ଅତୀତ ସେମାନଙ୍କ ପାଇଁ ବିସ୍ମୃତ ହୋଇଯାଇ ନାହିଁ । କାରଣ ଅବବୋଧର ମୂଳ ଉତ୍ସକୁ ଛାଡ଼ି ଦେବାର ଅର୍ଥ ଆପଣାଠାରୁ ବିଚ୍ଛିନ୍ନ ହୋଇଯିବା ବୋଲି ସେମାନେ ଜାଣିଛନ୍ତି ଏବଂ ସବୁ କାଳରେ ସାରସ୍ୱତ ସର୍ଜନାର ଗତିଧାରା ନିଷ୍ଠା, ପ୍ରତିବଦ୍ଧତା, ପ୍ରଗାଢ଼ ଅନୁରାଗରେ ଉଚ୍ଛଳ, ଉପାସନା-ଆରାଧନା ସଦୃଶ ତନ୍ମୟ, ତପସ୍ୟା ଭଳି ଏକାଗ୍ର । ସର୍ଜନା ଏକ କର୍ମ । ପ୍ରତ୍ୟେକ କର୍ମର ମୂଳରେ ‘ଧର୍ମ’ ଅବଶ୍ୟ ବିଦ୍ୟମାନ । ତେଣୁ କୌଣସି କାଳର ସତ୍‌ସ୍ରଷ୍ଟାର ଧର୍ମ ବିଚ୍ୟୁତି ଆଦୌ ଘଟି ନାହିଁ ।

 

ସୁଖର କଥା ଯେ ଆମେ ଜନ୍ମ ନେଇ ଜୀଇଁଥିବା ଏଇ ଶତାବ୍ଦୀ ଅନେକ କଥାରେ ଆମକୁ ବିସ୍ମୟାଭିଭୂତ କରିଛି, ଚମକେଇ ଦେଇଛି । ଊନବିଂଶ ଶତାବ୍ଦୀର ଅନ୍ତିମ ପାଦରେ ବିଶ୍ୱର ସାରସ୍ୱତ କ୍ଷେତ୍ରରେ କ୍ଷୁଦ୍ରଗଳ୍ପକୁ ଏକ ମର୍ଯ୍ୟାଦିତ ଆସନପ୍ରାପ୍ତ ହେଉଥିବା ବେଳେ ବ୍ୟାସକବି ଫକୀରମୋହନଙ୍କର ଗଳ୍ପରଚନା, ଜଗମୋହନ ଲାଲାଙ୍କର ନାଟକ ବାବାଜୀ, ଉମେଶଚନ୍ଦ୍ର ସରକାର, ରାମଶଙ୍କର ରାୟଙ୍କର ଉପନ୍ୟାସ ପଦ୍ମମାଳୀ ବିବାସିନୀରୁ ପ୍ରସରିତ ହୋଇଥିବା ଆଦ୍ୟ ଉତ୍ସର ଶୀତଳଗାମିନୀ କଲ୍ଲୋଳିନୀ ପ୍ରଚଣ୍ଡ ବେଗବତୀ ହୋଇ ପ୍ଳାବିତ ହୋଇଛି । ସ୍ୱପ୍ନ-କଳ୍ପନା ଓ ଅଲୌକିକତାରୁ ମୁକୁଳିତ ହୋଇ ଯଥାର୍ଥ ବ୍ୟାପକତାକୁ ଭେଦ କରି ଚାଲିଛି, ସାଧାରଣରୁ ସାଧାରଣ ମଣିଷ ପାଖରେ ପହଞ୍ଚିବାକୁ । କେତେ ବିସ୍ତାରର କଥା କହିଛି । କେତେ ପରୀକ୍ଷା ନିରୀକ୍ଷା ଭିତର ଦେଇ ଗତି କରିଛି । ଅପଚେତନା ଓ ଅପସଂସ୍କୃତିର ବିରୋଧ କରିଛି; କରିବ ଓ କରୁଥିବ । ତାହା ‘ଧର୍ମ’ । ଏହି ‘ଧର୍ମ’ର ଏକମାତ୍ର ଉଦ୍ଦେଶ୍ୟ-ତାହା ଭାବକୁ ନିକଟତର କରିବ, ହୃଦୟ ହୃଦୟର ଦୂରତା ଅପସାରିତ କରିବ ବୋଲି ସେତୁଟିଏ ପାଲଟି ଯିବ, ଭାବାତ୍ମକ ଏକାତ୍ମତାର ପ୍ରତିଷ୍ଠା କରିବ, ସ୍ନେହ ସୋଦର ପଣରେ ବାନ୍ଧିଦେବ ମଣିଷକୁ । ସେହି ସହିତତା, ସାହିତ୍ୟର ଧର୍ମ । କବିତାର କ୍ଷେତ୍ରରେ ବି ସାର୍ଥକତା ଓ ସିଦ୍ଧି ମଣ୍ଡିତ ହୋଇ ଓଡ଼ିଆ ସାହିତ୍ୟ ଗୌରବ ମଣ୍ଡିତ ହୋଇଛି । ତତ୍ତ୍ୱ, କେତେ ରୂପରେ ଉଦ୍‌ଭାସିତ ଆଭାମଣ୍ଡିତ ହୋଇଛି ।

 

କେତେ ଛୋଟ ହୋଇଯାଇ ନାଇଁ ବିଶ୍ୱ ଏଇନେ । ସମଗ୍ର ବିଶ୍ୱର ଚିନ୍ତା ଓ ଚେତନାକୁ ଏକାତ୍ମ କରି ନେବାକୁ । କେତେ କେତେ ବୈଜ୍ଞାନିକ ପଦ୍ଧତିର ଉଦ୍‌ଭାବନ ହୋଇଛି, ଭାଷା ସାହିତ୍ୟର ପ୍ରସାରକୁ କ୍ଷିପ୍ରତର କରିବାକୁ । ଏକ ଅଭିନବ ଭୂମିକା ଗ୍ରହଣ କରିଛି ଅନୁବାଦ, ଏ କ୍ଷେତ୍ରରେ । ଯାହା ଫଳରେ ପ୍ରତ୍ୟେକ ଭାଷାର ସର୍ଜନା-ଦିଗନ୍ତ ବିସ୍ତାରିତ ହୋଇଛି । ସାହିତ୍ୟ ବିଶ୍ୱତୋମୁଖୀ ହୋଇଛି । ଏଭଳି ନାନା ଉପଲବ୍‌ଧି ପୁଷ୍ଟ ଏ ଶତାବ୍ଦୀ । କଳା, ସାହିତ୍ୟ, ଦର୍ଶନ, ସମାଜ ଆଦି ଆଦି ଅଗୋଚର । ଅଜ୍ଞାତ ଅପରିଚିତ ହୋଇ ରହି ନାହାନ୍ତି ଅନୁରାଗୀ ମଣିଷ ପାଖରେ । ଅପର ପକ୍ଷରେ ଏଭଳିବି ତ ଅନୁଭୂତ ହୋଇଛି ଯେଭଳି ଏକ ବିରାଟ ମହାଶୂନ୍ୟତା କ୍ରମଶଃ ଗ୍ରାସ କରି ଚାଲିଛି । ଧର୍ମାନ୍ଧତା, କ୍ଷମତାଲିପ୍‌ସା, ଅର୍ଥ ସ୍ୱାର୍ଥଲିପ୍‌ସା, ଅତ୍ୟାଚାର, ଅନାଚାର, ଦ୍ୱେଷ, ଈର୍ଷା, ପ୍ରକୃତି ଓ ଜଗତକୁ ଧ୍ୱଂସ କରିବାର ନିର୍ମମ ପ୍ରତିଯୋଗିତା ସତରେ କେଉଁଠି ନେଇ ପହଞ୍ଚେଇବ ମଣିଷକୁ, ନିଖିଳ ବିଶ୍ୱକୁ, ଦୃଶ୍ୟ ଅଦୃଶ୍ୟମାନ ଜଗତକୁ ?

 

ଏଇ ଗଲାକାଲିର ରଚନାରେ ହୁଏତ କଳା କଥ୍ୟରୁ ଅଧିକ ଥିଲା । ସଂପ୍ରତି ଅନୁଜ ସାରସ୍ୱତ ସ୍ରଷ୍ଟାଙ୍କର ବକ୍ତବ୍ୟରେ କଥ୍ୟ ଅଧିକ, କଳା କମ । ଏହାବି ହୁଏତ ସତ୍ୟ, ଯଥାର୍ଥ; କାରଣ ସେମାନେ ଅଧିକ ସଜାଗ, ସତର୍କ; ହୋଇପାରେ ବିଡ଼ମ୍ୱିତ ଜଗତର ସବୁକିଛି ସେମାନେ ଭୋଗ କରିବେ ବୋଲି । ଆମେ ବିଶ୍ୱାସ କରିବା, ଆସ୍ଥା ରଖିବା ଯେ ଶୁଭଦ୍ରଷ୍ଟା ଏହି କୃଷ୍ଣ ଦ୍ୱୈପାୟନମାନେ ନିନ୍ଦିତ ହୋଇ ମଧ୍ୟ ସତ୍ୟ ହିଁ ଉଚ୍ଚାରଣ କରିବେ । ସାଂପ୍ରତିକ କାଳରେ ତା’ର ଦୃଷ୍ଟାନ୍ତ ବିରଳ ନୁହେଁ । ସୁଦୂର ଅତୀତରେ ଭବଭୂତିଙ୍କର ‘ଯେ ନାମ କେଚିନ୍ଦିହ କଃ ପ୍ରଥୟନ୍ତ୍ୟନଞ୍ଜଂ, ଜାନନ୍ତି ତେ କିମପିତାନ୍‌ ପ୍ରତି ନୈଷ ଯତ୍ନଃ । ଉତ୍‌ପସ୍ୟତେଽସ୍ଥି ମମକୋଽପି ସମ୍ମାନ ଧର୍ମୀ, କାଳୋ ହ୍ୟୟଂ ନିରବଧିର୍ବିପୁଲାଚ ପୃଥ୍ୱୀ ।।’ ବାରମ୍ୱାର ଉଚ୍ଚାରିତ ହେଉଥିବ ଅଦମନୀୟ ଦାମ୍ଭୀକତାରେ...ଭିନ୍ନ ଭାଷାରେ, ଭିନ୍ନ ଶୈଳୀରେ...ଏବଂ କାଳ ସେହି ଔଦ୍ଧତ୍ୟକୁ ସ୍ୱୀକାର କରିଚାଲିଥିବ ହସି ହସି ।

 

ତେବେ ଏ ଶତାବ୍ଦୀର ଅନ୍ତିମ ମୁହୂର୍ତ୍ତଟି ଆତ୍ମବିଶ୍ଳେଷଣର ବେଳ । କଣ ପାଇଛୁ, କ’ଣ ଦେଇଛୁଁ, କଣ ହରେଇଛୁଁ ଆଜି ନିର୍ଣ୍ଣୟ କରିବାର ବେଳ । ଏହି ନିର୍ଣ୍ଣୟ, ଏହି ସମୀକ୍ଷା ଅନୁଶୀଳନ ଆସନ୍ତା କାଲି ସହିତ ଯୋଗସୂତ୍ର ସ୍ଥାପନ କରିବ । ଆମର ଏଇ ଶତାବ୍ଦୀର ସାରସ୍ୱତ ସର୍ଜନା-କବିତା, ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧାଦିର କ୍ଷେତ୍ରରେ ସତ୍ୟ ଓ ସାର୍ଥକତାର କେତେ ନିକଟବର୍ତ୍ତୀ ତାହା ବିଚାର କରିବାର ବେଳ ଆସିଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ମୁଖପତ୍ର ‘କୋଣାର୍କ’ରେ ଏହି ବିଚାରର ଶୃଙ୍ଖଳିତ ସମନ୍ୱୟନ ଘଟିବ ବୋଲି ଆମର ସମର୍ଥ ଆଲୋଚକ ଓ ମର୍ମଜ୍ଞ ନିବନ୍ଧକାରଙ୍କ ଉପରେ ଭରସା ରଖି ଆଶା କରୁଛୁଁ ଏବଂ ତଦନୁଯାୟୀ ପ୍ରକାଶନ ଯୋଜନା କରିବାକୁ ମନ କରିଛୁ । ମୁଁ ବିଶ୍ୱାସ କରୁଛି ଓଡ଼ିଆ ଭାଷା ସାହିତ୍ୟର ବିଦ୍ୱାନ୍‌ ତତ୍ତ୍ୱଦର୍ଶୀ ନିବନ୍ଧକାରମାନେ ସେମାନଙ୍କର ସମୀଚୀନ ସାରସ୍ୱତ ସହଯୋଗଦ୍ୱାରା ‘କୋଣାର୍କ’ର ପ୍ରକାଶନକୁ ସାର୍ଥକତା ପ୍ରଦାନ କରିବେ । ସତପରାମର୍ଶ ଦେଇ ଋଦ୍ଧିମନ୍ତ କରିବେ ।

 

‘କୋଣାର୍କ’ର ଏହି ସଂଖ୍ୟାଟିରେ ବିବିଧ ସାରସ୍ୱତ ପ୍ରସଙ୍ଗ ସମାବେଶିତ ହୋଇଛି । ଗତାନୁଗତିକତାଠାରୁ କିଞ୍ଚିତ ଭିନ୍ନ । ଫକୀର ମୋହନ, ରାଧାନାଥ ଏବଂ ଗଙ୍ଗାଧରଙ୍କର ସାରସ୍ୱତ ଆଲୋଚନାର ଆଧାର ଭାବରେ ସେମାନଙ୍କର କୌଣସି ମୁଖ୍ୟ ରଚନାକୁ ନିବନ୍ଧକାରମାନେ ଗ୍ରହଣ କରି ନାହାନ୍ତି ଏପରିକି ଫକୀରମୋହନଙ୍କର ସନ୍ଦର୍ଭିତ ଆଲୋଚନାଟି ଆଲୋଚନା-ମନ୍ତବ୍ୟର ସମୀକରଣ । ଭୀମ ଭୋଇ ଏବଂ ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟଙ୍କର ପ୍ରସଙ୍ଗର ଆଲୋଚନା ସେମାନଙ୍କର ଜୀବନ ବୁତ୍ତାଂଶ । ଗୋଟିଏ ନିବନ୍ଧ ଜଗନ୍ନାଥ ଦାସ ଏବଂ ଶଙ୍କର ଦେବଙ୍କର ତୁଳନାତ୍ମକ ବିବେଚନା, ଦୁଇଟି ଆଧୁନିକ କବିତାର ଆତ୍ମା ଓ ଚିତ୍ତବୃତ୍ତିର ନିରୁପଣକାରୀ ନିବନ୍ଧ । ଶେଷ-ପ୍ରବନ୍ଧ ଭାବରେ ପ୍ରକାଶିତ ‘ପୁଷ୍ପଗିରି’ ରଚନାଟି ଅଠଚାଳିଶ ବର୍ଷତଳେ ପ୍ରକାଶିତ ଏକ ନିବନ୍ଧର ପୁନଃମୁଦ୍ରଣ । ଏହା ଏକ ଅନାଲୋଚିତ ଓ ଅସଂକଳିତ ପ୍ରବନ୍ଧ ଯାହା କ୍ରମଶଃ ସଂପୂର୍ଣ୍ଣ ବିସ୍ମୃତ ହୋଇଯିବା ପୂର୍ବରୁ ପୁଣିଥରେ ଲୋକଲୋଚନକୁ ଆସୁ ଏବଂ ଗବେଷକବର୍ଗଙ୍କର ଧ୍ୟାନାକର୍ଷିତ କରୁବୋଲି ପୁନଶ୍ଚ ପ୍ରକାଶିତ । ସଂଖ୍ୟାଟି ଜାନୁଆରୀ ୯୫ରେ ପ୍ରକାଶିତ ହୋଇ ଯାଉଥିବା ଫଳରେ ନିର୍ଦ୍ଦିଷ୍ଟ ଆଗାମୀ ସଂଖ୍ୟାଗୁଡ଼ିକ ଗୋଟିଏ ଗୋଟିଏ ନିଶ୍ଚିତ ପ୍ରସଙ୍ଗର ଆଲୋଚନା ସଙ୍କଳନ ଭାବରେ ପ୍ରକାଶିତ କରାଯାଇ ପାରିବ ବୋଲି ମଧ୍ୟ ଆଶା ପଲ୍ଲବିତା ହେଉଛି-। ତାହା ପୁଷ୍ପିତା ଓ ଫଳବତୀ ହେବାପାଇଁ ଆପଣମାନଙ୍କର ସାରସ୍ୱତ ଆଶ୍ରୟ ଲୋଡ଼ୁଛି ।

      X                  X                  X            X

ଅତ୍ୟନ୍ତ ଆନନ୍ଦର ବିଷୟ ଯେ ୧୯୯୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରବନ୍ଧ ଆଲୋଚନା ନିମନ୍ତେ ମାନବତାବାଦୀ ପ୍ରଗତିକାମୀ ସାରସ୍ୱତ ପୁରୁଷ ଶ୍ରୀ ଗୁରୁଚରଣ ପଟ୍ଟନାୟକଙ୍କୁ ତାଙ୍କର ‘ଜଗତ ଦର୍ଶନରେ ‘ଜଗନ୍ନାଥ’ ଗ୍ରନ୍ଥ ନିମନ୍ତେ ପୁରସ୍କୃତ କରି ସମ୍ମାନିତ କରିଛନ୍ତି । ସେ ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରମୁଖ ସେନାନୀ । ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା । ସେ ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ପ୍ରବର୍ତ୍ତକ ସ୍ୱର୍ଗତ ଭଗବତୀ ପାଣିଗ୍ରାହୀଙ୍କର ସହକର୍ମୀ ଥିଲେ । ଛାତ୍ର ଜୀବନରୁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସେ ବହୁବାର କାରାବରଣ କରିଛନ୍ତି । ଏପରିକି ତାଙ୍କର ‘ଭାରତରେ ଇଂରେଜ ରାଜ’ ପାଇଁ ମଧ୍ୟ ସେ କାରାରୁଦ୍ଧ ହୋଇଥିଲେ । ଏହା ପୂର୍ବରୁ ତାଙ୍କର ‘ନବମାନବର ସୃଷ୍ଟି’ ପୁସ୍ତକ ନିମନ୍ତେ ‘ସୋଭିଏତ୍ ଦେଶ’ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ସାରସ୍ୱତ ସାଧକ ଗୁରୁଚରଣଙ୍କର ସମସ୍ତ ସୃଜନଶୀଳ ତପସ୍ୟା ‘ମଣିଷ’ ଓ ମାନବିକତା ପ୍ରତି ଉତ୍ସର୍ଗୀକୃତ । ତାଙ୍କର ଶାଣିତ ଓ କୁଶାଗ୍ର ତର୍କପୁଷ୍ଟ ପ୍ରବନ୍ଧ-ସମାଲୋଚନା, ଭ୍ରମଣ ବୃତ୍ତାନ୍ତ ଗ୍ରନ୍ଥ- ‘ଜଗତ ଦର୍ଶନରେ ଜଗନ୍ନାଥ’, ‘ଖଣ୍ଡା ଓ କଲମ’, ‘ମାର୍କସ ଓ ମାର୍କସବାଦ’, ‘ଓଡ଼ିଆ ସାହିତ୍ୟରେ ମତି ଓ ଗତି’, ‘ଗଞ୍ଜାମରେ ରକ୍ତ ପ୍ରଭାତ’, ‘ଧର୍ମ ଓ ରାଜନୀତି’, ‘ସୃଷ୍ଟି ଦୃଷ୍ଟି ସୃଷ୍ଟି’, ‘ରୁଷରେ ଯାହା ଦେଖିଲି’, ‘ପ୍ରଳୟ ଗର୍ଭରୁ’, ‘ନବମାନବର ସୃଷ୍ଟି’, ‘ସଙ୍କଟରେ ସାହିତ୍ୟ’ ପ୍ରଭୃତି ଏବଂ ଅନୁବାଦ ରଚନା ଭାବରେ ‘ବାନରରୁ ମଣିଷ ହେବାର ଶ୍ରମ ଭୂମିକା’, ‘ମାର୍କସବାଦୀ ଦର୍ଶନ’, ‘ରାଜନୈତିକ ଅର୍ଥନୀତିରେ ମୂଳତତ୍ତ୍ୱ’, ‘ଆଗକୁ ଏକପାଦ ପଛକୁ ଦୁଇ’, ‘ମାର୍କସ କ୍ୟାପିଟାଲ ସମ୍ୱନ୍ଧରେ’, ‘ଟଲଷ୍ଟୟ ସ୍ମରଣେ’, ‘ଲେନିନ୍‌ ଜୀବନୀ’ ଆଦି ଆଦି ଓଡ଼ିଆ ସାହିତ୍ୟର ଅମୂଲ୍ୟ ଗ୍ରନ୍ଥ । ତାଙ୍କର ‘କୋଟିକଣ୍ଠ’ ‘ନୂଆ ଦୁନିଆଁ‘, ‘କୃଷକ’, ‘ଆଧୁନିକ’, ‘ମୁକ୍ତିଯୁଦ୍ଧ’ ପ୍ରଭୃତି ପତ୍ର-ପତ୍ରିକାର ସମ୍ପାଦନା କ୍ଷେତ୍ରରେ ଭୂମିକା ମହତ୍ତ୍ୱପୂର୍ଣ୍ଣ । ଆମେ ତାଙ୍କଠାରୁ ଆହୁରି କିଛିର ଆଶା କରୁଛୁଁ ଏବଂ ସେହି ସାରସ୍ୱତ ପୁରୁଷଙ୍କୁ ପ୍ରଣାମ ଜଣାଇ ସାର୍ଥକ, ଦୀର୍ଘ, ରଚନାଶୀଳ ଜୀବନ ଲାଗି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁଁ ।

 

ଏକଦା ଜାତୀୟ ପୁସ୍ତକ ନ୍ୟାସର ନିର୍ଦ୍ଦେଶକ ଓ ସଂପ୍ରତି କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ପ୍ରଫେସର ୟୂ. ଆର. ଅନନ୍ତ ମୂର୍ତ୍ତି ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍‌ ଆଲୋଚକ, ବାଗ୍ମୀ ଓ ସୁଲେଖକ । ତାଙ୍କର ପ୍ରବନ୍ଧ ଆଲୋଚନା ସଂକଳନମାନ ଏବଂ ଚାରୋଟି ଉପନ୍ୟାସ, ଗୋଟିଏ ନାଟକ, ତିନୋଟି କବିତା ସଂକଳନ, ଏଯାବତ୍‌ ପ୍ରକାଶିତ ହୋଇଛି । ମହୀଶୂରରେ ଇଂରାଜୀ ସାହିତ୍ୟରେ ଅଧ୍ୟାପନା ନିମନ୍ତେ ତାଙ୍କର ଖ୍ୟାତି ରହିଛି ଏବଂ ସେ ମହାତ୍ମାଗାନ୍ଧୀ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ତାଙ୍କର କାର୍ଯ୍ୟକୁଶଳତାର ପରିଚୟ ଦେଇଛନ୍ତି-। ସେ ‘ଅଜୁବାଡ଼ୁ’ ନାମକ ତ୍ରୈମାସିକ ପତ୍ରିକାର ସଂପାଦକ ଥିଲେ । ‘ଏଣ୍ଡେଣ୍ଡୁ ମୁରି ଆଡ଼ା କାଥେ’, ‘ସଂସ୍କାର’, ‘ଆବସ୍ତେ’, ‘ଘଟଶ୍ରାଦ୍ଧ’, ‘ଭାରତୀପୁରା’, ‘ସୂର୍ଯ୍ୟାନା କୁହୁରେ’, ‘ପ୍ରଶ୍ନେ’, କ୍ଳିପ ଜଏଣ୍ଟ’, ‘ଭାବ’ ପ୍ରଭୃତି ତାଙ୍କର ପ୍ରସିଦ୍ଧ, ବିଚାରୋତ୍ତେଜକ ଏବଂ ଲୋକପ୍ରିୟ ରଚନା । ତାଙ୍କୁ ଭାରତୀୟ ଜ୍ଞାନପୀଠ ୧୯୯୪ର ମର୍ଯ୍ୟାଦାପୂର୍ଣ୍ଣ ଜ୍ଞାନପୀଠ ପୁରସ୍କାର କନ୍ନଡ଼ ସାରସ୍ୱତ ସର୍ଜନା ସ୍ୱରୂପ ‘ଭାରତୀୟ ସାହିତ୍ୟର ଭାରତୀୟ’ ଗ୍ରନ୍ଥ ନିମନ୍ତେ ପ୍ରଦାନ କରିଅଛନ୍ତି । ଆମେ ଏହି ସାରସ୍ୱତ ଗୁରୁଷଙ୍କ ପ୍ରତି ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରୁଛୁଁ ।

 

ଏହି ସଂଖ୍ୟା କୋଣାର୍କ ସଂବନ୍ଧରେ ଲେଖିବେ । ‘କୋଣାର୍କ’କୁ ଅଧିକ ଋଦ୍ଧିମନ୍ତ କରବାକୁ ପରାମର୍ଶ ଦେବେ ।

 

ସରସ୍ୱତୀଙ୍କର ଜୟ ହେଉ, ସରସ୍ୱତୀ ଗନ୍ଧା ଏହି ପୃଥ୍ୱୀର ଜୟ ହେଉ, ଶ୍ରୀକୃଷ୍ଣ ଦ୍ୱୈପାୟନମାନଙ୍କର ଜୟ ହେଉ, ଆପଣଙ୍କର ଜୟ ହେଉ, ସ୍ନେହ ସୋଦର ପଣର ଜୟ ହେଉ....... ।

 

୬।୧।୧୯୯୫                                                ଶ୍ରୀନିବାସ ଉଦ୍‌ଗାତା

 

 

ନିକଟ ଅପହଞ୍ଚ

ଡକ୍‌ଟର ସୌରୀନ୍ଦ୍ର ବାରିକ୍‌

 

କବିତାରେ ଜ୍ଞାନ କହିଲେ ଆମେ ମୁଖ୍ୟତଃ କ’ଣ ବୁଝୁଁ ? କବିର ଅନୁଭୂତି, ମଣିଷ ହିସାବରେ ବାସ୍ତବତା ସହ ସଂଘର୍ଷ କରି ସେ ପାଇଥିବା ଅନୁଭବର ବିଭିନ୍ନ ପରିସରର ବୁଦ୍ଧିଦୀପ୍ତ ନିର୍ଯ୍ୟାସକୁ ହିଁ କ’ଣ ଜ୍ଞାନ ବୋଲି ଧରି ନେଇ ଥାଉଁ ? ସାଧାରଣତଃ ଜ୍ଞାନ କହିଲେ ଆମେ ସମସ୍ତେ ତ ଏହି ବୌଦ୍ଧିକତାକୁ ହିଁ ବୁଝିଥାଉଁ । ଏହାକୁ ମଣିଷ ହାଲୁକା ଅବା ଗଭୀର ଭାବରେ ନିଜର କରିଥାଏ । ସେହି ଜ୍ଞାନାଲୋକରେ ଅଜ୍ଞାନର ଅନ୍ଧାରକୁ ଦୂର କରିଥାଏ, ଆଲୋକରେ ଜୀବନକୁ ନୂଆ ଭାବରେ ଦେଖିଥାଏ । ସତ୍ୟକୁ ପାଇଥାଏ । ଜ୍ଞାନ କହିଲେ ତେଣୁ ସତ୍ୟାନୁଭବ, ବଞ୍ଚିବାର ନିର୍ଯ୍ୟାସ । ଏହା ବ୍ୟକ୍ତିକ ପୁଣି ନୈବ୍ୟିକ୍ତିକ, ସାଧାରଣ ଓ ସାର୍ବଜନୀନ । ସତ୍ୟ ସହ ବୌଦ୍ଧିକ ଏବଂ ଆତ୍ମିକ ପରିଚୟ । ତେଣୁ ସାଧାରଣତଃ ଜ୍ଞାନ ପ୍ରାପ୍ତିର ମାର୍ଗ ମୁଖ୍ୟତଃ ଦୁଇ ପ୍ରକାର । ଗୋଟିଏ ହେଉଛି ଅଧ୍ୟୟନ, ଯୁକ୍ତି, ତର୍କ ଅର୍ଥାତ୍‌ ବୌଦ୍ଧିକ । ଅନ୍ୟଟି ଗଭୀର ପୁଣି ଆତ୍ମିକ । ଅର୍ଥାତ୍‌ ଜୀବନ ତଥା ବଞ୍ଚିବାର ସମ୍ମୁଖୀନ ହେବା । ଏହା ଆସେ ବ୍ୟକ୍ତିର ବାସ୍ତବତା ସହ ସମ୍ପର୍କ ଏବଂ ସଂଘର୍ଷରୁ । ଏହିଥିରୁ ଜନ୍ମ ମଣିଷର ଅନୁଭୂତି । ଅନୁଭୂତିରୁ ନିର୍ଯ୍ୟାସିତ ହୁଏ ସତ୍ୟ । ଏପରି ବ୍ୟକ୍ତିକ ଅନୁଭବ ଯେତେବେଳେ ସାର୍ବଜନୀନ ହୁଏ, କାଳର କଷଟି ଏବଂ ଯୁକ୍ତି ଓ ବିଶ୍ଳେଷଣଦ୍ୱାରା ପ୍ରତିଷ୍ଠିତ ହୁଏ, ତାହା ହୁଏ ସତ୍ୟ-ସାର୍ବଜନୀନ, ନୈବ୍ୟିକ୍ତିକ ସତ୍ୟ । ମଣିଷର ଜ୍ଞାନର ଗୋଟିଏ ରୂପ ।

 

ମାତ୍ର କବିତାରେ ଜ୍ଞାନ କହିଲେ ଏହି ପ୍ରକାର ନୈବ୍ୟିକ୍ତିକ ସତ୍ୟର ପ୍ରକାଶକୁ ଆମେ ବୁଝି ନଥାଉଁ । ଗୋଟିଏ ଗୃହୀତ ଧାରଣାକୁ ପ୍ରକାଶ କଲେ କବିତା ହୁଏତ ପଦ୍ୟଟିଏ, ଏମିତିକ ସୁନ୍ଦର ପଦ୍ୟଟିଏ ହୋଇଯିବ । କବିତା ହୋଇ ନା ପାରିବାର ସମ୍ଭାବନା ମଧ୍ୟ ସେଥିରେ ରହିଥାଏ । କବିତା କ’ଣ ଗୋଟିଏ ନିର୍ଦ୍ଦିଷ୍ଟ ସତ୍ୟକୁ ପ୍ରକାଶ କରିଥାଏ ? ଅର୍ଥାତ୍‌ ଏହା କ’ଣ ଦର୍ଶନ, ନିର୍ଦ୍ଦିଷ୍ଟ ତତ୍ତ୍ୱ ଅବା କୌଣସି ଅନୁଭବର କାବ୍ୟିକ ପ୍ରକାଶ ? ଏହା କ’ଣ ଗୋଟିଏ ମାଧ୍ୟମ ମାତ୍ର ? ତେବେ କ’ଣ କବିତାରେ ଜ୍ଞାନ ବାହ୍ୟ ଜଗତର ସାଧାରଣ ପ୍ରତିଷ୍ଠିତ ବୌଦ୍ଧିକ ଜ୍ଞାନଠାରୁ ଭିନ୍ନ ? ଏହା କ’ଣ ରହସ୍ୟମୟ ? ଯୁକ୍ତି, ତର୍କ, ଅଧ୍ୟୟନ ପରିବର୍ତ୍ତେ , ଏକ ଅତୀନ୍ଦ୍ରିୟ ଚେତନାରୁ କ’ଣ ଏହାର ଜନ୍ମ ? ଅନେକ କବିତାରେ ରହସ୍ୟମୟୀ ଅତୀନ୍ଦ୍ରିୟ ଅନୁଭବ ପ୍ରକାଶ ପାଇଛି ମାତ୍ର ରହସ୍ୟବାଦୀର ସତ୍ୟ ଓ ଦର୍ଶନର କାବ୍ୟିକ ବର୍ଣ୍ଣନା କେବେ ଉଚ୍ଚକୋଟୀର କବିତା ହୋଇ ପାରି ନାହିଁ । ଏହି ସତ୍ୟ ଜୀବନର ଅନ୍ୟାନ୍ୟ କ୍ଷେତ୍ର ଅର୍ଥାତ୍‌ ରାଜନୀତି, ଦର୍ଶନ, ଧର୍ମ ପାଇଁ ମଧ୍ୟ ପ୍ରଯୁଜ୍ୟ । ତେଣୁ କବିତାର ଜ୍ଞାନ ତତ୍ତ୍ୱର କାବ୍ୟିକ ପ୍ରକାଶ ନୁହେଁ । ପଦ୍ୟ ମଧ୍ୟ ନୁହେଁ । କବିତ୍ୱ ହିଁ ମୁଖ୍ୟ ।

 

କବିତାର ସତ୍ୟବୋଧ, ଅର୍ଥାତ୍‌ ଅନୁଭବର ନିର୍ଯ୍ୟାସ, ଯାହାକୁ ଆମେ ଜ୍ଞାନ ବୋଲି କହିଥାଉଁ, ତାହା ବ୍ୟକ୍ତିକ ଅନୁଭବରୁ ହିଁ ଜନ୍ମ ନେଇଥାଏ । କବିତାର ସତ୍ୟ ତେଣୁ ବୈଜ୍ଞାନିକ ନୈବ୍ୟିକ୍ତିକ ସତ୍ୟଠାରୁ ଭିନ୍ନ । ଏହା ପୁଣି ଯୁକ୍ତି-ନିଷ୍ଠ ନ ହୋଇ ଆବେଗଜ । ତେଣୁ କବି ଏବଂ କବିତା ଅଭିନ୍ନ । ଏଇଥିପାଇଁ ତ କବିତା ଏକ ନିର୍ଦ୍ଦିଷ୍ଟ ସତ୍ୟର ପ୍ରକାଶ ନୁହେଁ; ଏହା ନିଜେ, ନିଜସ୍ୱ ଭାବରେ ଏକ ସତ୍ୟ । କବିଠାରୁ ଏହି ସତ୍ୟ ଭିନ୍ନ ନୁହେଁ କିମ୍ୱା ଏହା ଆନୀତ, ଏମିତିକି ଗୃହୀତ ମଧ୍ୟ ନୁହେଁ । ଏହା କବି ନିଜେ । ଗୋଟିଏ ମୁହୂର୍ତ୍ତରେ ଜୀବନେ ଗଭୀର ବଞ୍ଚିବା । ତେଣୁ କବିତାରେ ଜ୍ଞାନ ଏପରି ଏକ ବଞ୍ଚିବା ଏବଂ ଏପରି ଏକ କହିବା ଯହିଁରେ କବି, କବିତା ଏବଂ କବିତାର କଥା ଏକ ଓ ଅଭିନ୍ନ ହୋଇଯାଏ । କବିତାରେ କବି ଯାହା କହେ ଏବଂ ଯେପରି ଭାବରେ କହିଥାଏ ତାହା ଏକ ଓ ଅଭିନ୍ନ । କବି ଯାହା କହିଥାଏ ଯଦି କହିବା ମୁହୂର୍ତ୍ତରେ ତାହା ହୋଇନଥାଏ ତେବେ ସେ ସତ୍ୟ ଦିଏ ନାହିଁ । ତାର ଦିବ୍ୟ ଦୃଷ୍ଟି ଖୋଲି ନ ଥାଏ । ଏପରି ଅବସ୍ଥାରେ ସେ ଗୋଟିଏ ଘଟଣା ଅବା ଅନୁଭବକୁ ବର୍ଣ୍ଣନା କରିଥାଏ ମାତ୍ର । ସେ କେବଳ ବର୍ଣ୍ଣନାକାରୀଟିଏ କିନ୍ତୁ ସେ ତୃତୀୟ ନୟନର ଅଧିକାରୀ ଦ୍ରଷ୍ଟା ଏବଂ ସ୍ରଷ୍ଟା ନୁହେଁ । କାରଣ ବର୍ଣ୍ଣନାରେ ପୂର୍ବ ପରିଚିତ ଅବସ୍ଥା ଅବା ଘଟଣାକୁ କୁହା ଯାଇଥାଏ, ଅବା ଅନୁକରଣ କରାଯାଇ ଥାଏ । ମାତ୍ର କବିତାର ଅନୁଭବ ସତ୍ୟ, ଏକ ଅନନ୍ୟ ଅନୁଭବ । ଏହା ସେତିକିବେଳେ ଜନ୍ମ ନିଏ ଯେତେବେଳେ ଅନୁଭବ, ବ୍ୟକ୍ତି ଏବଂ ପ୍ରକାଶ ଆବେଗମୟୀ ଜ୍ୱଳନରେ ଏକାକାର ହୁଏ । ସେଇ ମୂହୂର୍ତ୍ତଟି କବି ପାଖରେ ତୃତୀୟ ଚକ୍ଷୁ ଫିଟିବାର ମୁହୂର୍ତ୍ତ । ସତ୍ୟ ଏବଂ ଜ୍ଞାନର ମୁହୂର୍ତ୍ତ । ତେଣୁ କବିତା ତ ଏକ ଅନନ୍ୟ ଭାବାବେଗ ମୁହୂର୍ତ୍ତର ଶାବ୍ଦିକ କବି । ତାହାହିଁ କବିତାର ପରମ ସତ୍ୟ ଏବଂ ଜ୍ଞାନ । ବିକଳ୍ପ ବିହୀନ ।

 

କବିତାର ଜ୍ଞାନ ଆବେଗମୟୀ । ଏହା ଯୁକ୍ତିନିଷ୍ଠ ନୁହେଁ । ଏହା ଆବେଗକୁ ପ୍ରତୀକରେ ପରିଣତ କରିଥାଏ । ଏହି ପ୍ରତୀକ ସୃଷ୍ଟି ହୁଏ କବିର ଜୀବନ ସହ ସମ୍ପର୍କରୁ । କବିତା ଆବେଗରୁ ଜନ୍ମ ନିଏ । ଏହାର ଆବେଦନ ଆବେଗମୟୀ । ମାତ୍ର କଞ୍ଚା ଆବେଗର ଶ୍ରାବଣୀ ପ୍ରକାଶ କବିତା ନୁହେଁ । ଅବା ଏହା ଆବେଗର ହିସାବୀ ଓ କୌଶଳୀ ସଜ୍ଜୀକରଣ ନୁହେଁ । ଏହା ଆବେଗାନୁଭବର ପ୍ରତୀକ । ଆବେଗ ଯୁକ୍ତିନିଷ୍ଠ ନୁହେଁ ମାତ୍ର ଏହା ଯୁକ୍ତିର ବିରୋଧ କରେ ନାହିଁ । ଆମେ ଆବେଗକୁ ଅନୁଭବ କରୁ ଏବଂ ଅନ୍ୟର ଚିନ୍ତା ପାଇଁ ତାକୁ ପରଶି ଥାଉଁ । ଚିନ୍ତା ଅନୁଭବର ଏକ ଅଂଶ ମଧ୍ୟ ହୋଇଯାଏ । ଏହା ଜଟିଳ ଅନୁଭବର ପ୍ରତୀକୀକରଣ ହିଁ କବିତା । ଏହା ତେଣୁ ଆମ ସମଗ୍ର ଚେତନାକୁ ଆନ୍ଦୋଳିତ କରିଥାଏ । ଏକ ବ୍ୟକ୍ତିକ ଅନୁଭବ ସାର୍ବଜନୀନ ହୋଇଯାଏ । କବିତାରେ ଝଲସି ଉଠୁଥିବା ଜ୍ଞାନ ତେଣୁ ଖଣ୍ଡିତ ନୁହେଁ । ଏହା ନୈବ୍ୟିକ୍ତିକ ସତ୍ୟର ପଦୀକରଣ ନୁହେଁ । ପ୍ରତ୍ୟେକ କବିତା ମୁହୂର୍ତ୍ତେ ଜୀବନର ବ୍ୟକ୍ତିକ ରୂପ । ଜୀବନର ଏକ ଶାବ୍ଦିକ ଟୁକୁରା । ବିପୁଳ ଜୀବନର ଚିରନ୍ତନ ସତ୍ୟକୁ ଏହା ନିଜସ୍ୱ ଭାବରେ ଧ୍ୱନିତ କରୁଥାଏ । ଏହାର ପ୍ରଭାବ ତେଣୁ କେବଳ କ୍ଷଣିକ ଶିହରିତ ଆନନ୍ଦ ନୁହେଁ । ଏହାର ପ୍ରଭାବ ଆଧ୍ୟାତ୍ମିକ । ଆଧ୍ୟାତ୍ମିକ କୌଣସି ଧର୍ମ ଦୃଷ୍ଟିରୁ ନୁହେଁ । ଏହା ଆଧ୍ୟାତ୍ମିକ ଏଇଥିପାଇଁ ଯେ ଏଥିରେ ଚେତନାର ଉତ୍ତରଣ ଘଟିଥାଏ । ଗୋଟିଏ ଆତ୍ମାବିଷ୍କାର ହୋଇଥାଏ । ଚେତନାରେ ରୂପାନ୍ତର ଘଟିଥାଏ । ମନ ଭିତରେ କେଉଁଠି ଆଖିଟିଏ ଫିଟିଯାଏ । ଏହି ଆଖି ଫିଟି ଯିବା ତ ଜ୍ଞାନ । ତେଣୁ କବିତାର ଅନୁଭବ କବିତା ହୋଇଯିବା । ନିଜସ୍ୱ ଭାବରେ କବିଟିଏ ହୋଇଯିବା । ଅନ୍ୟର ଭାବରେ ବାସ୍ତବତାର ଅଂଶ ହୋଇଯିବା । ଏପରି ଉପଲବ୍‌ଧି ସାଧାରଣ ନୁହେଁ । ଏହା ଏକ ଉତ୍ତରିତ ଅନୁଭବ । ଏହା ହିଁ ରହସ୍ୟମୟତା ।

 

ଏହି ରହସ୍ୟମୟତାକୁ ଜାଣିବାକୁ ହେଲେ କବିତାର ସୃଷ୍ଟି ପ୍ରକ୍ରିୟାକୁ ବୁଝିବାକୁ ପଡ଼ିବ । କାରଣ କବିତାର ଜ୍ଞାନ ସାଧାରଣ ଜ୍ଞାନଠାରୁ ଭିନ୍ନ । ଏହା ସମ୍ପୂର୍ଣ୍ଣ ବ୍ୟକ୍ତିକ ଏବଂ ଅନୁଭବଦ୍ୱାରା ଏହା ସାଧାରଣରେ ପ୍ରତୀକ ଭାବରେ ରୂପ ପାଇଥାଏ । କବି ସବୁବେଳେ ତା’ ନିଜ ସମୟ ଖଣ୍ଡରେ ଗଢ଼ି ଉଠୁଥିବା ଚିନ୍ତା ଓ ଚେତନାକୁ ଗ୍ରହଣ କରିଥାଇ ପାରେ, ମାତ୍ର ଏହା ଯେ ସବୁବେଳେ ତା’ କାବ୍ୟିକ ସତ୍ୟର ପୃଷ୍ଠଭୂମି ହେବ ଏକଥା ନିଶ୍ଚିତ ନୁହେଁ । କାରଣ କବିତା ସାଂପ୍ରତିକ ଚେତନାର କାବ୍ୟିକ ରୂପ ନୁହେଁ । ଏହା ପ୍ରଚାର ସର୍ବସ୍ୱ ନୁହେଁ । କୌଣସି ଚିନ୍ତା ଅଥବା ଚେତନାର କାବ୍ୟିକରୂପ ବି ନୁହେଁ । କବିତାର ଅନୁଭବ ଏବଂ ସୃଷ୍ଟି ପ୍ରକ୍ରିୟା ଏକ ନିଜସ୍ୱ ସ୍ୱାଧୀନ ପ୍ରକ୍ରିୟା । କବିତା ଲେଖିଲାବେଳେ କବି ଏକ ପ୍ରକାର ଦହନର ଶିକାର ହୋଇଥାଏ । ଏ ପ୍ରକାର ଦହନରୁ ଆରମ୍ଭ ହୁଏ ସୃଷ୍ଟି ପ୍ରକ୍ରିୟା । ଏ ଦହନ ଆସେ ଗଭୀର ଅନୁଭବରୁ । କବିତା ଏ ଦହନର ଉଚ୍ଛ୍ୱାସ ଭରା ବର୍ଣ୍ଣନା ନୁହେଁ, ଅବା ଶୀତଳି ଆସିଥିବା ଦହନର ନୈର୍ବ୍ୟକ୍ତିକ ବିଶ୍ଳେଷଣ ନୁହେଁ । ଏହା ଦହନର ପ୍ରତୀକଟିଏ । କେତେବେଳେ ଶ୍ଳୋକ ହୋଇ ରାମାୟଣ ହୁଏତ କେତେବେଳେ ନିହାଣ ବାଜି ପଥର ଭିତରୁ ପ୍ରତିମାଟିଏ ଫୁଟି ଉଠେ । ତେଣୁ ଗଭୀର ଆବେଗର ଅନୁଭବ ଶ୍ରାବଣୀ ଉଚ୍ଛ୍ୱାସଠାରୁ ଭିନ୍ନ । ଏହା ବେଳାଭୂମିରେ ଅଜାଡ଼ି ପଡ଼ୁଥିବା ଢେଉ ନୁହେଁ, ମଝି ଦରିଆର ଅତଳ ନୀଳ ଗଭୀରତା, ଯାହା ଭିତରେ ସବୁ ଉଦ୍‌ବେଳନ ସହ ପ୍ରଶାନ୍ତିର ସମନ୍ୱୟ ଘଟିଥାଏ ।

 

କବିତା ଏହି ସମନ୍ୱୟର ପ୍ରତୀକ । ଏହାର ମାଧ୍ୟମ ଭାଷା । ଏହାଦ୍ୱାରା କବି ପ୍ରକାଶିତ ହୁଏ ନାହିଁ, ପାଠକ ସହିତ ଆବେଦନ ଏବଂ ସମ୍ପର୍କ ସୃଷ୍ଟି କରିଥାଏ ସେ ଚିନ୍ତା-ଜଗତର ସଚେତନ ଅଂଶଟିଏ ମଧ୍ୟ ହୋଇଥାଏ । ତେଣୁ ବୌଦ୍ଧିକତା କବିର ଜଟିଳ ଚେତନାର ଅଂଶଟିଏ । ମାତ୍ର କବି ସବୁକୁ ଆବେଗରେ ପରିଣତ କରିଦିଏ । ଏପରିକି ବୁଦ୍ଧି ଏବଂ ପ୍ରଜ୍ଞା ସବୁ ଆବେଗିତ ହୋଇଯାଏ । କବି ସବୁ ଅନୁଭବକୁ ଆବେଗ ଜରିଆରେ ବଞ୍ଚେ । ଏହି ଆବେଗିତ ସତ୍ୟ ହିଁ କାବ୍ୟିକ ସତ୍ୟ । ଏହାହିଁ କବିତାରେ ଜ୍ଞାନ । ସେ ଯାହା କହେ, ଯେଉଁ ଭାବରେ କହେ ସବୁ ଏକ ନିଜସ୍ୱ ବାସ୍ତବତା । ଆତ୍ମିକ ଜ୍ଞାନର ଅନନ୍ୟ ପ୍ରତୀକ । ତେଣୁ ପ୍ରତିଟି କବିତା ଏକ ପୂର୍ଣ୍ଣତା । ଏକ ଶାବ୍ଦିକ ବିଶ୍ୱ । ଏହା ବୁନ୍ଦାଏ କାକରିତ ସୂର୍ଯ୍ୟ । ଏହା ପୂର୍ଣ୍ଣ ଯେମିତି ଧାରେ ଲୁହରେ ଜୀବନେ ସୁଖ ଅବା ଦୁଃଖ । କବିତା ଗୋଟିଏ ମୁହୂର୍ତ୍ତରେ ଅନନ୍ତ କାଳର ରହସ୍ୟକୁ ଆବେଗୀୟ ସତ୍ୟରେ ପରିଣତ କରିପାରେ । କାରଣ କବିତା କବି ଅହଂର ପୂର୍ଣ୍ଣତାର ରୂପ । ପୂର୍ଣ୍ଣତା ବିନା କବିତାର ଅସ୍ତିତ୍ୱ ନାହିଁ । ଏମିତିକି ଖଣ୍ଡିତକୁ ଏହା କେତେ ପୂର୍ଣ୍ଣ ଭାବରେ ରୂପ ଦିଏ । ପୂର୍ବରୁ କହିଥିବା ଦଗ୍‌ଧୀଭୂତ ମୁହୂର୍ତ୍ତରେ କବି ତାର ସାମାଜିକ ରାଜନୈତିକ, ଧାର୍ମିକ ଏମିତିକି ଦୈହିକ ଅସ୍ତିତ୍ୱ ଭୁଲି ଅନୁଭବଟିଏ ହୋଇଯାଏ । ତାକୁ ତଥାକଥିତ ସତ୍ୟ ଏବଂ ଜ୍ଞାନର ସୀମିତତା ବାନ୍ଧି ରଖିପାରେ ନାହିଁ । ସେଇ ମୁହୂର୍ତ୍ତରେ ସେ କେବଳ ନିଜକୁ ଯେଉଁ ଭାବରେ ପାଏ, ତା’ର ବାସ୍ତବତା ଯେଉଁ ରୂପ ନିଏ ତାହା ହିଁ ଲେଖେ । କୌଣସି ନିର୍ଦ୍ଦିଷ୍ଟ ଚିନ୍ତାଧାରା ଅବା ମତବାଦର ମୁଖପାତ୍ର ହୁଏ ନାହିଁ । ତା’ ପାଦ ହୁଏତ ଜୀବନର ଦଲଦଲିରେ ପୋତି ହୋଇଥାଏ ମାତ୍ର କବି ଲର୍‌କାଙ୍କ ପିମ୍ପୁଡ଼ି ପରି ଅଜଣା ତାରା ଉପରେ ତା’ର ଦୃଷ୍ଟି ଲାଖି ରହିଥାଏ । ସେ ଯାହା ଲେଖେ ତା’ ଖାଲି ମୂହୁର୍ତ୍ତେ ଦାଉଦାଉ ଶବ୍ଦର ଜଟିଳତାପୂର୍ଣ୍ଣ ପ୍ରତୀକଟିଏ, ଯାହା ଭିତରେ ଥାଏ ତା’ ବ୍ୟକ୍ତିତ୍ୱ, ଚରିତ୍ର ଏମିତିକି ଅଜ୍ଞାତର ନିବିଡ଼ତା । ଏହି ନିବିଡ଼ତା ହିଁ ଜ୍ଞାନ । ଜ୍ଞାନର ପରିଚିତ ସରହଦରୁ ବାହାରେ ଏହାର ଅସ୍ତିତ୍ୱ । ଏହା ମୁହୁର୍ତ୍ତେ ନିକଟ-ଅପହଞ୍ଚ । ଏହି ପ୍ରାପ୍ତିହିଁ ଜ୍ଞାନ-ସତ୍ୟର ସତ୍ୟ, କାବ୍ୟିକ ସତ୍ୟ । ପ୍ରତୀକ ସତ୍ୟ । ଦେଖା ଅଦେଖା ଭିତରେ ଯାହା ଚିରନ୍ତନ ସେଇ ପୂରା ଦେଖି ନପାରିବା; ପୁରା ବୁଝି ନପାରିବା ଜୀବନର ରହସ୍ୟମୟୀ ଝଲକ । ତାହା ନିଜ ଭାବରେ ଜନ୍ମ ନିଏ, ନିଜର ଗଢ଼ଣ ସୃଷ୍ଟି କରେ । ଆବେଗ ଛଳଛଳ ଆତ୍ମିକ ଅନୁଭବଟିଏ ଅନନ୍ୟ ଭାବରେ ସାର୍ବଜନୀନ ହୋଇଯାଏ । ନିଜେ ହୁଏ ନିଜର ଉପମା । ନିଜେ ହିଁ ଗୋଟିଏ ସତ୍ୟ, ଜ୍ଞାନ, ଅତୁଳନୀୟ ।

 

 

ପ୍ରାଧ୍ୟାପକ

ଇଂରାଜୀ ବିଭାଗ

ବି.ଜେ.ବି କଲେଜ

 

***

 

ଜଗନ୍ନାଥ ଦାସ ଓ ଶଙ୍କରଦେବ

ଡକ୍‌ଟର ଲକ୍ଷ୍ମୀଧର ଦାସ

 

(୧)

 

ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀ ଆଞ୍ଚଳିକ ଭାଷା-ସାହିତ୍ୟର ବିକାଶ, ଉଦାର ମାନବବାଦୀ ଧର୍ମର ପ୍ରଚାର ଓ ପ୍ରସାର ଦୃଷ୍ଟିରୁ ଥିଲା ଏକ ଗୌରବମୟ କାଳ । ଇତିପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ସ୍ମାର୍ତ୍ତପଦ୍ଧତି ଏବଂ ରାମାନୁଜଙ୍କ ପ୍ରବର୍ତ୍ତିତ ପଞ୍ଚରାତ୍ର ପଦ୍ଧତି ଶୈବ ଓ ଶାକ୍ତଧର୍ମ ସହିତ ବୈଷ୍ଣବ ଧର୍ମର ସମନ୍ୱୟ ଆଣିଥିଲା । ବୁଦ୍ଧ ବିଷ୍ଣୁଙ୍କ ଅବତାର ରୂପେ ଗୃହୀତ ହେଲେ । ଉଦାର ମାନବବାଦୀ ନବ୍ୟବୈଷ୍ଣବ ଧର୍ମର ଅଭ୍ୟୁଦୟ ଘଟିଲା ।

 

ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀରେ କବୀର (୧୩୯୮-୧୪୪୮), ରାମାନନ୍ଦ (୧୪୦୦-୭୦), ମାଧ୍ୱାଚାର୍ଯ୍ୟ (୧୪୨୦-୯୫), ନାମଦେବ (୧୪୦୦-୩୦), ବଲ୍ଲଭାଚାର୍ଯ୍ୟ (୧୪୭୯-୧୫୩୧), ଜ୍ଞାନେଶ୍ୱର (୧୪୨୦-୧୪୯୫), ନାନକଦେବ (୧୪୬୯-୧୫୩୯), ତୁଳସୀଦାସ (୧୫୩୦-୧୬୨୩) ସୁରଦାସ (୧୫୮୩), ମୀରାବାଈ (୧୫୧୦-୧୫୪୭), ଶ୍ରୀଚୈତନ୍ୟ (୧୪୮୫-୧୫୩୩), ଶଙ୍କରଦେବ (୧୪୪୯-୧୫୬୯), ଜଗନ୍ନାଥ ଦାସ (୧୪୯୦-୧୫୫୦), ବଳରାମ ଦାସ (୧୪୭୩-୧୫୨୦) ପ୍ରମୁଖ ସନ୍ଥମାନେ ଧର୍ମୀୟ ଚିନ୍ତାଧାରାରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ । ଉଲ୍ଲିଖିତ ମହାପୁରୁଷମାନଙ୍କ ନିଷ୍ଠା ଓ ମହନୀୟ ଉଦ୍ୟମରେ ସମଗ୍ର ଭାରତରେ ଅପୂର୍ବ ଧର୍ମ ପ୍ଳାବନ ସୃଷ୍ଟି ହୋଇଥିଲା । ଏହି ନବ୍ୟଧର୍ମର ଉପାସ୍ୟ ଦେବତା ଓ ଉପାସନା ପଦ୍ଧତି ମଧ୍ୟରେ କିଛି ଭିନ୍ନତା ପରିଲକ୍ଷିତ ହେଲେହେଁ ଲକ୍ଷ୍ୟ ପ୍ରାୟଶଃ ଥିଲା ଏକ ଏବଂ ସନ୍ଥକବିମାନେ ସ୍ୱକୀୟ ଧର୍ମପ୍ରଚାରର ମୁଖ୍ୟ ମାଧ୍ୟମରୂପେ ପ୍ରାନ୍ତୀୟ ଭାଷା-ସାହିତ୍ୟକୁ ଗ୍ରହଣ କରିଥିଲେ ।

 

ସେ ସମୟରେ ଓଡ଼ିଶା ଥିଲା ଭାରତର ଅନ୍ୟତମ ପ୍ରଧାନ ହିନ୍ଦୁସାମ୍ରାଜ୍ୟ ଓ ହିନ୍ଦୁଧର୍ମସଂସ୍କୃତିର ରକ୍ଷାକବଚ । ଭାରତର ସମସ୍ତ ମୁଖ୍ୟ ଧର୍ମସଂପ୍ରଦାୟ ଏବଂ ବିଶିଷ୍ଟ ଧର୍ମପ୍ରଚାରକମାନଙ୍କ ପ୍ରଚାରିତ ଧର୍ମତତ୍ତ୍ୱର ସମନ୍ୱୟରେ ଜଗନ୍ନାଥଧର୍ମ ସାର୍ବଜନୀନ ପ୍ରତିଷ୍ଠାଲାଭ କରିଥିଲା । ଏଣୁ ତାତ୍‌କାଳିକ ଓଡ଼ିଶା ଓ ସର୍ବୋପରି ଶ୍ରୀକ୍ଷେତ୍ର ଭାରତୀୟ ସମସ୍ତ ସାଧୁସନ୍ନ୍ୟାସୀମାନଙ୍କ ପ୍ରେରଣାର ପ୍ରଧାନ ଉତ୍ସ ହୋଇପଡ଼ିଥିଲା । ଶ୍ରୀକ୍ଷେତ୍ରରେ ଉତ୍କଳୀୟ ବୈଷ୍ଣବ ଏବଂ ଦୂରାଗତ ସାଧୁସନ୍ନ୍ୟାସୀମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ ହେଉଥିଲା ଏବଂ ପରସ୍ପର ପରସ୍ପରଦ୍ୱାରା ପ୍ରଭାବିତ ହେଉଥିଲେ ।

 

ଆଲୋଚ୍ୟ ପ୍ରବନ୍ଧରେ ପୂର୍ବପ୍ରାନ୍ତରେ ଅବସ୍ଥିତ ଓଡ଼ିଶା ଓ ଆସାମର ନବ୍ୟବୈଷ୍ଣବ ଆନ୍ଦୋଳନ ମଧ୍ୟରେ ଥିବା ଐକ୍ୟର ତୁଳନାତ୍ମକ-ବିଶ୍ଳେଷଣ ବିଶିଷ୍ଟ ସନ୍ଥସାଧକ ଜଗନ୍ନାଥ ଦାସ ଏବଂ ଶଙ୍କରଦେବଙ୍କ ଜୀବନୀ, ଧର୍ମ-ଦର୍ଶନ, ସାହିତ୍ୟସୃଷ୍ଟି ଓ ସାମାଜିକ ଆଭିମୁଖ୍ୟ ଆଧାରରେ କରାଯାଉଛି ।

(୨)

 

ଆସାମ ଓଡ଼ିଶା ପରି ଆର୍ଯ୍ୟ-ଅନାର୍ଯ୍ୟ ସଂସ୍କୃତିର ମିଳନସ୍ଥଳ ଏକ ପୂର୍ବପ୍ରାନ୍ତୀୟ ରାଜ୍ୟ । ଏହାର ମଧ୍ୟଯୁଗୀୟ ରାଜନୀତିକ ଓ ସାମାଜିକ ବାତାବରଣ ଥିଲା ବିଶୃଙ୍ଖଳ । ଏହାର ଅଧିବାସୀ ଆର୍ଯ୍ୟ, ଅନାର୍ଯ୍ୟ-ଉପଜାତି, ବର୍ମୀ ତିବ୍ଦତୀୟଙ୍କ ମଧ୍ୟରେ ଅନ୍ତର୍ବିବାଦ ଆକ୍ରମଣ, ପ୍ରତିଆକ୍ରମଣରେ ରାଜନୀତିକ ବାତାବରଣ ରକ୍ତରଞ୍ଜିତ ହୋଇଥିଲା । ଆସାମର ଆଦିଧର୍ମ ଥିଲା କିରାତ ଧର୍ମ (ଯୋଗିନୀତନ୍ତ୍ର) । ଆଦିଯୁଗୀୟ ବୈଷ୍ଣବ ଓ ଶୈବଧର୍ମଦ୍ୱାରା ଆସାମର ଧର୍ମଧାରଣା ବିଶେଷ ପ୍ରଭାବିତ ହୋଇପାରି ନଥିଲା । ସହଜିଆ ବୌଦ୍ଧଧର୍ମର ମିଶ୍ରଣରେ ଯେଉଁ ତାନ୍ତ୍ରିକ ଶାକ୍ତଧର୍ମର ସୃଷ୍ଟି ହୋଇଥିଲା ତାହା ଯୌନାଚାର, ପଶୁବଳି ଓ ନରବଳି, ପଞ୍ଚମକାର, କୁମାରୀପୂଜା ଆଦି କୁତ୍ସିତତା ମଧ୍ୟରେ ସୀମିତ ଥିଲା । ସର୍ପଦେବତା, କଚ୍ଛପ ଦେବତାଦିର ପୂଜା କରାଯାଇଥିଲା । ଭାରତର ଅନ୍ୟ ପ୍ରାନ୍ତରେ ଆସାମ ବା କାମରୂପ କାଉଁରୀ ଦେଶଭାବେ ପରିଚିତ ଲାଭ କରିଥିଲା । ଏହି ଅନ୍ଧ କୁସଂସ୍କାରପୂର୍ଣ୍ଣ ବାମାଚାର ଓ ସ୍ୱୈରାଚାର ପ୍ରଧାନ ପରିବେଶରେ ଘଟିଥିଲା ଯୁଗପୁରୁଷ ଶ୍ରୀମତ୍‌ ଶଙ୍କରଦେବଙ୍କ ଆବିର୍ଭାବ । ସନ୍ଥଜୀଙ୍କ ଜୀବନୀ ବିଭିନ୍ନ ‘ଚରିତ ପୁଥି’ରେ ବର୍ଣ୍ଣିତ ଏବଂ କିମ୍ବଦନ୍ତୀ ମଧ୍ୟରେ ଉଜ୍ଜୀବିତ । ଏପରିକି ଓଡ଼ିଆରେ ରଚିତ ‘ଭକ୍ତପଞ୍ଚକ’ ଓ ‘ଶଙ୍କର ଗୋସାଇଁ ଚରିତ’ରେ ଶଙ୍କରଦେବଙ୍କ ଜୀବନୀ ସମ୍ୱନ୍ଧରେ କିଛି ଉପାଦାନ ମିଳିଥାଏ ।

 

ଶଙ୍କରଦେବଙ୍କ ଜନ୍ମସ୍ଥାନ ହେଉଛି ନଗାଓଁ ନିକଟବର୍ତ୍ତୀ ଆଲିପୋଖରୀ ଗ୍ରାମ । ତାଙ୍କର ପିତା ହେଉଛନ୍ତି ଭୂୟାଁମଣ୍ଡଳାଧିପତି କାୟସ୍ଥ କୁସୁମ୍ୱର ଏବଂ ଜନ୍ମଦାତ୍ରୀ ମାତ ହେଉଛନ୍ତି ସତ୍ୟସନ୍ଧା-। ଶୈଶବରୁ ତାଙ୍କର ପିତୃମାତୃ ବିୟୋଗ ଘଟିଥିଲା । ପିତାମହୀ ଖେରଶୁତୀ ତାଙ୍କର ଲାଳନପାଳନ ଭାର ଗ୍ରହଣ କରିଥିଲେ । ସେ ପଣ୍ଡିତ ମାଧବକନ୍ଦଳୀଙ୍କଠାରୁ ଶିକ୍ଷାଲାଭ କରି ଅଳ୍ପ ବୟସରେ ଅସମୀୟା ଓ ସଂସ୍କୃତରେ ବ୍ୟୁତ୍ପତ୍ତି ଲାଭ କରିଥିଲେ । ପିଲାଦିନରୁ ତାଙ୍କଠାରେ ବୈରାଗ୍ୟ ଓ କବିତ୍ୱଶକ୍ତି ଲକ୍ଷ୍ୟ କରାଯାଇଥିଲା । ଶଙ୍କରଦେବ ବାଇଶବର୍ଷରେ ସୂର୍ଯ୍ୟାବତୀଙ୍କୁ ବିବାହ କରିଥିଲେ-। ସୂର୍ଯ୍ୟାବତୀ ମନୁନାମ୍ନୀ ଏକ କନ୍ୟାକୁ ଛାଡ଼ି ଇହଧାମ ତ୍ୟାଗ କଲେ । ଫଳତଃ ଶଙ୍କରଦେବ ଅଧିକମାତ୍ରାରେ ସଂସାର ବିରାଗୀ ହେଲେ । ସେ ୧୪୮୨ ଖ୍ରୀଷ୍ଟାବ୍ଦରେ ଅଷ୍ଟମବର୍ଷିୟା କନ୍ୟାକୁ ବିବାହ ଦେଇ ତୀର୍ଥ ଭ୍ରମଣରେ ବାହାରିଲେ । ସେ ବଦରିକା, ବାରାଣସୀ, ବୃନ୍ଦାବନ ପ୍ରଭୃତି ତୀର୍ଥ ଭ୍ରମଣକରି ସଶିଷ୍ୟ ପୁରୀ ଆସି ସେଠାରେ ବର୍ଷାଧିକକାଳ ଅବସ୍ଥାନ କଲେ-

 

ଶ୍ରୀକ୍ଷେତ୍ରରେ ଜିଜ୍ଞାସୁ ଶଙ୍କରଦେବ ବୈଷ୍ଣବଧର୍ମ ପ୍ରତି ଅଧିକ ଆକୃଷ୍ଟ ହେଲେ । ସେ କୌଣସି ମଣିଷକୁ ଗୁରୁରୂପେ ଗ୍ରହଣ ନକରି ଜଗନ୍ନାଥଙ୍କୁ ଗୁରୁରୂପେ ବରଣ କଲେ । ସେ ଜଗନ୍ନାଥଙ୍କଠାରୁ ଜ୍ଞାନଜ୍ୟୋତି ଲାଭକଲେ ଓ ସେହି ଜ୍ୟୋତିର ବିତରଣରେ ମାତୃଭୂମିକୁ ପ୍ରୋଜ୍ଜ୍ୱଳ କରିବା ପ୍ରତିଜ୍ଞା ନେଇ କାମରୂପ ଫେରିଲେ ।

 

ସନ୍ଥଜୀ ପିତାମହୀ ଓ ବୟୋଜ୍ୟେଷ୍ଠ ଆତ୍ମୀୟସ୍ୱଜନଙ୍କ ଅନୁରୋଧକୁ ଉପେକ୍ଷା ନକରି ୧୪୯୭ଖ୍ରୀଷ୍ଟାବ୍ଦରେ କାଳିନ୍ଦୀ ଦେବୀଙ୍କ ପାଣିଗ୍ରହଣ କଲେ ଏବଂ ପୈତୃକ ଭୂୟାଁମଣ୍ଡଳର ପରିଚାଳନା ଭାର ଗ୍ରହଣ କଲେ । କିନ୍ତୁ ସାଂସାରିକ ବନ୍ଧନ ଶ୍ରୀମତ୍‌ ଶଙ୍କରଙ୍କ ଜ୍ଞାନାଲୋକକୁ ପ୍ରଶମିତ କରିପାରି ନଥିଲା । ଗୃହସ୍ଥାଶ୍ରମ ସହ ଧର୍ମଚର୍ଚ୍ଚା ଚାଲିଲା । ସେ ଏକ କୀର୍ତ୍ତନଘର ନିର୍ମାଣ ପୂର୍ବକ ଶାସ୍ତ୍ରଚର୍ଚ୍ଚା, ଧର୍ମାଲୋଚନା, ଧର୍ମପ୍ରଚାର ଓ ନାମକୀର୍ତ୍ତନ କରୁଥିଲେ । ଏହି ଅନୁଷ୍ଠାନଟି ଥିଲା ‘ଶତପଥ ବ୍ରାହ୍ମଣ’ ବର୍ଣ୍ଣିତ ‘ପଞ୍ଚରାତ୍ର ସତ୍ତ୍ର’ ବା ‘ବ୍ରହ୍ମସତ୍ତ୍ର’ର ଅନୁରୂପ । ସେ ଯେଉଁ ଧର୍ମ ପ୍ରଚାର କଲେ ତାହାର ନାମ ‘ମହାପୁରୁଷୀୟଧର୍ମ’; ପରମେଶ୍ୱର, ପରମପୁରୁଷ ବା ପୁରୁଷୋତ୍ତମଙ୍କ ଧର୍ମ । ଏହି ଧର୍ମାନୁଯାୟୀ ବିଷ୍ଣୁ ବିଶେଷତଃ କୃଷ୍ଣ ଏକମାତ୍ର ଆରାଧ୍ୟ । ତେଣୁ ଏହି ଧର୍ମର ଅନ୍ୟ ନାମ ‘‘ଏକ ଶରଣୀୟା ନାମଧର୍ମ ।’’

 

ଶଙ୍କରଙ୍କ ପ୍ରଚାରିତ ଧର୍ମପ୍ରତି ସାଧାରଣ ଜନତା ଆକୃଷ୍ଟ ହୋଇ ଧର୍ମାନ୍ତର ଗ୍ରହଣ କରିବାରେ ଲାଗିଲେ । କ୍ରମଶଃ ପାରମ୍ପରିକ ପୁରୋହିତ ଗୋଷ୍ଠୀ, ତାନ୍ତ୍ରିକ, ଅହୋମମାନଙ୍କ ଧର୍ମଗୁରୁମାନେ ଶଙ୍କରଦେବଙ୍କ ପରମ ଶତ୍ରୁ ହୋଇ ପଡ଼ିଲେ । ଫଳତଃ ତାଙ୍କୁ ବାରମ୍ବାର ସାମ୍ପ୍ରଦାୟିକ ବିଦ୍ରୋହ ଓ ରାଜନିଗ୍ରହର ସମ୍ମୁଖୀନ ହେବାକୁ ପଡ଼ିଲା । ସେ ଜ୍ଞାତି, ଆତ୍ମୀୟସ୍ୱଜନ ଓ ଶିଷ୍ୟମାନଙ୍କୁ ନେଇ ସ୍ଥାନାନ୍ତର ଗମନ କରିବାରେ ଲାଗିଲେ । ତାଙ୍କ ଜାମାତା ପ୍ରାଣଦଣ୍ଡ ପାଇଲେ ଏବଂ ପୈତୃକ ଅଞ୍ଚଳ ଛାଡ଼ି ଆହୋମ ରାଜ୍ୟ ଓ ପରେ କାମରୂପକୁ ପଳାୟନ କଲେ । କିନ୍ତୁ ସେ ପ୍ରତି ସ୍ଥାନରେ ସତ୍ତ୍ର ଓ ନାମଘରମାନ ସ୍ଥାପନ କରି ଧର୍ମପ୍ରଚାର କରିଥିଲେ । ସେ ୧୫୪୬ ଖ୍ରୀ (?)ରେ ବରପେଟା ନିକଟବର୍ତ୍ତୀ ପାଟବାଉସୀ ଠାରେ ଏକ ବୃହତ୍‌ ସତ୍ତ୍ର ସ୍ଥାପନ କରି ଅପେକ୍ଷାକୃତ ଶାନ୍ତିରେ ୨୦ ବର୍ଷକାଳ ଅତିବାହିତ କରିଥିଲେ ।

 

ସନ୍ଥଜୀଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଘଟଣା ହେଉଛି ପ୍ରତିଭାବାନ ପଣ୍ଡିତ ଶାକ୍ତ ମାଧବ ଦେଓଙ୍କୁ ଶିଷ୍ୟରୂପେ ଗ୍ରହଣ । ପରେ ବ୍ରାହ୍ମଣ ପଣ୍ଡିତ ଶାସ୍ତ୍ରଜ୍ଞ ହରିଦେଓ, ଦାମୋଦରଦେଓ ଓ ଅନନ୍ତ କନ୍ଦଳି ତାଙ୍କର ଶିଷ୍ୟ ହୋଇଥିଲେ । ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ, ବ୍ରାହ୍ମଣେତର ଜାତି, ଉପଜାତି ଏପରିକି ଚାନ୍ଦସାଇ ନାମକ ଜଣେ ମୁସଲମାନ ତନ୍ତୀ ଥିଲେ । ଶ୍ରୀ ଶଙ୍କରଦେବ ଆନୁମାନିକ ଷୋଡ଼ଶ ଶତାବ୍ଦୀର ଚତୁର୍ଥ ଦଶକରେ ୧୨୦ ଜଣ ଶିଷ୍ୟଙ୍କ ସହ ଦ୍ୱିତୀୟବାର ତୀର୍ଥଯାତ୍ରାରେ ପୁରୀ ଯାଇଥିଲେ । ଦୁଇବର୍ଷ ପରେ ପୁରୀରୁ ଫେରି ପୂର୍ବବତ୍‌ ଧର୍ମସଭା, ଧର୍ମପ୍ରଚାର, ନୂତନ ଶିଷ୍ୟ ଗ୍ରହଣ ଓ ସାହିତ୍ୟ ସୃଷ୍ଟିରେ ମନୋନିବେଶ କରିଥିଲେ । ପୁଣି ବ୍ରାହ୍ମଣମାନଙ୍କ ଚକ୍ରାନ୍ତରେ ରାଜନିଗ୍ରହର ଶିକାର ହେଲେ । ଶେଷରେ ଶଙ୍କରଦେବଙ୍କ ଅସାଧାରଣ ବ୍ୟକ୍ତିତ୍ୱ, ବାଗ୍ମିତା, ଶାସ୍ତ୍ର ଏବଂ ଧର୍ମଜ୍ଞାନ ଯୋଗୁଁ କୋଚବିହାରର ରାଜା ନରନାରାୟଣ ଓ ଦେବାନ ଚିଲାରାୟଙ୍କ ପ୍ରୀତିଭାଜନ ହୋଇଥିଲେ ।

 

ସେ ରାଜଧାନୀ କୋଚବିହାର ନିକଟବର୍ତ୍ତୀ କାକତକୁଟାରେ ଏକ ସତ୍ତ୍ର ସ୍ଥାପନ କରିଥିଲେ-। ସନ୍ଥ ଶଙ୍କରଦେବ ପ୍ରଧାନ ଶିଷ୍ୟ ମାଧବ ଦେଓଙ୍କୁ ନିଜେ ଜାଳିଥିବା ଆଲୋକ ଜଳାଇ ରଖିବାର ଭାର ଅର୍ପଣ କରି ୧୫୬୯ ଖ୍ରୀଷ୍ଟାବ୍ଦରେ ଇହଲୀଳା ସମ୍ବରଣ କଲେ । ସନ୍ଥଜୀଙ୍କ ମହାପ୍ରସ୍ଥାନ ବେଳକୁ ଆସାମର ସବୁଅଞ୍ଚଳରେ ସତ୍ତ୍ର ଓ ନାମଘରମାନ ସ୍ଥାପିତ ହୋଇଥିଲା । ପରେ ତାହା ତାଙ୍କ ଶିଷ୍ୟ-ପ୍ରଶିଷ୍ୟ ପ୍ରଭୃତିଙ୍କଦ୍ୱାରା ଆହୁରି ପ୍ରସାରିତ ହୋଇଥିଲା । ବୈଷ୍ଣବ ଧର୍ମ ହେଲା ଆସାମର ସାର୍ବଜନୀନ ଗଣଧର୍ମ । ବୈଷ୍ଣବ ସାହିତ୍ୟ, ସଙ୍ଗୀତ ଓ କଳାରେ ଅସମୀୟା ସଂସ୍କୃତି ସୁସମୃଦ୍ଧ ହେଲା ।

 

(୩)

 

ଗୋସ୍ୱାମୀ ଜଗନ୍ନାଥ ଦାସଙ୍କ ଜୀବନୀର ଉପାଦାନ ବିଭିନ୍ନ ଧର୍ମଗ୍ରନ୍ଥ ଓ ଚରିତଗ୍ରନ୍ଥମାନଙ୍କରେ ଉପଲବ୍‌ଧ । ଶଙ୍କରଦେବ ଓ ଉତ୍କଳୀୟ ପଞ୍ଚସଖା ଗୋଷ୍ଠୀର ଅନ୍ୟ ସନ୍ଥ ବଳରାମ, ଯଶୋବନ୍ତ, ଅନନ୍ତ ଓ ଅଚ୍ୟୁତ ଅବ୍ରାହ୍ମଣ ଥିଲା ବେଳେ ଜଗନ୍ନାଥ ଦାସ ଥିଲେ ଶ୍ରୋତ୍ରିୟ ବ୍ରାହ୍ମଣ । ସେ ଥିଲେ କପିଳେଶ୍ୱର ଶାସନ ନିବାସୀ ପୁରାଣପଣ୍ଡା ଭଗବାନ ପଣ୍ଡା ଏବଂ ପଦ୍ମାବତୀଙ୍କ ସନ୍ତାନ । ସେ ବାରବର୍ଷ ବୟସରେ ପଦାର୍ପଣ କଲାବେଳକୁ ବେଦ-ବେଦାନ୍ତ ଓ ସଂସ୍କୃତ ପୁରାଣାଦି ଅଧ୍ୟୟନ ଶେଷ କରିଥିଲେ । ଗୋସ୍ୱାମୀଜୀ, ଶଙ୍କରଦେବ ତଥା ପଞ୍ଚସଖାଙ୍କ ବୈପରୀତ୍ୟରେ ଆଜୀବନ ବ୍ରହ୍ମଚାରୀ ରହି ତାଙ୍କର ସମସ୍ତ ଶକ୍ତି ସାମର୍ଥ୍ୟକୁ ଭଗବତ୍‌ସେବା, ଧର୍ମାଲୋଚନା, ଧର୍ମପ୍ରଚାର, ମଠ ଓ ଭାଗବତ ଘର ସ୍ଥାପନ ତଥା ସାହିତ୍ୟ ସୃଷ୍ଟିରେ ବିନିଯୋଗ କରିଥିଲେ । ସେ ବ୍ରାହ୍ମଣ ଥିଲେ ବି ବ୍ରାହ୍ମଣମାନଙ୍କଦ୍ୱାରା ବାରମ୍ବାର ସମାଲୋଚିତ ହେଉଥିଲେ ଏବଂ ରାଜନିଗ୍ରହର ଶରବ୍ୟ ହୋଇଥିଲେ ।

 

ଚୈତନ୍ୟଙ୍କ ପୁରୀ ଆଗମନ ବେଳକୁ (୧୫୦୯-୧୦) ଯୁବକ ସନ୍ଥ ଜଗନ୍ନାଥ ଜଣେ ପୁରାଣବିତ୍‌ ପଣ୍ଡିତରୂପେ ଖ୍ୟାତି ଅର୍ଜନ କରିଥିଲେ । ସେ ପୁରାଣପଣ୍ଡା ବ୍ରାହ୍ମଣମାନଙ୍କ ଆକ୍ଷେପ ସତ୍ତ୍ୱେ ମାତାଙ୍କ ଆଦର୍ଶରେ ପ୍ରାକୃତଭାଷା ଓଡ଼ିଆରେ ଭାଗବତ ଓ ଧର୍ମଗ୍ରନ୍ଥମାନ ରଚନା କରିଥିଲେ-। ସେ ପୈତୃକ ପୁରାଣପଣ୍ଡାବୃତ୍ତି ଅବଲମ୍ବନ କରି ବଟଗଣେଶ (ଶ୍ରୀମନ୍ଦିର) ନିକଟରେ ପୁରାଣଚର୍ଚ୍ଚା କରୁଥିଲେ ବୋଲି ବିଭିନ୍ନ ଚରିତଗ୍ରନ୍ଥମାନଙ୍କରେ ବର୍ଣ୍ଣିତ । ଚୈତନ୍ୟଦେବ ତାଙ୍କର ବିଦ୍‌ବତ୍ତା, ପାଣ୍ଡିତ୍ୟ ଓ ଧର୍ମଜ୍ଞାନରେ ବିମୋହିତ ହୋଇ ଅତିବଡ଼ୀ ଉପାଧି ପ୍ରଧାନ କରିଥିଲେ । ପରବର୍ତ୍ତୀ କାଳରେ ସନ୍ଥ ଜଗନ୍ନାଥ ଚୈତନ୍ୟଙ୍କ ସାନ୍ନିଧ୍ୟରେ ତୂରୀୟ ଭବାବେଶ ହୋଇ କାଳାତିପାତ କରୁଥିଲେ ବା ଯୋଗାସାଧନ, ଧର୍ମଚର୍ଚ୍ଚା, ଧର୍ମପ୍ରଚାର ଓ ସାହିତ୍ୟ ସୃଷ୍ଟିରେ ମନୋନିବେଶ କରୁଥିଲେ ।

 

ଆଲୋଚ୍ୟ ଦୁଇ ମହାପୁରୁଷଙ୍କ ଜୀବନ ଥିଲା ଆଲୌକିକତାର ସମାହାର । ଶୟନରତ ଶଙ୍କରଦେବଙ୍କ ମସ୍ତକରେ ନାଗସାପ ଫଣାଟେକି ଛାଇ କରିବା, ଚତୁର୍ଦ୍ଧାମୂର୍ତ୍ତି ଧାରଣ, ତାଙ୍କ ଚମଡ଼ାରେ ଢୋଲ ତିଆରିକରି ବଜାଇବାକୁ ପ୍ରତିଜ୍ଞା କରିଥିବା ରାଜା ନରନାରାୟଣ ଦର୍ଶନ ମାତ୍ରେ ବଶୀଭୂତ ହେବା ଆଦି ଆଲୌକିକ ଘଟନା ‘ଚରିତପୁଥି’ ମାନଙ୍କରେ ବର୍ଣ୍ଣିତ । ଅନୁରୂପଭାବେ ଜଗନ୍ନାଥ ଦାସଙ୍କ ନାରୀରୂପ ଗ୍ରହଣ, ରାଜା ପ୍ରତାପରୁଦ୍ରଙ୍କୁ ଅଷ୍ଟଭୁଜ ପ୍ରଦର୍ଶନ, ରାଜା ଜଗନ୍ନାଥଙ୍କ ଅଙ୍ଗଲାଗି ପାଇଁ ଦେଇଥିବା ଅପୂର୍ବ ଗନ୍ଧଚନ୍ଦନକୁ କାନ୍ଥରେ ଲେପନ ମଧ୍ୟରେ ତାହା ଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲେପିତ ହେବା, ଯୋଗବଳରେ ସମୁଦ୍ର ଲହଡ଼ିର ରୋଧ ଆଦି ଅତିମାନବୀୟ ଘଟନା ବିଭିନ୍ନ ବୈଷ୍ଣବ-ଗ୍ରନ୍ଥରେ ବର୍ଣ୍ଣିତ ବା କିମ୍ବଦନ୍ତୀରୂପେ ଉଦ୍‌ଜୀବିତ । ସେହିପରି ଜଗନ୍ନାଥଦାସ ଶ୍ରୀରାଧାଙ୍କ ହାସରୁ ଜନ୍ମ ଏବଂ ଶଙ୍କରଦେବ ଶ୍ରୀକୃଷ୍ଣ ଅଂଶୀ ବୋଲି ଅନୁଗତ ଭକ୍ତମାନେ ବିଶ୍ୱାସ କରନ୍ତି । ଏସବୁ ଭାକ୍ତିକ ଅତିରଞ୍ଜନ ବୋଲି ମନେହୁଏ । ଭାରତୀୟ ସାଧୁ-ସନ୍ଥ ବା ମହାପୁରୁଷଙ୍କ ନାମରେ ଏହିପରି ଅଲୌକିକ ଆଖ୍ୟାନ ବା କିମ୍ବଦନ୍ତୀ ପ୍ରଚଳିତ । ଅଲୌକିକତା ପାଇଁ ନୁହେଁ, ଉଦାର ସାର୍ବଜନୀନ କଲ୍ୟାଣକର ଧର୍ମଦର୍ଶନ ଭିତ୍ତିକ ସାହିତ୍ୟ ସୃଷ୍ଟି ଏବଂ ମାନବବାଦୀ ସାମାଜିକ ଆଭିମୁଖ୍ୟ ହେତୁ ମହାପୁରୁଷଦ୍ୱୟ ଚିରସ୍ମରଣୀୟ ।

 

(୪)

 

ଶଙ୍କରଦେବ ଓ ଜଗନ୍ନାଥଦାସ ଉଭୟ ଜ୍ଞାନମିଶ୍ରା ବୈଷ୍ଣବଧର୍ମାବଲମ୍ବୀ ଓ ପୁରୁଷୋତ୍ତମ ଚେତନା ବା ଜଗନ୍ନାଥ ତତ୍ତ୍ୱର ଅନୁଗାମୀ । ଶଙ୍କରଦେବ ଭଗବତ ପୁରାଣବର୍ଣ୍ଣିତ ସତ୍‌ସଙ୍ଗ ପଦ୍ମପୁରାଣ ଉତ୍ତରଖଣ୍ଡର ନାମ କୀର୍ତ୍ତନ ମାହାତ୍ମ୍ୟ, ଭଗବତଗୀତା ବର୍ଣ୍ଣିତ ଐକାନ୍ତିକ ଭକ୍ତି ଅର୍ପଣର ସମନ୍ୱୟରେ ଏକଶରଣୀୟା ନାମଧର୍ମ ବା ମହାପୁରୁଷୀୟ ଧର୍ମ ପ୍ରଚାର କରିଯାଇଛନ୍ତି । ରାମାନୁଜ ପନ୍ଥୀଙ୍କ ମତରେ ଗୀତାର ଚରମଶ୍ଳୋକ ହେଉଛି ‘‘ସର୍ବଧର୍ମାନ୍‌ ପରିତ୍ୟେଜ୍ୟ ମାମେକ ଶରଣଂ ବ୍ରଜ’’ । ପ୍ରୋକ୍ତ ଧର୍ମର ଏହାହିଁ ମୂଳ ଆଦର୍ଶ । ଏଥିରେ ଈଶ୍ୱର ଅର୍ଥାତ୍‌ ବିଷ୍ଣୁ ବିଶେଷତଃ କୃଷ୍ଣଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଶ୍ରୀମତ୍‌ ଶଙ୍କର ବ୍ରହ୍ମଙ୍କ ଦୁଇଟି ସତ୍ତାସଗୃଣ ଓ ନିର୍ଗୁଣକୁ ସ୍ୱୀକାର କରିବାସତ୍ତ୍ୱେ ନିର୍ଗୁଣଭକ୍ତି ଉପରେ ଗୁରୁତ୍ୱ ଆରୋପ କରୁଥିଲେ । ସେ ନବଧାଭକ୍ତି ମଧ୍ୟରେ ଶ୍ରବଣ ଓ କୀର୍ତ୍ତନକୁ ଶ୍ରେଷ୍ଠ ବୋଲି ବିଚାର କରୁଥିଲେ । ସେ କହୁଥିଲେ ନୂତନ ସାଧକ ବା ଭକ୍ତ ପ୍ରତିମାପୂଜା କରିପାରେ; କାରଣ ନବଧାଭକ୍ତି ମଧ୍ୟରେ ଅର୍ଚ୍ଚନ ଅନ୍ୟତମ ।

 

ଶଙ୍କରଦେବ ଜଗନ୍ନାଥଦାସଙ୍କ ପରି ଯୋଗସାଧନ କରୁଥିଲେ କିନ୍ତୁ ତୀର୍ଥଭ୍ରମଣ ପରେ ଭକ୍ତି ଓ ନାମକୀର୍ତ୍ତନ ଉପରେ ପ୍ରାଧାନ୍ୟଦେଇ ଯୋଗତ୍ୟାଗ କରିଥିଲେ । ବସ୍ତୁତଃ ଶଙ୍କରଦେବଙ୍କ ଧର୍ମ ଥିଲା ଜ୍ଞାନଭକ୍ତିର ମଧୁର ସମନ୍ୱୟ ନିର୍ଗୁଣ ଧର୍ମ । ଅତିବଡ଼ୀଙ୍କ ଧର୍ମରେ ନିର୍ଗୁଣ ଉପାସନା ପ୍ରାଧାନ୍ୟ ପାଇଥିଲା । ଜଗନ୍ନାଥ ଦାସଙ୍କ ଧର୍ମତତ୍ତ୍ୱର ବିଶ୍ଳେଷଣ କରି ଜଣେ ସମୀକ୍ଷକ କହିଛନ୍ତି–‘‘ଭକ୍ତିଜ୍ଞାନ ଓ ଯୋଗ କ୍ଷେତ୍ରରେ ଜଣେ ନିଷ୍ଠାପର ସାଧକ ଜଗନ୍ନାଥଦାସ ନିର୍ଗୁଣ ସାହିତ୍ୟର ଏକ ଦୃଢ଼ ପ୍ରଦୀପ୍ତ ଦୀପସ୍ତମ୍ଭ ।’’ (ଡକ୍ଟର ମେଘନାଦ ପ୍ରଧାନ, ଜଗନ୍ନାଥ ଦାସଙ୍କ ନିର୍ଗୁଣ ଭାବନା-ଝଙ୍କାର ୮ । ୧୯୮୬ ।)

 

ଶଙ୍କରଦେବ କୃଷ୍ଣୋପାସକ ହେଲେହେଁ ପରକୀୟା ପ୍ରେମର ବିରୋଧୀ ଥିଲେ । ସେ ବାମାଚାରୀ ଶାକ୍ତ ଧର୍ମ ପ୍ରଭାବିତ ସମାଜ ସମ୍ମୁଖରେ ଅପ୍ରାକୃତ ହେଲେବି ପରକୀୟା ପ୍ରେମକୁ ଉପସ୍ଥାପନ କରିବାକୁ ସମୀଚୀନ ମନେ କରିନାହାନ୍ତି । ରାଧା-କୃଷ୍ଣପ୍ରେମ ବା ଗୋପୀକୃଷ୍ଣ ଶାରୀରିକ ମିଳନର ଚିତ୍ରଣ ତାଙ୍କ ସାହିତ୍ୟରେ ନାହିଁ । ଶଙ୍କରଙ୍କ ପଟ୍ଟଶିଷ୍ୟ ମାଧବଦେବ ରାଧାଙ୍କୁ ଜଣେ ଯୋଗସାଧିକା ତପସ୍ୱିନୀରୂପେ (?) ଉପସ୍ଥାପନ କରିଛନ୍ତି ।

 

ଜଗନ୍ନାଥଦାସ ତାଙ୍କର ‘ଶୈବାଗମ ଭାଗବତ’ରେ ଗୋପାଙ୍ଗନାମାନଙ୍କୁ ଉଗ୍ର ତପସ୍ୱିନୀ ଥିଲେ ବୋଲି କହିଛନ୍ତି । ଉଭୟ ସନ୍ଥଙ୍କ ରଚିତ ଭାଗବତରେ ରାଧାଙ୍କ ନାମୋଲ୍ଲେଖ ବି ନାହିଁ । ପରବର୍ତ୍ତୀକାଳରେ ଚୈତନ୍ୟଙ୍କ ଜଗନ୍ନାଥଦାସ ପ୍ରେମଭକ୍ତି ପ୍ରତି ଶ୍ରଦ୍ଧା ପ୍ରକାଶ କରିଥିଲେ ମଧ୍ୟ ରାଧାକୃଷ୍ଣ ପ୍ରେମ ବର୍ଣ୍ଣନା କରିନାହାନ୍ତି ।

 

କୃଷ୍ଣଭକ୍ତି ଓ ନିର୍ଗୁଣଭକ୍ତି ଉଭୟ ମହାପୁରୁଷଙ୍କ ରଚନାରେ ପ୍ରାଧାନ୍ୟ ପାଇଥିଲେ ବି ଜଗନ୍ନାଥ ହୋଇଛନ୍ତି ପରମ ଉପାସ୍ୟ-ଜଗନ୍ନାଥ ଓ କୃଷ୍ଣ ଅଭିନ୍ନ । ଜଗନ୍ନାଥ ଦାସଙ୍କ ଭାଗବତର ବହୁସ୍ଥଳରେ ଏବଂ ‘ଅନାମୟୀ କୁଣ୍ଡଳୀ’ରେ କୃଷ୍ଣ ଓ ନୀଳାଦ୍ରିଶିଖରବିହାରୀ ଜଗନ୍ନାଥଙ୍କ ମଧ୍ୟରେ ଅଭିନ୍ମତ୍ୱ ଆରୋପ କରିଛନ୍ତି । ଯଥା–

 

‘‘ଶ୍ରୀକୃଷ୍ଟ ନିତ୍ୟ ଅବତାରୀ । ନୀଳାନ୍ଦ୍ରି ଶିଖରେ ବିହରୀ ।’’ (*)

 

*ଡକ୍ଟର ବଂଶୀଧର ମହାନ୍ତି-ଓଡ଼ିଆସାହିତ୍ୟର ଇତିହାସ-ତୃତୀୟଭାଗ, ପୃ-୨୫୦

 

ଏକ ଶରଣୀୟା ନାମଧର୍ମର ପ୍ରବର୍ତ୍ତକ ସଂଥଶଙ୍କର ଶିଷ୍ୟମାନଙ୍କୁ ଅନ୍ୟ ଦେବତାଙ୍କ ଦର୍ଶନ ଓ ପ୍ରସାଦ ସେବନକୁ ନିଷେଧ କରିଥିଲେ ବି ** ‘ଉରେଷା ବର୍ଣ୍ଣନ’ରେ ଭକ୍ତି ବିହ୍ୱଳିତ ଆବେଗ କଣ୍ଠରେ ଜଗନ୍ନାଥଙ୍କର ଏବଂ ମହାପ୍ରସାଦର ମହିମା ବର୍ଣ୍ଣନା କରିଛନ୍ତି–

 

‘‘ଜଗନ୍ନାଥ ନାମ ଯିଟୋ ହେଲାୟେ ଉଚ୍ଚରେ ।

ବ୍ରହ୍ମବିଦ୍ୟା ଆଦିପାପ ପଲାୟତାକ ଡରେ ।।

x            x            x

ଜଗନ୍ନାଥ ନାମର ମହିମା କୈବାକତ

ମହାପ୍ରସାଦର ଆତେ ଶୁଣିୟୋ ମହତ ।

(କୀର୍ତ୍ତନ ଘୋଷା)

 

** ଅନ୍ୟ ଦେବୀଦେବ ନକରିବା ସେବା/ପ୍ରସାଦ ନଖାଇବା ମୂତ୍ତିକୋ ନଚାଇବା ।

 

କେତେକ ନାମଘରରେ ଜଗନ୍ନାଥ ବା କୃଷ୍ଣ କଲିଆଠାକୁର, ବାସୁଦେବ, ନାରାୟଣ, ଜଗନ୍ନାଥ ବା ଶ୍ୟାମରାୟ ରୂପେ ଆରାଧିତ । ସେହିପରି କେତେକ ଭାଗବତ ଘରେ ଜଗନ୍ନାଥ ଭଗବତ ବାସୁଦେବ, ଦଧିବାମନ ଏବଂ ପତିତପାବନ ରୂପରେ ପୂଜିତ ।

 

ଶଙ୍କରଦେବଙ୍କ ପ୍ରବ୍ରର୍ତ୍ତିତ ଏକଶରଣୀୟା ନାମଧର୍ମରେ ନାମକୀର୍ତ୍ତନ ଏକ ମୁଖ୍ୟ ବିଭାବ । ଜଗନ୍ନାଥଦାସ ଭାଗବତର ବହୁସ୍ଥଳରେ ଏବଂ ଶୈବାଗମ ଭାଗବତର ବହୁସ୍ଥଳରେ ଏବଂ ଶୈବାଗମ ଭାଗବତର ପ୍ରତିଟି ଅଧ୍ୟାୟରେ ନାମର କୀର୍ତ୍ତନ ମହତ୍ତ୍ୱ ପ୍ରଖ୍ୟାପନ କରିଯାଇଛନ୍ତି–

 

(କ)

‘‘ଅଶେଷ ବୀଜମନ୍ତ୍ର ଶକ୍ତି

ଅଶେଷ ରୂପ ଅନୁ ଗତି

।’’

 

 

ସମସ୍ତେ ନାମର ଅଧୀନ

ଯେ କରେ ନାମ ସଂକୀର୍ତ୍ତନ

।।’’

(ଶୈ. ଭା ୧।୯୦-୯୧)

(ଖ)

‘‘ନାମରେ ଅଛି ସର୍ବଶକ୍ତି

ନାମରେ ଲଭେ ହରିଭକ୍ତି

।।’’

(ତତ୍ରୈବ ୨।୯୫)

(ଗ)

‘‘ନାମ ସମାନ ରୂପ ନୋହେ

ନାମ ଈଶ୍ୱର ଶକ୍ତିବହୋ

।।’’

(ତତ୍ରୈବ ୩।୧୧)

 

ଉତ୍କଳୀୟ ବୈଷ୍ଣବ ଧର୍ମର ମହାମନ୍ତ୍ର ଓ ଅସମୀୟା ବୈଷ୍ଣବଧର୍ମର ମହାମନ୍ତ୍ର ମଧ୍ୟରେ ସାଦୃଶ୍ୟ ବର୍ତ୍ତମାନ । ଉତ୍କଳୀୟମାନଙ୍କର ମହାମନ୍ତ୍ର ହେଉଛି-‘ହରେ ରାମ କୃଷ୍ଣ’ ଏବଂ ଅସମୀୟା ମହାମନ୍ତ୍ର ହେଉଛି ‘ରାମ, କୃଷ୍ଣ, ହରି, ନାରାୟଣ’ ପକ୍ଷାନ୍ତରେ ଗୌଡ଼ୀୟ ବୈଷ୍ଣବମାନଙ୍କ ମହାମନ୍ତ୍ର ହେଉଛି ‘ହରେ କୃଷ୍ଣ ରାମ’ ।

 

ଉତ୍କଳୀୟ ଓ ଅସମୀୟା ଧର୍ମ-ଦର୍ଶନରେ ଭକ୍ତର ପ୍ରାଧାନ୍ୟ ସ୍ୱୀକୃତ । ଭକ୍ତି ନିକଟରେ ମୁକ୍ତି ନଗଣ୍ୟ ଓ ତୁଚ୍ଛ । ଜଗନ୍ନାଥ ଦାସଙ୍କ ଗୁରୁରୂପେ ସ୍ୱୀକୃତ ପଞ୍ଚସଖାଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ସଂଥ ବଳରାମ କହିଛନ୍ତି–

‘‘ଭକ୍ତି ଦେଲେ ମୁକ୍ତି ମାଗଇ ନାହିଁ । ଦାସ ବଳରାମ ଦାସ କହଇ ।’’ (ଭାବସମୁଦ୍ର)

 

ଜଗନ୍ନାଥ ଦାସ କବୀର ନିକଟରେ ମତ ବ୍ୟକ୍ତ କରିଥିଲେ କରିଥିଲେ ଯେ ‘ମୁକତି ବାଞ୍ଚା ନର୍କତୁଲ୍ୟ’- (ବୈଷ୍ଣବଲୀଳାମୃତ-ମାଧବ ପଟ୍ଟନାୟକ, ସମ୍ପାଦନା ଘନଶ୍ୟାମ ରଥ ଓ ଡ: ବୃନ୍ଦାବନ ଆଚାର୍ଯ୍ୟ) ଜଗନ୍ନାଥଦାସ ଓ ଶଙ୍କରଦେବଙ୍କ ରଚିତ ଭାଗବତରେ ଏହାର ଦୃଷ୍ଟାନ୍ତ ପ୍ରତୁଳ । ପ୍ରସଙ୍ଗକ୍ରମେ ତାହା ସୂଚିତ ହେବ । ପୁଣି ସଂଥଦ୍ୱୟଙ୍କ ରଚନାରେ ଦାସ୍ୟଭକ୍ତି ଉପରେ ପ୍ରାଧାନ୍ୟ ଦିଆଯାଇଛି ।

 

(୫)

 

ସନ୍ଥଦ୍ୱୟ ଅସମୀୟା ଓ ଓଡ଼ିଆ ସାହିତ୍ୟକୁ ବହୁମୁଖୀ ଅବଦାନ ଦେଇଯାଇଛନ୍ତି । ଶଙ୍କରଦେବ ଥିଲେ ପୁରାଣକାର ଓ କାବ୍ୟକାର, ନାଟକ ପ୍ରଣେତା, ଅଭିନେତା, ସଙ୍ଗୀତଜ୍ଞ ଓ ଚିତ୍ରଶିଳ୍ପୀ । ସେ ରୁକ୍ମିଣୀହରଣ କାବ୍ୟ; ହରିଶ୍ଚନ୍ଦ୍ର ଉପାଖ୍ୟାନ, କାଳିୟଦଳନ, କେଳିଗୋପାଳ, ରୁକ୍ମିଣୀହରଣ, ପାରିଜାତ ହରଣ, ରାମବିଜୟ ପ୍ରଭୃତି ନାଟକ; ବହୁବରଗୀତ (ଭକ୍ତିମୂଳକ ଗୀତ), ଭଟିମା ବା ଭଜନ, ବଳିଛଳନ, ରାଜେନ୍ଦ୍ର ଉପାଖ୍ୟାନ, ଅମୃତମନ୍ଥନ ଆଦି ଆଖ୍ୟାନ କବିତାମାନ ରଚନା କରିଛନ୍ତି । ତାଙ୍କର ସର୍ବୋତ୍ତମ ସାରସ୍ୱତ କୀର୍ତ୍ତି ହେଉଛି କୀର୍ତ୍ତନ ଘୋଷା । ଏହା ୨୭ଖଣ୍ଡରେ ବିଭକ୍ତ । ଏଥିରେ ସଂଥଜୀଙ୍କ ବିଭିନ୍ନ ସମୟରେ ରଚିତ ଉପାଖ୍ୟାନ ଓ ବରଗୀତଗୁଡ଼ିକ ସ୍ଥାନିତ । ଏଥିରେ ସନ୍ମିବିଷ୍ଟ ‘ଘୁନୁଚାଯାତ୍ରା’ ବା ‘ଘୁନୁଚାକୀର୍ତ୍ତନ (ଗୁଣ୍ଡିଚାଯାତ୍ରାର ନାମାନ୍ତର) ଶ୍ରୀଧର କନ୍ଦଳିଙ୍କ ରଚନା । ‘‘ଭାଷାର ଲାଳିତ୍ୟ ଛନ୍ଦବୈଚିତ୍ର୍ୟ, ସୌନ୍ଦର୍ଯ୍ୟର ସମାବେଶ ଏବଂ ଜ୍ଞାନର ପରିପକ୍ୱ ପ୍ରକାଶ ଦୃଷ୍ଟିରୁ ବିଚାର କଲେ କୀର୍ତ୍ତନଘୋଷାର ଅଧିକାଂଶ ରଚନା ଶଙ୍କରଙ୍କ ଉତ୍ତର ବୟସର ସୃଷ୍ଟି ।’’

 

ଶଙ୍କରଦେବ ଭାଗବତର ପ୍ରଥମ, ଦ୍ୱିତୀୟ, ଦଶମ, ଏକାଦଶ ଓ ଦ୍ୱାଦଶସ୍କନ୍ଦ ରଚନା କରିଥିଲେ । କେତେକ ମତରେ ଦଶମସ୍କନ୍ଧର ଉତ୍ତରାର୍ଦ୍ଧ ଅନନ୍ତକନ୍ଦଳିଙ୍କ ରଚନା । ସେ ରାମାୟଣର ଉତ୍ତରକାଣ୍ଡ ଅନୁବାଦକରି ଏବଂ ମାଧବଦେବଙ୍କଦ୍ୱାରା ଆଦିକାଣ୍ଡ ଅନୁବାଦ କରାଇ ପାଞ୍ଚକାଣ୍ଡ ବିଶିଷ୍ଟ ମାଧବ କନ୍ଦଳିଙ୍କ ରାମାୟଣରେ ସଂଯୋଜନ କରିଥିଲେ । ଏହି ଅନୁବାଦ ଗୁଡ଼ିକରେ ସାହିତ୍ୟିକ ଦିଗପ୍ରତି ଅଧିକ ଦୃଷ୍ଟି ଦିଆଯାଇ ନାହିଁ । ‘ଭକ୍ତିପ୍ରଦୀପ’ ‘ନିମିନବସିଦ୍ଧ’ ଓ ‘ଅନାଦିପାତନ’ ଭକ୍ତିତତ୍ତ୍ୱମୂଳକ ରଚନା । ମଧୂଦାନବ ଦାରଣ’ ସ୍ତୋତ୍ର ଏବଂ ‘ଭକ୍ତିରତ୍ନାକର’ ଶଙ୍କରଦେବଙ୍କ ସଂସ୍କୃତ ଭାଷାରେ ରଚିତ ରଚନା । ଶେଷୋକ୍ତ କୃତିରେ ସଂସ୍କୃତ ଭାଗବତର ବହୁ ଶ୍ଳୋକର ସଂଯୋଜନ କରାଯାଇଛି ।

 

ଶଙ୍କରଦେବଙ୍କ ପରି ଜଗନ୍ନାଥଦାସଙ୍କ ଲେଖନୀ ବହୁପ୍ରସୂ । ସେ ଏକାଧାରରେ ପୁରାଣକାର, କାବ୍ୟପ୍ରଣେତା, ଗୀତି ଓ ଗାଥାକାର । ଗଦ୍ୟକାର ଓ ବ୍ୟାଖ୍ୟାକାର ଭାବେ ସେ ସ୍ୱତନ୍ତ୍ର ଆସନର ଅଧିକାରୀ । ଜଗନ୍ନାଥୀ ସାହିତ୍ୟର ସମୀକ୍ଷକ ରୂପେ ପ୍ରସିଦ୍ଧିଲାଭ କରିଥିବା ଜଗବକନ୍ଧୁସିଂହ, ସଦାଶିବ ମିଶ୍ର, ସୂର୍ଯ୍ୟନାରାୟଣ ଦାସ, ସୁରେନ୍ଦ୍ର ମହାନ୍ତି ଓ ଡକ୍ଟର ବଂଶୀଧର ମହାନ୍ତି ପ୍ରଭୃତି ନିମ୍ନୋକ୍ତ କୃତିଗୁଡ଼ିକ ଅତିବଡ଼ୀଙ୍କ ରଚନା ବୋଲି ମତବ୍ୟକ୍ତ କରିଥାନ୍ତି ।

 

ଓଡ଼ିଆ ରଚନା : ୧-ଶ୍ରୀମତ୍‌ଭାଗବତ (ଏକାଦଶ ସ୍କନ୍ଦ ପର୍ଯ୍ୟନ୍ତ), ୨-ତୁଳାଭିଣା, ୩-ପାଷାଣ୍ଡଦଳନ,୪- ଗଜନିସ୍ତାରଣ, ୫-ଧ୍ରୁବସ୍ତୁତି, ୬-ମନଃଶିକ୍ଷା, ୭-ଦୂତୀବୋଧ, ୮-ଷୋଳଚଉପଦୀ, ୯- ଗୁଣ୍ଡିଚାବିଜେ, ୧୦-ଦହିଖେଳ, ୧୧-ମୃଗୁଣୀସ୍ତୁତି, ୧୨-ଗୁପ୍ତଭାଗବତ, ୧୩-ଶୈବାଗମ ଭାଗବତ, ୧୪-ଅନାମୟକୁଣ୍ଡଳୀ, ୧୫) ଦାରୁବ୍ରହ୍ମଗୀତା ୧୬) ସତ୍‌ସଙ୍ଗ ବର୍ଣ୍ଣନା ୧୭) ଗଙ୍ଗାମହାତ୍ମ୍ୟ, ୧୮) ଉଷାହରଣ । ଉଷାପରିଣୟ ୧୯) କ୍ଷେତ୍ରବର ଚଉତିଶା ପ୍ରଭୃତି ।

 

ସଂସ୍କୃତ ରଚନା- ୧) କୃଷ୍ଣଭକ୍ତି କଳ୍ପଲତା ୨) କୃଷ୍ଣଭକ୍ତି କଳ୍ପଲତାଫଳମ୍‌ ୩) ନୀଳାନ୍ଦ୍ରିଶତକମ୍‌ ୪) ଉପାସନାଶତକମ୍‌ ୫) ନିତ୍ୟଗୁପ୍ତମାଳା ।

 

ଏତଦ୍‍ସତ୍ତ୍ୱେ ଭାଗବତ ଜଗନ୍ନାଥଦାସଙ୍କ ସର୍ବଶ୍ରେଷ୍ଠ କୃତି । ସେ ପ୍ରଥମରୁ ଏକାଦଶ ସ୍କନ୍ଧପର୍ଯ୍ୟନ୍ତ ଭାଗବତ ରଚନା କରିଯାଇଛନ୍ତି । ସରଳ-ସାବଲୀଳ ତଥା ଗୁରୁଗମ୍ଭୀର ଭାଷାର ଅପୂର୍ବ ସମନ୍ୱୟ, ଉତ୍ତୁଙ୍ଗଭାବ କଲ୍ଲୋଳ ଏବଂ ଅପୂର୍ବ କବିତ୍ୱ ଏହି ଗ୍ରଂଥକୁ ସର୍ବୋଚ୍ଚ ସାରସ୍ୱତ ସ୍ତରକୁ ଉନ୍ମୀତ କରିଛି । ଜଗନ୍ନାଥ ଦାସଙ୍କ ଭାଗବତ ଭାରତୀୟ ବାଙ୍‌ମୟରେ ଏକ କ୍ରାନ୍ତିର ସମ୍ବାହକ ।(*)

 

(*) ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀରେ ଭାଗବତ ଆଖ୍ୟାନକୁ ନେଇ ବଙ୍ଗୀୟ କବି ଗୁଣରାଜଖାଁ ‘ଶ୍ରୀକୃଷ୍ଣବିଜୟ’, ମାଧୱାଚାର୍ଯ୍ୟ ‘ଶ୍ରୀକୃଷ୍ଣମଙ୍ଗଳ’, ଲାଉଡ଼ିୟା କୃଷ୍ଣଦାସ (ବିଷ୍ଣୁପୁରୀ) ‘ବିଷ୍ଣୁଭକ୍ତିରତ୍ନାବଳୀ’ ରଚନା କରିଥିଲେ । କିନ୍ତୁ ‘ଶ୍ରୀକୃଷ୍ଣ ବିଜୟ’ ଦଶମ ଓ ଏକାଦଶ ସ୍କନ୍ଧର ଏବଂ ‘ଶ୍ରୀକୃଷ୍ଣମଙ୍ଗଳ’ ଦଶମସ୍କନ୍ଧର ଅନୁବାଦ । ସେହିପରି ବିଷ୍ଣୁଭକ୍ତି ରତ୍ନାବଳୀ ଭାଗବତର ସାରସଂଗ୍ରହମାତ୍ରା’ । ଷୋଡ଼ଶଶତାବ୍ଦୀର ପୂର୍ବଭାଗରେ ଭାଗବତାଚାର୍ଯ୍ୟ ୨୦,୦୦୦ଶ୍ଲୋକରେ ‘କୃଷ୍ଣପ୍ରେମତରଙ୍ଗିଣୀ’ ଗ୍ରନ୍ଥରେ, ଏବଂ କବିଚନ୍ଦ୍ର ‘ଗୋବିନ୍ଦମଙ୍ଗଳ’ରେ ଏବଂ ଅଭିରାମଦାସ ଭାଗବତର ଅଧିକାଂଶ ଅଂଶକୁ ବଙ୍ଗଳାରେ ଅନୁବାଦ କରିଥିଲେ । ପରେ ୧୬୫୮ ଖ୍ରୀଷ୍ଟାବ୍ଦରେ ସନାତନ ଚକ୍ରବର୍ତ୍ତୀ (ବିଦ୍ୟାବାଗୀଶ) ଭାଗବତର ବଙ୍ଗୀୟ ଅନୁବାଦ କରିଥିଲେ । (ଶ୍ରୀ ଦୀନେଶଚନ୍ଦ୍ର ସେନ, ବଙ୍ଗଭାଷା ଓ ସାହିତ୍ୟ-ଅଷ୍ଟମ ସଂସ୍କରଣ ୧୩୫୬ ସାଲ, ପୃ ୩୦୫)

 

ଶେଷୋକ୍ତ କବି ପୂର୍ବବର୍ତ୍ତୀ ଭାଗବତ ଭିତ୍ତିକ କାବ୍ୟଗୁଡ଼ିକରେ ସନ୍ତୋଷ ଲାଭ ନକରି ବଙ୍ଗୀୟ ଭାଷାରେ ଭାଗବତ ଅନୁବାଦ କରିଥିଲେ । ବଙ୍ଗଳାରେ ଯଥାର୍ଥ ଅନୁବାଦ ସମ୍ଭବପର ନହେବାରୁ ଜଗନ୍ନାଥଙ୍କ ଭାଗବତରୁ କେତେକ ଅଂଶ ଶେଷାଶଂରେ ସଂଯୋଜନ କରିଥିଲେ । (ସୁରେନ୍ଦ୍ର ମହାନ୍ତି–ଓଡ଼ିଆ ସାହିତ୍ୟର ମଧ୍ୟପର୍ବ) ସେ ବଙ୍ଗଳା ଭାଷା ସହିତ ଓଡ଼ିଆ ଭାଷା ମିଶାଇବାକୁ ବି କୁଣ୍ଠିତ ହୋଇନଥିଲେ–

 

‘‘ଗ୍ରନ୍ଥ ସମାପନ ହେତୁ ଉତ୍‌କଣ୍ଠା ହଇୟା ।

ବଙ୍ଗଜ ଭାଷାୟ ଉତ୍‌କଳ ମିଶାଇୟା ।।

ଦଶମସ୍କନ୍ଦ ଭାଗବତ ସମ୍ପୂର୍ଣ୍ଣ ହଇତେ ।

ସଉ ଅଧ୍ୟା ଲିଖିଲାମ ଶ୍ରୀଗୁରୁଇଚ୍ଛାତେ ।।

(ଓଡ଼ିଶା ପ୍ରଦର୍ଶଶାଳା ବି: ୧୦)

 

(ଦ୍ରଷ୍ଟବ୍ୟ-ଡଃ ବିଷ୍ଣୁପ୍ରଦ ପାଣ୍ଡା-ମଧ୍ୟଯୁଗୀୟ ବଙ୍ଗଳା କାବ୍ୟଧାରାରେ ଓଡ଼ିଶାର କବିମାନଙ୍କର ଅବଦାନ-ପାଞ୍ଚଜନ୍ୟ-ପୃ୪)

 

ହିନ୍ଦୀକବି ସୂରଦାସ ୧୫୬୩ଖ୍ରୀରେ କେବଳ ଦଶମସ୍କନ୍ଧର ଅନୁବାଦ କରିଥିଲେ ।

 

ପକ୍ଷାନ୍ତରେ ଶଙ୍କରଦେବ ଭାଗବତର ପାଞ୍ଚୋଟି ସ୍କନ୍ଧ ରଚନା କରିଯାଇଛନ୍ତି । ସେ ଅନୁବାଦ କରିନଥିବା ସ୍କନ୍ଧର ଐକାନ୍ତିକ ଭକ୍ତିମୂଳକ ଆଖ୍ୟାନକୁ ନେଇ ‘ଅଜାମିଳ ଉପଖ୍ୟାନ’ (ଷଷ୍ଠସ୍କନ୍ଧ), ‘ପ୍ରହ୍ଲାଦ ଚରିତ’ (ତୃତୀୟ ଓ ସପ୍ତମସ୍କନ୍ଧ) ‘ହରମୋହନ’, ‘ବଳିଛଳନ’, ଗଜେନ୍ଦ୍ର ଉପାଖ୍ୟାନ’ (ଅଷ୍ଟମସ୍କନ୍ଧ) ରଚନା କରିଛନ୍ତି । ସୃଷ୍ଟିତତ୍ତ୍ୱମୂଳକ ଗ୍ରନ୍ଥ ‘ଅନାଦିପାତନ’ ତୃତୀୟସ୍କନ୍ଧ ଓ ବାମନପୁରାଣ ଅନୁସରଣରେ ରଚିତ । ଜଗନ୍ନାଥଦାସ ଓ ଶଙ୍କରଦେବ ଭାଗବତ ବା ଆଖ୍ୟାନମୂଳକ ଖଣ୍ଡକାବ୍ୟମାନଙ୍କରେ ବ୍ରହ୍ମପୁରାଣ, ଗରୁଡ଼ପୁରାଣ, ନାରଦୀୟପୁରାଣ, ପଦ୍ମପୁରାଣ, ବାମନପୁରାଣକୁ ଅନୁକରଣ କରିଛନ୍ତି । ଉଭୟ ସଂଥକବି ରଚନାରେ ଶ୍ରୀଧର ଗୋସ୍ୱାମୀଙ୍କ ଭାବବୋଧିନୀ ଟୀକାକୁ ଅନୁସରଣ କରିଛନ୍ତି ।

 

ଶଙ୍କରଦେବ ଓ ଜଗନ୍ନାଥଦାସଙ୍କ ଭାଗବତରେ ବର୍ଣ୍ଣନା ଓ ତତ୍ତ୍ୱ ବ୍ୟାଖ୍ୟାନ କ୍ଷେତ୍ରରେ ବିଲକ୍ଷଣ ସାଦୃଶ୍ୟ ଦେଖାଯାଏ । ନିମ୍ନୋକ୍ତ ଉଦାହରଣ ଦୁଇଟିରୁ ତାହା ସ୍ପଷ୍ଟ ହେବ ।

 

ଉଭୟ ଭାଗବତର ଦଶମସ୍କନ୍ଧର ରାସକ୍ରୀଡ଼ା ବର୍ଣ୍ଣନାରେ ଗୋପୀମାନଙ୍କ କୃଷ୍ଣ ଅନ୍ୱେଷଣର ବର୍ଣ୍ଣନା–

 

(କ) ଓଡ଼ିଆ-

‘‘ମାଳତୀ ମଲ୍ଲୀ ଜାଇଯୂଇ

ତୁମ୍ଭେ ଦେଖିଲ ଭାବଗ୍ରାହୀ

।।

କୃଷ୍ଣର ନଖକ୍ଷତ ଲାଗି

ନିପୁଣ ହୋଇଛ ସୁଆଗୀ

।।

ହେ ଚ୍ୟୁତ ପନସ ପିଆଳ

ଅଶନ ଜମ୍ବୁ କୋବିଦାର

।।

ବେଳବକୁଳ ନିମ୍ବଯୂଥେ

ଗୋବିନ୍ଦ ଗଲେ ଏକି ପଥେ

।।’’

 

ଅସମୀୟା-

‘‘ହେ କୁରୁବକ ଅଶୋକ ଚମ୍ପା

କହିୟୋ କଥା କରାଅନୁକମ୍ପା

।।

x            x            x

ହେ ଯାଇ ଯୂଥି ସଖୀ ମାଳତୀ

କୃଷ୍ଣ ପରଶେକ ଲଭିଲା ଗତି

।।

x            x            x

କୃଷ୍ଣନଖର ପରଶପାୟ

ଦେଖାପୁଲକିତ ସମସ୍ତ କାୟ

।।

 

(ଖ) ଭକ୍ତିର ଉତ୍କର୍ଷ ପ୍ରତିପାଦନ କରି ଜଗନ୍ନାଥ କହିଛନ୍ତି-

 

‘‘ଯେତେ ଏ ଦାନ ବ୍ରତତ୍ୟାଗ

ଧର୍ମଆଚାର ସାଂଖ୍ୟଯୋଗ

।।

ଏ ମୋତେ ନପାରନ୍ତି ଧରି

ନାନା ପ୍ରକାରେ ବଶକରି

।।

ଭକତଜନେ ବଶ ମୁହିଁ

ତାର ରକ୍ଷଣେ ମୋର ଦେହି

।।’’

(ଭା ୧୧। ୧୫ । ୨୧)

 

ଶଙ୍କରଦେବଙ୍କ ଭାଷାରେ-

‘‘ତପ ଜପ ପରମ ସନ୍ନ୍ୟାସ ମହାଦାନେ ।

ନପାବେ ଆମାକ ସାଂଖ୍ୟଯୋଗତତ୍ତ୍ୱଜ୍ଞାନେ ।।

କେବଳ ଭକତି ମାତ୍ର ମୋକକରେ ବଶ୍ୟ ।

କହିଲା ଉଦ୍ଧବ ଇଟୋ ତୋ ମାତ ରହସ୍ୟ ।।’

(ଏକାଦଶସ୍କନ୍ଧ ଉଦ୍ଧବଙ୍କ ସମ୍ବୋଧି ମାତନ୍ତ କୃଷ୍ଣପାଛେ)

 

ସଂଥକବିଦ୍ୱୟ ସମଆଖ୍ୟାନକୁ ବା ପ୍ରକରଣକୁ ନେଇ ଖଣ୍ଡକାବ୍ୟ କେତେ ସୃଷ୍ଟି କରିଛନ୍ତି ଜଗନ୍ନାଥଦାସଙ୍କ ‘ଅଜାମିଳ ଉପାଖ୍ୟାନ’ ଓ ‘‘ଗଜନିସ୍ତାରଣ’ ଏବଂ ଶଙ୍କରଦେବଙ୍କ ‘ଅଜାମିଳଉପାଖ୍ୟାନ’ ଓ ‘ଗଜେନ୍ଦ୍ର ଉପାଖ୍ୟାନ’ ତାହାର ଦୃଷ୍ଟାନ୍ତ । ଅତିବଡ଼ୀଙ୍କ ତୁଳାଭିଣ୍ଡା, ମନଃଶିକ୍ଷା ଓ ‘ଗୁପ୍ତଭାଗବତ’ରେ ଯେପରି ଶରୀରଭେଦ, ସୃଷ୍ଟି ରହସ୍ୟ ଏବଂ ଧର୍ମତତ୍ତ୍ୱ ବିଶ୍ଳେଷିତ ସେହିପରି ‘ଅନାଦିପାତନ’ ‘ଭକ୍ତିପ୍ରଦୀପ’ ଓ ‘ଗୁଣୁମାଳା’ରେ ଅନୁରୂପ ବର୍ଣ୍ଣନା ରହିଛି । ଜଗନ୍ନାଥଙ୍କ ‘ପାଷଣ୍ଡଦଳନ’ ଏବଂ ଶଙ୍କରଦେବଙ୍କ ‘ପାଷଣ୍ଡ ମର୍ଦ୍ଦନ’ ସମଶ୍ରେଣୀର ରଚନା । ଶଙ୍କରଦେବଙ୍କ ‘ଉରେଷାବର୍ଣ୍ଣନ’ ଏବଂ ‘ଜଗନ୍ନାଥଦାସଙ୍କ ‘କ୍ଷେତ୍ରବର ଚଉତିଶା’ ଏପରିକି ବଳରାମଦାସଙ୍କ ‘ବେଢ଼ାପରିକ୍ରମା’ର ବିଷୟବସ୍ତୁ ପ୍ରାୟ ଏକ । ସେହିପରି ଅତିବଡ଼ୀଙ୍କ ‘ଗୁଣ୍ଡିଚାବିଜେ’ ଏବଂ ଶ୍ରୀମତ୍‌ ଶଙ୍କରଙ୍କ ‘କୀର୍ତ୍ତନ ଘୋଷା’ରେ ସଂକଳିତ ‘ଘୂନୁଚାଯାତ୍ରା’ ସମବିଷୟକ ।

 

ଜଗନ୍ନାଥଧର୍ମ, ଉତ୍କଳୀୟ ବୈଷ୍ଣବସାହିତ୍ୟ ବିଶେଷତଃ ଜଗନ୍ନାଥଦାସଙ୍କ ଭାଗବତଦ୍ୱାରା ଶଙ୍କରଦେବ ପ୍ରଭାବିତ ଏହା ନିଃସନ୍ଦେହ । ନିମ୍ନୋକ୍ତ ଘଟନାବଳୀ ଓ କିମ୍ବଦନ୍ତୀକୁ ଏହାର ପ୍ରମାଣରୂପେ ଗ୍ରହଣ କରାଯାଇପାରେ ।

 

ଶଙ୍କରଦେବଙ୍କ ପ୍ରଥମବାର ତୀର୍ଥଯାତ୍ରାବେଳେ ଜ୍ଞାନଜ୍ୟୋତି ଲାଭ ପ୍ରସଙ୍ଗ ପୂର୍ବରୁ ସୂଚିତ-। ସେ ଦ୍ୱିତୀୟବାର ତୀର୍ଥଭ୍ରମଣରେ ଆସି ପୁରୀରେ ଏକବର୍ଷ ତିନିମାସକାଳ ଅବସ୍ଥାନ କରିଥିଲେ । ତାଙ୍କର ଅବସ୍ଥାନ ସ୍ଥଳ ଥିଲା-ବଡ଼ବଡ଼ିଆ ମଠ (ବଡ଼ଓଡ଼ିଆ ମଠ), ଶିଶୁଅନନ୍ତଙ୍କ ଶିଶୁମଠ, ତୋଟା ଗୋପୀନାଥ ମଠ ପ୍ରଭୃତି । ସେ ଉତ୍କଳୀୟ ବୈଷ୍ଣବ ବୈଶେଷତଃ ଜଗନ୍ନାଥଦାସଙ୍କର ଅତିପ୍ରିୟପାତ୍ର ହୋଇଥିଲେ ବୋଲି ‘ଭକ୍ତପଞ୍ଚକ’ରେ ବର୍ଣ୍ଣିତ–

 

‘‘ଉଡ଼ିୟା ବୈଷ୍ଣବଗଣ ଆଦରିଲ ଅତି

ଅତିବଡ଼ ବୈଷ୍ଣବର ଅତିପ୍ରିୟ ଯତି ।’’

 

ମହାପୁରୁଷ ଶଙ୍କରଦେବ ଓଡ଼ିଆଗୀତ ଶୁଣି ଅପାର ଆନନ୍ଦଲାଭ କରୁଥିଲେ–

 

‘‘ଉଡ଼ିୟା ଗୀତ ଶ୍ରବଣେ ଅତ୍ୟନ୍ତ ଆନନ୍ଦ

ଯେନ କୋଟି ନିଧିପାୟ ବିହ୍ୱଳ ତେମନ୍ତ ।’’

(ଭକ୍ତପଞ୍ଚକ)

 

ଶ୍ରୀମତ୍‌ ଶଙ୍କର ପୁରୀ ଅବସ୍ଥାନ କାଳରେ ସଂଥ ଜଗନ୍ନାଥଙ୍କ ବ୍ୟତୀତ‌ ଅନ୍ୟ ସାଧୁସନ୍ୟାସୀ ବିଶେଷତଃ ଶିଶୁଅନନ୍ତ ଏବଂ ଅଚ୍ୟୁତାନନ୍ଦଙ୍କ ସହ ଧର୍ମାଲୋଚନା କରୁଥିଲେ ଏବଂ ରାଜା ପ୍ରତାପରୂଦ୍ରଙ୍କଠାରୁ ‘ବଡ଼ଜେନା’ ଉପାଧିରେ ସମ୍ମାନିତ ହୋଇଥିଲେ ବୋଲି ଗୋବିନ୍ଦଦାସଙ୍କ ‘ଶଙ୍କର ଗୋସାଇଁଚରିତ’ରୁ ସମର୍ଥିତ । (*) ଏତଦ୍‌ବ୍ୟତୀତ ଅସମୀୟାରେ ଲିଖିତ ‘କଥାଗୁରୁଚରିତ’ରେ ମଧ୍ୟ ଏହି ପ୍ରସଙ୍ଗ କିଞ୍ଚିତ ଭିନ୍ନ ରୂପରେ ବର୍ଣ୍ଣିତ । (**)

 

(*)

Kanakchandra Deka-Sankardev The Great Vaisnava Saint of India–Jana Jagriti Prakasani 1982 Appendix P-1-5.

(**)

କଥା-ଗୁରୁଚରିତ, ସମ୍ପାଦକ ଶ୍ରୀ ଉପେନ୍ଦ୍ରଚନ୍ଦ୍ର ଲେଖାରୁ-ପ୍ରକାଶକ-ହରିନାରାୟଣ ଦତ୍ତ ବରୁଆ-ପଞ୍ଚଦଶ ସଂସ୍କରଣ-୧୯୮୭ ପୃ ୧୫୪ଖ-୧୫୫

 

ଶଙ୍କରଦେବଙ୍କ ସମସ୍ତ ସାହିତ୍ୟିକ କୃତିର କେନ୍ଦ୍ରବିନ୍ଦୁ ହେଉଛି ଶ୍ରୀମତ୍‌ ଭାଗବତ ଏହା ପୂର୍ବରୁ ସୂଚିତ । ଭକ୍ତପଞ୍ଚକ ଓ ଆସାମର ‘ଚରିତପୁଥି’ମାନଙ୍କ ବର୍ଣ୍ଣନା ଅନୁଯାୟୀ ଶଙ୍କରଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଦ୍ୱାରା ଆଦିଷ୍ଟ ହୋଇ ଭାଗବତ ଅସମୀୟାରେ ରଚନା କରିଥିଲେ । ବାରାଣସୀ ନିକଟବର୍ତ୍ତୀ ତ୍ରିହୁତ ନିବାସୀ ଜଗଦୀଶ ମିଶ୍ର (ଅନ୍ୟ ମତରେ ମହାନଦୀ ତୀରସ୍ଥ ଛିଟରଗ୍ରାମର ଅଧିବାସୀ) ଭାରତର ବିଭିନ୍ନ ସ୍ଥାନରେ ଭାଗବତ ଚର୍ଚ୍ଚାଶୁଣି ଶେଷରେ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ । ସେ ପୁରୀରେ ବିଶେଶ୍ୱର ଏବଂ ଜଗନ୍ନାଥ ଦାସଙ୍କଠାରୁ ଭାଗବତର ବ୍ୟାଖ୍ୟା ଶୁଣି ବିଶେଷ ମୁଗ୍‌ଧ ହେଲେ । ତା’ପରେ ସେ ହେଲେ ଜଣେ ଏକନିଷ୍ଠ ବୈଷ୍ଣବ । ସେ ଜଗନ୍ନାଥ ମହାପ୍ରଭୁଙ୍କଠାରୁ ସ୍ୱପ୍ନାଦେଶ ପାଇ ଗୋବର୍ଦ୍ଧନପୀଠ ଶ୍ରୀଧରଗୋସ୍ୱାମୀଙ୍କ ଟୀକା ସମ୍ୱଳିତ ଭାଗବତଗ୍ରନ୍ଥ ଧରି ଶଙ୍କରଦେବଙ୍କ ନିକଟକୁ ଯାଇଥିଲେ । ଶ୍ରୀମତ୍‌ ଶଙ୍କର ଜଗଦୀଶ ମିଶ୍ରଙ୍କ ଭାଗବତ ବ୍ୟାଖ୍ୟା ଶୁଣି ସଂସାର ମୋହତ୍ୟାଗ କଲେ ଓ ତୀର୍ଥଯାତ୍ରା କରିଥିଲେ ।

 

ବୋଧହୁଏ ଶଙ୍କରଦେବ ଦ୍ୱିତୀୟଥର ଶ୍ରୀକ୍ଷେତ୍ରରେ ଅବସ୍ଥାନ କଲାବେଳେ ବଳରାମ ଦାସଙ୍କ ଦାଣ୍ଡିରାମାୟଣ’ ବା ‘ଜଗମୋହନ ରାମାୟଣ ସହିତ ପ୍ରତ୍ୟକ୍ଷ ପରିଚିତ ଲାଭ କରିଥିଲେ । ସେ ତୀର୍ଥ ଭ୍ରମଣରୁ ଫେରି ମାଧବକନ୍ଦଳିଙ୍କ ପାଞ୍ଚକାଣ୍ଡ ବିଶିଷ୍ଟ ରାମାୟଣରେ ଆଦି ଓ ଉତ୍ତରକାଣ୍ଡ ସଂଯୋଜନ କରିଥିଲେ । ତାଙ୍କ ରଚିତ ଭାଗବତ ପ୍ରାୟଶଃ ଏହି କାଳରେ ରଚିତ ।

 

(୬)

 

ଅସମୀୟା ଓ ଓଡ଼ିଆଭାଷା-ସଂସ୍କୃତିକୁ ସନ୍ଥକବି ଦ୍ୱୟଙ୍କ ଅବଦାନ ଚିରସ୍ମରଣୀୟ । ପ୍ରାକୃତ ଭାଷାରେ ଧର୍ମତତ୍ତ୍ୱର ଅନୁବାଦ ବା ପ୍ରଚାର ସେ ସମୟର ବ୍ରାହ୍ମଣ-ପଣ୍ଡିତଙ୍କ ଦୃଷ୍ଟିରେ ନୈତିକ ଅପରାଧ ବୋଲି ବିବେଚିତ ହେଉଥିଲା । ଏତଦ୍‌ ସତ୍ତ୍ୱେ ଦେଶ-ଭାଷା ପ୍ରତି ମମତ୍ୱବୋଧ ସନ୍ଥଦ୍ୱୟଙ୍କ ସାହିତ୍ୟ ସୃଷ୍ଟି ପାଇଁ ପ୍ରଚୋଦନା ଯୋଗାଇଥିଲା ।

 

ଶଙ୍କରଦେବଙ୍କ ଆବିର୍ଭାବ ସମୟକୁ ଅସମୀୟା ଭାଷା ବର୍ମୀ, ତିବ୍ଦତୀ ଭାଷା ଗୋଷ୍ଠୀ ମଧ୍ୟରେ ରୁଦ୍ଧଶ୍ୱାସ ଅବସ୍ଥାରେ ଥିଲା । ସନ୍ଥଜୀ ଧର୍ମପ୍ରଚାର ପାଇଁ ଅଙ୍କିଆ ନାଟକ, ଝୁମୁରା, ବରଗୀତ, ଭଜନ, କାବ୍ୟ, ଖଣ୍ଡକାବ୍ୟ ଭାଗବତ, ରାମାୟଣାଦି ରଚନା କଲେ । ନାଟକ ଓ ବରଗୀତର ଭାଷା ଥିଲା ଅସମୀୟା । ସେ ଜଟିଳ ଧର୍ମତତ୍ତ୍ୱ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ଯଥାସମ୍ଭବ ସରଳ ସାବଲୀଳ ଭାଷା ପ୍ରୟୋଗ କଲେ ।

 

ପକ୍ଷାନ୍ତରେ ସାରଳା ଦାସ କଥିତ ଓଡ଼ିଆଭାଷାକୁ ଯେଉଁ ମାର୍ଜିତରୂପ ଦେଇଥିଲେ ସେଥିରେ ଉତ୍କଳୀୟ ବୈଷ୍ଣବମାନେ ତତ୍ତ୍ୱବୋଧକ ପାରିଭାଷିକ ଶବ୍ଦମାନ ଯୋଗ କରିଥିଲେ । ସର୍ବୋପରି ଓଡ଼ିଆ-ଭାଷାସାହିତ୍ୟକୁ ଜଗନ୍ନାଥ ଦାସଙ୍କ ନମନୀୟ ନବାକ୍ଷରୀ ଛନ୍ଦରେ ଲିଖିତ ଭାଗବତର ଅବଦାନ ମହାନ । ଭାବବୋଧକ ସରଳ ଭଷାରେ ରଚିତ ଭାଗବତର କବିତ୍ୱ ଅନୁପମ ଓ ଅନନ୍ୟ ସାଧାରଣ । ଦୂର୍ବାଦଳ ଉପରେ ଶିଶିରବିନ୍ଦୁ ପରି ଏହାର ଅକୃତ୍ରିମ ସ୍ନିଗ୍‌ଧ ସୌନ୍ଦର୍ଯ୍ୟ ଓଡ଼ିଆ ଜାତିର ଅବଚେତନ ମନକୁ ଆଚ୍ଛନ୍ନ କରି ରଖିଛି । ସଂଥକବି ଲୌକିକ ଭାଷା ସହିତ ତାତ୍ତ୍ୱିକ ଭାଷାର ସଂଯୋଗରେ ଯେଉଁ ଷ୍ଟାଣ୍ଡାର୍ଡ ଓଡ଼ିଆଭାଷା ସୃଷ୍ଟିକରି ଯାଇଛନ୍ତି ଏ ଅବଧି ତାହା ଆଦର୍ଶ ହୋଇ ରହିଛି । ଓଡ଼ିଶାରେ ଅକ୍ଷର ଶିକ୍ଷାର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ ଥିଲା ଭାଗବତ ପାଠ । ଏହି ଆଭିମୁଖ୍ୟ ଊନବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଚଳି ଆସିଥିଲା । ଏହି କାରଣରୁ ଉଲ୍ଲିଖିତ କାଳରେ ବଙ୍ଗଳା ଅପେକ୍ଷା ଓଡ଼ିଶାରେ ସାକ୍ଷର ସଂଖ୍ୟା ଅଧିକ ଥିଲା ବୋଲି ବିଜୟଚନ୍ଦ୍ର ମଜୁମୁଦାର ଓ ଭୂଦେବ ମୁଖୋପାଧ୍ୟାୟ ମତପ୍ରଦାନ କରିଯାଇଛନ୍ତି ।

 

କାବ୍ୟ ଓ ଗୀତିକବିତାଗୁଡ଼ିକ ବିଭିନ୍ନ ଛନ୍ଦୋବନ୍ଧରେ ରଚିତ ହେବା ଫଳରେ ଉଭୟ ରାଜ୍ୟରେ ସଙ୍ଗୀତ ଚର୍ଚ୍ଚାର ପରମ୍ପରା ଗଢ଼ିଉଠିଲା । ଜଗନ୍ନାଥଦାସ ଥିଲେ ଜଣେ ସୁକଣ୍ଠଗାୟକ । (*) ଶଙ୍କରଦେବ ବିଶେଷତଃ ତାଙ୍କର ପଟ୍ଟଶିଷ୍ୟ ମାଧବଦେବ ସଙ୍ଗୀତଶାସ୍ତ୍ର ସୁନିପୁଣ ଥିଲେ ।

 

(*) ବଙ୍ଗଳା ବୈଷ୍ଣବ ବନ୍ଦନାରେ କୁହାଯାଇଛି-

 

‘‘ଜଗନ୍ନାଥଦାସ ବଳି ସଙ୍ଗୀତ ପଣ୍ଡିତ ।

ଯାର ଗାନରସେ ଜଗନ୍ନାଥ ବିମୋହିତ ।’’

 

ଜଗନ୍ନାଥ ଦାସଙ୍କ ବୈପରୀତ୍ୟରେ ଶଙ୍କରଦେବ ନାଟକକୁ ଧର୍ମପ୍ରଚାରର ମୁଖ୍ୟମାଧ୍ୟମ ରୂପେ ଗ୍ରହଣ କରିଥିଲେ । ଗୁରୁଙ୍କ ପନ୍ଥା ଅନୁସରଣରେ ଶିଷ୍ୟ ଖଣ୍ଡିଏ ନାଟକ ନଲେଖିଲେ ମହନ୍ତଗାଦି ପାଇଁ ଉପଯୁକ୍ତ ବିବେଚିତ ହେଉ ନଥିଲେ । ଜଗନ୍ନାଥ ଦାସ ନିଜେ ନାଟକ ନଲେଖିଲେ ମହନ୍ତଗାଦି ପାଇଁ ଉପଯୁକ୍ତ ବିବେଚିତ ହେଉ ନଥିଲେ । ଜଗନ୍ନାଥ ଦାସ ନିଜେ ନାଟକ ରଚନା କରିବାର କୌଣସି ସଠିକ ପ୍ରମାଣ ନଥିଲେ ବି ତାଙ୍କ ପ୍ରତିଷ୍ଠିତ ମଠ ଓ ଭାଗବତଘରମାନଙ୍କରେ କୃଷ୍ଣଲୀଳା ବିଷୟକ ନାଟକମାନ ଅନୁଷ୍ଠିତ ହେଉଥିଲା । ଶଙ୍କରଦେବଙ୍କ ନବ୍ୟ-ବୈଷ୍ଣବ ଆନ୍ଦୋଳନ ଫଳରେ ‘ସକ୍ରିୟାନୃତ୍ୟ’ରେ ଉନ୍ମେଷ ଓ ବିକାଶ ଘଟିଥିଲା ।

 

ଜଗନ୍ନାଥଦାସ ଥିଲେ ଗଦ୍ୟକାର ଓ ବ୍ୟାଖ୍ୟାକାର । ଓଡ଼ିଆ ଗଦ୍ୟର ବିକାଶରେ, ‘ତୁଳାଭିଣା’ର ସ୍ଥାନ ସ୍ୱତନ୍ତ୍ର । ସେ ‘ଅର୍ଥକୋଇଲି’ର ମାର୍କଣ୍ଡଦାସଙ୍କ ‘କେଶବକୋଇଲି’ ତାତ୍ତ୍ୱିକ ବ୍ୟାଖ୍ୟା କରିଯାଇଛନ୍ତି । ଅସମୀୟା ଗଦ୍ୟର ଯଥାର୍ଥ ଇତିହାସ ହିଁ ଶଙ୍କର ଦେବଙ୍କଠାରୁ ଆରମ୍ଭ । ତାଙ୍କର ନାଟକଗୁଡ଼ିକର କଥାଭାବରେ ବ୍ୟବହୃତ ଗଦ୍ୟଛନ୍ଦୋମୟ ଓ କାବ୍ୟଧର୍ମୀ । କିନ୍ତୁ ଏହା ଖାଣ୍ଟି ଅସମୀୟା ନୁହେଁ : କୁତ୍ରିମଭାଷା ବ୍ରଜବୋଲି । ପରବର୍ତ୍ତୀ ଲେଖକ ଶଙ୍କରଦେବଙ୍କ ଶିଷ୍ୟ ବୈକୁଣ୍ଠନାଥ ଭଟ୍ଟଦେବଙ୍କଦ୍ୱାରା ଶୁଦ୍ଧ ଅସମୀୟା ଗଦ୍ୟସାହିତ୍ୟର ବିକାଶ ଘଟି ଭାରତର ମଧ୍ୟଯୁଗୀୟ ଗଦ୍ୟସାହିତ୍ୟରେ ଅସମୀୟା ଗଦ୍ୟ ଅନନ୍ୟ ସ୍ୱାତନ୍ତ୍ର୍ୟର ଅଧିକାରୀ ହୋଇପାରିଛି ।

 

ନବବୈଷ୍ଣବ ସଂସ୍କୃତିର ପ୍ରସାର, ସତ୍ତ୍ର, ମଠ, ନାମଘର ଓ ଭାଗବତ ଘରର ପ୍ରତିଷ୍ଠା ଆସାମ ଓ ଓଡ଼ିଶାର ବାସ୍ତୁଶିଳ୍ପ, ଧାତୁଶିଳ୍ପ, କାରୁକଳା, ଲିଖନ ଓ ଚିତ୍ରଶିଳ୍ପର ବିକାଶରେ ସହାୟକ ହୋଇଛି ।

 

Unknown

(୭)

 

ସନାତନ ସତ୍ୟପ୍ରତି ସାମାଜିକ ଚୈତନ୍ୟର ଜାଗରଣ ସନ୍ଥକବି ଦ୍ୱୟଙ୍କ ସାହିତ୍ୟସୃଷ୍ଟି ଓ ଧର୍ମ ପ୍ରଚାରର ମୂଳ ଲକ୍ଷ୍ୟ ଥିଲା । ଭାଗବତ ଧର୍ମର ମୂଳବୀଜ ହେଉଛି ଜୀବ ମଧ୍ୟରେ ବ୍ରହ୍ମର ଉପସ୍ଥିତି । ଶଙ୍କରଦେବ ଏହି ଭାବକୁ ପ୍ରକାଶ କରିବାକୁ ଯାଇ କହିଛନ୍ତି–

 

‘‘କୁକୁର ଚଣ୍ଡାଳ ଗର୍ଦଭରେ ଆତ୍ମାରାମ ।

ଜାନିୟା ସବକୋ ପରି କରିବା ପ୍ରଣାମ ।।’’

(ଉଦ୍ଧବକ ସମ୍ୱୁଧି ମାତନ୍ତ କୃଷ୍ଣାପାଛେ-ଏକାଦଶସ୍କନ୍ଧ)

 

ଜଗନ୍ନାଥଦାସଙ୍କ ଭାଗବତରେ ପ୍ରୋକ୍ତଭାବ ବାରମ୍ବାର ଉଦ୍‌ଘୋଷିତ-

 

(କ)

‘‘ସକଳ ଦେହେ ନାରାୟଣ

ବସନ୍ତି ଅନାଦି କାରଣ

।।’’

(ଭା-୩।୪୫)

(ଖ)

‘‘ସକଳ ଭୂତେ ନାରାୟଣ

ଅଛନ୍ତି ବୋଲି ଜାଣି ପୁଣ

।।

 

ମନକର୍ମରେ ପ୍ରାଣୀସେବ

ଭାବୁକ ସଙ୍ଗେ କର ଭାବ

।।’’

(ଭା-୭ । ୭ ।୪୨)

 

ସର୍ବଜୀବରେ ଈଶ୍ୱରଙ୍କ ଉପଲବ୍‌ଧି କରିବା ସଙ୍ଗେ ସଙ୍ଗେ ନରସେବା ହିଁ ନାରାୟଣସେବା ବୋଲି କୁହାଯାଇଛି । ପୁଣି ଚଣ୍ଡୀଦାସ ମାନବର ଶ୍ରେଷ୍ଠତ୍ୱ ଘୋଷଣା କରି ସବାର ଉପରେ ମାନୁଷ ସତ୍ୟ’ କହିଲା ପରି ଜଗନ୍ନାଥ ଦାସ ବଜ୍ରକଣ୍ଠରେ ଘୋଷଣା କରିଛନ୍ତି-

 

‘‘ସର୍ବ ଶରୀର ମଧ୍ୟେ ସାର । ଦୁର୍ଲଭ ନର କଳେବର ।’’

 

ସବୁ ମଣିଷ ସମାନ । ଧର୍ମ ସମସ୍ତଙ୍କ ଜନ୍ମଗତ ଅଧିକାର । ସ୍ପୃଶ୍ୟ-ଅସ୍ପୃଶ୍ୟ, ସ୍ତ୍ରୀ-ପୁରୁଷଭେଦ ଅସାର । ଅନନ୍ତ ହେଉଛି ଆଧ୍ୟାତ୍ମିକ ଲୀଳାକ୍ଷେତ୍ର । ଏଇ ସତ୍ୟ ଉଭୟ ମହାପୁରୁଷଙ୍କ ‘ଏକାଦଶ ସ୍କନ୍ଧ’ରେ ଶ୍ରୀକୃଷ୍ଣଙ୍କ ଉଦ୍ଧବକୁ ଉପଦେଶ ପ୍ରସଙ୍ଗରେ ପ୍ରଖ୍ୟାପିତ :-

 

‘‘ଯେ ଶୁଦ୍ର ଭଜେ ମୋର ପଥେ

ମୋ ନାମ ଜପେ ହୃଦ ଗତେ

।।

ଯେ ନାରୀ ମୋର ଭାବେ ଥାଇ

ସ୍ୱାମୀ ସଙ୍ଗତେ ମୋତେ ଧ୍ୟାୟି

।।

ସେ ପ୍ରାଣୀ ମୋହର ବିଶ୍ୱାସ

ତାହାକୁ ଦେଇ ଉପଦେଶ

।।’’

(ଓ.ଭା.)

 

‘‘ସ୍ତ୍ରୀ ଶୁଦ୍ର କରେ ଯଦି ଆମାତଭକତି ।

ତାହତ କହିବା ଇଟୋ ଜ୍ଞାନ ମହାମତି ।’’

(ଅ. ଭା)

 

ଶଙ୍କରଦେବ ବା ଜଗନ୍ନାଥଦାସଙ୍କ ବାଣୀ କେବଳ ଧର୍ମ ବା ମୋକ୍ଷ ନିଗଡ଼ରେ ଆବଦ୍ଧ ନୁହେଁ । ମହାପୁରୁଷ ଦ୍ୱୟଙ୍କ ଦୃଷ୍ଟି ଓ ସୃଷ୍ଟିରେ ରହିଛି ସମାଜକୁ ସୁଷ୍ଠୁ ଓ ସୁନ୍ଦର କରିବାର ସନ୍ଦେଶ; ପୁତ, ପବିତ୍ର ପୂର୍ଣ୍ଣାଙ୍ଗ ଜୀବନର ବାର୍ତ୍ତା । ଏଥିରେ ନିଷ୍କର୍ମାଭାବେ ହରିନାମ ଜପିବାକୁ ଉପଦେଶ ଦିଆଯାଇ ନାହିଁ । ଭଗବତ୍‌ ଆରାଧନା ସହିତ ସତ୍‌କର୍ମ ଲିପ୍ତ ରହି ଈଶ୍ୱର ସୃଷ୍ଟ ସଂସାରକୁ ସୁନ୍ଦର ଏବଂ ଦୁର୍ଲଭ ମାନବ ଜୀବନକୁ ସଫଳ କରିବାକୁ ନିର୍ଦ୍ଦେଶ ରହିଛି । ଶ୍ରୀମତ୍‌ ଶଙ୍କର ଭକ୍ତ ଓ ଶିଷ୍ୟମାନଙ୍କୁ କହିଛନ୍ତି–

 

‘‘ହାତେ ଲୋୱା କାମ । ମୁଖେ ଲୋୱା ନାମ ।’’

 

ସେହିପରି ଗୋସ୍ୱାମୀ ଜଗନ୍ନାଥ ସତ୍‌କର୍ମର ଜୟଗାନ କରି କହିଛନ୍ତି–

‘‘ସତ୍କର୍ମ ଯେମାନେ କରନ୍ତି । ସ୍ୱକର୍ମ ଫଳ ସେ ଲଭନ୍ତି ।’’

(ଭା ୬ ।୧)

 

ଅଥଚ କର୍ମ ନିଷ୍କାମ ଭାବେ କରଣୀୟ-

‘‘ଆଶା ନକରି କର୍ମଫଳେ । ଶରମ ମୋ ପାଦ କମଳେ ।’’

(ଭା ୧୧ । ୨୦)

 

ବସ୍ତୁତଃ ସଂଥ-ସାଧକ ଦ୍ୱୟଙ୍କ ବାର୍ତ୍ତାରେ କର୍ମ ଜ୍ଞାନ, ଭକ୍ତି ତ୍ରିବେଣି ସଂଗମ ଘଟି ଜୀବଧର୍ମ; ପ୍ରେମଧର୍ମ, ବର୍ଣ୍ଣାଶ୍ରମ ଧର୍ମ ଓ ବୈଷ୍ଣବଧର୍ମ ଆଦି ବହୁ ବିଷୟ ସ୍ଥାନ ପାଇଛି । ଏଥିରେ ଦେହକୁ ଛାଡ଼ି ଦେହାତୀତ, ଇନ୍ଦ୍ରିୟକୁ ଛାଡ଼ି ଇନ୍ଦ୍ରିୟାତୀତ ବା ଭୌତିକକୁ ବାଦଦେଇ ପାରମାର୍ଥିକ ବାର୍ତ୍ତା ପ୍ରଚାର କରାଯାଇ ନାହିଁ ।

 

ଜଗନ୍ନାଥ ଦାସ କହିଛନ୍ତି ‘ଏ ଦେହ ଥିଲେ ସର୍ବପାଇ’ । ପୁଣି ଧନ, ଧର୍ମ ଓ ମୋକ୍ଷ ମଧ୍ୟରେ ସମନ୍ୱୟ ଆଣି କହିଛନ୍ତି-

‘‘ଧନ ଅର୍ଜନେ ଧର୍ମକରି । ଧର୍ମେ ପ୍ରାପତ ନରହରି ।’’

 

ଶଙ୍କରଦେବଙ୍କ ଜୀବନରେ ରାଜର୍ଷିଜନକଙ୍କ ପରି ଗାର୍ହସ୍ଥ୍ୟ ଓ ସନ୍ନ୍ୟାସର ସମନ୍ୱୟ ଘଟିଛି-। ଆଜନ୍ମ ବ୍ରହ୍ମଚାରୀ ଗୋସ୍ୱାମୀ ଜଗନ୍ନାଥ ସୁସ୍ଥ ଆଦର୍ଶ ସାଂସାରିକ ଜୀବନର ଜୟ ଘୋଷଣା କରି ଗାଇଛନ୍ତି–

 

‘‘ପତ୍ନୀ ନଥିଲେ ନଶୋଭନ୍ତି

ଏ ରାଜ୍ୟ ସମ୍ପଦ ବିଭୂତି

।।

ଯେ ଗୃହେ ନାହିଁ ତାତମାତା

ସୁପୁତ୍ର ସୁତା ପତିବ୍ରତା

।।

ଯେ ଗୃହେ ପତି ଧର୍ମହୀନ

ସୁଖେ ତା ନାହିଁ ପ୍ରୟୋଜନ

।।

ଯେସନ ଚକ୍ରହୀନ ରଥ

ବସିଲେ ସୁଖ ନୋହେ ଜାତ

।।

ତେସନ ଗୃହିଣୀ ବିହୂନେ

ଗୃହସ୍ଥ ନଶୋଭେ ସଦନେ

।।

(ଭା ୪ ।୨୬)

 

ଶଙ୍କରଦେବଙ୍କ ପ୍ରଚାରିତ ଧର୍ମରେ ଭୋଗ ଓ ତ୍ୟାଗ ମଧ୍ୟରେ ସମନ୍ୱୟ ବିଧାନ କରାଯାଇଛି । ଏହି ଧର୍ମ ଗ୍ରହଣକାରୀ ବ୍ୟକ୍ତିମାନଙ୍କୁ ମାଦକଦ୍ରବ୍ୟ ସେବନ, ଅପବିତ୍ର ପଶୁପକ୍ଷୀପାଳନ ଏବଂ ଜୀବହତ୍ୟା କରିବାକୁ ବାରଣ କରାଯାଇଛି, ଅଥଚ ଗୃହତ୍ୟାଗୀ ବୈଷ୍ଣବଠାରୁ ଆରମ୍ଭକରି ସାଧାରଣ ଭକ୍ତପର୍ଯ୍ୟନ୍ତ ମତ୍ସ୍ୟ ଓ ମୃଗମାଂସ ଭକ୍ଷଣରେ ବାଧା ନାହିଁ ।

 

ସଂଥ କବିଦ୍ୱୟଙ୍କ ବାଣୀ ବିଶେଷତଃ ଭାଗବତର ଚିରନ୍ତନୀ ସତ୍ୟାଶ୍ରୟୀ ସୂକ୍ତିରତ୍ନ ଉତ୍କଳ ଓ ଆସାମର ସାମାଜିକ, ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାକୁ ସୁସ୍ଥ, ସୁଦୃଢ଼ ଓ ସମୁଜ୍ଜ୍ୱଳ କରିବାରେ ଏକାନ୍ତ ସହାୟକ ହୋଇଛି ।

 

ଯୁଗପୁରୁଷ ଦ୍ୱୟ ଥିଲେ ଅସାଧାରଣ ସଂଗଠକ ଓ ସଂସ୍କାରକ । ସାମାଜିକ ଜାଗୃତିପାଇଁ ସେମାନେ ମଠ, ସତ୍ତ୍ର, ଭାଗବତଘର ଓ ନାମଘରମାନ ସ୍ଥାପନ କରିଯାଇଛନ୍ତି । ଓଡ଼ିଶା ଓ ଆସାମରେ ଭାଗବତଘର ଓ ନାମଘରମାନ ଶହଶହ ବର୍ଷବ୍ୟାପୀ ରହି ଆରାଧନାସ୍ଥଳ, ସର୍ବସାଧାରଣଙ୍କ ମିଳନମଣ୍ଡପ, ବିଦ୍ୟାଳୟ, ଗ୍ରାମ୍ୟ ବିଚାରାଳୟ ରଙ୍ଗାଳୟ ଏପରିକି ଗ୍ରାମ୍ୟ ଅତିଥିଶାଳା ଏବଂ ସମବାୟସମିତି ରୂପେ ଉଲ୍ଲେଖଯୋଗ୍ୟ ଭୂମିକା ସମ୍ପାଦନା କରି ଆସିଛି ।

 

ବିଂଶଶତାବ୍ଦୀରେ ପାଶ୍ଚାତ୍ୟସଭ୍ୟତା ପ୍ରଭାବରେ ଭାଗବତଘର ଗୁଡ଼ିକ ବିଲୟମୁଖୀ ଓ ଏକପ୍ରକାର ନିଷ୍କ୍ରିୟ ଅବସ୍ଥାରେ ପହଞ୍ଚିଥିବା ବେଳେ ନାମଘରଗୁଡ଼ିକ ଏବେବି ଅନେକାଂଶରେ ସକ୍ରିୟ । ଶଙ୍କରଦେବଙ୍କ ଅପୂର୍ବ ସଂଗଠନ ଦକ୍ଷତା, ବିକେନ୍ଦ୍ରୀକରଣ ସୂତ୍ରରେ ସତ୍ତ୍ର ଓ ନାମଘରଗୁଡ଼ିକର ସହବନ୍ଧନ ଏବଂ ସର୍ବୋପରି ଅସମୀୟା ସମାଜ ଉପରେ ଶ୍ରୀମତ୍‌ଶଙ୍କରଦେବଙ୍କ ଏଯାବତ୍‌ ଥିବା ଅସପତ୍ନ ପ୍ରଭାବ ନାମଘରଗୁଡ଼ିକ ସକ୍ରିୟ ରହିବାର କାରଣରୂପେ ଗ୍ରହଣ କରାଯାଇପାରେ । ଅନ୍ୟ ପକ୍ଷରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦେଶ ଓଡ଼ିଶା ବହୁ ଧର୍ମ ସମନ୍ୱୟର କ୍ଷେତ୍ର । ଉତ୍କଳୀୟ ବୈଷ୍ଣବମାନେ ବହୁଶାଖାରେ ବିଭକ୍ତ । ପୁଣି ଭାଗବତଘର ସହିତ ମଠମାନଙ୍କର କୌଣସି ଯୋଗସୂତ୍ର ନାହିଁ । ଏତଦ୍‌ସତ୍ତ୍ୱେ ଓଡ଼ିଆ ଜନସାଧାରଣଙ୍କ ଉପରେ ଜଗନ୍ନାଥ ଦାସଙ୍କ ଭାଗବତର ପ୍ରଭାବ ସାମାନ୍ୟ ନୁହେଁ । ଭାଗବତର ବାଣୀ ଓଡ଼ିଆ ସାମାଜିକ ଓ ଧାର୍ମିକ ଆଦର୍ଶ ହୋଇ ରହିବା ସଙ୍ଗେ ଓଡ଼ିଆଭାଷା ସାହିତ୍ୟ ଉପରେ ପ୍ରଭାବ ବିସ୍ତାର କରି ଆସିଛି-

 

ଶଙ୍କରଦେବ ଓ ଜଗନ୍ନାଥ ଦାସଙ୍କ ପ୍ରଚାରିତ ଧର୍ମର ପ୍ରଭାବ କେବଳ ସ୍ୱ ସ୍ୱରାଜ୍ୟ ମଧ୍ୟରେ ସୀମିତ ନଥିଲା । ଶଙ୍କରଦେବଙ୍କର କେତେକ ଓଡ଼ିଆଶିଷ୍ୟ ଥିଲେ । (ଶଙ୍କରଗୋସାଇଁ ଚରିତ) ଅନୁରୂପଭାବେ ଜଗନ୍ନାଥ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ଅତିବଡ଼ୀ ସମ୍ପ୍ରଦାୟ ବଙ୍କଦେଶରେ ସମ୍ପ୍ରସାରିତ ହୋଇଥିଲା । ଏବେବି ବଙ୍ଗଳାର ଏହି ସମ୍ପ୍ରଦାୟ ଗୋଟିଏ ମାଳି ଧାରଣ କରନ୍ତି ଏବଂ ‘ହରେରାମ ମନ୍ତ୍ର’ ଜପ କରିଥାନ୍ତି । (ସୁରେନ୍ଦ୍ରମହାନ୍ତି-ଓଡ଼ିଆ ସାହିତ୍ୟର ମଧ୍ୟପର୍ବ) ବଙ୍ଗ ସାହିତ୍ୟ ଜଗନ୍ନାଥ ଦାସଙ୍କଦ୍ୱାରା ପ୍ରଭାବିତ-ଏହା ପ୍ରସଙ୍ଗକ୍ରମେ ପାଦଟୀକାରେ ସୂଚିତ ।

 

ବସ୍ତୁତଃ ଭାରତୀୟ ସଂଥକବି ପରମ୍ପରାରେ ଶଙ୍କରଦେବ ଓ ଜଗନ୍ନାଥ ଦାସ ଦୁଇଟି କାଳଜୟୀ ପ୍ରଦୀପ୍ତପ୍ରତିଭା, ପ୍ରୋଜ୍ଜ୍ୱଳ ଦୀପସ୍ତମ୍ଭ । ଆଲୋକ ଉତ୍ସଦ୍ୱୟ ଏ ଅବଧି ଦିଗହଜା ଜାତିକୁ ଶ୍ରେୟର ପଥ ଦେଖାଇ ଆସୁଛନ୍ତି ଏବଂ ଅନନ୍ତକାଳ ଧରି ଦେଖାଉଥିବେ ।

 

ସହାୟକ ଗ୍ରନ୍ଥ ଓ ପତ୍ରିକା (ନିର୍ବାଚିତ)

ଅସମୀୟା-

ଅସମ ସାହିତ୍ୟ ସଭାର ୨୭ଶ ଅଧିବେଶନର ସ୍ମୃତିଗ୍ରନ୍ଥ-ନିବନ୍ଧମାଳା ନଗାଓଁ–୧୯୫୯

କେଶଦାମହନ୍ତ–ମହାପୁରୁଷୀୟା ସାହିତ୍ୟ-କେଇଟାମାନ ଦିଶ, ପ୍ର-କେଶଦାମହନ୍ତ–୧୯୮୭

ଡିମ୍ବେଶ୍ୱର ନିୟୋଗ–ଅସମୀୟା ସାହିତ୍ୟର ବୁରଞ୍ଜୀ ପ୍ର. ସଂ.

ଶ୍ରୀ ତିଳକଚନ୍ଦ୍ର ମଜୁମଦାର–ପ୍ରାଚୀନ ଅସମୀୟା ସାହିତ୍ୟର ପ୍ରାଞ୍ଜଳଧାରା, ବୀଣାଲାଇବ୍ରେରୀ ଗୌହାଟୀ–୧୯୭୧

ବାଣୀକାନ୍ତ କାକତି-ପୁରଣି ଅସମୀୟା ସାହିତ୍ୟ-ଲୟାର୍ସ ବୁକ୍‌ଷ୍ଟଲ, ଗୌହାଟୀ, ପଞ୍ଚମ ସଂସ୍କରଣ-୧୯୬୮

୬.

ବିରଞ୍ଚିକୁମାର ବରୁଆ-ଅସମୀୟା ଭାଷା ଆରୁ ସଂସ୍କୃତି-ଲୟାର୍ସ ବୁକ୍‌ଷ୍ଟଲ-ପରିବର୍ତ୍ତିତ ସଂସ୍କରଣ-୧୯୬୩

ଡକ୍ଟର ମହେଶ୍ୱର ନିୟୋଗ-ଅସମୀୟା ସାହିତ୍ୟର ରୂପରେଖ-ନିୟୁ ବୁକ୍‌ଷ୍ଟଲ, ଗୌହାଟୀ-୧୯୭୦

ଯତୀନ ଗୋସ୍ୱାମୀ-ଅସମୀୟା ଭାଷାଆରୁ ସାହିତ୍ୟର ଇତିହାସ-ଜୟାପ୍ରକାଶନ, ଗୌହାଟୀ-୧୯୭୧

ରାମଚରଣ ଠାକୁର-ଗୁରୁଚରିତ,-ପ୍ର-ରାଜେନ୍ଦ୍ରମୋହନ ଶର୍ମା-ଚନ୍ଦ୍ରପ୍ରକାଶ, ସିଲିଂ-୧୯୮୫

 

ଓଡ଼ିଆ-

୧୦

ଡଃ ଆଶା ମିଶ୍ର-ଆସାମ ଓ ଓଡ଼ିଶାର ସାଂସ୍କୃତିକ ସମ୍ପର୍କ-ଜେ ମହାପାତ୍ର ଏଣ୍ଡକୋ; ୧୯୭୩

୧୧

ଡଃ କୁଞ୍ଜବିହାରୀ ତ୍ରିପାଠୀ (ସଂପାଦନା)-ଓଡ଼ିଆ ସାହିତ୍ୟ ସମୀକ୍ଷଣ ୧ମଖଣ୍ଡ ଆଲୋକ ସାହିତ୍ୟ ପ୍ରତିଷ୍ଠାନ-୧୯୬୩

୧୨.

ଡକ୍ଟର ନୀଳାନ୍ଦ୍ରିଭୂଷଣ ହରିଚନ୍ଦନ (ଅନୁବାଦକ)-ଶଙ୍କରଦେବ-ନ୍ୟାସନାଲ ବୁକ୍‌ଟ୍ରଷ୍ଟ-୧୯୭୩

୧୩

ଡକ୍ଟର ବଂଶୀଧର ମହାନ୍ତି-ଓଡ଼ିଆ ସାହିତ୍ୟର ଇତିହାସ, ତୃତୀୟଭାଗ

୧୪

ସର୍ବେଶ୍ୱର ଦାଶ-ମହାପୁରୁଷ ଜଗନ୍ନାଥ ଦାସ ଓ ଭାଗବତ ସମୀକ୍ଷା-ଗ୍ରନ୍ଥପ୍ରକାଶିନୀ, କଟକ-୧, ୧୯୮୪

୧୫

ସୂର୍ଯ୍ୟନାରାୟଣ ଦାଶ-ଓଡ଼ିଆ ସାହିତ୍ୟର ଇତିହାସ, ୧ମଖଣ୍ଡ, ତୃତୀୟ ମୁଦ୍ରଣ-୧୯୬୮

ପତ୍ରିକା-

କୋଣାର୍କ.

ପଞ୍ଚସଖା ବିଶେଷାଙ୍କ (ଓଡ଼ିଆ ସାହିତ୍ୟ ଏକାଡେମୀ)୧୯୭୧

ସମାଜ.

(ଗୋପବନ୍ଧୁଙ୍କ ଶ୍ରାଦ୍ଧସଂଖ୍ୟା)୧୯୯୦

ଝଙ୍କାର.

୩ । ୧୯୭୯, ୩ । ୧୯୮୩, ୧୧ । ୧୯୮୪, ୧ । ୧୯୮୯

 

ପ୍ରାଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ

ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ

***

 

ଫକୀରମୋହନ ସାହିତ୍ୟ ସମୀକ୍ଷା : ଏକ ପରିଶୀଳନ

ଶ୍ରୀ ଦାଶରଥି ଦାସ

 

କୁହାଯାଏ, A great painting will only yield its secret slowly." ଚିତ୍ରଶିଳ୍ପ ସମ୍ପର୍କରେ ଯାହା ସତ୍ୟ ତାହା ସାହିତ୍ୟ ସୃଷ୍ଟି ସମ୍ବନ୍ଧରେ ମଧ୍ୟ ବୈତଥ୍ୟ ନୁହେଁ । ସାହିତ୍ୟସୃଷ୍ଟି ମଧ୍ୟ ଧୀରେ ଧୀରେ ନିଜର ରହସ୍ୟ ବିସ୍ମୟ ଓ ସମ୍ବେଦନ ବିସ୍ତାର କରିଥାଏ । ସେହି ସୂତ୍ରରେ ଯେତେଦିନ ଅତିକ୍ରାନ୍ତ ହୋଇ ଯାଉଛି, ଫକୀରମୋହନଙ୍କ ସାହିତ୍ୟସୃଷ୍ଟିର ମହତ୍ତ୍ୱ ଓ ଅନନ୍ୟତା ସମ୍ପର୍କରେ ଆମର ବ୍ୟାଖ୍ୟା ଓ ଧାରଣା ସେତେ ଦୃଢ଼ ଓ ପରିଚ୍ଛନ୍ନ ହୋଇ ଉଠୁଛି । ଏକଦା ଯୁଗସ୍ରଷ୍ଟା ଭାବରେ ପ୍ରତିଷ୍ଠିତ ତାଙ୍କ ସମସାମୟିକ କବି ରାଧାନାଥ କ୍ରମଶଃ ନିଷ୍ପ୍ରଭ ହୋଇ ଉଠୁଛନ୍ତି, ଅନ୍ୟ ପକ୍ଷରେ ସେ ସାହିତ୍ୟାମୋଦୀ ଓ ସମାଲୋଚକଙ୍କ ସଶ୍ରଦ୍ଧ ଦୃଷ୍ଟି ଓ ଉତ୍ସାହ ଆକର୍ଷଣ କରି ଚାଲିଛନ୍ତି । ପ୍ରକୃତରେ ସବୁଠୁଁ ବେଶି ସମାଲୋଚନା ଲେଖା ଯାଇଛି ଫକୀରମୋହନଙ୍କ ସାହିତ୍ୟସୃଷ୍ଟି ସମ୍ପର୍କରେ । ଗଳ୍ପ, ଉପନ୍ୟାସ, କବିତା, ଜୀବନଚରିତ, ପ୍ରବନ୍ଧ ଓ ଅନୁବାଦ-ସବୁ କ୍ଷେତ୍ରରେ ଶଙ୍କର କୃତିତ୍ୱ କଳନା କରାଯାଇଛି । ଆଜି ଏହି ଅବକାଶରେ ସେଗୁଡ଼ିକ ଫକୀରମୋହନଙ୍କ ମର୍ଯ୍ୟାଦାନୁରୂପ ସାରସ୍ୱତ ମୂଲ୍ୟ କଳନା କ୍ଷେତ୍ରରେ ଯଥେଷ୍ଟ ହୋଇଛି କି ନାହିଁ ତାହାହିଁ ବିଚାର୍ଯ୍ୟ । ତାଙ୍କୁ ବୁଝି ବୁଝାଇବାକୁ କ’ଣ ଆମ ସମାଲୋଚନା ସମର୍ଥ ହୋଇଛି ? ତାଙ୍କ ସାହିତ୍ୟସୃଷ୍ଟିର ରସମାଧୂର୍ଯ୍ୟ ଉଦ୍‌ଘାଟନ କରିବାକୁ କ’ଣ କୃତକାର୍ଯ୍ୟ ହୋଇଛି ? ବିଶାଳ ପ୍ରତିଭାଟିର ସମ୍ମାନ ରକ୍ଷା କରିଛି ? ତାଙ୍କ ସାହିତ୍ୟ ସୃଷ୍ଟି ସମ୍ବନ୍ଧରେ କୌଣସି ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇଛି ?

 

ଫକୀରମୋହନଙ୍କ ସୃଷ୍ଟିର ସମୀକ୍ଷା ଆରମ୍ଭ ହୁଏ ୧୮୯୯ରୁ । ‘ଉତ୍କଳ ସାହିତ୍ୟ’ ପୃଷ୍ଠାରେ ‘ଶ୍ରୀ’ ଛଦ୍ମ ନାମରେ କେହି ଜଣେ ‘ମୋହନ ଓ ଶଙ୍କରଙ୍କ ଉକ୍ତି ପ୍ରତ୍ୟୁକ୍ତି’ ବ୍ୟପଦେଶରେ ‘ରେବତୀ’ ଗଳ୍ପର ସମାଲୋଚନା ଲେଖନ୍ତି । ଏହି ଲେଖାକୁ ବିଧିବଦ୍ଧ ସମାଲୋଚନା ବୋଲି କେହି ଅବଶ୍ୟ କହିବେ ନାହିଁ । ତେବେ ଶ୍ରୀ ହେଉଛନ୍ତି ଫକୀରମୋହନଙ୍କର ପ୍ରଥମ ବିଦଗ୍‌ଧ ଆଲୋଚକ-। ସେହି ଶ୍ରୀଟି ସ୍ୱୟଂ ଫକୀରମୋହନ ହୋଇଥିବା ମଧ୍ୟ ବିଚିତ୍ର ନୁହେଁ । କାରଣ ରଚନାଟିର ଭାଷାଭଙ୍ଗୀରେ ତାଙ୍କରି ବ୍ୟକ୍ତିତ୍ୱର ଅନପନେୟ ଛାପ ବର୍ତ୍ତମାନ । ତେବେ ତାଙ୍କ ସାହିତ୍ୟର ପ୍ରକୃତ ସମାଲୋଚନା ଆରମ୍ଭ ହୁଏ ୪ବର୍ଷ ପରେ । ଗୋପାଳ ଚନ୍ଦ୍ର ପ୍ରହରାଜ ‘ଉତ୍କଳ ସାହିତ୍ୟ’ର ୬ଷ୍ଠ ବର୍ଷ ୬ଷ୍ଠ ସଂଖ୍ୟାରେ ‘ଦୁଇଖଣ୍ଡି ଓଡ଼ିଆ ପୁସ୍ତକ’ ଶୀର୍ଷକ ଯେଉଁ ସମୀକ୍ଷା ଲେଖନ୍ତି ସେଥିରେ ‘ଛମାଣ ଆଠଗୁଣ୍ଠ’ର ଆଲୋଚନା ଅନ୍ତର୍ଭୁକ୍ତ ଥାଏ । ସେହିଠାରୁ ଫକୀରମୋହନ ସାହିତ୍ୟ-ସମୀକ୍ଷାର ସୂତ୍ରପାତ । ସେଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ନବେ ବର୍ଷକାଳ ବହୁ ଜ୍ଞାତ ଅଜ୍ଞାତ ଖ୍ୟାତ ଅଖ୍ୟାତ ଲେଖକ ଏ ଦିଗରେ ଉଦ୍ୟମ କରିଛନ୍ତି, ପ୍ରବନ୍ଧ (article), ସମୀକ୍ଷା ଗ୍ରନ୍ଥ ଓ ଗବେଷଣାତ୍ମକ ନିବନ୍ଧ (thesis)ଲେଖିଛନ୍ତି, ପରିମାଣ ଅନେକ । ଗୁଣାତ୍ମକ ଦୃଷ୍ଟିରୁ କିନ୍ତୁ ଅଧିକାଂଶ ଛାତ୍ର ସେବ୍ୟ । ଫକୀରମୋହନଙ୍କ ବ୍ୟକ୍ତିତ୍ୱ ଓ ସାରସ୍ୱତ କୃତିତ୍ୱ ପ୍ରତି ଆନ୍ତରିକ ଶ୍ରଦ୍ଧାରୁ ସେଦିନ ଗୋଲୋକ ଚନ୍ଦ୍ର ମହାପାତ୍ର (ଫକୀରମୋହନ ସେନାପତି), ଅଚ୍ୟୁତାନନ୍ଦ ଦାସ (ବିବିଧ ପ୍ରବନ୍ଧ), ଗୋକୁଳ ଚନ୍ଦ୍ର ଶତପଥୀ (ଫକୀରମୋହନଙ୍କ ମହାଭାରତରେ ପାଠଭେଦ) ଓ ପଣ୍ଡିତ ନୀଳକଣ୍ଠ ଦାସ (ଫକୀରମୋହନ ଓ ଓଡ଼ିଆ ଉପନ୍ୟାସ) ତାଙ୍କ ଜୀବନୀ ଓ ସାହିତ୍ୟ ସମୀକ୍ଷାର ଭିତ୍ତି ପ୍ରସ୍ତୁତ କରନ୍ତି । ୧୯୪୮ରେ ବାଲେଶ୍ୱରଠାରେ ‘‘ଫକୀରମୋହନ ସାହିତ୍ୟ ପରିଷଦ’’ ଗଢ଼ିଉଠେ । ତାହାରି ଉତ୍ସାହ ଓ ଆନୁକୂଲ୍ୟରେ ସେନାପତିଙ୍କ ‘ଶାନ୍ତିକାନନ’ ସ୍ମୃତିତୀର୍ଥରେ ପରିଣତ ହୁଏ ଓ ତାଙ୍କ ସାହିତ୍ୟ ପ୍ରତି ସମଗ୍ର ଜାତିର ଦୃଷ୍ଟି ଆକର୍ଷଣ କରାଯାଏ । ପ୍ରଥମେ ସୁଧୀ ସମୀକ୍ଷକ ସୁରେନ୍ଦ୍ର ମହାନ୍ତି ୧୯୫୧ରେ ‘ଫକୀରମୋହନ’ ନାମଧେୟ ସମୀକ୍ଷା ଗ୍ରନ୍ଥଟି ଲେଖନ୍ତି, ଯାହାର ଉପୋଦ୍‌ଘାତ ପ୍ରସ୍ତୁତ କରିଛନ୍ତି ପଣ୍ଡିତ ନୀଳକଣ୍ଠ । ଏହି ସଦୁଦ୍ୟମ ପଛରେ ମଧ୍ୟ ବାଲେଶ୍ୱର ଏଫ. ଏମ. କଲେଜର ଫକୀରମୋହନ ସ୍ମୃତି କମିଟିର ଭୂମିକା ଓ ଅନୁପ୍ରେରଣା ବର୍ତ୍ତମାନ । ସେହି କମିଟିର ଆନୁକୂଲ୍ୟରେ ଅନୁଷ୍ଠିତ ଫକୀରମୋହନଙ୍କ ଶ୍ରାଦ୍ଧସଭାରେ ମୁଖ୍ୟ ଅତିଥି ଭାବରେ ସୁରେନ୍ଦ୍ର ମହାନ୍ତି ଯେଉଁ ଭାଷଣ ଦେଇଥିଲେ ତାହାରି ପରିବର୍ଦ୍ଧିତ ଓ ପରିମାର୍ଜିତ ଓ ରୂପ ‘ଫକୀରମୋହନ’ ବହି । ବହିଟି କ୍ଷୁଦ୍ର, କିନ୍ତୁ ତଦ୍ଦ୍ୱାରା ଏକ ବିଶାଳ ପ୍ରତିଭାର ଗୁରୁତ୍ୱ ସ୍ୱୀକୃତ ହୋଇଯାଏ । ବିଂଶ ଶତାବ୍ଦୀର ୨ୟ ଦଶକରୁ କବି ନୀଳକଣ୍ଠଙ୍କ ଅଧିନାୟକତ୍ୱରେ କବି ରାଧାନାଥଙ୍କ ପ୍ରତିଷ୍ଠା ପ୍ରତିପତ୍ତି ସମ୍ବନ୍ଧରେ ଯେଉଁ ପ୍ରତିକ୍ରିୟା ଆରମ୍ଭ କରିଥିଲା ତାହା ଯେପରି ଏବେ ଚରିତାର୍ଥ ହୋଇ ଉଠିଲା, ଯେଉଁ ଯୁଗଟି ରାଧାନାଥ ଯୁଗ ନାମରେ ପରିଚିତ ହୋଇଥିଲା ତାହା ଏବେ ଫକୀରମୋହନ ଯୁଗ ନାମରେ ପ୍ରବର୍ତ୍ତିତ ହେଲା । ୧୯୫୪ରେ ଅଧ୍ୟାପକ ସର୍ବେଶ୍ୱର ଦାସ ଲେଖନ୍ତି ‘ଯୁଗସ୍ରଷ୍ଟା ଫକୀରମୋହନ’ ଗ୍ରନ୍ଥ । ଏପରି ହେବାଟା ସମୀକ୍ଷା ଚିନ୍ତାର ପରିବର୍ତ୍ତନ ମାତ୍ର ନୁହେଁ, ଏତେବେଳକୁ ସ୍ୱୟଂ ଓଡ଼ିଆ ସାହିତ୍ୟର ଗତି ଓ ପ୍ରବୃତ୍ତି ମଧ୍ୟ ଫକୀରମୋହନଙ୍କ ନିର୍ଦ୍ଦେଶିତ ମାର୍ଗରେ ଅଗ୍ରସର ହୋଇଥାଏ ଅନେକ ଦୂର; ଲେଖା ସରିଥାଏ ‘ମାଟିର ମଣିଷ’, ‘ଶାସ୍ତି’ ‘ହା ଅନ୍ନ’ ଓ ‘ପରଜା’ ଉପନ୍ୟାସ । ୧୯୫୫ ବେଳକୁ ଦୁଇଟି ଉପାଦେୟ ସମୀକ୍ଷା ଗ୍ରନ୍ଥ ପ୍ରସ୍ତୁତ ହୋଇଯାଏ । ଏ ବର୍ଷ ସୁରେନ୍ଦ୍ର ମହାନ୍ତି ତାଙ୍କ ‘ଫକୀରମୋହନ’ଗ୍ରନ୍ଥର ଅସଂପୂର୍ଣ୍ଣତା ନିରାକରଣ କରନ୍ତି ‘ଫକୀରମୋହନ ସମୀକ୍ଷା’ରେ; ଆଉ ଫକୀରମୋହନ ସାହିତ୍ୟ ପରିଷଦର ଆନୁକୁଲ୍ୟରେ ଡଃ ଜାନକୀବଲ୍ଲଭ ମହାନ୍ତିଙ୍କ ସଂପାଦନାରେ ପ୍ରକାଶ ପାଏ ‘ଫକୀରମୋହନ ପରିକ୍ରମା’ ।

 

ଗବେଷକ ଡଃ ନଟବର ସାମନ୍ତରାୟ ମଧ୍ୟ ଅଚିରେ ଗବେଷଣାଲବ୍‌ଧ ବହୁ ଦୁଷ୍ପ୍ରାପ୍ୟ ଉପାଦାନ ସମୃଦ୍ଧ ‘ବ୍ୟାସକବି ଫକୀରମୋହନ’ ଗ୍ରନ୍ଥଟିକୁ ପ୍ରକାଶ କରନ୍ତି ୧୯୫୭ରେ । ସେହି ୧୯୫୭ରେ ମଧ୍ୟ ପ୍ରକାଶ ପାଏ ସୁବିଶାଳ ‘ଫକୀରମୋହନ ଗ୍ରନ୍ଥାବଳୀ’ ପଣ୍ଡିତ ନୀଳକଣ୍ଠଙ୍କ ଉପୋଦ୍‌ଘାତ ସହ । ପ୍ରକୃତରେ ୧୯୫୫ରୁ ୧୯୫୭ ମଧ୍ୟରେ ଫକୀରମୋହନ ସାହିତ୍ୟ ସମୀକ୍ଷା ସୁସମୃଦ୍ଧ ହୋଇଉଠେ । ଫକୀରମୋହନଙ୍କ ବ୍ୟକ୍ତିତ୍ୱ ଓ କୃକ୍ତିତ୍ୱ ସମୁଦ୍ଭାସିତ ଏବେ ଅନେକାଂଶରେ-। ସମାଲୋଚନା ଅବ୍ୟାହତ ରହେ । ଏ କ୍ଷେତ୍ରରେ ଆବିର୍ଭୁତ ହୁଅନ୍ତି ଅନେକ ପ୍ରବୀଣ ଓ ତରୁଣ ଆଲୋଚକ । ତନ୍ମଧ୍ୟରୁ ଡଃ ମାୟାଧର ମାନସିଂହ, ଚିନ୍ତାମଣି ଦାସ ଓ ଉପେନ୍ଦ୍ର ମିଶ୍ରଙ୍କ ନାମ ଉଲ୍ଲେଖଯୋଗ୍ୟ । ଡଃ ଅସିତ କବି ପ୍ରମୁଖ ଅଧ୍ୟାପକମାନେ ମଧ୍ୟ ଗବେଷଣାତ୍ମକ ନିବନ୍ଧ ଲେଖିଛନ୍ତି-। ଅଧିକନ୍ତୁ ଅନେକ ବିଦଗ୍‌ଧ ଲେଖକ ମଧ୍ୟ ମେଧାବୀ ପ୍ରବନ୍ଧ ଲେଖି ଫକୀରମୋହନଙ୍କ ସାହିତ୍ୟର ନବ ନବ ଦିଗନ୍ତ ଆଲୋକିତ କରିଛନ୍ତି, ସେମାନଙ୍କ ମଧ୍ୟରୁ ବସନ୍ତ କୁମାର ଶତପଥିୀ, ମହାପାତ୍ର ନୀଳମଣି ସାହୁ, ଚନ୍ଦ୍ରଶେଖର ରଥ, ଚିତ୍ତରଞ୍ଜନ ଦାସ ଓ ରବିଶଙ୍କର ମିଶ୍ରଙ୍କ ନାମ ସ୍ମରଣଯୋଗ୍ୟ । ଏ ମଧ୍ୟରେ ଅନେକ ସ୍ମରଣିକା ବି ପ୍ରକାଶ ପାଇଛି-୧୫୦ତମ ଜୟନ୍ତୀ ଉପଲକ୍ଷେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ‘ସାରସ୍ୱତ ପରିକ୍ରମା’ ପର୍ଯ୍ୟନ୍ତ । ଓଡ଼ିଆ ଉପନ୍ୟାସର ସମାଜତତ୍ତ୍ୱ କି କ୍ରମବିକାଶ ନିରୂପଣ ଉପଲକ୍ଷେ ପ୍ରସ୍ତୁତ ଗବେଷଣାତ୍ମକ ଗ୍ରନ୍ଥରେ ଫକୀରମୋହନଙ୍କ କଥାସାହିତ୍ୟ ଅବଶ୍ୟ ବିଚାର୍ଯ୍ୟ ହୋଇଥାଏ, କେହି କେହି ମଧ୍ୟ ତାଙ୍କୁ ତାଙ୍କ ସମସାମୟିକ ହିନ୍ଦୀ ଓ ବଙ୍ଗଳା ଔପନ୍ୟାସିକଙ୍କ ସହିତ ତୁଳନା କରି ସାମ୍ୟ ବୈଷମ୍ୟରେ ଉଭୟଙ୍କୁ ଉଜ୍ଜ୍ୱଳ କରି ଦେଖାଇଥାନ୍ତି । ଶେଷକୁ ଏଇ ୧୯୯୩ରେ ପ୍ରକାଶ ପାଇଛି ବୋଲଟନ୍‌ଙ୍କ ଥିସିସ ‘‘Fakir Mohan Senapati : His Life and Prose Fiction’’ । ପ୍ରକାଶକ ଓଡ଼ିଶା ସାହିତ୍ୟ ଏକାଡେମୀ । ଏହା ଆଜି ପାଇଁ ସର୍ବଶେଷ ବୋଧହୁଏ ।

 

ପରିମାଣ ଯଥେଷ୍ଟ । କିନ୍ତୁ ଗୁଣାତ୍ମକ ଦୃଷ୍ଟିରୁ ବିଶେଷ କିଛି ଉଲ୍ଲେଖଯୋଗ୍ୟ ଘଟଣା ଘଟିଛି ବୋଲି କହିଲେ ଅତ୍ୟୁକ୍ତି ହେବ । ପ୍ରକୃତରେ ନୂଆ ନୂଆ ଆଲୋକପାତ ଅପେକ୍ଷା ଆମର ରୋମନ୍ଥନ ବେଶି । ସମାଲୋଚନାରୁ ନିମ୍ନୋକ୍ତ କଥା କେତୋଟି ପ୍ରାୟ ସବୁଠିଁ କୁହାଯାଉଥିବାର ଲକ୍ଷ୍ୟ କରାଯାଏ । ଯଥା–ଐତିହାସିକ ଦୃଷ୍ଟିରୁ ନହେଲେ ହେଁ ଫକୀରମୋହନ ପ୍ରକୃତ କଳାପଦୃଷ୍ଟିରୁ ଓଡ଼ିଆ ଉପନ୍ୟାସର ଜନକ, ଯଥାର୍ଥ କ୍ଷୁଦ୍ରଗଳ୍ପର ପ୍ରବର୍ତ୍ତକ, ଆତ୍ମଜୀବନୀ ରଚନାର ବିରଳ ପଥୀକୃତ, ଆଧୁନିକ ଓଡ଼ିଆ ଗୀତିକବିତାରେ ନୂଆ ସ୍ୱର ସ୍ୱାଦର ଅନ୍ୟତମ ସଂଯୋଜକ । ସମଗ୍ର ଭାରତବର୍ଷରେ ସେ ଅନ୍ୟତମ ଶିଳ୍ପୀ ଭାବରେ ପ୍ରଥମେ ଉପନ୍ୟାସ କ୍ଷେତ୍ରରେ ରୋମାନ୍‌ସ ପରିବର୍ତ୍ତେ ସାମାଜିକ ବାସ୍ତବବାଦର ତନ୍ତ୍ରୀ ଯୋଗ କରିବାର କୃତିତ୍ୱ ଦାବି କରନ୍ତି ନିଶ୍ଚୟ । ଏଥିପାଇଁ ଅନେକେ ଉତ୍ସାହିତ ହୋଇ ତାଙ୍କୁ ଯୁଗସ୍ରଷ୍ଟା ଆସନ ଦେବାକୁ ଯାଇ କବି ରାଧାନାଥଙ୍କୁ ଭଞ୍ଜଯୁଗର ଶେଷ କବି ବୋଲି ଘୋଷଣା କରନ୍ତି । ଅବଶ୍ୟ ଫକୀରମୋହନଙ୍କ କବି ଖ୍ୟାତିକୁ ନ୍ୟୂନ କରି ଦେଖିବାର କୌଣସି ଯଥାର୍ଥ କାରଣ ନାହିଁ । କିନ୍ତୁ ରାଧାନାଥଙ୍କୁ ଭଞ୍ଜଯୁଗର ଶେଷ କବି କହିବାରେ ଭାବାଳୁତା ଭିନ୍ନ ଅନ୍ୟ କୌଣସି ଯୁକ୍ତି ଅନୁପସ୍ଥିତ । ଅନ୍ୟତମ ଆଧୁନିକ କବି ଭାବରେ ରାଧାନାଥଙ୍କ ପ୍ରତିଷ୍ଠା ସ୍ୱତଃସିଦ୍ଧ । ଉପରୋକ୍ତ ଆଲୋଚନାରେ ଯେଉଁସବୁ କଥା ବେଶି ପୁନରାବୃତ୍ତି କରାଯାଇଛି ସେଗୁଡ଼ିକ ହେଲା : ଫକୀରମୋହନଙ୍କ ସାହିତ୍ୟର ପୃଷ୍ଠଭୂମି ବିଚାର, people, plots ଓ settingର ବିଶ୍ଳେଷଣ, ତାଙ୍କର ଗଦ୍ୟଶୈଳୀ, ସାମାଜିକ ବାସ୍ତବବାଦର ପ୍ରବର୍ତ୍ତନା, ଚରିତ୍ରଚିତ୍ରଣ କୃତିତ୍ୱ, ହାସ୍ୟରସ ପରିବେଷଣ ବୈଶିଷ୍ଟ୍ୟ ଆଦିର ବିଚାର ଓ ଉପନ୍ୟାସ କଳା ନିରୂପଣ ତଥା ତାଙ୍କ ଦେଶାତ୍ମବୋଧ, ଜାତୀୟତାବୋଧ ଓ ଓଡ଼ିଆଭାଷା ପ୍ରୀତିର ପ୍ରଶଂସା । ପ୍ରକୃତରେ ଯେଉଁମାନଙ୍କର ଏସବୁ ମୌଳିକ ବିଚାର ଓ ବିଶ୍ଳେଷଣ ଉପରେ ଫକୀରମୋହନଙ୍କ ସାହିତ୍ୟିକ ପ୍ରତିଷ୍ଠା ଓ ପ୍ରତିପତ୍ତି ଗଢ଼ି ଉଠିଛି ସେମାନଙ୍କ ମଧ୍ୟରୁ ପ୍ରତିନିଧି ସ୍ଥାନୀୟ କେତେ ଜଣଙ୍କ ଚିନ୍ତା ଓ ଦିଗ୍‌ଦର୍ଶନ ଉପସ୍ଥାପନ କରାଯାଇପାରେ, ତଦ୍ଦ୍ୱାରା ଆଲୋଚନାର ଧାରା, ଓ ମୂଲ୍ୟ କଳନା କରିହେବ ।

 

୧- ଶ୍ରୀ ସୁରେନ୍ଦ୍ର ମହାନ୍ତି

୨-ଡଃ ନଟବର ସାମନ୍ତରାୟ

୩-ଡଃ ମାୟାଧର ମାନସିଂହ

୪-ଶ୍ରୀ ବସନ୍ତକୁମାର ଶତପଥୀ

୫- Dr. J. V. Boulton

 

୧- ଶ୍ରୀ ସୁରେନ୍ଦ୍ର ମହାନ୍ତି :

ଯଥାର୍ଥରେ ସୁରେନ୍ଦ୍ର ମହାନ୍ତି ଫକୀରମୋହନଙ୍କର ଆଦିସମୀକ୍ଷକ । ତାଙ୍କ ‘ଫକୀରମୋହନ ସମୀକ୍ଷା’ ଏବେବି ଅନତିକ୍ରମଣୀୟ ହୋଇ ରହିଛି । ଶ୍ରୀ ମହାନ୍ତି ମୁଖ୍ୟତଃ ଫକୀରମୋହନଙ୍କ ଗଦ୍ୟରୀତିର ବୈଶିଷ୍ଟ୍ୟ ପ୍ରତିପାଦନ କରିଛନ୍ତି, ଫକୀରମୋହନ କିପରି ଓଡ଼ିଆ ଉପନ୍ୟାସର ରୋମାନ୍‌ସଧର୍ମୀ ଚରିତ୍ରକୁ ବଦଳାଇ ତାହାକୁ Social realism ବା ସାମାଜିକ ବାସ୍ତବବାଦରେ ଦୀକ୍ଷିତ କରିଛନ୍ତି ସେକଥା ଫେଡ଼ି ଦେଖାଇଛନ୍ତି । ଏ କ୍ଷେତ୍ରରେ ଆମ ଫକୀରମୋହନ ଯେ ଅନ୍ୟତମ ‘‘pater familias of Indian Novels’’ ତାହା ମଧ୍ୟ ସଯୌକ୍ତିକ ପ୍ରତିପାଦନ କରିଛନ୍ତି । ଅଧିକନ୍ତୁ ନାରୀଚରିତ୍ର ଚିତ୍ରଣ, ହାସ୍ୟରସ ପରିବେଷଣ, ଉପନ୍ୟାସଶୈଳୀ ତଥା କ୍ଷୁଦ୍ରଗଳ୍ପକଳା ଉପରେ ଯଥେଷ୍ଟ ନୂଆ ଆଲୋକପାତ କରିଛନ୍ତି । ଫକୀରମୋହନଙ୍କ ସାହିତ୍ୟର ମୂଲ୍ୟାୟନରେ ଶ୍ରୀ ମହାନ୍ତିଙ୍କ ରୁଚି ଓ ବୈଦଗ୍‌ଧ୍ୟ ଆଦୌ ସାଧାରଣ କଥା ନୁହେଁ । ଫକୀରମୋହନଙ୍କୁ ବୁଝି ବୁଝାଇବାରେ ତାଙ୍କର ଦକ୍ଷତା ଅବିସମ୍ବାଦିତ ।

 

୨- ଡଃ ନଟବର ସାମନ୍ତରାୟ :

ଡଃ ନଟବର ସାମନ୍ତରାୟ ସମାଲୋଚକ ମାତ୍ର ନୁହନ୍ତି, ଅଧିକନ୍ତୁ ସେ ଜଣେ ଏକନିଷ୍ଠ ଗବେଷକ, ସ୍କଲାରକ୍ରିଟିକ । ତେଣୁ ତାଙ୍କ ‘ବ୍ୟାସକବି ଫକୀରମୋହନ’ ଗ୍ରନ୍ଥରେ ମୂଲ୍ୟାୟନ ଦକ୍ଷତା ସହିତ ଗବେଷକର ଶ୍ରମ ଓ ଅଧ୍ୟବସାୟର ସମନ୍ୱୟ ଦୁର୍ଲକ୍ଷ୍ୟ ରହେ ନାହିଁ । ସେ ଫକୀରମୋହନଙ୍କ ରଚନାବଳୀର ପ୍ରକାଶକାଳ ନିରୂପଣ କରିଛନ୍ତି, ତାଙ୍କ ଚାରିଟି ଉପନ୍ୟାସ ଯେ ଓଡ଼ିଶାର ସାମାଜିକ ଜୀବନର ୨୦୦ ବର୍ଷର ଇତିହାସ ତାହା ସୁନିପୁଣ ଭାବରେ ପ୍ରତିପାଦନ କରିଛନ୍ତି, ଅଧିକନ୍ତୁ ତାଙ୍କ ସଇତାନ ଚରିତ୍ରଗୁଡ଼ିକର ବିବର୍ତ୍ତନ ଅନୁଧାବନ କରିଛନ୍ତି । ଡଃ ସାମନ୍ତରାୟ ମଧ୍ୟ ତାଙ୍କ ‘ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ’ରେ ଫକୀରମୋହନଙ୍କ ଗଳ୍ପ, କବିତା ଓ ଉପନ୍ୟାସର ବୈଶିଷ୍ଟ୍ୟ ନିରୂପଣ କରିବାକୁ ଦୀର୍ଘ ପରିଚ୍ଛେଦଟିଏ ବ୍ୟୟ କରିଛନ୍ତି । ପରବର୍ତ୍ତୀ କାଳରେ ସେ ପ୍ରଣୟନ କରିଛନ୍ତି ‘ଫକୀରମୋହନ ସାହିତ୍ୟ ସମୀକ୍ଷା’ (୧୯୮୪) । ଏଥିରେ ସେ ମୁଖ୍ୟତଃ ଫକୀରମୋହନଙ୍କ କ୍ଷୁଦ୍ରଗଳ୍ପର ପୃଷ୍ଠଭୂମି, ସୃଷ୍ଟି ପ୍ରେରଣା ଓ ଅନ୍ତର୍ନିହିତ ସୃଷ୍ଟି ସୌନ୍ଦର୍ଯ୍ୟ ବିଶ୍ଳେଷଣ କରିବାକୁ ଚାହିଁଛନ୍ତି । ଅଧିକନ୍ତୁ ‘ଲଛମା’ ଉପନ୍ୟାସର ଐତିହାସିକ ପଟ୍ଟଭୂମି ନିର୍ମାଣରେ ଅଶେଷ କୃତିତ୍ୱ ଦେଖାଇଛନ୍ତି । ଡଃ ସାମନ୍ତରାୟ ସମାଲୋଚନା ଅପେକ୍ଷା ଗବେଷଣାକୁ ବେଶି ପ୍ରଶ୍ରୟ ଦେଇଛନ୍ତି, ଅନେକ ଦୁଷ୍ପ୍ରାପ୍ୟ ତଥ୍ୟ ଉପସ୍ଥାପନ କରି ସେନାପତିଙ୍କ ସୃଷ୍ଟି ପର୍ଯ୍ୟାୟର ବିକାଶକ୍ରମ ଉପରେ ନୂତନ ଆଲୋକପାତ କରିଛନ୍ତି । ସେ ପ୍ରକୃତରେ ଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଭାଷାରେ ପରଦା ଟାଣି ଦେଇ ଯାଇଛନ୍ତି, ଏଣିକି ନୂଆ ନୂଆ ଦୃଶ୍ୟ ବାହାରିବ । କିନ୍ତୁ ଆମେ ଡଃ ସାମନ୍ତରାୟଙ୍କଠାରୁ ଅଧିକ ଦୂର ଅଗ୍ରସର ହୋଇ ପାରିନାହୁଁ-ଆମର ଅନୁଶୀଳନ ଶୈଥିଲ୍ୟ, ଦୃଷ୍ଟିକ୍ଷୀଣତା ଓ ଅଧ୍ୟୟନ ସୀମିତତା ନୂଆ ନୂଆ ଦୃଶ୍ୟ ଉନ୍ମୋଚନର ସମ୍ଭାବନାକୁ ଚରିତାର୍ଥ ହେବାକୁ ସୁଯୋଗ ଦେଇନାହିଁ । ବରଂ Dr. J. V. Boulton ଡଃ ସାମନ୍ତରାୟଙ୍କୁ ଭଲ କରି ପଢ଼ିଛନ୍ତି ଓ ତାଙ୍କ ପରିବେଷିତ ତଥ୍ୟ ଓ ତତ୍ତ୍ୱରୁ ପ୍ରେରଣା ପାଇଛନ୍ତି ଯଥେଷ୍ଟ ।

 

୩- ଡଃ ମାୟାଧର ମାନସିଂହ :

ଡଃ ମାୟାଧର ମାନସିଂହ ଫକୀରମୋହନଙ୍କର ମୁଗ୍‌ଧ ପାଠକ ମାତ୍ର ନୁହନ୍ତି, ପରମସ୍ତାବକ ମଧ୍ୟ । ସେ ଫକୀରମୋହନଙ୍କର ପରିପୂର୍ଣ୍ଣ ଜୀବନ ଚରିତ୍ରଟିଏ ପ୍ରସ୍ତୁତ କରିବାକୁ ଚାହିଁଛନ୍ତି । ଗ୍ରନ୍ଥ ନାମ ‘ସରସ୍ୱତୀ ଫକୀରମୋହନ’ । ସେଥିରେ ସେ ଆନୁଷଙ୍ଗିକ ଭାବରେ ତାଙ୍କ ସୃଷ୍ଟି ସମ୍ପଦର ମୌଳିକତା, ଶିଳ୍ପନୈପୁଣ୍ୟ ଓ ରସସୌନ୍ଦର୍ଯ୍ୟ କଳନା କରିଛନ୍ତି: ଓଡ଼ିଆଭାଷା ଓ ଜାତୀୟତା ସୁରକ୍ଷା କ୍ଷେତ୍ରରେ ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଂଶସା କରିଛନ୍ତି ତଥା ଗଳ୍ପଉପନ୍ୟାସରେସ୍ଥାନ ବର୍ଣ୍ଣିମା ଫୁଟାଇବାରେ ତାଙ୍କ ଅନନ୍ୟ ନିପୁଣତାକୁ ବିଶ୍ଳେଷଣ କରିଛନ୍ତି । ଜୀବନୀଭିତ୍ତିକ ସାହିତ୍ୟ ଆଲୋଚନାର ଦିଗ୍‌ଦର୍ଶନ ରହିଛି ବହିଟିରେ, ଯଦିଓ ମନସ୍ତାତ୍ତ୍ୱିକ କୌଣସି ମାନଦଣ୍ଡ ଅନୁପସ୍ଥିତ । ଡଃ ମାନସିଂହ ଫକୀରମୋହନଙ୍କ ଖଣ୍ଡାୟତ ଜାତିକୁ ଘେନି ଯେଉଁ ଅତ୍ୟୁତ୍ସାହ ପ୍ରକାଶ କରିଛନ୍ତି, ତାହା ତାଙ୍କ ରସ ଦୃଷ୍ଟିକୁ କ୍ଷୁଣ୍ଣ କରିଛି ଯଥେଷ୍ଟ । ଫକୀରମୋହନ ଚଷାକୁଳରେ ଜନ୍ମିଥିବାରୁ ହିଁ ରଚନାରେ ଓଡ଼ିଶା ମାଟିର ବାସ୍ନା ସଞ୍ଚାର କରି ପାରିଛନ୍ତି, ଅନ୍ୟଥା ଏହା ସମ୍ଭବ ହୋଇନଥାନ୍ତା ।

 

୪- ଶ୍ରୀ ବସନ୍ତ କୁମାର ଶତପଥୀ :

ପଣ୍ଡିତ ନୀଳକଣ୍ଠ ଦାସଙ୍କଠାରୁ ଆରମ୍ଭକରି ପ୍ରଫେସର ରବିଶଙ୍କର ମିଶ୍ରଙ୍କ ପର୍ଯ୍ୟନ୍ତ ଯେଉଁ କେତେଜଣ ବିଦଗ୍‌ଧ ସମାଲୋଚକ ଫକୀରମୋହନଙ୍କ ସୃଷ୍ଟିର ଏକ ଏକ ଦିଗ ଉପରେ ଆଲୋକପାତ କରିଛନ୍ତି ତନ୍ମଧ୍ୟରୁ ଶ୍ରୀ ବସନ୍ତକୁମାର ଶତପଥୀଙ୍କ ବୈଶିଷ୍ଟ୍ୟ ଅବିସମ୍ବାଦିତ । ସେ ରଚନା କରିଛନ୍ତି ମାତ୍ର ୩ଟି ପ୍ରବନ୍ଧ : ରାମଚନ୍ଦ୍ର ମଙ୍ଗରାଜ (୧୯୬୭), ଚମ୍ପା (୧୯୭୦) ଓ ଫକୀରମୋହନଙ୍କ ଶୈଳୀ (୧୯୭୦) । ଶ୍ରୀ ଶତପଥୀ ବେଶ୍‌ ମୌଳିକ ଓ ସୂକ୍ଷ୍ମ ରସଦୃଷ୍ଟିସମ୍ପନ୍ନ । ସେ ସ୍ୱୟଂ ଜଣେ ବିଶିଷ୍ଟ ଗଳ୍ପକାର ଓ ଇଂରାଜୀ ସାହିତ୍ୟର ପରିଶୀଳିତ ଅଧ୍ୟାପକ । ତେଣୁ ଫକୀରମୋହନଙ୍କୁ ସେ ପାଶ୍ଚାତ୍ୟ ସାହିତ୍ୟ ପରିପ୍ରେକ୍ଷୀରୁ ବିଚାର କରିଛନ୍ତି ଓ ନିଜ ଉପଲବ୍‌ଧିର ଅପୂର୍ବତା ପ୍ରତିପାଦନ କରିଛନ୍ତି । ବିଶେଷତଃ ଚମ୍ପା ଚରିତ୍ରଟିର ବିଶ୍ଳେଷଣରେ ସେ ସୁନିପୁଣ ଭାବରେ ଉପସ୍ଥାପନ କରିଛନ୍ତି ଯେ, ଏହିଟି ଫକୀରମୋହନଙ୍କ କଳାସୃଷ୍ଟିର ସର୍ବଶ୍ରେଷ୍ଠ ଓ ଚିରଭାସ୍ୱର ଅମୂଲ୍ୟ ରତ୍ନ–ଯାହାର ପଟାନ୍ତର ଅନ୍ୟତ୍ର ସମ୍ପୂର୍ଣ୍ଣ ଅନୁପସ୍ଥିତ । ଏଠାରେ ପ୍ରସଙ୍ଗତଃ ଆଉ ଜଣେ ଇଂରେଜୀ ଅଧ୍ୟାପକଙ୍କ ଲେଖାକୁ ସ୍ମରଣ କରାଯାଇପାରେ । ଶ୍ରୀ ରବିଶଙ୍କର ମିଶ୍ର ଲେଖିଛନ୍ତି, ‘‘ଛମାଣ ଆଠଗୁଣ୍ଠରେ ଭାଷାର ବ୍ୟବହାର ଓ ଜମିର ମାଲିକାନା ।’’ ସାହିତ୍ୟ ଭାଷାଶିଳ୍ପ-। ସମସ୍ତେ ଅବଶ୍ୟ ଫକୀରମୋହନଙ୍କ ଗଦ୍ୟରୀତି ବିଶ୍ଳେଷଣ ବେଳେ ସେ କିପରି ସାଧୁ ଭାଷାରୁ ଚଳିତ ଭାଷାକୁ ଓଡ଼ିଆ ଗଦ୍ୟ ସାହିତ୍ୟର ମୁଖ ଫେରାଇ ଘେନିଛନ୍ତି ତାହା ଦେଖାଇଥାନ୍ତି, ଶ୍ରୀ ମିଶ୍ରଙ୍କ ଉଦ୍ୟମ କିନ୍ତୁ ଭିନ୍ନ । ସେ ପ୍ରତିପାଦନ କରିଛନ୍ତି ଯେ, ଫକୀରମୋହନ ସାଆନ୍ତାଣୀ ଓ ସାରିଆ ମାଧ୍ୟମରେ ଊନବିଂଶ ଶତାବ୍ଦୀର ଔପନିବେଶିକ ଭାଷା ଓ ଜମିର ମାଲିକାନା ବିରୋଧରେ ବିଚକ୍ଷଣ ଭାବରେ ଔପନ୍ୟାସିକ ପ୍ରତିବାଦଟିଏ ଘୋଷଣା କରିଛନ୍ତି । ଦୃଷ୍ଟିଭଙ୍ଗୀ ଓ ବିଚାର ବିଶ୍ଳେଷଣ ପ୍ରଶଂସାର୍ହ ।

 

୫- ଡଃ ଜେ. ଭି. ବୋଲ୍‌ଟନ୍‌:

ଫକୀରମୋହନଙ୍କ ବ୍ୟକ୍ତିତ୍ୱ ଓ ସାରସ୍ୱତ କୃତିତ୍ୱ ଯେଉଁ ଇଂରେଜ ଗବେଷଟିକୁ ମୁଗ୍‌ଧ ଓ ଚକିତ କରିଛି ସେ ହେଉଛନ୍ତି Dr J. V. Boulton । ଶ୍ୱେତାଙ୍ଗ ଜାତିର ଔଦ୍ଧତ୍ୟ ଓ ଉନ୍ମାସିକତାକୁ ପରିହାର କରି ଓଡ଼ିଆ ସାହିତ୍ୟକୁ ଘେନି ଏତେ ଉତ୍ସାହିତ ହେବା ପ୍ରକୃତରେ ପ୍ରବିରଳ ବିଷୟ । କେହି ଓଡ଼ିଆ ବି ଏତେ ଅପକ୍ଷପାତ କୌତୂହଳ ଘେନି ମାତି ନାହିଁ, ଏମିତି ଉତ୍ସାହିତ ହୋଇନାହିଁ । ସେ ତାଙ୍କ ଆତ୍ମଜୀବନୀକୁ ଇଂରାଜୀରେ ଅନୁବାଦ କରିଛନ୍ତି ଓ ତାଙ୍କ ବ୍ୟକ୍ତିତ୍ୱ ତଥା କୃତିତ୍ୱ ସମ୍ବନ୍ଧରେ ଗବେଷଣା କରି Ph. D. ଡିଗ୍ରୀ ପାଇଛନ୍ତି । ଦୁଇଟି ଯାକ ଗ୍ରନ୍ଥ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ପ୍ରକାଶିତ । ୧- My Times and I (1985), ୨- Fakirmohan Senapati : His Life and prose Fiction (1993) । ଥେସିସ୍‌ଟି ଫକୀରମୋହନ-ସାହିତ୍ୟ ସମୀକ୍ଷା କ୍ଷେତ୍ରରେ ଏକ ବଳିଷ୍ଠ ସଂଯୋଜନା । ଏହା ଦୁଇଭାଗରେ ବିଭକ୍ତ । ୧ମ ଭାଗ ପୃଷ୍ଠଭୂମି ଓ ଜୀବନୀ ବିଶ୍ଳେଷଣ । ୨ୟ ଭାଗ ସାହିତ୍ୟର ନବ ଦିଗନ୍ତ ଉନ୍ମୋଚନ । ପ୍ରକୃତରେ ଏହି ଦ୍ୱିତୀୟ ଭାଗଟି ହିଁ ଗୁରୁତ୍ୱପୂର୍ଣ୍ଣ । ଏହା ନଅଟି ପରିଚ୍ଛେଦରେ ବିଭକ୍ତ । ପରିଚ୍ଛେଦଗୁଡ଼ିକର ନାମକରଣରୁ ବିଷୟର ବ୍ୟାପ୍ତି ଓ ବୈଚିତ୍ର୍ୟ ତଥା ନୂତନତା ବୁଝିହେବ ତନ୍ମଧ୍ୟରୁ people, plots and settings, The Theme of History, The Theme of Education, The Theme of Justice, Aesthetic Aspects ଓ Attitude and Values ପରିଚ୍ଛେଦ ଗୁଡ଼ିକ ଅବଶ୍ୟ ପଠନୀୟ । ଡଃ ବୋଲ୍‌ଟନ ବିଶ୍ୱରେ ଫକୀରମୋହନଙ୍କୁ ପରିଚିତ କରାଇ ଦେବାକୁ କେବଳ ଗବାକ୍ଷଟିଏ ଖୋଲି ଦେଇ ନାହାନ୍ତି, ଫକୀରମୋହନଙ୍କ ପ୍ରତି ପରମ ଶ୍ରଦ୍ଧାରୁ ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ ସମ୍ବନ୍ଧରେ ଅନେକ ନୂତନ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ସେଥିପାଇଁ ତାଙ୍କ ସଂବେଦନ ଓ ଉପଲବ୍‌ଧି ତଥା ଅନୁଶୀଳନ ଓ ସୂକ୍ଷ୍ମ ଦୃଷ୍ଟିକୁ ପ୍ରଶଂସା ନକରି ରହିହୁଏ ନାହିଁ । ଭାଷା ଓ ଜାତୀୟତାବୋଧର ସମ୍ବନ୍ଧ ସ୍ୱୀକାର କରି ସେ ନାନା ତଥ୍ୟ ଓ ପ୍ରମାଣ ବଳରେ ପ୍ରତିପାଦନ କରିଛନ୍ତି ଯେ, ଦେଶାତ୍ମବୋଧ ହିଁ ଫକୀରମୋହନଙ୍କ ସାହିତ୍ୟସୃଷ୍ଟିର ସର୍ବଧାତ୍ରୀ ପ୍ରେରଣା । The Theme of Justice ଅଧ୍ୟାୟରେ ସେ ଛମାଣ ଆଠଗୁଣ୍ଠ, ମାମୁଁ ଓ ପ୍ରାୟଶ୍ଚିତ୍ତକୁ ‘A Trilogy of Justice’ ନାମରେ ଅଭିହିତ କରି ତନ୍ମଧ୍ୟରୁ ‘ଛମାଣ ଆଠଗୁଣ୍ଠ’କୁ A Satire on British Law ବୋଲି ବ୍ୟାଖ୍ୟା କରିଛନ୍ତି । ବଡ଼ସଂଗତ ବ୍ୟାଖ୍ୟା । ଫକୀରମୋହନ ରାଜନୀତିଜ୍ଞ ନ ଥିଲେ କିନ୍ତୁ ତାଙ୍କର ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଏକ ଅନ୍ତର୍ଦୃଷ୍ଟି ସମୁଦ୍ୟତ ଥିଲା ସବୁବେଳେ-ବୋଲଟ୍‌ନ ଦେଖାଇଛନ୍ତି ଆଇନ, ଧର୍ମ ଓ ଅର୍ଥ ଏହି ତିନୋଟି କ୍ଷେତ୍ରରେ ନ୍ୟାୟୋଚିତ ଓ ସମନ୍ୱିତ ଉନ୍ନତି ସାଧିତ ହେଲେ ଓଡ଼ିଶାର କଲ୍ୟାଣ ସାଧିତ ହେବ ବୋଲି ଫକୀରମୋହନ ସବୁଠିଁ ତାଙ୍କ ଉପନ୍ୟାସରେ ଇଙ୍ଗିତ କରିଛନ୍ତି, Thus in his prose fiction on this fundamental theme of justice we see Fakirmohan groping back towards an ultimate unity in the agenicies of law, religion and finance. ଫକୀରମୋହନଙ୍କ ଅନ୍ୱେଷଣ କ’ଣ ଚରିତାର୍ଥ ହେଲାଣି ? ଅଧିକନ୍ତୁ ବୋଲ୍‌ଟନ୍‌ ତାଙ୍କ ଗଳ୍ପ ଓ ଉପନ୍ୟାସର ନାନ୍ଦନିକ ଦିଗ ନିରୂପଣ କରିଛନ୍ତି ଏବଂ ବିଶ୍ଲେଷଣ କରି ଦେଖାଇଛନ୍ତି ଯେ, ଏକ ପକ୍ଷରେ ଯେତେବେଳେ ଉପନ୍ୟାସ ରଚନାରେ ତାଙ୍କର ସିଦ୍ଧି ଓ ସାଫଲ୍ୟ କ୍ରମଶଃ କମି କମି ଯାଇଛି ଅନ୍ୟପକ୍ଷରେ ସେତେବେଳେ ଗଳ୍ପକ୍ଷେତ୍ରରେ ତାଙ୍କ ଦକ୍ଷତା ଓ ଶିଳ୍ପକୁଶଳତା ବଢ଼ି ବଢ଼ି ଚାଲିଛି । ଏହା ସତ୍ୟକି ? ଫକୀରମୋହନଙ୍କ ଗଦ୍ୟ ସମ୍ୱନ୍ଧରେ ସେ ଅବଶ୍ୟ ନୂଆ କଥା କିଛି କହି ନାହାନ୍ତି, ତେବେ ମନ୍ତ୍ୟବଟି ପ୍ରୀତିକର ମନେ ହେଉଛି, In hands Radhanath and Madhusudan prose had become Sanskritic and stilled, a thing for classrooms and lecture halls, Fakirmohan’s prose was like a harvest from the paddy fields of Orissa, bronzed by the sun and bearing the reeds of life.’’ ଗ୍ରନ୍ଥଟିରେ ସମୀକ୍ଷା ଅପେକ୍ଷା ଶ୍ରଦ୍ଧା ଓ ଭକ୍ତିର ସ୍ଥାନ ଉଚ୍ଚତର । ବୋଲ୍‌ଟନ୍‌ଙ୍କର ସାହିତ୍ୟବୋଧ ଯେତେ ଫକୀରମୋହନ ପ୍ରୀତି ତତୋଽଧିକ । ତଥାପି ଆମ ଓଡ଼ିଆ ସାହିତ୍ୟକଙ୍କୁ ବିଶ୍ୱରେ ପରିଚିତ କରାଇବାକୁ ସେ ଯେଉଁ ସଦୁଦ୍ୟମ କରିଛନ୍ତି, ସେଥିଲାଗି ଆମେ କୃତଜ୍ଞ ବୋଧ କରିବା ଉଚିତ ।

 

ଉପରୋକ୍ତ ସମୀକ୍ଷା ଓ ସମୀକ୍ଷକଙ୍କ ବିଚାର ବିଶ୍ଳେଷଣରୁ ଯେଉଁ କେତୋଟି ସିଦ୍ଧାନ୍ତ ସ୍ଥିର ହୋଇ ଉଠିଛି ସେଗୁଡ଼ିକୁ ସୁତ୍ରାକାରେ ସଜାଇ ଦିଆଯାଇ ପାରେ । କୌଣସି ସମୀକ୍ଷକ ନବ୍ୟ ସାହିତ୍ୟ ସମାଲୋଚନା ପଦ୍ଧତିନିଷ୍ଠ ନୁହନ୍ତି, ଅଧିଂକାଶଙ୍କର ଲେଖା Studies in appreciation ଭଙ୍ଗୀରେ ପ୍ରସ୍ତୁତ–କାହାର ଆପ୍ରୋଚ ମୋରାଲ ତ କାହାର ସେ ସୋସିଲୋଜିକାଲ–ଏତିକି ଯାହା ପାର୍ଥକ୍ୟ ।

 

୧.

ବହୁପ୍ରକାର ସାହିତ୍ୟ ସୃଷ୍ଟିରେ ଫକୀରମୋହନଙ୍କ ପାରଦର୍ଶିତା ବା Virtuosity ଅବିସମ୍ୱାଦିତ । ଗଳ୍ପ, ଉପନ୍ୟାସ, କବିତା, ପ୍ରବଂଧ ଓ ଆତ୍ମଜୀବନୀ–ସବୁ ପ୍ରକାର ସୃଷ୍ଟି କାର୍ଯ୍ୟରେ ସେ ସୁଦକ୍ଷ ।

 

୨.

ଭାରତବର୍ଷରେ ଉପନ୍ୟାସ ରଚନା କ୍ଷେତ୍ରରେ ଫକୀରମୋହନ Social Realism ଅନ୍ୟତମ ପ୍ରବର୍ତ୍ତକ । ଏ କ୍ଷେତ୍ରରେ ସମୃନ୍ମତ ବଙ୍ଗ ସାହିତ୍ୟ ମଧ୍ୟ ଓଡ଼ିଆ ସାହିତ୍ୟର ଅପେକ୍ଷା ଅନଗ୍ରସର । ତାଙ୍କ ଉପନ୍ୟାସ ଓଡ଼ିଶାର ସାମାଜିକ ଜୀବନର ଇତିହାସ । ସମସାମୟିକ ସମାଜ ଚିତ୍ରଣରେ ତାଙ୍କ ଦକ୍ଷତା ଅତୁଳନୀୟ ।

 

୩.

ଓଡ଼ିଆ ଗଦ୍ୟରୀତିକୁ ସେ ନବଜନ୍ମ ଦାନ କରନ୍ତି । ଶିଷ୍ଟ ଭାଷାରୁ ସେ ଚଳିତ ଭାଷାପ୍ରତି ଗଦ୍ୟର ନୂଆ ମୋଡ଼ ଦେଇଛନ୍ତି, ଗଦ୍ୟ ମସ୍ତିଷ୍କ, ମେରୁଦଣ୍ଡ ଓ ପ୍ରାଣଶକ୍ତି ସହିତ ସ୍ୱାଚ୍ଛନ୍ଦ୍ୟ, ସୌନ୍ଦର୍ଯ୍ୟ ଓ ସୌକୁମାର୍ଯ୍ୟ ଲାଭ କରି ପାରିଛି ।

 

୪.

ଆତ୍ମଜୀବନୀଟି ସାହିତ୍ୟ ସମୀକ୍ଷାକୁ ପ୍ରଭାବିତ କରିଛି, ଅନେକ ସମାଲୋଚକ ତାଙ୍କ ଅବଚେତନ ମନଟିକୁ ଲେଖାରେ ଦେଖିଛନ୍ତି । କୋଚିଳା ଦେଇ ଓ ପୁରୁଷୋତ୍ତମ ନାନା ଭାବରେ ତାଙ୍କ ଲେଖାରେ ଆବିର୍ଭୂତ ହୋଇଛନ୍ତି । ଜୀବନଟିର କାଳ୍ପନିକ ଦିଗଟି ପ୍ରତି କେହି ଅବହିତ ନୁହନ୍ତି । ସେଥିପାଇଁ ସୃଷ୍ଟି ଅପେକ୍ଷା ପକୀରମୋହନଙ୍କ ବ୍ୟକ୍ତିତ୍ୱ ମହତ୍ତର ଦିଶିଛି ।

 

୫.

ଫକୀରମୋହନଙ୍କ ସାହିତ୍ୟ ପ୍ରତି ସେଦିନ ସୁରେନ୍ଦ୍ର ମହାନ୍ତି ଓ ଡଃ ନଟବର ସମାନ୍ତରାୟ ଯେଉଁ ମୋହମୁଗ୍‌ଧ ଦୃଷ୍ଟିଟିକୁ ସମୁଦ୍ୟତ ରଖିଥିଲେ ତାହା ସେମିତି ବୋଲ୍‌ଟନ୍‌ଙ୍କ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଅଛି । ନିରପେକ୍ଷ ସାହିତ୍ୟ ବିଚାରପାଇଁ ଯେଉଁ ନାନ୍ଦନିକ ଦୂରତ୍ୱ ପ୍ରୟୋଜନ ତାହା ଓଡ଼ିଆ ସମାଲୋଚନା ଅର୍ଜି ନାହିଁ । ଫକୀରମୋହନଙ୍କ ଚରିତ୍ରଚିତ୍ରଣ ଦକ୍ଷତା, ହାସ୍ୟରସ ପରିବେଷଣ କୃତିତ୍ୱ, ସମାଜ ଚିତ୍ରଣର ବିଶ୍ୱସ୍ତତା, କାବ୍ୟିକ ନ୍ୟାୟରେ ଆଦର୍ଶନିଷ୍ଠା, ନୈତିକ ମୂଲ୍ୟବୋଧ ଓ ପରମ୍ପରା ପ୍ରତି ଆସ୍ଥା ଓ ବିଶ୍ୱାସ ତଥା ଦୋଶାତ୍ମବୋଧ ଓ ଜାତୀୟତାବାଦର ବାହାରକୁ ଓଡ଼ିଆ ସମାଲୋଚନା ଯାଇପାରୁ ନାହିଁ । ପ୍ରାୟ ରୋମାନ୍ଥନରେ ବ୍ୟାପୃତ ଅଛି; ପୁନରାବୃତ୍ତିରେ ଆଶ୍ୱସ୍ତ ହେଉଛି ।

 

୬.

ସୁରେନ୍ଦ୍ର ମହାନ୍ତି ସମସାମୟିକ ହିନ୍ଦୀ ଓ ବଙ୍ଗଳା ସାହିତ୍ୟର ଉପନ୍ୟାସ ତୁଳନା କରି ଫକୀରମୋହନଙ୍କ ବୈଶିଷ୍ଟ୍ୟ ପ୍ରତିପାଦନ କରିଛନ୍ତି । ଏ ଦିଗରେ କେହି କେହି ଉଦ୍ୟମ କରିଛନ୍ତି ପରବର୍ତ୍ତୀକାଳରେ ଅବଶ୍ୟ, କିନ୍ତୁ ସେହି ହିନ୍ଦୀର ପ୍ରେମଚାନ୍ଦ ଓ ବଙ୍ଗଳାର ବଙ୍କିମଙ୍କୁ ହିଁ ଅବଲମ୍ବନ କରିଛନ୍ତି ସମସ୍ତେ–ଭାରତର ଅନ୍ୟ ସବୁ ଭାଷାର ଫକୀରମୋନଙ୍କ ସମସାମୟିକ ଔପନ୍ୟାସିକଙ୍କ ସହିତ ତାଙ୍କର ତୁଳନାତ୍ମକ ବିଚାର କାହିଁ-? ଏ ଦିଗଟି ଏବେବି ଉନ୍ମକ୍ତ ଅଛି ।

 

ଏ ମଧ୍ୟରେ ଫକୀରମୋହନଙ୍କ ପ୍ରୟାଣ ପରେ ୭୫ ବର୍ଷ ବିତି ଯାଇଛି । ଫକୀରମୋହନ ଯେତେ ବଡ଼ ସାହିତ୍ୟିକ ତଦନୁପାତରେ ସେତେ ସମ୍ମାନ ପାଇ ନାହାନ୍ତି । ଉପରୋକ୍ତ ଆଲୋଚନା ସତ୍ତ୍ୱେ କହିବାକୁ ହୁଏ ଯେ, ଆମ ସମାଲୋଚନା ପକୀରମୋହନଙ୍କ ସାରସ୍ୱତ ମନ୍ଦିରର ବେଢ଼ା ବାହାରେ ଘୁରୁଛି, ଭିତରେ ପ୍ରବେଶ କରିବାର ସାମର୍ଥ୍ୟ କି ଅଧିକାର ଅର୍ଜ୍ଜି ନାହିଁ । ଆମ ସମାଲୋଚନା ଅନେକତ୍ର ପ୍ରଶଂସା ଓ ଆପ୍ତ ବାକ୍ୟସ୍ତରରେ ରହିଯାଇଛି ମାତ୍ର-କାରଣ ଆନେକ । ପ୍ରଥମତଃ ସମାଲୋଚନାର ସ୍ୱଚ୍ଛ ସର୍ବଜନଗ୍ରାହ୍ୟ ପରିଭାଷା ଆମର ନାହିଁ । ସାହିତ୍ୟ ସମାଲୋଚନା ଦୀର୍ଘ ଅନୁଶୀଳନ ସାପେକ୍ଷ, ତାହା ସବୁବେଳେ ପ୍ରଶସ୍ତ ରୁଚି ଓ ବୈଦଗ୍‌ଧ୍ୟ ତଥା ଦୂରଦୃଷ୍ଟି ଲୋଡ଼ିଥାଏ । ଆମର ରୁଚିବନ୍ତ ଅନୁଶୀଳିତ ସମୀକ୍ଷକ କାହାନ୍ତି ? ଅଧିକନ୍ତୁ ସମାଲୋଚନା ବୃଦ୍ଧିର ଅନ୍ୟତମ ମାନଦଣ୍ଡ ହେଉଛି ସାହିତ୍ୟ ବିଚାରକୁ ଯଥାସମ୍ଭବ ଶିଳ୍ପ ବହିର୍ଭୂତ ବିଷୟରୁ ମୁକ୍ତ ରଖିବା । ଫକୀରମୋହନ ସାହିତ୍ୟ ସମୀକ୍ଷାରେ ଏହି ମୁକ୍ତି କାହିଁ ମିଳି ନାହିଁ । ତାଙ୍କ ପ୍ରତି ଆମେ ଅକୁଣ୍ଠିତ ଭକ୍ତି ଅର୍ଘ୍ୟ ନିବେଦନ କରିଥାଉ । ଭକ୍ତି ଓ ବିଚାର କିନ୍ତୁ କେବେ ସମାର୍ଥକ ନୁହନ୍ତି । ତାଙ୍କ ଦେଶାତ୍ମବୋଧ, ଓଡ଼ିଆ ଭାଷା ପ୍ରୀତି ଓ ଜାତି ହିତୈଷଣା ଆମ ବିଚାରକୁ ଆଚ୍ଛନ୍ନ କରି ରଖିଛି । ନମସ୍ୟ ଫକୀରମୋହନଙ୍କଠାରୁ ସାହିତ୍ୟକ ଫକୀରମୋହନଙ୍କୁ ଅଲଗା କରି ଦେଖି ପାରିଲେ ସମାଲୋଚନା ସୁସ୍ଥ ଓ ବ୍ୟବସ୍ଥିତ ହେବ । ଫକୀରମୋହନ ଆଧୁନିକ ଗଳ୍ପ ଓ ଦେଖି ଉପନ୍ୟାସର ଜନକ । ଏହି ଐତିହାସିକ ଭୂମିକା ମଧ୍ୟ ଅନ୍ୟ ଏକ ଅନତିକ୍ରମଣୀୟ ବାଧା । ଐତିହାସିକ ମୂଲ୍ୟ ଓ ସ୍ଥାୟୀ ମୂଲ୍ୟ ମଧ୍ୟ ଏକାର୍ଥକ ନୁହନ୍ତି । ଆମେ ଐତିହାସିକ ମୂଲ୍ୟରେ ସନ୍ତୁଷ୍ଟ, ସ୍ଥାୟୀ ମୂଲ୍ୟ ଖୋଜି ନାହୁଁ । ଦୁଇ ମାନଦଣ୍ଡର ପାର୍ଥକ୍ୟ ବୁଝିବାକୁ ହେବ । ଅଧିକନ୍ତୁ ପ୍ରତ୍ୟେକ ଯୁଗରେ ଯୁଗୋଚିତ ମାନଦଣ୍ଡରେ ସାହିତ୍ୟର ମୂଲ୍ୟାୟନ ହୋଇଥାଏ, ଆଜିର ଆଖିରେ କାଲିର ସାହିତ୍ୟକୁ ଦେଖିବାକୁ ହୁଏ । ଊନବିଂଶ ଶତାବ୍ଦୀର moval approach ଓ ଏହି ବିଂଶ ଶତାବ୍ଦୀର ପୂର୍ବାର୍ଦ୍ଧରେ ପ୍ରଚଳିତ sociological approach ଏବେ ଅଚଳ । ଯେଉଁ ସାହିତ୍ୟସୃଷ୍ଟି ପ୍ରତ୍ୟେକ ଯୁଗରେ ନୂତନ ରୂପ ପରିଗ୍ରହ କରି ପାରେ, ଯୁଗପରିବର୍ତ୍ତନ ସହିତ ଯାହାର ଆବେଦନ ସମାପ୍ତ ହୋଇଯାଏ, ନାହିଁ ନୂତନ ନୂତନ ମାନଦଣ୍ଡରେ ଯାହା ଚିରଦିନ ଉତ୍ତୀର୍ଣ୍ଣ ହେଉଥାଏ, ତାହାରି ସ୍ଥାୟୀ ମୂଲ୍ୟ ସ୍ୱୀକାର୍ଯ୍ୟ । ଆଜି ଆଧୁନିକ ମନନର ଯାହା ଆଲୋକରେ ଫକୀରମୋହନଙ୍କୁ ଦେଖିବାକୁ ହେବ, Formalistic, Archetypal, Psychological କି Stylistics ବା Feminst ପଦ୍ଧତି ଦୃଷ୍ଟିରୁ ତାଙ୍କ ସାହିତ୍ୟର ମୂଲ୍ୟ କଳନା କରିବାକୁ ପଡ଼ିବ । ସେ ଉତ୍ତୀର୍ଣ୍ଣ ହେବେ ନିଶ୍ଚୟ । ତେବେ ଯାଇଁ ତାଙ୍କ ମର୍ଯ୍ୟାଦା ଲାଏକ ସମାଲୋଚନା ଭୂମିଷ୍ଠ ହେବ

 

ଓଡ଼ିଆ ଭାଷା ଓ ସଂସ୍କୃତିର ଆଞ୍ଚଳିକ ଚରିତ୍ର ଭାରତରେ କି ବିଶ୍ୱରେ ଫକୀରମୋହନଙ୍କ ସ୍ଥାନ ନିର୍ଦ୍ଧାରଣ କ୍ଷେତ୍ରରେ ସବୁଠାରୁ ବଳି ବଡ଼ ଅନ୍ତରାୟ । ଯେଉଁ ଭାଷାରେ ତାଙ୍କ ସୃଜନୀଶକ୍ତିର ଐଶ୍ଚର୍ଯ୍ୟ ବିକଶିତ, ତାହା ଓଡ଼ିଶାର ଶିକ୍ଷିତ ସମାଜରେ ବି ଉପେକ୍ଷିତ, ବାହାର କଥା କ’ଣ କହିବା-? ତେଣୁ ତାଙ୍କ ପାଠକ ସଂଖ୍ୟା ସୀମିତ । ଦିନୁଦିନ ବରଂ ସାହିତ୍ୟବୋଧ ସଂପନ୍ନ ପାଠକଙ୍କ ସଂଖ୍ୟା କମି କମି ଯାଉଛି, ଫକୀରମୋହନ ଓଡ଼ିଆ କ୍ଲାସ୍‌ରୁମ୍‌ରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେଣୁ ତାଙ୍କୁ ଅନୁବାଦ ମାଧ୍ୟମରେ ସର୍ବତ୍ର ପରିଚିତ କରାଇବା ଜାତିର ପ୍ରତ୍ୟାଶିତ କର୍ତ୍ତବ୍ୟ । ଫଳରେ ତୁଳନାଶୀଳ ସାହିତ୍ୟ ସମୀକ୍ଷାର କ୍ଷେତ୍ର ବିସ୍ତୃତ ହେବ । ଦେଶ ଓ ବିଦେଶରେ ଅନ୍ୟାନ୍ୟ ସାହିତ୍ୟିକଙ୍କ ପାଖରେ ତାଙ୍କ ସ୍ଥାନ ନିର୍ଦ୍ଧାରିତ ହୋଇ ପାରିଲେ ଫକୀରମୋହନ ସାହିତ୍ୟ ସମୀକ୍ଷା କୃତାର୍ଥ ହେବ । ସମାଲୋଚନା ସମବାୟୀ କର୍ମଟିଏ ମଧ୍ୟ । ଏହି ପ୍ରୟାସଟି ସାର୍ଥକତା ଲାଭ କରିବ ଭାରତ ଓ ଭାରତ ବାହାରର ବହୁ ବ୍ୟକ୍ତିଙ୍କ ଆନ୍ତରିକ ଶ୍ରଦ୍ଧା, ଶ୍ରମ ଓ ଅନୁଶୀଳନ ତଥା ଉପଲବ୍‌ଧିରୁ-। ତାହା ହେଲେ ସାହିତ୍ୟକ ଫକୀରମୋହନଙ୍କ ମର୍ଯ୍ୟାଦାନୁରୂପ ସାହିତ୍ୟ ସମୀକ୍ଷା ପ୍ରସ୍ତୁତ ହୋଇ ପାରିବ । (କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ପକୀରମୋହନଙ୍କ ୧୫୦ ତମ ଜନ୍ମଦିନ ଉପଲକ୍ଷେ ଦିଲ୍ଳୀଠାରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରର ଏକ ସେମିନାରରେ ୧୫-୧-୧୯୯୪ ଅପରାହ୍ନରେ ଏହି ଲେଖାରେ ଇଂରାଜୀ ରୂପାନ୍ତର ପଠିତ ହୋଇଥିଲା, ନାମ ଥିଲା- A Study of Critical Assessment of Fakirmohn's Worth)

 

 

ପ୍ରଫେସର, ଓଡ଼ିଆ ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,

ଭଞ୍ଜବିହାର

 

***

 

ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ

ଡକ୍‌ଟର ବାଉରୀବନ୍ଧୁ କର

 

ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ ଓଡ଼ିଆ ସାହିତ୍ୟ ଇତିହାସରେ ବିସ୍ମୟାବହ ଏକ ଅବିସ୍ମରଣୀୟ ବ୍ୟକ୍ତିତ୍ୱ । ସେପରି ବିଶେଷ କିଛି ଆଧୁନିକ ଶିକ୍ଷା ଲାଭ ନକରିଥିଲେ ସୁଦ୍ଧା ଆପଣାର ନିଷ୍ଠା, ଧୈର୍ଯ୍ୟ ଓ ସାଧନା ବଳରେ ସେ ହୋଇ ପାରିଥିଲେ ଜଣେ ବିଶିଷ୍ଟ ଅଧ୍ୟାପକ, ସୁଗବେଷକ, ଅନୁବାଦକ ଓ ସାହିତ୍ୟ ସମୀକ୍ଷକ । ତାଙ୍କର ଶାସ୍ତ୍ରୋଜ୍ଜ୍ୱଳ ବୃଦ୍ଧି ଓ ସଂସ୍କୃତି ପ୍ରୀତି ଅପୂର୍ବ । ଆମର ଭାଷା-ସାହିତ୍ୟ, ପ୍ରାଚୀନ ପରମ୍ପରା ଓ ସଂସ୍କୃତ ଶାସ୍ତ୍ର ଅନୁଶୀଳନରେ ତାଙ୍କର ସ୍ୱାତନ୍ତ୍ର ପରିଲକ୍ଷିତ । ସୂକ୍ଷ୍ମ ବିଚାର ଶକ୍ତି, ସାରସ୍ୱତ ମନସ୍ୱିତା, ସୌନ୍ଦର୍ଯ୍ୟ ଦୃଷ୍ଟି, ଯୁକ୍ତିନିଷ୍ଠା, ଅଦମ୍ୟ ଅନୁସନ୍ଧିତ୍ସା ଓ ଐତିହ୍ୟ ସଚେତନତା ତାଙ୍କ ରଚନାରେ ସର୍ବତ୍ର ସୁଲଭ । ପ୍ରାଚୀନ ରୀତିରେ ଶିକ୍ଷିତ ଏଇ ସଂସ୍କୃତ ପଣ୍ଡିତ ମହାଶୟ ଯେପରି ନିଜର କଠୋର ଅଧ୍ୟବସାୟ ବଳରେ ଗ୍ରନ୍ଥ ସମ୍ଫାଦନା ଓ ସାହିତ୍ୟ ଗବେଷଣାରେ ସ୍ୱ ମୌଳିକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି, ତାହା ବାସ୍ତବରେ ତାଙ୍କର ପ୍ରଗାଢ଼ ସାହିତ୍ୟ ଅନୁରାଗର ସାର୍ଥକ ନିଦର୍ଶନ । ଏଯାବତ୍‌ ଆମ ସାରସ୍ୱତ ଜଗତର ଏଭଳି ଏକ ପ୍ରବିରଳ ସାଧକଙ୍କ ସାରସ୍ୱତ ସାଧନା ଓ ବ୍ୟକ୍ତିତ୍ୱ ସମ୍ପର୍କରେ ଯଥାର୍ଥ ଅନୁଶୀଳନ କରାଯାଇନାହିଁ କିମ୍ୱା ସେକାଳର ‘ନବଭାରତ’, ‘ଝଙ୍କାର’ ଇତ୍ୟାଦି ପତ୍ରପତ୍ରିକାରେ ପ୍ରକାଶିତ ତାହାଙ୍କ ପ୍ରବନ୍ଧାବଳୀର ସଂକଳନ କରାଯାଇ ନାହିଁ ।

 

ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ ୧୯୦୧ ମସିହା ମାର୍ଚ୍ଚ ୨୧ତାରିଖ କଟକ ଜିଲ୍ଲାର ବେଣ୍ଟକାର ନିକଟବର୍ତ୍ତୀ ଶିଶୁଆଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ସେ ସମୟର ଖ୍ୟାତନାମା ପଣ୍ଡିତ ସର୍ବେଶ୍ୱର ଆଚାର୍ଯ୍ୟ । ସେ ପୁରୀରେ ପ୍ରତିଷ୍ଠିତ ସଂସ୍କୃତ ବିଦ୍ୟାଳୟର ଛାତ୍ର ଥିଲେ । ସେ ଥିଲେ ମହାମହୋପାଧ୍ୟାୟ ସଦାଶିବ ମିଶ୍ର କାବ୍ୟକଣ୍ଠଙ୍କର ସହାଧ୍ୟାୟୀ । ଏତଦ୍‌ବ୍ୟତୀତ ତାଙ୍କର ପଣ୍ଡିତ କପିଳେଶ୍ୱର ବିଦ୍ୟାଭୂଷଣ, ପଣ୍ଡିତ ବିଶ୍ୱମ୍ଭର ବିଦ୍ୟାଭୂଷଣ, ପଣ୍ଡିତ ଆର୍ତ୍ତତ୍ରାଣ ତର୍କ ପଞ୍ଚାନନ, ପଣ୍ଡିତ ଦାମୋଦର ବିଦ୍ୟାବାଗୀଶ, ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ପ୍ରମୁଖଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା । ଆପଣାର ପାଣ୍ଡିତ୍ୟ ବଳରେ ସେ ମଧ୍ୟ ‘ଉତ୍କଳ ଦୀପିକା’ର ସମ୍ପାଦକ ଗୌରୀଶଙ୍କର ରାୟଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ ଓ ସେଠାରେ ଜଣେ ପ୍ରୁଫ୍‌ରିଡ଼ର ଓ ପଣ୍ଡିତ ରୂପେ କାର୍ଯ୍ୟ କରିଥିଲେ । ଉତ୍କଳଦୀପିକାର ପ୍ରୁଫ୍‌ ସଂଶୋଧନ କାର୍ଯ୍ୟ ସହିତ ସେ କଟକ ପ୍ରିଣ୍ଟିଂ କୋମ୍ପାନୀରେ ମୁଦ୍ରିତ ସମସ୍ତ ଜଟିଳ ପୁସ୍ତକକୁ ସଂଶୋଧନ କରି ନିର୍ଭୁଲ ଭାବେ ପ୍ରକାଶ କରୁଥିଲେ । ଏପରିକି ସେ ସାମନ୍ତ ଚନ୍ଦ୍ରଶେଖର ସିଂହ ସାମନ୍ତଙ୍କ ପଞ୍ଜିକାର ନିର୍ଭୁଲ ଛାପା ସକାଶେ କଟକରୁ ପାଦରେ ଚାଲି ଚାଲି ଖଣ୍ଡପଡ଼ା ଯାଇ ପ୍ରୁଫ୍‌ ସଂଶୋଧନ କରି ଆଣୁଥିଲେ । ସେ ତାଙ୍କ ସମ୍ପର୍କରେ ଆସି ତାଙ୍କଠାରୁ ଫଳିତ ଜ୍ୟୋତିଷ ଓ ପାଞ୍ଜିତୋଳା ବିଦ୍ୟା ଲାଭ କରିଥିଲେ । ‘ଜାତକାଳଙ୍କାର’, ‘ଦ୍ୱାତ୍ରିଂଶ ପୁତ୍ତଳିକା’, ‘ପଣ୍ଡିତ ସର୍ବସ୍ୱ’ ସ୍ମୃତିଗ୍ରନ୍ଥର ଓଡ଼ିଆ ଅନୁବାଦକ ଭାବରେ ତାଙ୍କର ଖ୍ୟାତ ଥିଲା ସୁବିଦିତ । ଏପରି ବ୍ୟକ୍ତିତ୍ୱ ସଂପନ୍ନ ବିଚକ୍ଷଣ ପଣ୍ଡିତଙ୍କର ପୁତ୍ର ଥିଲେ ବାନାମ୍ୱର ଆଚାର୍ଯ୍ୟ । ମାତ୍ର ପିତାଙ୍କର ପାଣ୍ଡିତ୍ୟ, ପ୍ରତିଭା ଓ ପ୍ରତ୍ୟକ୍ଷ ସମ୍ପର୍କରେ ଆସିବାର ଖୁବ୍‌ ଅଳ୍ପଦିନ ପରେ ତାଙ୍କ ପିତା ଆକସ୍ମିକ ଭାବରେ ହଇଜା ମହାମାରୀରେ ଇହଲୋକରୁ ବିଦାୟ ନେଲେ । ସେତେବେଳେକୁ ତାଙ୍କର ବୟସ ମାତ୍ର ଏଗାର ବର୍ଷ । ପୁଣି ସେହି ବର୍ଷ ବନ୍ୟାରେ ତାଙ୍କର ଘର ଭାଙ୍ଗି ଯାଇଥାଏ ଓ ଜମିବାଡ଼ି ଧୋଇ ଯାଇଥାଏ । ଏଭଳି ପରିସ୍ଥିରେ ତାଙ୍କ କକେଇ ପୁଅ ଭାଇ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ତାଙ୍କୁ ନେଇ କିଛି କାଳ ବାଲିକୁଦା ମାଇନର ସ୍କୁଲରେ ଓ କଟକର ଭିକ୍ଟୋରିଆ ସ୍କୁଲରେ ପାଠ ପଢ଼ାଇଲେ । ଏଇ ସମୟରେ ତାଙ୍କ କକେଇ ପୁଅ କଟକରୁ ବାଲେଶ୍ୱର ଅଞ୍ଚଳକୁ ବଦଳି ହେବାରୁ ତାଙ୍କର ପାଠପଢ଼ା ଶେଷ ହେଲା । ଗାଁରେ ସେ ଆସି ପହଞ୍ଚି ଟିଉସନ କରି ଜୀବନ ବିତାଇଲେ । ଗାଁରେ ରହି ଟିଉସନ୍‌ କରି ଜୀବନ ଅତିବାହିତ କରିବା କଷ୍ଟସାଧ୍ୟ ହେବାରୁ ସେ କର୍ମ ସନ୍ଧାନରେ ଖଡ଼୍‌ଗପୁର ଚାଲିଗଲେ । ସେଠାରେ ସେ ଆଠଦିନ କଟାଇ କୌଣସି କର୍ମସଂସ୍ଥାନର ସୁବିଧା ନଦେଖି ଜାମସେଦପୁର ଅଭିମୁଖେ ଯାତ୍ରା କଲେ । ସେଠାରେ ତାଙ୍କର ଜନସେବୀ ଲକ୍ଷ୍ମୀନରାୟଣ ସାହୁଙ୍କ ସହ ସାକ୍ଷାତ ହୁଏ । ସେଠାରେ ସେ ଓଡ଼ିଆ ପିଲାମାନଙ୍କୁ ଶିକ୍ଷାଦାନ କାର୍ଯ୍ୟରେ ନିଯୁକ୍ତ ହେଲେ । ଓଡ଼ିଆ ପାଠଶାଳା ଖୋଲି ଶିକ୍ଷକତା କରିବାର ପ୍ରାୟ ଦୁଇବର୍ଷ ପରେ ଜାମ୍‌ସେଦପୁରରେ ଶ୍ରମିକମାନଙ୍କ ଭିତରେ ଗଣ୍ଡଗୋଳ ହେବାରୁ ଓଡ଼ିଆ ଶ୍ରମିକମାନେ ସ୍ୱ ସ୍ୱ ଗ୍ରାମକୁ ଫେରି ଆସିଲେ । ଫଳରେ ପାଠଶାଳା ଆପେ ଆପେ ବନ୍ଦ ହୋଇଗଲା । ପୁଣି ସେ ଅସୁବିଧାର ସମ୍ମୁଖୀନ ହୋଇ କୁଲିମାନଙ୍କ ଜଗୁଆଳୀ କାମରେ ନିଯୁକ୍ତି ହେଲେ । ଏଭଳି କାମରେ ସେ ଆତ୍ମସନ୍ତୋଷ ନପାଇବାରୁ ଓଡ଼ିଶାକୁ ଫେରିଆସି ଅଳ୍ପ କେତେମାସ ନୀଳଗିରି ଗଡ଼ଜାତରେ ହେଉଥିବା ବନ୍ଦୋବସ୍ତ କାର୍ଯ୍ୟରେ ପଟା ନକଲକାରୀ ଭାବରେ ଯୋଗ ଦେଲେ । ଏଭଳି କାର୍ଯ୍ୟରେ ସେ ଆଦୌ ସନ୍ତୁଷ୍ଟ ନହୋଇ ପୁରୀ ଫେରି ଆସି ପୁରୀ ସଂସ୍କୃତ କଲେଜର ୧୯୨୨ ମସିହାରେ ନାମ ଲେଖାଇଲେ । ସେଠାରୁ ସେ ୧୯୨୮ ମସିହାରେ କୃତିତ୍ୱର ସହ ଆଚାର୍ଯ୍ୟ ପାସ୍ କଲେ । ତା’ପରେ ସେ ଲକ୍ଷ୍ମୀନାରୟଣ ଟୋଲରେ ସଂସ୍କୃତ ଶିକ୍ଷକ ଭାବେ କର୍ମଜୀବନ ଆରମ୍ଭ କଲେ । ସେଠାରେ ଦୁଇବର୍ଷରୁ ଊର୍ଦ୍ଧ୍ୱକାଳ କଟାଇ ସେ ୧୯୩୧ ମସିହାରେ କେନ୍ଦୁଝରର ବଳଭଦ୍ର ନାରାୟଣ ସଂସ୍କୃତ ଟୋଲରେ ପ୍ରଧାନ ପଣ୍ଡିତ ଭାବରେ ଯୋଗ ଦେଲେ । ଏହିଠାରେ ତାଙ୍କର ପ୍ରତିଭା ଓ ପାଣ୍ଡିତ୍ୟର ଯଥାର୍ଥ ବିକାଶ ଘଟିଥିଲା । ଏହିଠାରେ ପ୍ରାୟ ତେରବର୍ଷକାଳ ବିଭିନ୍ନ ସାରସ୍ୱତ କାର୍ଯ୍ୟରେ ଅତିବାହିତ କରିଥିଲେ । ଏଠାରେ କାର୍ଯ୍ୟ କରିବା କାଳରେ ବିଶିଷ୍ଟ ଓଡ଼ିଆ ପ୍ରାବନ୍ଧିକ ବିପିନବିହାରୀ ରାୟଙ୍କ ସମ୍ପର୍କରେ ଆସି ତାଙ୍କୁ ତାଙ୍କର କେତେକ ଗ୍ରନ୍ଥ ଉପହାର ଦେଇଥିଲେ । ବିପିନବିହାରୀ ତାଙ୍କ ସମ୍ପାଦିତ ଓ ଲିଖିତ ଗ୍ରନ୍ଥଗୁଡ଼ିକ ଅଧ୍ୟୟନ କରି ତାଙ୍କୁ କଟକ କ୍ରାଏଷ୍ଟ କଲେଜର ଓଡ଼ିଆ ଓ ସଂସ୍କୃତ ବିଭାଗର ଅଧ୍ୟାପକ ଭାବେ ମନୋନୀତ କରିଥିଲେ । ସେ ୧୯୪୪ ମସିହାରୁ ୧୯୫୭ ମସିହା ପର୍ଯ୍ୟନ୍ତ ଏହି କଲେଜର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ତା’ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଜ୍ଞାନକୋଷର ସହକାରୀ ସଂକଳକ ଭାବେ ଯୋଗଦେଇ ୧୯୬୮ ମସିହା ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ । ସେଠାରୁ ଅଳ୍ପ କିଛିଦିନ ପାଇଁ କେନ୍ଦ୍ରାପଡା କଲେଜରେ ମଧ୍ୟ ଅଧ୍ୟାପନା କର୍ମରେ ଯୋଗ ଦେଇଥିଲେ । ଶାରୀରିକ ଅସୁସ୍ଥତା ହେତୁ ସେ ଆଉ ଅଧିକ ଦିନ ସେଠାରେ କର୍ମ ନକରି କଟକ ଫେରି ଆସିଥିଲେ । ଏହିପରି ଭାବରେ ବିଭିନ୍ନ ଉତ୍‌ଥାନ-ପତନ ଭିତରେ ଜୀବନ ଅତିବାହିତ କରି ୧୯୭୮ ମସିହା ଅଗଷ୍ଟ ୨୮ ତାରିଖରେ ସେ ଇହଲୋକରୁ ବିଦାୟ ନେଲେ । ଘୋର ଦାରିଦ୍ର୍ୟ ଭିତରେ ଜୀବନ ସଂଗ୍ରାମ କରି ମଣିଷ କିପରି ନିଜ ପଥ ନିଜେ ବାଛିପାରେ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ ତାହାର ଦୃଷ୍ଟାନ୍ତ ରଖି ଯାଇଛନ୍ତି ।

 

ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ସାରସ୍ୱତ ପ୍ରତିଭାର ଯଥାର୍ଥ ପରିଚୟ ୧୯୩୧ ମସିହାରେ କେନ୍ଦୁଝର ସଂସ୍କୃତ ଟୋଲରେ ଯୋଗ ଦେବା ପରେ ମିଳିଥିଲା । କେନ୍ଦୁଝର ହିଁ ଥିଲା ତାଙ୍କ ସାଧନାପାଇଁ ପ୍ରଶସ୍ତ କ୍ଷେତ୍ର । ସେଠାରେ ସେ ଯୋଗ ଦେବା ବେଳକୁ ସେଠାକାର ରାଜା ଥିଲେ ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଓ । ସେ ଯେପରି ପ୍ରଜାବତ୍ସଳ ସୁଶାସକ ଥିଲେ: ସେହିପରି ବିଦ୍ୟୋତ୍ସାହୀ, ସାହିତ୍ୟାନୁରାଗୀ, ସଂସ୍କୃତିସମ୍ପନ୍ନ ଓ ଉଦାରଚେତା ମଣିଷଟିଏ ଥିଲେ । ପଣ୍ଡିତ, କବି, ଶିକ୍ଷାବିତ୍‌ମାନଙ୍କୁ ତାଙ୍କ ରାଜଦରବାରରେ ସେ ଯଥେଷ୍ଟ ଶ୍ରଦ୍ଧା କରୁଥିଲେ । ତାଙ୍କର ଅନୁଜ ଛୋଟରାୟ ସାହେବ ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ମଧ୍ୟ ଜ୍ଞାନୀ, ଗୁଣୀ ଓ ସାହିତ୍ୟ ସେବକମାନଙ୍କୁ ଅତ୍ୟନ୍ତ ସମ୍ମାନ ପ୍ରଦର୍ଶନ କରୁଥିଲେ । ସେ ନିଜେ ଜଣେ ମେଧାବୀ ଛାତ୍ର ଭାବରେ ସେ ସମୟରେ ସ୍କଟିସ୍‌ ଚର୍ଚ୍ଚ କଲେଜରେ ସ୍ୱକୃତିତ୍ୱ ଦେଖାଇଥିଲେ । ସେହି ସମୟରେ କେନ୍ଦୁଝର ଷ୍ଟେଟ୍‌ର ସୁପରିଣ୍ଟେଣ୍ଡଣ୍ଟ ରାୟବାହାଦୂର ଯୁଗଳ କିଶୋର ତ୍ରିପାଠୀଙ୍କ ପରି କର୍ତ୍ତବ୍ୟନିଷ୍ଠ, ଉଦାର, ସଂସ୍କୃତିପ୍ରେମୀ ମଣିଷ ଥିଲେ । ରାଜ୍ୟରେ ସୁଶାସନ ସହିତ ସାଂସ୍କୃତିକ ପ୍ରଗତିପାଇଁ ବଳଭଦ୍ର ନାରାୟଣ ନିଷ୍ଠାପର ଉଦ୍ୟମ କରିଥିଲେ । ତାଙ୍କରି ରାଜତ୍ୱ କାଳରେ ରାଜପ୍ରାସାଦରେ ଗୋଟିଏ ସୁନ୍ଦର ପାଠାଗାର ଓ ସଂଗ୍ରହାଳୟ ଗଢ଼ି ଉଠିଥିଲା । ସେହି ପାଠାଗାରରେ ବହୁ ଦୁର୍ଲ୍ଲଭ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥି, ବିଭିନ୍ନ ଅଞ୍ଚଳର ମୁଦ୍ରା, ବିଭିନ୍ନ ଧରଣର ଖଣିଜ ପଥର ପ୍ରଭୃତି ଯତ୍ନର ସହିତ ତାହାଙ୍କ ଉଦ୍ୟମରେ ସଂଗୃହୀତ ହୋଇଥିଲା । ରାଜଦରବାରରେ ବିଶେଷ କରି ବ୍ରାହ୍ମଣ ଓ ପଣ୍ଡିତମାନଙ୍କୁ ରାଜା ସ୍ୱତନ୍ତ୍ର ସମ୍ମାନ ଦେଉଥିଲେ । ବାନାମ୍ବର ଉଭୟ ବ୍ରାହ୍ମଣ ଓ ପଣ୍ଡିତ ଥିବାରୁ ସହଜରେ ରାଜାଙ୍କର ପ୍ରୀତିଭାଜନ ହୋଇ ପାରିଥିଲେ । ସଂସ୍କୃତ ଟୋଲରେ ଅଧ୍ୟାପନା ପରେ ବାକି ସମୟ ସେ ରାଜଦରବାରରେ ଶାସ୍ତ୍ର ଆଲୋଚନାରେ କଟାଉଥିଲେ । ସଂସ୍କୃତ ସାହିତ୍ୟର ଅତ୍ୟନ୍ତ ‘ଜଟିଳ ପ୍ରସଙ୍ଗମାନଙ୍କୁ ସରଳ ଭାଷାରେ ସେ ବୁଝାଇବାରେ ଧୂରୀଣ ଥିଲେ । ତାଳପତ୍ର ପୋଥି ପଢ଼ିବାରେ ଓ ସେଗୁଡ଼ିକ ଅର୍ଥ କରି ପାରିବାର ଶକ୍ତି ତାଙ୍କର ରହିଥିଲା । ଏ ସକାଶେ ବାନାମ୍ବରଙ୍କୁ ରାଜା ବଳଭଦ୍ର ରାଜପ୍ରାସାଦରେ ଥିବା ‘ରାଣୀ ପ୍ରଭାସମଞ୍ଜରୀ ଦେବୀ ମେମୋରିଆଲ ଲାଇବ୍ରେରୀ’ର ଗ୍ରନ୍ଥାଗାରିକ ଓ ରାଜସଭାର ପଣ୍ଡିତ ଭାବରେ ନିଯୁକ୍ତ କରିଥିଲେ । ତାଙ୍କ ରହିବାପାଇଁ ଏକ ବାସଗୃହ ମଧ୍ୟ ଯୋଗାଇ ଦେଇଥିଲେ । ସେ ରାଜସଭା ପଣ୍ଡିତ ଭାବରେ ସମଗ୍ର କେନ୍ଦୁଝର ଷ୍ଟେଟ୍‌ଟି ପରିଭ୍ରମଣ କରିବାର ସୁଯୋଗ ପାଇଥିଲେ । କେନ୍ଦୁଝରର ପ୍ରାକୃତିକ ଦୃଶ୍ୟରାଜି ତାଙ୍କୁ ଯେତିକି ଭାବବିହ୍ୱଳ କରିଥିଲା, ଏହାର ଜୈନକୀର୍ତ୍ତି, ବୌଦ୍ଧକୀର୍ତ୍ତି ଓ ପତ୍ନତାତ୍ତ୍ୱିକ ଅବଶେଷ ତାଙ୍କୁ ଏ ଦିଗରେ ଗଭୀର ଅଧ୍ୟୟନପାଇଁ ଯଥେଷ୍ଟ ମାନସିକ ପ୍ରେରଣା ଯୋଗାଇଥିଲା । ସେ କେନ୍ଦୁଝରର ବିଭିନ୍ନ ଅଞ୍ଚଳ ବୁଲି ତାଳପତ୍ର ପୋଥିମାନ ସଂଗ୍ରହ କରି, କାହାକୁ ଯଥାସାଧ୍ୟ ଅନ୍ୟ ପୋଥିସହ ମିଳାଇ ସଂପାଦନା କରିଥିଲେ । ତାହାଙ୍କ ପ୍ରଚେଷ୍ଟାରେ ଓ ରାଜପୃଷ୍ଠପୋଷକତାରେ ‘କେନ୍ଦୁଝର ଗ୍ରନ୍ଥମାଳା’ ପ୍ରକାଶିତ ହୋଇଥିଲା । ‘କେନ୍ଦୁଝର ଗ୍ରନ୍ଥମାଳା’ରେ ପ୍ରକାଶିତ ପୁସ୍ତକମାନ ହେଲା, ‘ଭକ୍ତ ବିନୋଦ’, ‘ରାମଗାଥା’, ‘ବଉଳାଚରିତ’, ‘ରସମୁକ୍ତାବଳୀ’, ‘ଅମ୍ବିକା ବିଳାସ’, ‘ଅଶ୍ୱଶାସ୍ତ୍ର’, ‘ଭଞ୍ଜମହୋଦୟମ୍‌’ । ଏହି ଗ୍ରନ୍ଥଗୁଡ଼ିକର ସମ୍ପାଦନ ସହିତ ସେ ଏହାର ବିସ୍ତୃତ ମୁଖବନ୍ଧ ରଚନା କରିଛନ୍ତି । ପଣ୍ଡିତ ଆର୍ତ୍ତବଲ୍ଲଭ ମହାନ୍ତି ଯେଉଁ ଢଙ୍ଗରେ ‘ପ୍ରାଚୀ’ ଗ୍ରନ୍ଥମାଳା ପ୍ରକାଶ କରିଥିଲେ, ପଣ୍ଡିତ ଆଚାର୍ଯ୍ୟଙ୍କ କେନ୍ଦୁଝର ଗ୍ରନ୍ଥମାଳା ସେହି ଗୋତ୍ରୀୟ । ବିଭିନ୍ନ ପୋଥି ମିଳାଇ ଗ୍ରନ୍ଥର ଶୁଦ୍ଧ ପାଠ ନିରୂପଣ ଓ ପାଣ୍ଡିତ୍ୟପୂର୍ଣ୍ଣ ମୁଖବନ୍ଧ ରଚନାରେ ସେ ଏହି ଗ୍ରନ୍ଥଗୁଡ଼ିକରେ ଆପଣାର ବିଦ୍‌ବତ୍ତା, ବିଚାରଧାରା ଓ ଆଲୋଚନାତ୍ମକ ଦୃଷ୍ଟିକୋଣର ପରିଚୟ ଦେଇ ଯାଇଛନ୍ତି । ଆଜି ଯାହାକୁ ପାଠାଲୋଚନା (Textual criticism) କୁହାଯାଉଛି, ପଣ୍ଡିତ ଆଚାର୍ଯ୍ୟଙ୍କଦ୍ୱାରା ସମ୍ପାଦିତ ପୁସ୍ତକର ମୁଖବନ୍ଧମାନ ସେହି ଧରଣର । ଏଥିପାଇଁ ତାଙ୍କୁ ଢେର ଶ୍ରମ କରିବାକୁ ପଡ଼ିଛି । ବିଭିନ୍ନ ସ୍ଥାନରୁ ଆନୁଷଙ୍ଗିକ ପୋଥି ସଂଗ୍ରହ ସେ କରିଛନ୍ତି । ସମ୍ପାଦିତ ଗ୍ରନ୍ଥର ମୂଳପାଠ ଅନୁଶୀଳନ ପାଇଁ କେତେ ଚିନ୍ତା କରିଛନ୍ତି । ଗୋଟିଏ ଗୋଟିଏ ଶଦ୍ଦର ନିର୍ଭରଯୋଗ୍ୟ ଅର୍ଥ ପାଇଁ ସେ ସଂସ୍କୃତ ସାହିତ୍ୟଠାରୁ ଆରମ୍ଭ କରି ସାଧାରଣ ଲୋକମୁଖର ଶଦ୍ଦମାନଙ୍କ ଉପରେ ନିର୍ଭର କରିଛନ୍ତି । ସେ ଗବେଷଣା ସହିତ ସମାଲୋଚନାକୁ ଏକାଠି କରି ସାହିତ୍ୟ ଆଲୋଚନା କରିଛନ୍ତି । ଗବେଷକର ତଥ୍ୟ ସଂଗ୍ରହ ପ୍ରବଣତା, ପଦ୍ଧତିଗତ ବିଚାରଧାରା ସହିତ ସମାଲୋଚକର ଗଭୀର ଅନ୍ତର୍ଦୃଷ୍ଟି ତାଙ୍କର ଏହି ମୁଖବନ୍ଧମାନଙ୍କରେ ପରିଲକ୍ଷିତ । ତାଙ୍କ ରଚିତ ମୁଖବନ୍ଧମାନ ପଢ଼ିଲେ ତାଙ୍କର ବହୁ ଶାସ୍ତ୍ରଦର୍ଶିତା, ଯୁକ୍ତିନିଷ୍ଠା, ସାହିତ୍ୟବୋଧ ଶକ୍ତି ଓ ଐତିହ୍ୟ ସଚେତନତା ପ୍ରତି ସ୍ୱତଃ ପାଠକ ସମ୍ମାନ ପ୍ରଦର୍ଶନ କରେ । ଜଣେ ଉଚ୍ଚକୋଟୀର Scholar Critic ଭାବରେ ପଣ୍ଡିତ ମହାଶୟଙ୍କୁ ଆମେ ଏହି ମୁଖବନ୍ଧମାନଙ୍କରେ ସହଜରେ ଚିହ୍ନି ପାରିବା । ଆପଣାର ଯୁକ୍ତିକୁ ଦୃଢ଼ଭାବରେ ଉପସ୍ଥାପନ କରିବାର ଅଦ୍ଭୁତ ଶକ୍ତି ତାଙ୍କର ଥିଲା । ସେଥିପାଇଁ ସେ ବହୁ ପ୍ରଚଳିତ ପ୍ରଥାସିଦ୍ଧ ମତକୁ ବିରୋଧାଚରଣ କରିବାକୁ ସଙ୍କୋଚବୋଧ କରୁ ନଥିଲେ । ସ୍ୱବିଦ୍ୟା ବୁଦ୍ଧି ଓ ବିଚାରଧାରା ଉପରେ ଠିଆ ହୋଇ ସେ ଆପଣାର ମତକୁ ସାବ୍ୟସ୍ତ କରିବାର ସୂତ୍ର ଜାଣିଥିଲେ । ଏ ସମ୍ପର୍କରେ ତାଙ୍କର ଅମ୍ବିକାବିଳାସର ମୁଖବନ୍ଧ ଓ ସହକାର ପତ୍ରିକାରେ ଧାରାବାହିକ ପ୍ରକାଶିତ ଅମ୍ବିକାବିଳାସ ସମ୍ପର୍କିତ ଆଲୋଚନା ଉଲ୍ଲେଖନୀୟ । ସେ ଅମ୍ବିକାବିଳାସର ରଚୟିତାରୂପେ ରାଜା ପ୍ରତାପ ବଳଭଦ୍ର ନାରାୟଣ ଭଞ୍ଜ (୧୭୬୪ - ୧୭୯୨)ଙ୍କୁ ଆଲୋଚନା କରିଛନ୍ତି । ‘ଅମ୍ବିକାବିଳାସ’ର ଆଭ୍ୟନ୍ତରୀଣ ଉପାଦାନକୁ ଭିତ୍ତିକରି ସେ ଏହାର ରଚୟିତା ଯେ ବ୍ରଜନାଥ ବଡଜେନା ନୁହନ୍ତି, ଏକଥା ସ୍ପଷ୍ଟରୂପେ କହିଛନ୍ତି ।

 

ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ କେତେକ ପ୍ରସିଦ୍ଧ ସଂସ୍କୃତ ଗ୍ରନ୍ଥକୁ ଓଡ଼ିଆ ଅନୁବାଦ କରିବାରେ ଯଥେଷ୍ଟ କୃତିତ୍ୱ ଦେଖାଇଛନ୍ତି । ସେ ସଂସ୍କୃତରୁ ‘ସହୃଦୟାନନ୍ଦ’, ‘ଅଶ୍ୱଶାସ୍ତ୍ରମ୍‌’, ‘ରସକଳ୍ପଦ୍ରୁମ’, ‘ନାଟ୍ୟଶାସ୍ତ୍ରମ୍‌’, ‘ଭଞ୍ଜ ମହୋଦୟମ୍‌, ଗ୍ରନ୍ଥକୁ ଓଡ଼ିଆ ଅନୁବାଦ କରି ଟୀକାଟିପପ୍‌ଣୀ ସହ ପ୍ରକାଶ କରିଛନ୍ତି । ତାହାଙ୍କ ଅନୂଦିତ ‘ନାଟ୍ୟଶାସ୍ତ୍ରମ୍‌’ ଅସଂପୂର୍ଣ୍ଣ । ସେ ଭରତଙ୍କ ନାଟ୍ୟଶାସ୍ତ୍ରର ମାତ୍ର ପ୍ରଥମ ଏଗାର ଗୋଟି ଅଧ୍ୟାୟ ଅନୁବାଦ କରିଥିଲେ । ସରଳ ଭାଷାରେ ସାଧାରଣ ପାଠକମାନଙ୍କୁ ବୁଝାଇବା ପରି ଢଙ୍ଗରେ ଅନୁବାଦ କରିବାରେ ସେ ସିଦ୍ଧହସ୍ତ ଥିଲେ । ଏଠାରେ ଭରତଙ୍କ ନାଟ୍ୟଶାସ୍ତ୍ରମ୍‌ର ଶ୍ଳୋକକୁ କିପରି ସରଳ ଭାବରେ ସେ ଅନୁବାଦ କରିଛନ୍ତି, ତାହାର ଏକ ଦୃଷ୍ଟାନ୍ତ ଦେଖନ୍ତୁ ।

 

ନାଟ୍ୟଶାସ୍ତ୍ରମ୍‌:

‘‘ଜଗ୍ରାହ ପାଠ୍ୟମୃଗ୍‌ ବେଦାତ୍ସାମଭ୍ୟୋ ଗୀତମେବ ଚ ।

ଯଜୁର୍ବେଦାଦଭିନୟାନ୍‌ ରସାନାଥର୍ବଣାଦପି ।’’

 

ବାନାମ୍ବର ଆଚାର୍ଯ୍ୟଙ୍କ ଅନୁବାଦ : ‘‘ୠଗ୍‌ବେଦରୁ ପାଠ୍ୟ, ସାମବେଦରୁ ଗୀତ, ଯଜୁର୍ବେଦରୁ ଅଭିନୟ ଓ ଅଥର୍ବବେଦରୁ ରସ ଗ୍ରହଣ କଲେ, ଏହି ପ୍ରକାର ବେଦ ଏବଂ ଉପବେଦ ସମ୍ବନ୍ଧଶୀଳ ନାଟ୍ୟବେଦକୁ ମହାତ୍ମା ବ୍ରହ୍ମା ଲଳିତାକାରରେ ସୃଷ୍ଟି କଲେ, ନାଟ୍ୟବେଦ ରଚିତ ହୋଇଗଲା ।

 

ସଂସ୍କୃତର କ୍ଳିଷ୍ଟ ସମାସ ବହୁଳ ଶଦ୍ଦମାନଙ୍କୁ ସରଳ ଓଡ଼ିଆ ଶଦ୍ଦ ବାଛି ଅନୁବାଦ କରିବାର କୌଶଳ ସେ ଜାଣିଥିଲେ । ତାଙ୍କର ଅଶ୍ୱଶାସ୍ତ୍ରମ୍‌ ଓ ରସକଳ୍ପଦ୍ରୁମର ଅନୁବାଦ ବେଶ୍‌ ସରଳ ଓ ସାବଲୀଳ ହୋଇଛି ।

 

ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ ମୁହେଁ ମୁହେଁ ସଂସ୍କୃତ ଶ୍ଳୋକ ରଚନା କରିପାରୁଥିଲେ । ତାଙ୍କର ଏ ଧରଣର ଶ୍ଳୋକଗୁଡ଼ିକ ବେଶ୍‌ ହୃଦୟସ୍ପର୍ଶୀ ହେଉଥିଲା । ଏଠାରେ ତାଙ୍କର ଏ ଧରଣର ଦୁଇଟି ଶ୍ଳୋକର ଦୃଷ୍ଟାନ୍ତ ଦିଆଯାଇ ପାରେ । ସେ ଯେତେବେଳେ ଡେପୁଟି କଲେକ୍ଟର ହରେକୃଷ୍ଣ ମହାନ୍ତିଙ୍କ ଗୃହଶିକ୍ଷକ ଥିଲେ, ସେ ସମୟରେ ତାଙ୍କର ସମସ୍ତ ଲୁଗାପଟା ଚୋର ନେଇଗଲେ । ଯେତେବେଳେ ସେ ସକାଳୁ ବିଛଣାରୁ ଉଠି ଦେଖିଲେ ତାଙ୍କ ଲୁଗାପଟା ନାହିଁ, ସେତେବେଳେ ସେ ଚାରିଧାଡ଼ି ଶ୍ଳୋକ ଲେଖି ହରେକୃଷ୍ଣ ବାବୁଙ୍କ ନିକଟକୁ ପଠାଇଲେ । ତାହା ଏହିପରି,

 

‘‘ଚୀରଂ ଚିରାୟ ଚୌରେଣ

ଚିରଂ ଦୀନସ୍ୟ ଚୋରିତମ୍‌

ପ୍ରାର୍ଥୟେଽର୍ଥ ସୂଚୀରଂବା

ଦତ୍ତ୍ୱା କୃତାର୍ଥୟନ୍ତୁ ମାମ୍‌।’’

 

ମୁଁ ଚିର ଦରିଦ୍ର, ଚିରକାଳ ପାଇଁ ମୋ ଲୁଗା ଖଣ୍ଡିକ ଚୋର ଚୋରୀ କରି ନେଇଗଲା । ଆପଣ ଅର୍ଥ ବା ଉତ୍ତମ ବସ୍ତ୍ରଦାନ କରି ମୋତେ କୃତାର୍ଥ କରିବା ହେଉନ୍ତୁ । ଏହି ଶ୍ଳୋକଟି ପଢ଼ି ତତ୍‌କ୍ଷଣାତ୍‌ ପଣ୍ଡିତଙ୍କ ପାଇଁ ବସ୍ତ୍ରର ବ୍ୟବସ୍ଥା କରାଯାଇଥିଲା । ସେ ରାଜସଭାମାନଙ୍କରେ ରସିକତା ପୂର୍ଣ୍ଣ ସଂସ୍କୃତ ଶ୍ଳୋକ ରଚନା କରି ସମସ୍ତଙ୍କୁ ଚମକୃତ କରି ପାରୁଥିଲେ । ତାଙ୍କର ବହୁ ପ୍ରଚାରିତ ସଂସ୍କୃତ ଶ୍ଳୋକଟି ଥିଲା ଏହିପରି;

 

‘‘ବାଲ୍ୟେତୁ କୌତୁକ ବଶାଦହିରାଜ ମର୍ଦ୍ଦୀ

ଯଃ କାକରାଧିପସୁତା ରସକେଳି ତୃପ୍ତଃ ।

ନିତ୍ୟାନିରୁଦ୍ଧ ସୁଖଦୋଽସ୍ତୁ ଗଜାଭିହନ୍ତା

କୋରଟ୍‌ କରୋତୁ ସ ବରାହିତ ନାଶମାଶୁ ।।’’

 

ଏହି ଶ୍ଳୋକଟି ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ରଚିତ । ମାତ୍ର ଏଥିରେ କେନ୍ଦୁଝରର ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀ ଯଥା : ବସାଦହି, କାକରା, ରସକେଳି, କୋରା ଇତ୍ୟାଦିର ସୁନ୍ଦର ବର୍ଣ୍ଣନା ରହିଛି । ଏହି ଶ୍ଳୋକଟି ଏବେ ସୁଦ୍ଧା ବ୍ରାହ୍ମଣମାନଙ୍କ ମୁଖରେ କେନ୍ଦୁଝର, ଯାଜପୁର ଜିଲ୍ଲାରେ ପ୍ରଚଳିତ । ଏହି ଧରଣର ଶ୍ଳୋକମାନଙ୍କରୁ ତାଙ୍କର ରସିକତା, ଆଶୁ କବିତ୍ୱ ଓ ସଂସ୍କୃତ ଭାଷାରେ ନିପୁଣତା ସହଜରେ ଅବଧାରଣା କରିହୁଏ ।

 

ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ କେତେଗୁଡ଼ିଏ ଉଚ୍ଚକୋଟୀର ପ୍ରବନ୍ଧ ରଚନା କରିଛନ୍ତି । ଆମର ପ୍ରାଚୀନ ଇତିହାସ, ଧର୍ମ, ଦର୍ଶନ, ଅଳଙ୍କାର ଶାସ୍ତ୍ର ଓ ଛନ୍ଦ ସଂପର୍କରେ ତାଙ୍କର ନିଜସ୍ୱ ମତ ରହିଛି । ତାଙ୍କ ରଚିତ ପ୍ରବନ୍ଧମାନଙ୍କ ମଧ୍ୟରେ ‘ପୁଷ୍ପଗିରି’ (ନବଭାରତ-ନୂତନ ପ୍ରସ୍ଥ-୧/୨), ‘ଶାନ୍ତିଦେବ ଓ ଜାହର ରାଜ୍ୟ’ (ନବଭାରତ- ୧/୧୦-୧୧-ନୂତନ ପ୍ରସ୍ଥ), ‘ଛାନ୍ଦ ଶବ୍ଦର ଉତ୍ପତ୍ତି’ (ନବଭାରତ- ୧/୧୦-୧୧-ନୂତନ ପ୍ରସ୍ଥ), ‘ପ୍ରାଚୀନ ଓଡ଼ିଆ ଛାନ୍ଦର ଦିଗ୍‌ଦର୍ଶନ’ (ଝଙ୍କାର-୧୮/୨), ‘ଜଗନ୍ନାଥ ମିଶ୍ରଙ୍କ ରସକଳ୍ପଦ୍ରୁମ’ (ଝଙ୍କାର-୮/୯), ‘ଭଞ୍ଜ ରାଜା ବିରୁଦ ଓ ଜୈନଧର୍ମ’ (ନବଭାରତ-୨/୧୨-ନୂତନ ପ୍ରସ୍ଥ), ‘ରାଧାଚକ୍ର’ (ସାରଳା ସ୍ମରଣିକା - ପ୍ରଜାତନ୍ତ୍ର ପ୍ରଚାର ସମିତି) ପ୍ରଭୃତି ଉଲ୍ଲେଖଯୋଗ୍ୟ । ‘ପୁଷ୍ପଗିରି’ ‘ଶାନ୍ତିଦେବ ଓ ଜାହର ରାଜ୍ୟ’, ‘ଭଞ୍ଜ ରାଜା ବିରୁଦ ଓ ଜୈନଧର୍ମ’-ଏହି ତିନୋଟି ପ୍ରବନ୍ଧ କେନ୍ଦୁଝରର ପ୍ରାଚୀନ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱକୁ ଆଧାର କରି ରଚିତ । ‘ପୁଷ୍ପଗିରି’ ପ୍ରବନ୍ଧରେ ସେ କେନ୍ଦୁଝରର ‘ସୀତାବିଞ୍ଜି’କୁ ପୁଷ୍ପଗିରି କହିଛନ୍ତି । ଏଠାରେ ଯେଉଁ ପ୍ରତ୍ନତାତ୍ତ୍ୱିକ ଅବଶେଷ ରହିଛି ଓ ଯେଉଁ Fresco Painting ଦେଖିବାକୁ ମିଳେ ତାହା ସମଗ୍ର ଭାରତବର୍ଷରେ ଦୁର୍ଲ୍ଲଭ । ହୁଏନସାଂ ବର୍ଣ୍ଣିତ ପୁଷ୍ପଗିରିକୁ ସେ ଡାଙ୍ଗୁଆପଶି ଗ୍ରାମର ଫୁଲଚାଙ୍ଗୁଡ଼ି ବା ଫୁଲ ପାହାଡ଼ୀ ନାମକ ପର୍ବତ ରୂପେ ଚିହ୍ନଟ କରିଛନ୍ତି । ଏହି ସ୍ଥାନରୁ କୁଶାଣ ବଂଶୀୟ ରାଜାମାନଙ୍କ ୩୬ ଗୋଟି ତାମ୍ର ମୁଦ୍ରା ଆବିଷ୍କୃତ ହୋଇଅଛି । ଏହି ସ୍ଥାନଟିକୁ ସେ ଏକ ପ୍ରଧାନ ବୌଦ୍ଧପୀଠ ବୋଲି ଏଥିରେ କହିଛନ୍ତି । ସେ ‘ଶାନ୍ତିଦେବ ଓ ଜାହର ରାଜ୍ୟ’ ପ୍ରବନ୍ଧରେ ଚର୍ଯାଗୀତିର କବି ଶାନ୍ତିଦେବଙ୍କୁ ଜାହର ରାଜ୍ୟ-(ଯାହାକି କେନ୍ଦୁଝରର ପ୍ରାଚୀନ ନାମ) ଅଧିବାସୀ ଭାବେ ପ୍ରମାଣ କରିଛନ୍ତି । ସେ କେନ୍ଦୁଝରରେ ଅବସ୍ଥିତ ଜୈନକୀର୍ତ୍ତି ସମ୍ପର୍କରେ ‘ଭଞ୍ଜ ରାଜା ବିରୁଦ ଓ ଜୈନଧର୍ମ’ ପ୍ରବନ୍ଧରେ ଆଲୋଚନା କରିଛନ୍ତି । ତାଙ୍କର ଏହି ପ୍ରବନ୍ଧ ପଢ଼ିଲେ କେନ୍ଦୁଝର ଯେ ଏକଦା ଜୈନଧର୍ମର ପ୍ରସିଦ୍ଧ ପୀଠ ଥିଲା, ତାହା ସହଜରେ ଅନୁମାନ କରିହୁଏ ।

 

ଗୋଟିଏ ଗୋଟିଏ ଶବ୍ଦକୁ ବିଶ୍ଳେଷଣ କରି ପାଣ୍ଡିତ୍ୟପୂର୍ଣ୍ଣ ପ୍ରବନ୍ଧ ରଚନାରେ ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟଙ୍କର ଅସାଧାରଣ କୃତିତ୍ୱ ଥିଲା । ଏ ସଂପର୍କରେ ତାଙ୍କର ‘ରାଧାଚକ୍ର’ ପ୍ରବନ୍ଧଟି ଉଲ୍ଲେଖଯୋଗ୍ୟ । ସାରଳା ମହାଭାରତରେ ଦ୍ରୌପଦୀଙ୍କ ସ୍ୱୟମ୍ୱର ସଭା ବର୍ଣ୍ଣନାରେ ଏହି ଶବ୍ଦଟିର ଉଲ୍ଲେଖ ରହିଛି । ତାଙ୍କ ମତରେ ସାରଳାଦାସ କେବଳ ସଂସ୍କୃତ ମହାଭାରତର ପ୍ରସଙ୍ଗମାନଙ୍କୁ ଆଧାର କରି ନାହାନ୍ତି, ଅଧିକନ୍ତୁ ସେ ଜୈନ ହରିବଂଶର କଥାବସ୍ତୁକୁ ସୁନ୍ଦର ଭାବେ ପ୍ରସଙ୍ଗ କ୍ରମେ ଅବତାରଣା କରିଛନ୍ତି । ଜୈନ ହରିବଂଶରେ ବ୍ୟବହୃତ ଭ୍ରମଚକ୍ର ଅବଲମ୍ୱନରେ ଯେ ସାରଳା ଦାସ ତାଙ୍କ ମହାଭାରତରେ ରାଧାଚକ୍ର ଭଳି ଶବ୍ଦ ପ୍ରୟୋଗ କରିଛନ୍ତି, ଏ କଥା ସେ ଏହି ପ୍ରବନ୍ଧରେ ଆମକୁ ବୁଝାଇ ଦେଇଛନ୍ତି । ତାଙ୍କ ବିଚାରରେ ଓଡ଼ିଆ ମହାଭାରତ ଯେ କେବଳ ସଂସ୍କୃତ ମହାଭାରତର ଅନୁସରଣରେ ଲିଖିତ ତାହା ନୁହେଁ, ବରଂ ଏଥିରେ ଜୈନ ପୁରାଣମାନଙ୍କର (ବିଶେଷତଃ ଆଦିପୁରାଣ, ପଦ୍ମପୁରାଣ ଓ ହରିବଂଶ ପୁରାଣର) ପ୍ରଭାବ ରହିଛି । ସୁତରାଂ ସାରଳା ମହାଭାରତ ଆଲୋଚନା ବେଳେ ଏହା ସହିତ ଜୈନ ପୁରାଣମାନଙ୍କର ଯେଉଁ ସମ୍ୱନ୍ଧ ରହିଛି, ତା’ର ଆଲୋଚନା ଅପରିହାର୍ଯ୍ୟ । କୌଣସି ଶବ୍ଦକୁ ପ୍ରୟୋଗ କଲାବେଳେ କବି ମନରେ ଯେଉଁ ଭାବନା ରହିଛି, ତାହାକୁ ‘ରାଧାଚକ୍ର’ ପ୍ରବନ୍ଧରେ ପଣ୍ଡିତ ମହାଶୟ ଆମକୁ ସ୍ପଷ୍ଟ ଭାବେ ଦେଖାଇ ପାରିଛନ୍ତି । ସାରଳା ମହାଭାରତର ଗୋଟିଏ ଶବ୍ଦକୁ କେନ୍ଦ୍ର କରି ଏ ଧରଣର ପ୍ରବନ୍ଧରୁ ତାଙ୍କର ସୂକ୍ଷ୍ମ ବିଶ୍ଳେଷଣ ଶକ୍ତି, ଶାସ୍ତ୍ରଜ୍ଞାନ ଓ ପ୍ରାଚୀନ ସାହିତ୍ୟ ଚର୍ଚ୍ଚା ପ୍ରତି ଅନୁରାଗର ପରିଚୟ ମିଳେ ।

 

‘ଛାନ୍ଦ ସଂପର୍କରେ ପଣ୍ଡିତ ମହାଶୟଙ୍କ ଆଲୋଚନା ଯେ ଏକାନ୍ତ ଅଭିନବ, ଏଥିରେ ସନ୍ଦେହ ନାହିଁ । ତାଙ୍କ ମତରେ ‘ଛାନ୍ଦ’ ଶବ୍ଦଟି ସଂସ୍କୃତ ସ୍କନ୍ଧରୁ ସୃଷ୍ଟ, ଛନ୍ଦରୁ ନୁହେଁ । ଏ ସଂପର୍କରେ ସେ ଛାନ୍ଦ ସମ୍ୱନ୍ଧୀୟ ଦୁଇଟି ପ୍ରବନ୍ଧରେ ବିଶଦ ଆଲୋଚନା କରିଛନ୍ତି । ଓଡ଼ିଆ ଛାନ୍ଦ ସଂପର୍କିତ ତାଙ୍କର ଏହି ଆଲୋଚନା ତତ୍କାଳରେ ବିତର୍କ ସୃଷ୍ଟି କରିଥିଲା ।

 

ପଣ୍ଡିତ ଆଚାର୍ଯ୍ୟ କେତେକ ଇଂରାଜୀ ପ୍ରବନ୍ଧ ମଧ୍ୟ ତତ୍କାଳର ପ୍ରସିଦ୍ଧ ପତ୍ରପତ୍ରିକାରେ ଲେଖିଥିଲେ । ସେଗୁଡ଼ିକ ମଧ୍ୟରୁ 'Jain Ruins in Keonjhar State' ତାଙ୍କର ଏକ ପ୍ରସିଦ୍ଧ ପ୍ରବନ୍ଧ । ଏହି ପ୍ରବନ୍ଧଟି Kalinga Historical Research Society-Vol-11-3ରେ ବାହାରିଥିଲା । ଏଥିରେ ସେ ତତ୍କାଳୀନ କେନ୍ଦୁଝର ରାଜ୍ୟର ସୀତାବିଂଜି; କୁଶଳେଶ୍ୱର, ବୈଦାଖିଆ, ଚକ୍ରତୀର୍ଥ, ଉଖୁଣ୍ଡା ଅଞ୍ଚଳର ଜୈନକୀର୍ତ୍ତି ସଂପର୍କରେ ଆଲୋଚନା କରିଛନ୍ତି ।

 

ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟଙ୍କ ପ୍ରବନ୍ଧର ଏକ ସ୍ୱତନ୍ତ୍ର ଶୈଳୀ ଥିଲା । ସେ ଯାହା କହୁଥିଲେ ସ୍ପଷ୍ଟ ଭାବରେ ଅକାଟ୍ୟ ଯୁକ୍ତି, ଅଭ୍ରାନ୍ତ ଦୃଷ୍ଟାନ୍ତ ଦେଇ ସରଳ ଭାଷାରେ ବୁଝାଇ କହୁଥିଲେ । ପ୍ରଥମରୁ ସେ ତାଙ୍କ ପ୍ରବନ୍ଧରେ କ’ଣ କହିବାକୁ ଚାହୁଁଛନ୍ତି, ପାଠକମାନଙ୍କୁ ଭଲ ରୂପେ ସୂଚାଇ ଦେଉଥିଲେ । ତା’ପରେ ସେ ଯାହା କହିବାକୁ ଚାହୁଁଛନ୍ତି, ତାହା ସପକ୍ଷରେ ଶାସ୍ତ୍ରମାନଙ୍କରୁ ବିଭିନ୍ନ ଉଦାହରଣ ଦେଇ ପାଠକମାନଙ୍କୁ ବୁଝାଉଥିଲେ । ପ୍ରବନ୍ଧର ଶେଷରେ ସେ ବିଭିନ୍ନ ଯୁକ୍ତି ଦେଇ ସିଦ୍ଧାନ୍ତରେ ପହଞ୍ଚୁଥିଲେ । ଏଠାରେ ତାଙ୍କ ପ୍ରବନ୍ଧର ଶୈଳୀ ଜାଣିବା ସକାଶେ ‘‘ଛାନ୍ଦଶବ୍ଦ ଓ ଛାନ୍ଦର ଉତ୍ପତ୍ତି’ରୁ କିୟଦଂଶ ନିମ୍ନରେ ଉଦ୍ଧାର କରାଗଲା । ତାହା ଏହିପରି, ‘‘ସଂସ୍କୃତ ଛନ୍ଦଃ ଶବ୍ଦରୁ ଛାନ୍ଦର ଉତ୍ପତ୍ତି ହୋଇଛି ବୋଲି ସମସ୍ତଙ୍କର ମତ । ଛନ୍ଦଃ ଓ ଛାନ୍ଦ ମଧ୍ୟରେ ଧ୍ୱନିଗତ ସାମ୍ୟ ଥିବାରୁ ଏପରି ଧାରଣା ଜନ୍ମିବା ସ୍ୱାଭାବିକ । ମୂଳ ଶବ୍ଦ ନିର୍ଣ୍ଣୟପାଇଁ କେବଳ ଧ୍ୱନିସାମ୍ୟ ଯଥେଷ୍ଟ ନୁହେଁ । ମୂଳ ଶବ୍ଦ ଓ ତଦ୍ଭବ ଶବ୍ଦର ଅର୍ଥଗତ ସାଦୃଶ୍ୟ ମଧ୍ୟ ପ୍ରୟୋଜନୀୟ । ବିଚାର କଲେ ଦେଖାଯାଏ ଯେ ସଂସ୍କୃତ ଛନ୍ଦଃ ଶବ୍ଦର ଅର୍ଥ ଓ ଛାନ୍ଦ ଶବ୍ଦର ଅର୍ଥ ଏକ ନୁହେଁ ।’’ (ନବଭାରତ-କକଡ଼ା ୧୩୫୫ ସାଲ-ପୃଷ୍ଠା-୪୯୬) ପଣ୍ଡିତ ଆଚାର୍ଯ୍ୟ ମଧ୍ୟ ଅଳ୍ପରେ ବହୁକଥା କିପରି ବୁଝାଇ କହିବାକୁ ହୁଏ, ତାହା ଭଲରୂପେ ଜାଣିଥିଲେ ।

 

ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟଙ୍କର ଜ୍ଞାନ ଯେ କେବଳ ସାହିତ୍ୟ ଆଲୋଚନା ଓ ସଂସ୍କୃତ ସାହିତ୍ୟ ଆଲୋଚନାରେ ସୀମିତ ଥିଲା, ତାହା ନୁହେଁ । ସାହିତ୍ୟ, ଇତିହାସ, ଦର୍ଶନ, ଧର୍ମଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର ପ୍ରଭୃତିରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଥିଲା । ସେଥିପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେଉଥିବା ‘ଜ୍ଞାନକୋଷ’ ସଙ୍କଳନ ପାଇଁ ଡକ୍ଟର ମାୟାଧର ମାନସିଂହ ତାଙ୍କୁ ସହକାରୀ ସଂକଳକ ଭାବରେ ରଖି ତାଙ୍କରି ସହାୟତାରେ ବହୁକାର୍ଯ୍ୟ କରିଥିଲେ । ଦୀର୍ଘ ବାରବର୍ଷ ଧରି ସେ ଏଥିରେ କାର୍ଯ୍ୟ କରିଥିଲେ । ଓଡ଼ିଆ ଜ୍ଞାନକୋଷ ସଂକଳନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

 

ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ ଜୀବନବ୍ୟାପୀ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣାରେ ସମୟ ଅତିବାହିତ କରିଥିଲେ । ଜ୍ଞାନ ଆହରଣପାଇଁ ତାଙ୍କର ଅଦମ୍ୟ ଉତ୍ସାହ ଯେପରି ଥିଲା, ଜ୍ଞାନ ବିତରଣ ପାଇଁ ତାଙ୍କର ସେତିକି ସ୍ପୃହା ଥିଲା । ସେ ଯାହା ଜ୍ଞାନଲାଭ କରୁଥିଲେ ଓ ଗବେଷଣା କରୁଥିଲେ, ତାହାକୁ ସାଧାରଣ ପାଠକ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଥିଲେ । ସେଥିପାଇଁ ଏବେ ବି କେନ୍ଦୁଝରରେ ଜଣେ ବିଶିଷ୍ଟ ପଣ୍ଡିତ ଭାବରେ ଜନମୁଖରେ ତାଙ୍କର ସୁଖ୍ୟାତି ରହିଛି ଓ ତାଙ୍କ ରଚିତ କେତେକ ରସାଳ ଶ୍ଳୋକ ଜନସାଧାରଣରେ ବଞ୍ଚି ରହିଛି । ଦୁଃଖର ବିଷୟ, ଏଭଳି ଜଣେ ବିଶିଷ୍ଟ ସାଧକଙ୍କ ପ୍ରବନ୍ଧାବଳୀ ପତ୍ରପତ୍ରିକାରେ ବିକ୍ଷିପ୍ତ ହୋଇ ରହିଛି । ତାଙ୍କ ସଂପାଦିତ ଗ୍ରନ୍ଥଗୁଡ଼ିକ ଅଧୁନା ଦୁଷ୍ପ୍ରାପ୍ୟ କହିଲେ ଅଯଥାର୍ଥ ହେବ ନାହିଁ । ଆମ ସାହିତ୍ୟର ଆଜି ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ଦୁର୍ଲ୍ଲଭ ହୋଇ ଉଠୁଥିବା ବେଳେ ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟଙ୍କ ପ୍ରବନ୍ଧ ଓ ତାଙ୍କ ସଂପାଦିତ ଗ୍ରନ୍ଥମାନଙ୍କର ମୁଖବନ୍ଧକୁ ଏକତ୍ର କରି ସଙ୍କଳନ କରିବା ଜରୁରୀ ମନେହୁଏ । ଉତ୍କଟ ଦାରିଦ୍ର୍ୟ ଓ ବିଧିର ପ୍ରତିକୁଳ ପରିବେଶ ଭିତରେ ସେ ଜୀବନ ଅତିବାହିତ କରି ସୁଦ୍ଧା ସେ ଯଥାସାଧ୍ୟ ଆମର ସାରସ୍ୱତ ଦିଗ୍‌ବଳୟକୁ ସମୃଦ୍ଧ କରି ଯାଇଛନ୍ତି । ତାଙ୍କର ଜୀବନୀ ଯେ ସାଂପ୍ରତିକ କାଳର ସମସ୍ୟା ପ୍ରପୀଡ଼ିତ ଯୁବସମାଜକୁ ପ୍ରେରଣା ଯୋଗାଇବା ସହିତ ସାହିତ୍ୟ ଚର୍ଚ୍ଚାପାଇଁ ଉତ୍ସାହିତ କରିବ- ଏଥିରେ ସନ୍ଦେହ ନାହିଁ ।

 

[ଲେଖକ ୧୯୭୯ ମସିହାରେ କେନ୍ଦୁଝର ସରକାରୀ କଲେଜ (ଅଧୁନା ଧରଣୀଧର କଲେଜ, କେନ୍ଦୁଝର)ରେ ଅବସ୍ଥାନ କାଳରେ ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟଙ୍କ ସଂପର୍କରେ ସେଠାରୁ ସଂଗ୍ରହ କରିଥିବା ତଥ୍ୟକୁ ଭିତ୍ତି କରି ଆଲୋଚନାଟି ରଚିତ]

 

 

ସ୍ନାତକୋତ୍ତର ଓଡ଼ିଆ ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,

ଭଂଜବିହାର, ବ୍ରହ୍ମପୁର–୭୬୦୦୦୭

 

***

 

‘ବିବେକୀ’ର ଦାର୍ଶନିକ ବିଚାର

ଡକ୍‌ଟର ଦିଲୀପ କୁମାର ନାୟକ

 

ସାହିତ୍ୟିକ ହେଉ ବା କଳାକାର ହେଉ, ପ୍ରତ୍ୟେକ ସ୍ରଷ୍ଟା ପଛରେ ଗୋଟିଏ ବିରାଟ ଦର୍ଶନ ଲୁକ୍‌କାୟିତ ଅବସ୍ଥାରେ ରହିଥାଏ । ନିତ୍ୟ ନୂତନ ଏ ଜଗତ ମଧ୍ୟରେ ସାଧାରଣ ଜୀବନ ଅତିବାହିତ କରୁଥିବା ସେଇ ଶିଳ୍ପୀ ଜଣକ ତାର ସୃଷ୍ଟି କ୍ଷେତ୍ରରେ ଗତାନୁଗତିକ ହୋଇ ରହିପାରେ ନାହିଁ । ସାହିତ୍ୟକୁ ସମାଜ-ଜୀବନର ପ୍ରତିଛବି ବୋଲି କୁହାଯାଇ ଥାଏ । ମାତ୍ର ତାହା ବସ୍ତୁତଃ ଦର୍ପଣ ସ୍ୱରୂପ ପ୍ରତିଛବି ଧାରଣ କରିନଥାଏ । ସେ ଯେପରି ଧାରଣ କରେ, ତହିଁରେ ତାର ନିଜସ୍ୱ ଦୃଷ୍ଟିଭଙ୍ଗୀଟିଏ ସ୍ୱତନ୍ତ୍ର ଭାବରେ ରଖିଯାଇ ଥାଏ । ବାସ୍ତବ ଜଗତର ଛାୟା ବା ପ୍ରତିଲିପି ଆମକୁ ଖୁବ୍‌ଶୀଘ୍ର କ୍ଳାନ୍ତ କରିପକାଏ । ଆମେ ଯାହା ପାଇନାହୁଁ ବା ଜାଣିନାହୁଁ, ସେଭଳି କେତେଗୁଡ଼ିଏ ନୂଆ ଦୃଷ୍ଟିକୋଣର ପରିଚୟ ଦେଇ ଶିଳ୍ପୀସ୍ରଷ୍ଟା ଆମ ଦୃଷ୍ଟିକୁ ପ୍ରଲୁବ୍‌ଧ କରେ । ତେଣୁ ପରୋକ୍ଷରେ ସେ ଆମ ସଂକ୍ଷିପ୍ତ ଜୀବନର ଅଭିଜ୍ଞତାକୁ ପ୍ରସାରିତ କରେ । ସାହିତ୍ୟର ଏଭଳି ଜ୍ଞାନ ପ୍ରସାରଣ ବା ବିତରଣ କରିବାର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନଥାଏ- ଅଥଚ, ତହିଁରେ ବର୍ଣ୍ଣିତ ନିତିଦିନିଆ ଜୀବନର ସୁଖଦୁଃଖ, ପ୍ରେମ-ଈର୍ଷା, ଭଲମନ୍ଦର ଚିତ୍ରରୁ ପାଠକ ତାହା ଅକ୍ଳେଶରେ ଉପଲବ୍‌ଧି କରିପାରେ ।

 

ସାମାଜିକ ଜୀବନରେ ଆମେ ବିଭିନ୍ନ ଭାବଦ୍ୱାରା ନିୟନ୍ତ୍ରିତ ହୋଇଥାଉଁ, ହସିଥାଉଁ, କାନ୍ଦିଥାଉଁ, ହିଂସା, ପ୍ରେମ, ଆଦର୍ଶ ସୃଷ୍ଟି କରିଥାଉଁ: ମାତ୍ର ସାହିତ୍ୟରେ ସେସବୁର ଚିତ୍ରଣ ଦେଖି, ପାଠ କରି ଆମେ ତହିଁର ଭାବକୁ ମନନ କରିବାକୁ ଚେଷ୍ଟା କରୁ । ସାହିତ୍ୟରେ ବର୍ଣ୍ଣିତ ସେଇ ଜୀବନର ଅବିକଳ କଥା ଆମର ଭାବସତ୍ତାକୁ ଅକ୍ଳେଶରେ ଆନ୍ଦୋଳିତ କରିପକାଏ । ତେଣୁ ସାହିତ୍ୟ ଅଧ୍ୟୟନ ଅବକାଶରେ ଆମେ ଭାବ-ତନ୍ମୟ ହେଉ, ପାଠ କରି ସାରିବା ପରେ ବିସ୍ମୟବୋଧ କରୁ, ତହିଁରୁ ନୂତନ ଶିକ୍ଷାଲାଭ କରୁ । ସାହିତ୍ୟିକକୁ ଅଥବା ଗ୍ରନ୍ଥକୁ ସେହି କାରଣରୁ ଜୀବନର ସର୍ବଶ୍ରେଷ୍ଠ ବନ୍ଧୁ, ଦିଗ୍‌ଦର୍ଶକ ଭାବରେ ଆଖ୍ୟାୟିତ କରାଯାଇଛି । ଅନନୁଭୂତ ଜୀବନର ପ୍ରତିଛବିକୁ ସାହିତ୍ୟରେ ଉପଲବ୍‌ଧି କରି ସାରିବା ଉତ୍ତାରୁ ଆମ ଜୀବନରେ ତାକୁ ପରଖିବାର ଏକ ଆଗ୍ରହ ଜାତ ହୁଏ । ପକ୍ଷାନ୍ତରେ ସାହିତ୍ୟ ଆମର ଜୀବନକୁ ଅନୁପ୍ରେରିତ କରେ । ପାଠକ ସାହିତ୍ୟସୃଷ୍ଟିରେ ବର୍ଣ୍ଣିତ ଅନୁଭୂତିକୁ ନିଜ ଜୀବନରେ ପରଖି ଦେଖିବାକୁ ଚେଷ୍ଟା କରେ । ଯେଉଁ ଲେଖକ ଏ ପ୍ରକାର ପ୍ରେରଣା ସୃଷ୍ଟି କରିବାରେ ଯେତିକି କ୍ଷମ, ତାର ସାହିତ୍ୟ ସେତିକି ପ୍ରଭାବଶାଳୀ ହୁଏ ଓ ସେ ମଧ୍ୟ ସେତିକି ଲୋକପ୍ରିୟ ହୁଏ ।

 

ଇଂରାଜୀ ଶିକ୍ଷା ଓ ସାହିତ୍ୟ ପ୍ରଭାବାନ୍ତ ରାଧାନାଥ ଉଚ୍ଚକୋଟୀର କବି ଦୃଷ୍ଟି ନେଇ ଜନ୍ମ ହୋଇଥିଲେ । ସେ ଜଣେ ଶିଳ୍ପୀ ବା କଳାକାର ଭାବରେ ସମଗ୍ର ଜଗତକୁ ଦେଖୁଥିଲେ । ସେ ତାଙ୍କର କାବ୍ୟସୃଷ୍ଟିରେ ନିଜ ପ୍ରକୃତିପ୍ରାଣତାର ପ୍ରଚୁର ଦୃଷ୍ଟାନ୍ତ ଛାଡ଼ିଯାଇଛନ୍ତି । ତାଙ୍କର କାବ୍ୟସୃଷ୍ଟି ଆଲୋଚନାର ଅବକାଶରେ କେହି ତାଙ୍କୁ ପ୍ରକୃତିର ପୂଜାରୀ ତ କେହି ତାଙ୍କୁ ସୌନ୍ଦର୍ଯ୍ୟ ପିପାସୁ ଭାବରେ ଚିତ୍ରଣ କରିଛନ୍ତି । ସମୟ ସମୟରେ ବହୁ ବୈଚିତ୍ର୍ୟ ମଣ୍ଡିତ ତାଙ୍କର କବି ଜୀବନ ଦେଶ ପ୍ରେମର ଗାଥା ଗାନ କରିଛି ମଧ୍ୟ ।

 

ଏସବୁ ରାଧାନାଥଙ୍କର ସ୍ରଷ୍ଟାଜୀବନର ଅସଲ ପରିଚୟ ନୁହେଁ । ପ୍ରାଚ୍ୟ ସାହିତ୍ୟର ରକ୍ଷଣଶୀଳ ମନୋଭାବ ପାଶ୍ଚାତ୍ୟ ଶିକ୍ଷାଭିମାନୀ ରାଧାନାଥଙ୍କୁ ସନ୍ତୁଷ୍ଟ କରି ପାରିନଥିଲା । ସେଥିପାଇଁ ପାଶ୍ଚାତ୍ୟ ମନୋବିଶ୍ଳେଷଣ ଶୈଳୀ ତାଙ୍କୁ ଅଧିକ ଆକୃଷ୍ଟ କରୁଥିଲା । ପରିଣତିରେ ଆମେ ପାଇଥିଲେ ତାଙ୍କର ବହୁ ବିବଦମାନ କାବ୍ୟସୃଷ୍ଟି-ପାର୍ବତୀ ଓ ନନ୍ଦିକେଶ୍ୱରୀ । ଏହି ପ୍ରକାରର ଏକ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ନେଇ ସେ ମଣିଷ ଜୀବନର ଅନୁଧ୍ୟାନ କରୁଥିଲେ, ଖୁଣ୍ଟିନାଣ୍ଟି ଦେଖୁଥିଲେ, ତର୍ଜମା କରୁଥିଲେ । ତା’ର ସଫଳ ପରିପ୍ରକାଶ ନିମନ୍ତେ ଗୋଟିଏ ଉପଯୁକ୍ତ ମାଧ୍ୟମର ଅନ୍ୱେଷଣରେ ସେ ସତତ ଚେଷ୍ଟିତ ଥିଲେ । ଦରବାର, ମହାଯାତ୍ରା ଭଳି ସାମାଜିକ ତତ୍ତ୍ୱ ଅନ୍ୱେଷଣ ମୂଳକ କାବ୍ୟଦ୍ୱୟରେ ତାଙ୍କର ଅନେକ କଥା ଅକୁହା ରହିଯାଇଥିଲା । ସେ ସମସ୍ତ ଅବ୍ୟକ୍ତ ଚିତ୍ତର ପରିପ୍ରକାଶ ଘଟିଲା ତାଙ୍କର ଅନବଦ୍ୟ ଗଦ୍ୟସୃଷ୍ଟି ‘ବିବେକୀ’ରେ । ତେଣୁ ଉଚ୍ଚ ଦାର୍ଶନିକବୋଧର ଯେଉଁ ପୀଡ଼ନ ସେ ବହୁଦିନ ଧରି ସହ୍ୟ କରିଆସୁଥିଲେ, ତାକୁ ପ୍ରକାଶ କରି ବସିଲା ବେଳେ ଆଜନ୍ମକବି ରାଧାନାଥ ସମୟ ସମୟରେ ନିଜର କବିସୁଲଭ ଦାର୍ଶନିକତାର ଚିତ୍ର ପ୍ରଦାନ କରିଛନ୍ତି-। ମାତ୍ର ବିଶ୍ୱର ସବୁ ଉଚ୍ଚଦର୍ଶନ ଗଦ୍ୟରୂପ ନେଇ ପ୍ରକାଶିତ ହେଲାଭଳି ରାଧାନାଥ ନିଜ ଶିଳ୍ପୀଜୀବନର ଦର୍ଶନକୁ ଗଦ୍ୟାକାରରେ ହିଁ ପ୍ରକାଶ କରିଥିଲେ ।

 

‘ବିବେକୀ’ରେ ଆଲୋଚିତ ମାନବ-ଦର୍ଶନ ଖୁବ୍‌ ବିକ୍ଷିପ୍ତ-ଅଥଚ ସୁସଂବଦ୍ଧ । ଟିକିନିଖି ବିଶ୍ଳେଷଣ ଅବକାଶରେ ମଣିଷର ଛୋଟ ଛୋଟ କର୍ମରୁ ତା’ର ପ୍ରବୃତ୍ତିକୁ ଧରିପକାଇବାକୁ ସେ ଚେଷ୍ଟା କରିଛନ୍ତି । ମାନବ ଜୀବନର କ୍ରୋଧ, ଜିଘାଂସା, ଈର୍ଷା, ଅସୂୟା, ଉପେକ୍ଷା, ଗଞ୍ଜନା, ଆତ୍ମପୀଡ଼ନ ପ୍ରଭୃତିର ସ୍ୱତନ୍ତ୍ର ଭୂମିକା ରହିଛି । ସେହି ଅହଂକାର ମାଧ୍ୟମରେ ମଣିଷ ନିୟନ୍ତ୍ରିତ ହୁଏ-। ନିର୍ଦ୍ଦିଷ୍ଟ ସାମାଜିକ ପରିବେଶରେ ନିଜକୁ ସାବ୍ୟସ୍ତ କରିବାର ଚମତ୍କାର ମନସ୍ତାତ୍ତ୍ୱିକ ଦାର୍ଶନିକ ବିଶ୍ଳେଷଣ କରିଛନ୍ତି ରାଧାନାଥ । ନିଜର ଜାତି, ଖାନ୍‌ଦାନ, ବୁନିଆଦି ଆଦିର ଶ୍ରେଷ୍ଠତ୍ୱ ଜାହିର୍‌ କରୁଥିବା ଏଇ ଭାରତୀୟ ମାନସିକତା ପଛରେ ଗୋଟିଏ ଦୃଢ଼ ସାମନ୍ତବାଦୀ ପ୍ରଭାବ ରହିଛି ବୋଲି ମନେହୁଏ । ଏଣୁ ପ୍ରତ୍ୟେକ ମଣିଷ ନିଜକୁ ଅନ୍ୟଠାରୁ ପୃଥକ୍‌ କରି ଅନ୍ୟ ନିକଟରେ ପ୍ରଭାବ ବିସ୍ତାର କରିବାକୁ ଚାହେଁ । ଉପରିସ୍ଥ କର୍ମଚାରୀର ଅଧସ୍ତନଙ୍କ ଉପରେ ପ୍ରଭାବ ବିସ୍ତାର କରିବା, ଆଉମାନଙ୍କ ନିକଟରେ ନିଜର ସୁଭଗମନ୍ମ୍ୟ ମନୋଭାବର ବିସ୍ତାର କରିବା, ଲଘିମା ପ୍ରକାଶ କରିବା, ଏସବୁ ନିମ୍ନସ୍ତରର ଜୀବନ ଅତିବାହିତ କରୁଥିବା ବ୍ୟକ୍ତିର ଲକ୍ଷଣ । ବାସ୍ତବରେ ଶିକ୍ଷିତ, ସମାଜ ସମ୍ପର୍କୀତ ଜ୍ଞାନ ଅର୍ଜନ କରିଥିବା ବ୍ୟକ୍ତି ଏଥିରୁ ଦୂରେଇଯାଇ ‘ବସୁଧୈବ କୁଟୁମ୍ୱକମ୍‌’ ନୀତିରେ ପରିଚାଳିତ ହେବା ଏକାନ୍ତ କାମ୍ୟ ।

 

ମଣିଷ ଜୀବନରେ କଷ୍ଟ, ଯନ୍ତ୍ରଣାର ଭୂମିକା ନୂଆ କଥା ନୁହେଁ । ଏଇ ସାର୍ବଜନୀନ ସତ୍ୟ କଥାକୁ ଆଶ୍ରୟ କରି ସେ ତାଙ୍କର ରମ୍ୟରଚନା ‘ବିବେକୀ’ର ଅୟମାରମ୍ଭ କରିଛନ୍ତି । ସେ ଲେଖିଛନ୍ତି–‘‘ମନୁଷ୍ୟକୁ କେତେ କଷ୍ଟ, ଶୋକ, ଅଭାବ ସହ୍ୟ କରିବାକୁ ହୁଏ, ତାହାର କଳନା କିଏ କରିବ ? ମନୁଷ୍ୟକୁ କେତେ ଦୁର୍ଦୈବର ଅଧୀନ ହେବାକୁ ହୁଏ, କିଏ କହିବ ? ଏଣୁ ଯେ ପ୍ରବନ୍ଧ ତାହାର ମନର ଆର୍ତ୍ତି ଫେଡ଼ିପାରେ, ଏପରି ପ୍ରବଂଧରେ ସମସ୍ତଙ୍କର ଆସ୍ଥା ହେବାର ଦିଶୁଅଛି ।’’ (୧) ରଚନାଟିର ପ୍ରାରମ୍ଭ ଏଇଥିରୁ । ମାତ୍ର କ୍ରମୋନ୍ନତି ପଥରେ ପାଦ ଦେଇ ଲେଖକ ମଣିଷ ଜୀବନରେ ପରନିନ୍ଦାର ସ୍ଥାନଠାରୁ ଆରମ୍ଭ କରି ଆତ୍ମପ୍ରଶଂସା ଓ ତା’ରି ଭିତରେ ପୁଣି ଜୀବନରେ ଯାବତୀୟ କାର୍ଯ୍ୟକଳାପ ଉପରେ ଟୀକାଟୀପ୍‌ପଣୀ ରଚନାଟିକୁ ସମୃଦ୍ଧ କରିଛି । ଜଣେ ଦାର୍ଶନିକର ଦୃଷ୍ଟିଭଙ୍ଗୀ ନେଇ ରଚନାଟିକୁ ସେ ଯଥାସମ୍ଭବ ନୈର୍ବ୍ୟକ୍ତିକ କରିବାକୁ ଚେଷ୍ଟା କରିଛନ୍ତି । ଦର୍ଶନର ଏକ ସାର୍ବକାଳୀନ ଆବେଦନ ରହିଛି । ମଣିଷ ତା’ର ସୀମିତ ଜୀବନରେ କିଭଳି ବହୁ ଜ୍ଞାନ ଅର୍ଜନ କରିପାରିବ ଏବଂ ବହୁଜ୍ଞାନୀ ଭଳି ଉଦାର ମାନବିକତା ଲାଭକରି ସମଗ୍ର ଦୁନିଆକୁ ଆପଣାର କରିପାରିବ, ସେଇ ବର୍ଣ୍ଣନାରେ ସମୃଦ୍ଧ ଏଇ ‘ବିବେକୀ’ । ମନୁଷ୍ୟ ଅନ୍ୟମାନଙ୍କର ପ୍ରଶଂସା ଲାଭ କଲେ ସୁଖୀ ହୁଏ । ତେଣୁ ଏଇ ସୁଖପ୍ରାପ୍ତି ନିମିତ୍ତ କିଭଳି ଅନ୍ୟକୁ ଆପଣାର କରିବାକୁ ହେବ, ସଂସାରର ଯାବତୀୟ ଗଞ୍ଜନା ଶୁଣି, ଉପେକ୍ଷାର ଶରବ୍ୟ ହୋଇ ମଧ୍ୟ ଉଦାରତା ଓ ଧୈର୍ଯ୍ୟର ସହ ଦିନ କାଟିବାକୁ ପଡ଼ିବ, ତା’ର ଚିତ୍ର ପ୍ରଦାନ କରିଛନ୍ତି ରାଧାନାଥ । ସେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର କଥା କହିନାହାନ୍ତି; ଅଥଚ ଯେଉଁମାନଙ୍କ ବିଷୟରେ ଆଲୋଚନା କରିଛନ୍ତି, ସେ ପ୍ରକାରର ଚରିତ୍ରଗୁଡ଼ିକୁ ଆମେ ପ୍ରତିଦିନ ରାସ୍ତାଘାଟଠାରୁ ଆରମ୍ଭ କରି ଅଫିସ୍‌ ଅଦାଲତରେ ମଧ୍ୟ ଦେଖିବାକୁ ପାଉଁ ।

 

ନୂଆ ଲୋକଟିଏ ତାର କାର୍ଯ୍ୟକ୍ଷେତ୍ରରେ କିଭଳି ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୁଏ, ତାହା ଆଲୋଚନା କରି ତା’ର ଉପଚାର ମଧ୍ୟ ନିର୍ଦ୍ଦେଶ କରିଛନ୍ତି । ସେ କହିଛନ୍ତି,–‘‘କଳ୍ପନା ସଂସାରେ ବିପତ୍‌ ମୂର୍ତ୍ତି ଅବଲୋକନ କରି ନୂଆ ଲୋକେ ପାଞ୍ଚନ୍ତି, ‘ଏହି ସିନା, ଏହା କ’ଣ ମୋ ଦେହି ହେବ ନାହିଁ ? ଏ ଅନର୍ଥ କାହିଁକି ଘଟିବ ? ଘଟିଲେ ସୁଦ୍ଧା ଏହାକୁ ଅତିକ୍ରମ କରିବା କଠିନ ନୁହେଁ । ନୂଆ ଲୋକେ ପିଲାପରି । ବସ୍ତୁତଃ କାର୍ଯ୍ୟରେ ସିନା ପିଲା । ପିଲାମାନେ ଯେପରି ପାଞ୍ଚନ୍ତି, କାଦୁଅରେ ଆଠଦଶଥର କଚାଡ଼ି ନ ପଡ଼ିଲେ ସେମାନେ ଚେତନ୍ତି ନାହିଁ । ଚେତିଲା ଉତ୍ତାରୁ ଦେଖନ୍ତି ବିଷୟ, ପରିବାର, ସଂସାର ସମ୍ଭାଳିବାଠାରୁ ଆପଣା ଚିତ୍ତକୁ ସମ୍ଭାଳିବା ଦୁଷ୍କର ଅଟେ । x x ବହୁଦର୍ଶିତା ବଢ଼ିଲେ ଲୋକେ ଚିତ୍ତକୁ ସମ୍ଭାଳି ପାରନ୍ତି । x x ଅନର୍ଥର ପ୍ରକୃତ ପରିମାଣ ଜଣାଥିଲେ ମନରେ ଯଥେଷ୍ଟ ସାନ୍ତ୍ୱନା ହୁଏ । ଇତ୍ୟାଦି ।’’ (୨)

 

ଜୀବନରେ ଭଲମନ୍ଦ ଉଭୟର ଉପାଦେୟତା ରହିଛି । ସବୁ କ୍ଷେତ୍ରରୁ, ସବୁ ଅନୁଭୂତିରୁ କିଛି କିଛି ଶିକ୍ଷାଲାଭ କରିହୁଏ । ଜଗତକୁ ଶିକ୍ଷାର ସୋପାନ ଭାବରେ ପ୍ରତ୍ୟେକ ଶିଳ୍ପୀ ଚିତ୍ରଣ କରିଯାଇଛନ୍ତି । ଭେଦଭାବପୂର୍ଣ୍ଣ ସ୍ଥାଣୁ ସମାଜରେ ଆତ୍ମବଡ଼ିମା ଓ ପରପୀଡ଼ନର ଚିତ୍ର ବଡ଼ ବିଚିତ୍ର । ସମସ୍ତଙ୍କୁ ଏକାକାର କରିବାକୁ ହେଲେ ଗୋଟିଏ ଜ୍ଞାନୀ ଦୃଷ୍ଟିର ଏକାନ୍ତ ଆବଶ୍ୟକତା ରହିଛି । ମନଭିତରୁ ଗ୍ଳାନି, ଈର୍ଷାକୁ କେବଳ ଜ୍ଞାନ ହିଁ ଦୂରୀଭୂତ କରିପାରିବ । ଏ ପ୍ରସଙ୍ଗରେ ସ୍ରଷ୍ଟା ରାଧାନାଥ କହିଛନ୍ତି, ‘‘ଜ୍ଞାନୀଲୋକେ ସର୍ବଦା ନମ୍ର ହୋଇ ଅବସର ପ୍ରତୀକ୍ଷା କରିବ । ସବୁ ବିଷୟରେ ନମ୍ରଥିବାର ଭଲ, ଆପଣାର ଲଘିମା ସବୁବେଳେ ସ୍ମରଣ କରିବାର ଭଲ । ପ୍ରବୀଣ ସେନାପତି ପ୍ରାୟ ଉଚ୍ଚଭୂମି ଅନ୍ୱେଷଣ କରିବ ।’’ (୩)

 

କାହାରି କଟୁସମାଲୋଚନାରେ ଭାଙ୍ଗିପଡ଼ିବା ବିଜ୍ଞୋଚିତ କର୍ମ ନୁହେଁ । ସେ କ୍ଷେତ୍ରରେ ସମାଲୋଚନା ପ୍ରତି ଉଦାସୀନ ରହି ବିବେକାନୁମୋଦିତ କର୍ମପଥରେ ଆଗେଇଯିବା ଉଚିତ । ସେଥିପାଇଁ ସମାଲୋଚନାରେ ଭାଙ୍ଗିପଡ଼ୁଥିବା ବ୍ୟକ୍ତିବିଶେଷଙ୍କୁ ଆଶ୍ୱାସନା ଦେଇ ରାଧାନାଥ କହିଛନ୍ତି, ‘‘ଯେତେ ସାବଧାନ ହୋଇ ଚଳି, ଯେତେ ପରିଣାମଦର୍ଶୀ ହୁଅ ପଛକେ, ବହୁବ୍ୟାପାରୀ ହେଲେ ନିଶ୍ଚେ ଥରେ ଦୁଇଥର କଳଙ୍କ ରଟିବ । ଏଣୁ ଏପରି ଦୁର୍ଘଟନାକୁ ଦୁର୍ଦୈବକୃତ ମଣିବାର ବିହିତ ଅଟେ । x x ଧୈର୍ଯ୍ୟଧରି ପ୍ରତୀକ୍ଷା କର, ଯାହା ସମୟରେ ଜାତ ହୋଇଅଛି, ସମୟରେ ତାହାର ଖଣ୍ଡନ ହେବ । କାଦୁଅ ଯେତେବେଳେ ଶୁଷ୍କ ହେବ, ଆପେ ଝଡ଼ି ପଡ଼ିବ । ଶୁଷ୍କ ହେବା ଆଗେ ଝଡ଼ିପଡ଼ିବ ନାହିଁ । ପୋଛିବା ତୁମ୍ଭର ସାଧ୍ୟ ନୁହେଁ । ଶୁଷ୍କ ହେବାଯାଏ ପ୍ରତୀକ୍ଷା କର । x x କର୍ମିଷ୍ଠ ବ୍ୟକ୍ତିଙ୍କର ଏହା ମନେରଖିବା ଉଚିତ କି, ସେମାନେ ଯାହା କରନ୍ତି, ଅନ୍ୟକୁ ସେଥିର କାରଣମାନ ଜଣାଇବା ସେମାନଙ୍କ କର୍ମର ଅଂଗ ନୁହଇ ।’’ (୪)

 

‘ବିବେକୀ’ ମୁଖ୍ୟତଃ ମାନବ ଜୀବନର ଭାଷ୍ୟ । ଏଠାରେ ରାଧାନାଥ ମଣିଷଜୀବନକୁ ଖୁବ୍‌ନିକଟରୁ ତନ୍ମୟ ଓ ନିରପେକ୍ଷ ଦୃଷ୍ଟି ଦେଇ ଦେଖିଛନ୍ତି । ଜୀବନର ଭଲମନ୍ଦ, ଗଞ୍ଜନା, ଉପେକ୍ଷା ସବୁକୁ ମାଳ କରି ପିନ୍ଧିବାର ପ୍ରେରଣା ସୃଷ୍ଟି କରିଛନ୍ତି । କୌଣସି ଦୁର୍ଘଟନାର ସମ୍ମୁଖୀନ ହୋଇ ଭାଙ୍ଗି ନପଡ଼ିବାକୁ ବାରମ୍ୱାର ପରାମର୍ଶ ଦେଇଛନ୍ତି । ଜୀବନର ସତ୍ୟକୁ ସେ ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି । ବାସ୍ତବତା ପ୍ରତି ତାଙ୍କର ବିଶେଷ ଆକର୍ଷଣ ଏଥିରୁ ଉପଲବ୍‌ଧି ହୁଏ । ଖାଇବା ସମୟରେ ମୁଖଟି ବିକୃତ ଦିଶିବାର ସମ୍ଭାବନା ନେଇ ସମ୍ମୁଖରେ ଦର୍ପଣଟିଏ ଥୋଇବାର ହାସ୍ୟାସ୍ପଦ କଥାଟିଏ ଉଲ୍ଲେଖ କରି ତାରି ମାଧ୍ୟମରେ ଅତି ସତର୍କତା ଅବଲମ୍ୱନ କରୁଥିବା, ମିଥ୍ୟା ଆତ୍ମସଚେତନାରେ ଘାରି ହେଉଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଚଣ୍ଡ ବ୍ୟଙ୍ଗ କରିଛନ୍ତି । ‘ବିବେକୀ’ ଏ ଦୃଷ୍ଟିରୁ ଆମ ପ୍ରଚଳିତ ଜୀବନର ମୁକୁର ସ୍ୱରୂପ । ଜୀବନରେ ଆଲୁଅ ତୁଳନାରେ ଅନ୍ଧାରର ଆବଶ୍ୟକତା କିଛି କମ୍‌ ନୁହେଁ । ଏ ପ୍ରସଙ୍ଗରେ ସେ କହିଛନ୍ତି, ‘‘ଯେଉଁ ଅନ୍ଧକାର ସୂର୍ଯ୍ୟ ଗ୍ରାସ କରେ, ସେହି ଅନ୍ଧକାର କେତେ ମଞ୍ଜୁଳ ପଦାର୍ଥମାନ ନୟନଗୋଚର କରାଏ । ଦିନରେ ଗଗନଯାକ ଉଜ୍ଜ୍ୱଳ ଥିଲା, ଅନ୍ଧକାରରେ ଯାହାର ସ୍ୱତଃ ଔଜ୍ଜଲ୍ୟ ଅଛି, ସେହି ଉଜ୍ଜ୍ୱଳ ଥାଏ । ଯାହାର ସ୍ୱତଃ ଔଜ୍ଜଲ୍ୟ ନାହିଁ, ସେ ଆଲୁଅରେ ଧଳା ଥିଲା । ଅନ୍ଧକାରରେ କଳା ହେଲା ।’’ (୫) ପ୍ରସଙ୍ଗଟି କେବଳ କଳାଧଳାର ନୁହଁ, ବରଂ ଜୀବନର ଭଲ, ମନ୍ଦ, ସୁଖ, ଦୁଃଖ ଉଭୟ ପର୍ଯ୍ୟାୟରେ କେଉଁ ପ୍ରକାରର ବ୍ୟକ୍ତିତ୍ୱର ବିକାଶ ସାଧନ କରାଯାଇ ପାରିବ, ସେ ସମ୍ପର୍କରେ ଏହା ଏକ ପ୍ରେରଣାମୟ ବାକ୍ୟ ।

 

ରାଧାନାଥ ଅନୀତି ଓ ଅମାନବୀୟ କଥା ଦେଖି ଦେଖି ମର୍ମାହତ ହୋଇଛନ୍ତି ଓ ତା ବିରୁଦ୍ଧରେ ତୀକ୍ଷଣ ବାକ୍ୟ ପ୍ରୟୋଗ କରିଛନ୍ତି । ପାଶ୍ଚାତ୍ୟ ସଭ୍ୟତା ପ୍ରଭାବିତ ସମସାମୟିକ ସାମାଜିକ ଚିତ୍ର ଓ ସାମାଜିକ ଜୀବନର ଅଧୋଃଗତି ଦେଖି ତାକୁ ବ୍ୟଙ୍ଗ କରିଛନ୍ତି । ଆବଶ୍ୟକ ସ୍ଥଳେ ପ୍ରତ୍ୟକ୍ଷ ଭାବରେ ତା’ର ନିରାକରଣର ଉପାୟ ମଧ୍ୟ ଦେଖାଇ ଦେଇଛନ୍ତି ।

 

ରାଧାନାଥଙ୍କର କାବ୍ୟ ଜଗତ ଅନୁଧ୍ୟାନ କଲେ ପ୍ରତିଛତ୍ରରୁ ଲେଖକଙ୍କର ନିୟତି ଉପରେ ଅଖଣ୍ଡ ବିଶ୍ୱାସ ଦେଖିବାକୁ ମିଳେ । ‘ଉଷା’ କାବ୍ୟରେ ଲିଖିତ ‘‘ଜନ୍ମ ମୃତ୍ୟୁ ଆଦି ଯାବତ୍‌ ଘଟଣା ଘଟେ ସଂସାରେ, ସମସ୍ତ ଗ୍ରଥିତ କାଳ- ନିୟନ୍ତ୍ରିତ ନିୟତିହାରେ ।’’ ଅଥବା ‘ଚିଲିକା’ରେ ‘‘ଦୈବ ନ ଡରଇ ନର ଭ୍ରୂକୁଟି କି’’ ପଦରୁ ତାଙ୍କର ନିୟତି ଉପରେ ଥିବା ବିଶ୍ୱାସର ପରିଚୟ ମିଳିଥାଏ । ସେହି କବି ରାଧାନାଥ କିନ୍ତୁ ‘ବିବେକୀ’ ରଚନା ବେଳକୁ ନିଜର ବିଶ୍ୱାସ ‘ନିୟତି’ ଉପରୁ କାଢ଼ିଆଣି ବ୍ୟକ୍ତି ଉପରେ ଆରୋପ କରିଛନ୍ତି । ‘ବିବେକୀ’ରେ ନିୟତି ନୁହେଁ, ବ୍ୟକ୍ତିହିଁ ସକଳ ସୁଖଦୁଃଖ ନିୟନ୍ତ୍ରକ । ମଣିଷଟିଏ ତା’ର ବ୍ୟବହାର ଔଚିତ୍ୟ ବଳରେ ପରକୁ ଆପଣାର କରେ । ମିଥ୍ୟାଭିମାନ, ସୁଭଗମନ୍ମ୍ୟତା, ଲଘିମାର ବିନାଶ ବା ଅବଦମନରେ ମଣିଷ ଯେ ସକଳ ସୃଷ୍ଟିର ଆନନ୍ଦର କାରଣ ହୋଇପାରେ, ତା’ର ଏକ ସଫଳ ସମ୍ଭାବନା ରାଧାନାଥ ସ୍ପଷ୍ଟ ଭାବରେ ଦେଇ କହିଛନ୍ତି, ‘‘ତୁମ୍ଭର ଅବଲମ୍ୱୀତ ପ୍ରଣାଳୀରୁ ମନ୍ଦ ଫଳ ଜାତ ହେଲା ଜାଣି ଜ୍ଞାନୀ, ହୃଦୟଜ୍ଞ ଲୋକଙ୍କର ଏମନ୍ତ ସ୍ଥଳରେ କ’ଣ କରିବାର ଉଚିତ ? ଅନେକ ଗଞ୍ଜନା ତ ସହିଲଣି । ଏଥିରୁ ଯାହା ଶିଖିବାର ଶିଖିଲଣି । ଥରକୁ ଥର ଆଉ ସେହି ବିଷୟର ମାର୍ଜନା କର ନାହିଁ । ପାସୋରି ପକାଅ । ମନକୁ ଆନ ବିଷୟରେ ଆମୋଦରେ ନିବିଷ୍ଟ କର ।’’ ସତେ ଯେମିତି ଦରଦୀ ବନ୍ଧୁଟିଏ । ମଣିଷ ତା’ର ଗୁଣ ଗାରିମା ମାଧ୍ୟମରେ ଅନ୍ୟକୁ ମୋହିତ କରୁ, ସୁନାର ସଂସାର ସୃଷ୍ଟି କରୁ, ଏହା ଥିଲା ତାଙ୍କର କାମନା ଏବଂ ସେହି ଉଦ୍ଦେଶ୍ୟରେ ‘ବିବେକୀ’ର ସୃଷ୍ଟି । ସେ ତେଣୁ ଜାଣିଜାଣି ଦର୍ଶନ ସୁଲଭ ଅତି ଶୁଷ୍କ କଥାକୁ ରସମୟ କରିପକାଇଛନ୍ତି । ସମଗ୍ର ରାଧାନାଥୀ ପ୍ରତିଭାର ମୂଲ୍ୟାୟନ କ୍ଷେତ୍ରରେ ଏଇ ଦର୍ଶନ-ସମ୍ବଳିତ ରଚନାଟି ଏକ ଅମୂଲ୍ୟ ସୃଷ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଧାନାଥଙ୍କର କାବ୍ୟଜଗତରେ ଯେଉଁ ନେତିବାଦୀ ଆଭିମୁଖ୍ୟ ଦେଖିବାକୁ ମିଳେ, ତାହା ଏ କ୍ଷେତ୍ରରେ ସଂପୂର୍ଣ୍ଣ ତିରୋହିତ ହୋଇଛି ଏବଂ ଏକ ସୁସ୍ଥ, ନିରାମୟ ସଂସାର ଗଠନ ଦିଗରେ ବିକାଶଶୀଳ ପଦକ୍ଷେପ ସୃଷ୍ଟି ହୋଇଛି ବୋଲି ଅକ୍ଳେଶରେ କୁହାଯାଇପାରେ ।

 

ପାଦଟୀକା :

(୧)

ରାଧାନାଥ ଗ୍ରନ୍ଥାବଳୀ, ଦ୍ୱିତୀୟ ସଂସ୍କରଣ, ୧୯୮୦, ପୁସ୍ତକଭଣ୍ଡାର, ପୃ-୩୩୧

(୨)

ତତ୍ରୈବ- ପୃ-୩୩୨

(୩)

ତତ୍ରୈବ- ପୃ-୩୩୪

(୪)

ତତ୍ରୈବ- ପୃ- ୩୩୫

(୫)

ତତ୍ରୈବ- ପୃ- ୩୩୩

 

 

ଅଧ୍ୟାପକ,

ରେଙ୍ଗାଳି ଯୋଜନା ମହାବିଦ୍ୟାଳୟ

ରେଙ୍ଗାଳି ବନ୍ଧ ଯୋଜନା, ଅନୁଗୁଳ- ୭୫୯୧୦୫

 

***

 

ଆଧୁନିକ ଓଡ଼ିଆ କବିତାର ବିସ୍ତୃତିରେଖା

ଡକ୍‌ଟର ନୀଳାଦ୍ରିଭୂଷଣ ହରିଚନ୍ଦନ

 

କବିତାର ଆତ୍ମା କୌଣସିକାଳେ ମରେ ନାହିଁ; ଚିରନ୍ତନ ଭାବସମ୍ପଦ ନେଇ ସ୍ରୋତସ୍ୱିନୀ ପରି ବହି ଚାଲିଥାଏ ବିଚିତ୍ର ପଥରେ, ପହଞ୍ଚିବାର ଠିକଣା ନଜାଣି । କବିତାରେ ସମୟାନୁକୂଳ ପରିବର୍ତ୍ତନ ବାରମ୍ୱାର ନୂତନ ଆଲୋଡ଼ନ ସୃଷ୍ଟି କରେ । କିନ୍ତୁ ଏ ପରିବର୍ତ୍ତନ ମୂଳତଃ ଆଙ୍ଗିକ ପରିବର୍ତ୍ତନ, ଆତ୍ମିକ ସ୍ୱରଟି ସଦାସର୍ବଦା ବହୁ ଅଂଶରେ ରହେ ଅପ୍ରତିହତ । ତେଣୁ ବର୍ତ୍ତମାନର ଭାବଭୂମି ଉପରେ ଠିଆହୋଇ ଆଧୁନିକ କବିତାର ସୀମା ନିରୂପଣ କଲାବେଳେ ସିଂହାବଲୋକନର ଆବଶ୍ୟକତା ଅନୁଭବ କରିହୁଏ । ବର୍ତ୍ତମାନ ସହିତ ଅତୀତର ଯୋଗସୂତ୍ରଟିକୁ ଆବିଷ୍କାର କରି ନପାରିଲେ ଏହାର ଭବିଷ୍ୟତ ନିର୍ଣ୍ଣୟ ସମ୍ଭବ ନୁହେଁ । ସୂକ୍ଷ୍ମଭାବେ ଅନୁଧ୍ୟାନ କଲେ ସ୍ପଷ୍ଟ ହୁଏ ଯେ ଓଡ଼ିଆ କବିତାର ମୂଳ ସ୍ୱରଟି ଆଜି ନିଶ୍ଚିହ୍ନ ହୋଇନାହିଁ ଏବଂ ଏହା ଭବିଷ୍ୟତ ସମ୍ଭାବନାକୁ ନିୟନ୍ତ୍ରଣ କରିବାର ପ୍ରତିଶ୍ରୁତି ବହନ କରେ ।

 

ରାଧାନାଥଙ୍କ ଆବିର୍ଭାବ ଶାସ୍ତ୍ରୀୟ କାବ୍ୟଭାବନାର ବିଲୟ ଘଟାଇ ଓଡ଼ିଆ କବିତାକୁ ଏକ ନୂତନ ବଳିଷ୍ଠ ଭିତ୍ତି ଉପରେ ଠିଆ କରିବା ଫଳରେ ଆଧୁନିକ ଯୁଗର ସୂତ୍ରପାତ ଘଟିଲା । ଓଡ଼ିଆ କବିମାନେ ପାଶ୍ଚାତ୍ୟ ଜଗତର କାବ୍ୟଜଗତରେ ତୁମୁଳ ଆଲୋଡ଼ନ ସୃଷ୍ଟି କରିଥିବା ରୋମାଣ୍ଟିକ୍‌ ଧାରା ସହିତ ପ୍ରଥମଥର ପାଇଁ ପରିଚିତ ହେଲେ । ଇଂରାଜୀ ରୋମାଣ୍ଟିକ୍‌ କବିତା ସର୍ବଭାରତୀୟ କ୍ଷେତ୍ରରେ ଯେଉଁ ପ୍ରଭାବ ବିସ୍ତାର କରିଥିଲା, ତାହା ରାଧାନାଥଙ୍କୁ ସହଜରେ ସ୍ପର୍ଶ କଲା । ଏହାଦ୍ୱାରା ଓଡ଼ିଆ କବିତାର ନବଜନ୍ମର ସମ୍ଭାବନାକୁ ସେ ମୂଳରୁ ନେଇ ପାରିଥିଲେ । ରାଧାନାଥଙ୍କ କାବ୍ୟାଦର୍ଶ ‘ପୂରାତନରେ ନୂତନତା ଓ ଆହରଣରେ ମୌଳିକତା ପ୍ରତିପାଦନ’ ସାଂପ୍ରତିକ ଯୁଗ ପର୍ଯ୍ୟନ୍ତ କବିତାରେ ଏକ ବିପୁଳ ଆଲୋଡ଼ନ ସୃଷ୍ଟି କରିଛି । ରାଧାନାଥଙ୍କର ଏହି ଆଦର୍ଶ ତଥା ରୋମାଣ୍ଟିକ୍‌ ଭାବଚେତନାରୁ ଆଜିପର୍ଯ୍ୟନ୍ତ ଓଡ଼ିଆ କବିତା ସଂପୂର୍ଣ୍ଣ ମୁକ୍ତିଲାଭ କରିପାରିଛି କିମ୍ବା ନୂତନ ପଥର ସଂଧାନ ଲାଗି ବ୍ୟାପକ ଚେଷ୍ଟା କରିଛି, ଏପରି କହି ହେବ ନାହିଁ । ଏବେ ମଧ୍ୟ ଊନବିଂଶ ଶତାବ୍ଦୀର ଶେଷଭାଗରେ ଓଡ଼ିଶାର ତରୁଣତର କବିମାନେ ବସ୍ତୁ ଉପସ୍ଥାପନ ଓ ଶବ୍ଦଚୟନରେ ଖୁବ୍ ବେଶି ରୋମାଣ୍ଟିକ୍‌ । ପାଶ୍ଚାତ୍ୟ ଜଗତରୁ ରାଧାନାଥଙ୍କ ଆହୃତ କାବ୍ୟବସ୍ତୁ, ଭାଷାଶୈଳୀ, ଉପସ୍ଥାପନ କୌଶଳ, କାବ୍ୟାନୁଷଙ୍ଗ ପ୍ରୟୋଗ ତଥା ଭାବଚେତନାର ବିବର୍ତ୍ତିତ ରୂପ ଯେ, ଅନ୍ତଃସଲିତା ଫଲ୍‌ଗୁ ଭଳି କବିତାରେ ପ୍ରବାହିତ, ଏହା ଅସ୍ୱୀକାର କରାଯାଇନପାରେ । ତେଣୁ ସାଂପ୍ରତିକ କାବ୍ୟ ବିଚାରରେ ରାଧାନାଥ ଓ ତାଙ୍କର ପରବର୍ତ୍ତୀ କବିମାନଙ୍କ ଅବଦାନକୁ ସଂପୂର୍ଣ୍ଣ ଅପ୍ରାସଙ୍ଗିକ କହି ଉଡ଼ାଇ ଦେବାର କାରଣ ନାହିଁ ।

 

ରୋମାଣ୍ଟିସିଜମ୍ କବିତାର ଏକ ମୁଖ୍ୟ ଉପାଦାନ, ବୋଧହୁଏ ସବୁଠାରୁ ଶକ୍ତିଶାଳୀ କବିଦୃଷ୍ଟି କହିଲେ ହିଁ ସାଧାରଣ ଭାବେ ରୋମାଣ୍ଟିକତାକୁ ବୁଝାଏ । କବିର ଯେଉଁ ଶକ୍ତି ସାଧାରଣକୁ ଅସାଧାରଣ, ରୁକ୍ଷକୁ ସୁନ୍ଦର, ଅକାବ୍ୟିକକୁ କାବ୍ୟିକ ରୂପ ପ୍ରଦାନ କରିପାରେ ତାହାହିଁ ରୋମାଣ୍ଟିକ ଭାବନାକୁ ବାଦ୍ ଦେଲେ କବିତା ନିଜର ନବୀନତା, ଲାଳିତ୍ୟ ଓ ସୌକୁମାର୍ଯ୍ୟ ହରାଏ, କବିତ୍ୱ ଦୁର୍ଲକ୍ଷ୍ୟ ହୋଇପଡ଼େ । ଏହି ଦୃଷ୍ଟିରୁ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ଏହାର ଗୁରୁତ୍ୱ ସ୍ୱୀକୃତ ।

 

ଓଡ଼ିଶାର ଭୂଗୋଳ, ଇତିହାସ ଓ କିମ୍ବଦନ୍ତୀର ପଟ୍ଟଭୂମିରେ ଓଡ଼ିଶା ପ୍ରକୃତିର ଯେଉଁ ଅସାଧାରଣ ସୌନ୍ଦର୍ଯ୍ୟ ଜୀବନାନୁଭବର ଯେଉଁ ସୂକ୍ଷ୍ମ ବିଭାବ ରାଧାନାଥଙ୍କ କାବ୍ୟ କବିତାରେ ଫୁଟି ଉଠିଛି, ତାହା କେବଳ ସମ୍ଭବ ହୋଇଛି ତାଙ୍କର ବ୍ୟାପକ ଓ ବିସ୍ତୃତ କାବ୍ୟଦୃଷ୍ଟି ଯୋଗୁଁ; ଯାହାକି ବହୁଦିନ ଧରି ଓଡ଼ିଶାର କବି ଓ କାବ୍ୟାମୋଦୀମାନଙ୍କୁ ମୋହଗ୍ରସ୍ତ କରି ରଖିଛି । ରାଧାନାଥୀୟ କାବ୍ୟାନୁସରଣକୁ ତାଙ୍କର ସମସାମୟିକ ଓ ପରବର୍ତ୍ତୀ କବିମାନେ ଶ୍ଳାଘ୍ୟମେନ କରିଛନ୍ତି ।

 

ଏହି କାବ୍ୟଚେତନା ସବୁଜ ଓ ସତ୍ୟବାଦୀଯୁଗୀୟ କବିମାନଙ୍କୁ ଉଦ୍‌ବୁଦ୍ଧ କରିଥିଲେ ମଧ୍ୟ ଯୁଗୀୟ ସଚେତନତା ଓ ଆଭିମୁଖ୍ୟ ସେମାନଙ୍କୁ କିଞ୍ଚିତ୍‌ ଭିନ୍ନ କରି ଦେଖାଇ ପାରିଛି । ସବୁଜ କବିମାନେ ରାଧାନାଥଙ୍କ ଖଣ୍ଡକାବ୍ୟର ଆଦର୍ଶ ଛାଡ଼ି ଭାବାବେଗମୟ ଗୀତିକବିତା ଲେଖିବାକୁ ବସିଲେ ଯାହାକି ଥିଲା ରୋମାଣ୍ଟିକ୍‌ କବିର ପଳାୟନପରତା, ରହସ୍ୟବାଦିତା, ପ୍ରକୃତିପ୍ରେମ, ବିଷାଦବୋଧ, ସ୍ମୃତିକାରୁଣ୍ୟ, ଉଚ୍ଛଳ ପ୍ରେମାବେଗର ଆଧାରରେ ସଜୀବ ଓ ପ୍ରାଣସ୍ପର୍ଶୀ । ଏହିପରି ଏକ ଆନ୍ତର୍ଜାତିକ ଚେତନା ସେମାନଙ୍କଦ୍ୱାରା ଆହୁରି ବ୍ୟାପକଭାବେ ପରିବେଷିତ ହୋଇଥିଲା । ପୁଣି ଅନ୍ୟ ଦିଗରେ ରାଧାନାଥଙ୍କ ପ୍ରବର୍ତ୍ତିତ ଜାତୀୟବାଦୀ ଚେତନା ସତ୍ୟବାଦୀଯୁଗୀୟ କବିମାନଙ୍କଠାରୁ ଆରମ୍ଭ କରି କୁନ୍ତଳାକୁମାରୀ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, ରାଧାମୋହନ ଗଡ଼ନାୟକଙ୍କ କବିତାରେ ଉଜ୍ଜୀବିତ । ମୂଖ୍ୟତଃ କବିତାଗୁଡ଼ିକରେ ସମସାମୟିକ ବାସ୍ତବତା ଅପେକ୍ଷା ରୋମାଣ୍ଟିକ୍‌ ଅତୀତପ୍ରୀତିର ପରିମାଣ ପ୍ରଚୁର । ପରବର୍ତ୍ତୀ ସମୟରେ ସବୁଜଯୁଗୀୟ ବୈକୁଣ୍ଠନାଥ, କାଳିନ୍ଦୀଚରଣଙ୍କ କବିତାରେ ଯେଉଁ ବାସ୍ତବବାଦୀ ଦୃଷ୍ଟିକୋଣର ଛାୟାପାତ ଘଟିଥିଲା, ତାହା ବହୁ ଭାବରେ ବିକଶିତ ଓ ଜୀବନ୍ତ ରୂପ ଧାରଣ କରିଥିଲା ମାୟାଧର ମାନସିଂହ ଓ ଗୋଦାବରୀଶ ମହାପାତ୍ରଙ୍କ କବିତାରେ । ବାସ୍ତବବାଦୀ ଓ ମାନବବାଦୀ ଚିନ୍ତାଧାରାପୁଷ୍ଟ କବିତାଗୁଡ଼ିକ ପାଶ୍ଚାତ୍ୟଜଗତର ଇଜମ୍‌ମୁକ୍ତ ହୋଇଥିବାରୁ ଅକୃତ୍ରିମ ଓ କାବ୍ୟଧର୍ମୀ-। ତଥାପି ସଂପୂର୍ଣ୍ଣ ରୋମାଣ୍ଟିକ୍‌ ଚିନ୍ତାଧାରାମୁକ୍ତ ନୁହେଁ ।

 

ଲକ୍ଷ୍ୟ କରିବାର କଥା ଯେ ଆନ୍ତର୍ଜାତିକ ମାର୍କସବାଦୀ ଚେତନାର ସଞ୍ଚରଣ ଓଡ଼ିଆ କବିତାକୁ ଏକ ନୂତନ ଦିଗରେ ପରିଚାଳିତ କରିଛି । ଏହି ସମୟ ପୁଷ୍ଟ ନୂତନ କବିତା ମୂଖ୍ୟତଃ ସଚ୍ଚିଦାନନ୍ଦ ରାଉତରାୟ ଓ ଅନନ୍ତ ପଟ୍ଟନାୟକଙ୍କ ଲେଖନୀଦ୍ୱାରା ସମୃଦ୍ଧ । କିନ୍ତୁ ଏହି କବିମାନେ ମୂଳତଃ ରୋମାଣ୍ଟିକ୍‌ ଥିବାରୁ କବିତାର ଚେହେରାରେ ରୁକ୍ଷ ବାସ୍ତବବାଦିତା ସହିତ ସ୍ୱତଃ ରୋମାଣ୍ଟିକ୍‌ ସୌକୁମାର୍ଯ୍ୟ ସମନ୍ୱିତ ହୋଇ ପଡ଼ିଛି । ତେଣୁ ଏମାନଙ୍କଦ୍ୱାରା ପ୍ରବର୍ତ୍ତିତ କାବ୍ୟଧାରାକୁ ରୋମାଣ୍ଟିକ୍‌ ବାସ୍ତବବାଦୀ ଧାରା ଭାବେ ଚିହ୍ନିତ କରାଯାଇପାରେ । ଓଡ଼ିଆ କବି ଓ କାବ୍ୟରସିକଗଣ ପାରମ୍ପରିକ ମୋହମୁକ୍ତ ହୋଇ ବିଶ୍ୱଚେତନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ମାର୍କସବାଦ ସେମାନଙ୍କୁ ବିଶେଷ ଆକର୍ଷଣ କରିପାରି ନଥିଲା, ବରଂ ଏକ ମାନବବାଦୀ ଚିନ୍ତାଧାରା କବିମାନସକୁ ସଚଳ କରିଥିଲା । ଏହି ପର୍ଯ୍ୟାୟର କବିମାନେ ମାନସିକ ସ୍ତରରେ କିନ୍ତୁ ମାର୍କସବାଦକୁ ଗ୍ରହଣ କରି ପାରି ନଥିଲେ । ଏକ ବୈପ୍ଳବିକ ଯୁଗଧର୍ମ କବି ଚିତ୍ତରେ ଯେଉଁ ଆଲୋଡ଼ନ ଘଟାଇଥିଲା, ତା’ର ଫଳ ସ୍ୱରୂପ ଆମେ ଏହି ରୀତିର କେତେକ କବିତା ପାଉ । କିନ୍ତୁ ଏହି ପ୍ରଗତିଚେତନା ଓଡ଼ିଆ କବିତାର ଏକ ନବ ରୂପାନ୍ତର ଘଟାଇବାରେ ସମର୍ଥ ହେଲା । ଏହା ସ୍ୱୀକାର କରିବାକୁ ହେବ ଯେ ଏହାରି ଭିତ୍ତି ଉପରେ ଠିଆହୋଇ ସଚ୍ଚି ରାଉତରାୟ ଏକ ନୂତନ କାବ୍ୟଧାରାର ପ୍ରବର୍ତ୍ତନ ପ୍ରୟାସୀ ହୋଇଥିଲେ । ତାଙ୍କର ପାଣ୍ଡୁଲିପି ରଚିତ ହେବା ପରେ ଓଡ଼ିଆ କବିତାର ଆତ୍ମିକ ଓ ଆଙ୍ଗିକ ଜଗତରେ ଏକ ତୁମୂଳ ପରିବର୍ତ୍ତନ ଘଟିଲା ।

 

ଯୁଗୀୟ ପ୍ରଭାବରେ ସମସାମୟିକ ବିଶ୍ୱଚେତନାଦ୍ୱାରା ପରିପୁଷ୍ଟ ହୋଇ ଓଡ଼ିଆ କବିତା ଏକ ନୂତନ ଆଭିମୂଖ୍ୟ ଲାଭ କଲା । କଳ୍ପନା ବିଳାସରୁ ଓହରି ଯାଇ ଏହା ବାସ୍ତବ ଜୀବନ ପ୍ରତି ସଚେତନ ହେଲା । ସାଧାରଣ ମଣିଷର ସମସ୍ୟା କବି ଦୃଷ୍ଟିରେ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହେଲା । କବିର ପରିପାର୍ଶ୍ୱରେ ଥିବା ଅକାବ୍ୟିକ ବସ୍ତୁ, ଉପସ୍ଥାପନକୌଶଳ ଓ ଅନୁଷଙ୍ଗ ପ୍ରୟୋଗ ଯୋଗୁଁ ହୋଇ ଉଠିଲା କାବ୍ୟିକ । ତା’ର ଦୃଷ୍ଟିର ବ୍ୟାପକ ପରିସର ଭିତରକୁ ବ୍ୟକ୍ତି, ସମାଜ, ପ୍ରକୃତି, ଈଶ୍ୱର, ଇତିହାସ, ଭୂଗୋଳ, ମନସ୍ତତ୍ତ୍ୱ, ଦର୍ଶନ ତଥା ବାସ୍ତବ ଓ ଉଭଟ ଜଗତର ସମସ୍ତ କିଛି ଆସିବାକୁ ଲାଗିଲେ ।

 

ଦୁଇଟି ବିଶ୍ୱଯୁଦ୍ଧ ପରେ ସମଗ୍ର ପୃଥିବୀ ଏକ ଅଭୁତପୂର୍ବ ହତାଶା ଓ ଅବସାଦରେ ଆଚ୍ଛନ୍ନ ହୋଇ ପଡ଼ିଲା । ଅର୍ଥନୈତିକ ଅସଙ୍ଗତି, ପ୍ରତାରଣା, ସ୍ୱାର୍ଥସର୍ବସ୍ୱତା, ନିଃସଙ୍ଗତା, ଶୂନ୍ୟତା, ଛିନ୍ନମୂଳଭାବ, ଅନାସକ୍ତି ଓ ନୀତିବୋଧ ମଣିଷର ମନକୁ ଜଟିଳ ଓ ବିକ୍ଷିପ୍ତ କରିବାକୁ ଲାଗିଲା । ଏହି ଯୁଗଯନ୍ତ୍ରଣାର ପ୍ରଭାବ ଏପରି ବ୍ୟାପକ ଥିଲା ଯେ ଓଡ଼ିଆ କବିତା ମାଧ୍ୟମରେ ପ୍ରକାଶିତ ହେବାପରେ ଏହା ପରମ୍ପରାନୁଗତ ଓଡ଼ିଆ ପାଠକମାନଙ୍କୁ କ୍ରମଶଃ ପ୍ରଭାବିତ କଲା । ନବୋଭୁତ ସମସ୍ୟାଗୁଡ଼ିକ ପ୍ରତି କବିର ଏକ ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ ପ୍ରକାଶ ପାଇଲା ।

 

ପାରମ୍ପରିକ କାବ୍ୟଭାଷା ଆଧୁନିକ ଚିନ୍ତାଚେତନା ଓ ଯୁଗମାନସକୁ ପରିସ୍ଫୁଟ କରିବା ଲାଗି ଥିଲା ଏକାନ୍ତ ଅକ୍ଷମ । ନୂତନ କଥାକୁ ନୂତନ ରୀତିରେ କହିବାକୁ ବସିଲାବେଳେ ପୁରୁଣା ଭାଷା ଅଚଳ ହୋଇପଡ଼ିଲା । ଯନ୍ତ୍ରଣାଗ୍ରସ୍ତ ମଣିଷର ଜଟିଳ ଚିନ୍ତାଧାରାକୁ ସୂକ୍ଷ୍ମଭାବେ ବିଶ୍ଳେଷଣ କରିବା ଲାଗି ଗଦ୍ୟଭାଷା ହିଁ ଶକ୍ତିଶାଳୀ ମାଧ୍ୟମରୂପେ ଦେଖା ଦେଇଥିଲା । କବିତାରେ ବାକ୍‌ରୀତିର ପ୍ରବର୍ତ୍ତନ ଫଳରେ ଗଦ୍ୟଚ୍ଛନ୍ଦ ଓ ମୁକ୍ତଛନ୍ଦର ବ୍ୟାପକ ପ୍ରୟୋଗ ଘଟିଲା । ଲୋକକଥିତ ଭାଷା କାବ୍ୟଭାଷା ରୂପେ ଗୃହୀତ ହେଲା । ପୂରାତନ ଉପମା ଓ ଅନ୍ୟାନ୍ୟ ଅଳଙ୍କାରର ସ୍ଥାନ ଗ୍ରହଣ କଲା ନୂତନ ରୀତିର ଗତିଶୀଳ ରୂପକ, ଚିତ୍ରକଳ୍ପ ଓ ପ୍ରତୀକ । ୟୁରୋପୀୟ କବିତାର ପ୍ରତୀକବାଦ, ଚିତ୍ରକଳ୍ପବାଦ ଓ ଅତିବାସ୍ତବବାଦ ଓଡ଼ିଆ କାବ୍ୟଜଗତକୁ ନୂତନ ରୂପଦାନ କରିବା ସଙ୍ଗେ ସଙ୍ଗେ ନୂତନ ପରୀକ୍ଷା ନିରୀକ୍ଷା ଲାଗି ମାର୍ଗ ପ୍ରସ୍ତୃତ କଲା । ପାଶ୍ଚାତ୍ୟ ଚିତ୍ର ଓ ଚୈତନ୍ୟ ଓଡ଼ିଶାର ମାଟି, ପାଣି, ପବନରେ ଏକ ବିଚିତ୍ର ରୂପ ଧାରଣ କଲା, ଯାହାକି ନବ ଚେତନାଗ୍ରହୀ କାବ୍ୟରସାମୋଦୀମାନଙ୍କୁ ଆକୃଷ୍ଟ କରିଥିଲା ।

 

ମଧୁସୂଦନ ରାଓଙ୍କ ରହସ୍ୟବାଦୀ ଚେତନା ମାନସିଂହଙ୍କ କାବ୍ୟ ଦେଇ ଆଧୁନିକ ଅତିବାସ୍ତବବାଦୀ କବିତାକୁ ଭିନ୍ନ ରୂପରେ ସଂଚରିତ ହୋଇଛି । ରହସ୍ୟବାଦ ଓ ଅତି ବାସ୍ତବବାଦ ମଧ୍ୟରେ ଭାବଗତ ସାମ୍ୟ ନଥିଲେ ମଧ୍ୟ କଳ୍ପନାଗତ ସାମ୍ୟ ଲକ୍ଷିତ ହୁଏ । ରାଧାନାଥଙ୍କ ପ୍ରବର୍ତ୍ତିତ ସାଟାୟାର୍ ବା ବ୍ୟଙ୍ଗ ଆଧୁନିକ କବିର ଦୃଷ୍ଟିକୋଣକୁ ଶାଣିତ କରିବାରେ ସାହାୟକ ହୋଇଛି । ସାଂପ୍ରତିକ ପରିପ୍ରେକ୍ଷୀରେ ଜୀବନ ପ୍ରତି କବିର ତୀଯ୍ୟକ୍‌ ଦୃଷ୍ଟି ଏକ ନୂତନ କାବ୍ୟରସର ସଂଚାର କରିଛି । ଭାଷା ଓ ଛନ୍ଦଯୋଜନାରେ ରାଧାନାଥଙ୍କ କାବ୍ୟଭାଷା ଓ ଛନ୍ଦ ପୂର୍ଣ୍ଣବିସ୍ତୃତ ହୋଇନାହିଁ । ତାଙ୍କ ପ୍ରବର୍ତ୍ତିତ ଅମିତ୍ରାକ୍ଷର ଛନ୍ଦ ପରବର୍ତ୍ତୀ ସମୟରେ ମୁକ୍ତଛନ୍ଦଭାବେ ରୂପାନ୍ତରିତ ହୋଇଛି । ଅବଶ୍ୟ ସୂକ୍ଷ୍ମଭାବେ ନଦେଖିଲେ ଏ ରୂପାନ୍ତର ଧରା ପଡ଼େନାହିଁ । ତେବେ ନୂତନ ପ୍ରବର୍ତ୍ତିତ ଭାଷା ଓ ଛନ୍ଦରେ ସାରଳାଦାସଙ୍କ ଭାଷା ଓ ଛନ୍ଦର ପ୍ରଭାବ ଲକ୍ଷିତ ହୁଏ । ଏପରିକି ତାଙ୍କର ବ୍ୟଙ୍ଗଧର୍ମିତାର ପ୍ରଭାବ ମଧ୍ୟ ଅନୁଭବ୍ୟ । ଓଡ଼ିଆ କବି ଯେ ପରମ୍ପରାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇନାହିଁ, ଏହା ତା’ର ଏକ ବଳିଷ୍ଠ ପ୍ରମାଣ ।

 

ପ୍ରୟୋଗବାଦୀ କବିତାର ଅଗ୍ରସୂରୀ ସଚ୍ଚି ରାଉତରାୟଙ୍କ କବିତା କ୍ରମଶଃ ଆତ୍ମିକ ବୈଶିଷ୍ଟ୍ୟ ଅପେକ୍ଷା ଆଙ୍ଗିକ ବୈଶିଷ୍ଟ୍ୟ ଉପରେ ଅଧିକ ଗୁରୁତ୍ୱ ଆରୋପ କଲା । ବହୁ କବିତା କାବ୍ୟଚିନ୍ତାରେ ସମୃଦ୍ଧ ନହୋଇ ଶୈଳୀ ସର୍ବସ୍ୱ ହୋଇଉଠିଲା । ଚିତ୍ରକଳ୍ପ, ପ୍ରତୀକ ଓ ରୂପକର ବ୍ୟାପକ ବ୍ୟବହାର ଏବଂ ବ୍ୟକ୍ତିଗତ ଚେତନା ଓ ଅନୁଭୂତିର ଜଟିଳ ପ୍ରକାଶ କବିତାକୁ ବହୁଦିନ ଦୁର୍ବୋଧ୍ୟ କରି ରଖିଲା । ରାଉତରାୟ ଅନୁଗାମୀ କବିମାନଙ୍କ କବିତା ଅଧିକାଂଶ କ୍ଷେତ୍ରରେ ଅନୁଭୂତି ପ୍ରବଣ ନ ହୋଇ ହେଲା ବୌଦ୍ଧିକ ଆୟାସପ୍ରସୂତ । ବିଶ୍ୱମାନବର ଚେତନା ସହିତ ନିଜକୁ ସମନ୍ୱିତ କରିବା ପାଇଁ ଓଡ଼ିଆ କବିର ପ୍ରଚେଷ୍ଟା ମନେହେଲା ଏକାନ୍ତ କୃତ୍ରିମ ଓ ଚ୍ଛିନ୍ନମୂଳ । ଏହି ଧାରା କିନ୍ତୁ ରମାକାନ୍ତ ଓ ସୀତାକାନ୍ତଙ୍କର ପ୍ରଭାବଶାଳୀ ଉପସ୍ଥିତି ଓ କାବ୍ୟନେତୃତ୍ୱ ଫଳରେ ବହୁଭାବରେ ଭିନ୍ନମୂଖୀ ହୋଇଛି । ସମୟ ସଚେତନତା ସହିତ ପରିବେଶ ସଚେତନତା ଓଡ଼ିଆ କବିତାକୁ ରୂପ, ରସ, ଗନ୍ଧରେ ବର୍ଣ୍ଣିଳ ଓ ସୌରଭମୟ କରିଛି । ବହୁ ନୂତନ କବି ଏହି ଚେତନାର ଅନୁସରଣ କରିଛନ୍ତି ।

 

ସାଂପ୍ରତିକ ଯୁଗର ପ୍ରଧାନ କାବ୍ୟପୁରୁଷଗଣ ପରମ୍ପରାରୁ ବିଚ୍ଛିନ୍ନ ନୁହନ୍ତି । ଐତିହ୍ୟ ଓ ପରମ୍ପରା ପ୍ରତି ସଚେତନ ରହି କବିତାରେ ନୂତନ ଆଭିମୂଖ୍ୟର ପରିସ୍ଫୁଟନ କରିଛନ୍ତି । ରୂପକଳ୍ପ ଓ ପ୍ରତୀକ ଅପେକ୍ଷା ମିଥ୍‌ ଓ ଆର୍କିଟାଇପର ପ୍ରୟୋଗ ବ୍ୟାପକତା ଲାଭ କରିଛି । ସଚ୍ଚି ରାଉତରାୟ, ସୀତାକାନ୍ତ, ରମାକାନ୍ତ ଓ ପରବର୍ତ୍ତୀ କବିମାନେ ଓଡ଼ିଆ ମହାଭାରତ, ରାମାୟଣ ଓ ଭାଗବତ ପ୍ରଭୃତିର ଉପାଦାନ ସଂଗ୍ରହ କରି ଚମତ୍‌କାର ଭାବୋଦ୍ଦୀପକ ମିଥ୍‌ମାନ ନିର୍ମାଣ କରିଛନ୍ତି । ପରମ୍ପରା ସହ ସଂପୃକ୍ତି ଯୋଗୁଁ ମିଥ୍‌ ସଂବଳିତ କବିତା ଗୁଡ଼ିକ ଅଧିକ ନିର୍ମାଣ କରିଛନ୍ତି । ପରମ୍ପରା ସହ ସଂପୃକ୍ତି ଯୋଗୁଁ ମିଥ୍‌ ସଂବଳିତ କବିତାଗୁଡ଼ିକ ଅଧିକ ଶକ୍ତିଶାଳୀ ଓ ଚିରନ୍ତନ ମୂଲ୍ୟବୋଧ ସଂପନ୍ନ । କବିର ସ୍ମୃତି ଭିତରେ ସଜୀବ୍ର, ଅବହେଳିତ ଗ୍ରାମ୍ୟ ପରିବେଶ କବିତା ଭିତରକୁ ଆସି ତାକୁ ସରସ ଓ ପ୍ରାଣବନ୍ତ କରିଛି । କବିର ଚିନ୍ତାଧାରା ସ୍ପଷ୍ଟ ହେବା ଫଳରେ ଆଜି କବିତାର ଭାବବସ୍ତୁ ଓ ଆଙ୍ଗିକ ଅପେକ୍ଷାକୃତ ବୋଧଗମ୍ୟ ଓ ସରଳ । କବିତା କ୍ରମେ ଏକ ପରିଚ୍ଛନ୍ନ ଓ ରୁଚିଶୀଳ ସୌନ୍ଦର୍ଯ୍ୟର ଅଧିକାରୀ ହେବାକୁ ଯାଉଛି । ବାକ୍‌ରୀତି ଯୋଗୁଁ କବିତାର ଲାଳିତ୍ୟ ଓ ଶ୍ରୁତିମାଧୁର୍ଯ୍ୟ ବହୁକାଳ ଧରି ଅବହେଳିତ ରହି ଆସିଥିଲା । ବର୍ତ୍ତମାନର କବିମାନେ ପାଠକଗୋଷ୍ଠୀକୁ ବେଶୀଭାବେ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ଆଗ୍ରହୀ ପାଠକମାନଙ୍କର ସଂଖ୍ୟାବୃଦ୍ଧି ସକାଶେ କବିତାକୁ ଅଧିକ ସୁବୋଧ, ରସଘନ ଓ ଆବେଦନଶୀଳ କରିବାର ପ୍ରୟାସ କରିଛନ୍ତି । ତା’ ସହିତ କବିତାରେ ବିନୋଦନ-ଧର୍ମର ସଂଯୋଗ ଲାଗି ସାବଲୀଳ ଅନ୍ତର୍ଚ୍ଛନ୍ଦ ବା ବହିର୍ଚ୍ଛନ୍ଦର ପ୍ରୟୋଜନ ହୋଇପଡ଼ିଛି । ପୁଣି ଭାଷାକୁ ଅଧିକ ସରଳ ଓ ପ୍ରକାଶକ୍ଷମ କରିବାଲାଗି କବି ବିଶେଷ ଯତ୍ନଶୀଳ ।

 

ନୂତନ କବିତାର ସ୍ରୋତ ଅନେକ ଦିନ ଧରି ଅବାରିତ ଗତିରେ ପ୍ରବାହିତ ହୋଇ ଚାଲିଛି-। କବିମାନଙ୍କର ସଂଖ୍ୟା ବଢ଼ିଛି ଅନେକ ବେଶି । ତରୁଣରୁ ତରୁଣତର କବିମାନଙ୍କ ଶୋଭାଯାତ୍ରା କବିତାରେ ଆଜି ଏକ ନୂତନ ପର୍ଯ୍ୟାୟର ସୃଷ୍ଟି କରିବ ବୋଲି ଆଶା ହେଉଛି । କାରଣ କବିତାର ଆକାଶ କ୍ଷଣ କ୍ଷଣ ରଙ୍ଗ ବଦଳାଏ, ଅନନୁଭୂତ ଚମତ୍‌କାରିତ୍ୱ ଫୁଟାଏ ।

 

ଏପରି ପରିସ୍ଥିତିରେ ଓଡ଼ିଆ କବିତାର ସାଂପ୍ରତିକ ସ୍ଥିତିକୁ ବିଚାର କରିବାର ସମୟ ଆସିଛି-। କବିତାର ଧର୍ମ ଆହ୍ଲାଦନ । ସାର୍ଥକ କବିତା ରସାନୁଭୂତି ମାଧ୍ୟମରେ ପାଠକ ଚିତ୍ତରେ ଆଲୋଡ଼ନ ସୃଷ୍ଟିକରି ସ୍ଥାୟୀ ରେଖାପାତ କରେ । କିନ୍ତୁ ଏଇପରି କବିତାର ସଂଖ୍ୟା କେତେ ? ବୋଧହୁଏ ଖୁବ୍‌ କମ୍‌ । କବିତାର ସମାଲୋଚକମାନେ ଧରାବନ୍ଧା ସ୍ୱରରେ କହନ୍ତି- ଓଡ଼ିଆ କବିତାର ସ୍ଥାପତ୍ୟ ପ୍ରଭାବଶାଳୀ, ଭାଷା ସରଳ ଓ ଛନ୍ଦ ଆବୃତ୍ତିଗତ ଧ୍ୱନି ମାଧୁର୍ଯ୍ୟସଂପନ୍ନ; କିନ୍ତୁ ଏ ସଂପର୍କରେ ସଚେତନ ପାଠକମାନଙ୍କର ଧାରଣା ଓ ମତାମତ ଭିନ୍ନ ପ୍ରକାରର । ସେମାନଙ୍କ ନିକଟରେ ଯଦି ଅଧିକାଂଶ କବିତା ଦୁର୍ବୋଧ୍ୟ ଓ ରସୋପଲବ୍‌ଧିହୀନ ବିବେଚିତ ହୁଏ, ତେବେ ଏହାକୁ ସାର୍ଥକ ବୋଲି କହିବାର ଯୁକ୍ତି ନାହିଁ । ବହୁ ଭାବହୀନ ଓ ଅର୍ଥଶୂନ୍ୟ କବିତା ଅନେକ ସମୟରେ ନୈରାଜ୍ୟ ସୃଷ୍ଟି କରେ । ବଳିଷ୍ଠ ଭାବ ହିଁ କବିତାକୁ ଚିରନ୍ତନତା ପ୍ରଦାନ କରେ । ଭାଷା ପ୍ରୟୋଗ ଓ କାବ୍ୟ ଗୁମ୍ଫନର ଦୁର୍ବଳତା ହେତୁ କେତେକ କବିତାରେ କବିର କାବ୍ୟିକ ଅନୁଭୂତିଟି ଅସ୍ପଷ୍ଟ । ପୁଣି କବିତା ପରମ୍ପରାକୁ ଅସ୍ୱୀକାର କରି କେଉଁଠି ଜୀବନଠାରୁ ଦୂରେଇ ଯାଇଛି ତ କେଉଁଠି ସର୍‌ରିଆଲିଜିମ୍‌ର ଜଗତ ଭିତରେ ପଥହରା ହୋଇ ଘୂରି ବୁଲୁଛି । ସ୍ଥଳ ବିଶେଷରେ ଘଟୁଥିବା ଅନୁକୃତି ବଡ଼ ଦୃଷ୍ଟିକଟୁ-। ଦିନାକେତେ ଓଡ଼ିଆ କବିତାରେ ମୃତ୍ୟୁ ଚେତନା ଭଳି ଗୋଟିଏ ରୋମାଣ୍ଟିକ୍‌ ଚେତନାକୁ ନେଇ ଅନ୍ଧାନୁକରଣ ଓ ବିରକ୍ତିକର ଚର୍ବିତଚର୍ବଣ ଚାଲେ । ବହୁକାଳୁ ଭାରତୀୟ କବିତା କ୍ଷେତ୍ରରେ ରବୀନ୍ଦ୍ରନାଥଙ୍କ ‘ମରଣରେ ତୁହୁଁ ମମ ଶ୍ୟାମ ସମମାନ’ ଭଳି କବିତାମାନ ରଚିତ ହୋଇ ସାରିଛି । ତେଣୁ ଓଡ଼ିଆ କବିମାନଙ୍କର ଏହି ଧରଣର କବିତାରେ କିଛି ନୂତନତ୍ୱ ଥିଲା ପରି ମନେହୁଏ ନାହିଁ । ଅବଶ୍ୟ ରମାକାନ୍ତ, ସୀତାକାନ୍ତ ଏହି ଚେତନା ପ୍ରୟୋଗରେ ସାର୍ଥକଭାବେ ପୂରାତନରେ ନୂତନର ପ୍ରତିଫଳନ କରାଇ ପାରିଛନ୍ତି । କିନ୍ତୁ ଦେଖାଗଲା ଯେ ସେମାନଙ୍କ ଅନୁସରଣରେ ଅନ୍ୟାନ୍ୟ ଯଶପ୍ରାର୍ଥୀ କବିମାନେ କୌଣସି ପ୍ରକାରେ ମୃତ୍ୟୁର ମୋହନ ରୂପକୁ ନେଇ ଏକ କିମ୍ୱା ଏକାଧିକ କବିତା ଲେଖିବାକୁ ବସିଲେ । ଯାହା ଫଳରେ କବିତାଗୁଡ଼ିକ ବଡ଼ ରଙ୍ଗହୀନ ଓ ମୌଳିକତାହୀନ ବୋଧ ହେଲା । ଜଣେ ଗୋଟିଏ ନିର୍ଦ୍ଦିଷ୍ଟ ଭାବନାକୁ ନେଇ କବିତା ଲେଖିଲା ବୋଲି ଅନ୍ୟ ଜଣେ କ’ଣ ସେହି ଭାବନାଶ୍ରିତ କବିତାଟିଏ ଲେଖିବ ? କାବ୍ୟ-ଉପାଦାନର ବିସ୍ତୃତ ଜଗତରୁ କ’ଣ ଅନ୍ୟ କିଛି ମିଳିବ ନାହିଁ ?

 

କବିତା ସତ୍‌କବିର ଅନ୍ତରର ଉଚ୍ଛ୍ୱସିତ ବାଣୀ । ଏଇ ବାଣୀ ଭିତରେ ପାଠକ ଏକ ବିରାଟ ବିଶ୍ୱର ସ୍ଥିତିକୁ ଅନୁଭବ କରିପାରେ । କିନ୍ତୁ ମନ୍ଦକବି ଯଶପ୍ରାର୍ଥୀମାନଙ୍କ କବିତାରୁ ଏହା ଖୋଜିବା ନିରର୍ଥକ । କବିତା ଅପେକ୍ଷାକୃତ ଅଳ୍ପ ଆୟାସସାଧ୍ୟ ସୃଷ୍ଟି ହୋଇଥିବାରୁ ସାହିତ୍ୟ ରଚନା ଅଭିଳାଷୀ ବହୁବ୍ୟକ୍ତି ଏଥିପ୍ରତି ହାତ ବଢ଼ାନ୍ତି । କିନ୍ତୁ କବିତା ଲେଖିଲାବେଳେ ମନରେ ଗୋଟିଏ ପ୍ରଶ୍ନ ରହିବା ଦରକାର–ଯେଉଁ କବିତା ଲେଖା ଯାଉଛି ତାହା ପାଠକର ଆହ୍ଲାଦନ ସକାଶେ ନା ନିଜର ? ବ୍ୟକ୍ତିଗତ ଆନନ୍ଦ ପାଇଁ ଯାହା ଲେଖାଯାଏ ଏବଂ ଯେଉଁଥିରୁ ପାଠକ ରସ ଗ୍ରହଣ କରିବାକୁ ଅକ୍ଷମ, ସେପରି କବିତା ବାହାରକୁ ଆସିବା ଅନୁଚିତ ।

 

ସାରଳାଦାସଙ୍କଠାରୁ ଆରମ୍ଭ କରି ସାମ୍ପ୍ରତିକ ଯୁଗର କବିମାନଙ୍କ ପର୍ଯ୍ୟନ୍ତ ଓଡ଼ିଆ କବିତା ଏକ ଦୀର୍ଘ ରାସ୍ତା ଅତିକ୍ରମ କରି ଆସିଛି । ଏ ରାସ୍ତା କିନ୍ତୁ କୃତ୍ରିମ ନୁହେଁ, ପ୍ରାକୃତିକ । ଫଳରେ ଏହା ସମୟକ୍ରମେ ବହୁ ବିଚିତ୍ର ସୁଷମାରେ ମଣ୍ଡିତ । ଆମର ବ୍ୟକ୍ତିଗତ ରୁଚି ଅନୁକୂଳ ନ ହେଲେ ମଧ୍ୟ ଏହାର କୌଣସି ଅଂଶକୁ ଅନାବଶ୍ୟକ ବୋଲି କହିପାରିବା ନାହିଁ । ସେହିପରି ସାଂପ୍ରତିକ କବିତାର ଅପରିହାର୍ଯ୍ୟତା ସ୍ୱୀକୃତ ହେବା ସ୍ୱାଭାବିକ । କିନ୍ତୁ ଏହାର ଆଦର୍ଶ ଅପରିବର୍ତ୍ତନୀୟ ରହିବା ଉଚିତ ନୁହେଁ । କୌଣସି ଯୁଗରେ କବିର ଚିରନ୍ତନ ଭାବନାଗୁଡ଼ିକ ମରେ ନାହିଁ । ସ୍ଥାୟୀଭାବ ସବୁବେଳେ ସ୍ଥିର । ସମସାମୟିକ ପରିସ୍ଥିତି ପ୍ରଭାବରେ କେବଳ ପ୍ରକାଶଭଙ୍ଗୀ ବଦଳିଯାଏ । କବିତା ପୁରୁଣା ପୋଷାକ ଛାଡ଼ି ନୂଆ ପୋଷାକ ପିନ୍ଧିଲେ ପାଠକମାନଙ୍କର ବିସ୍ମୟ କୌତୂହଳ ଜାଗ୍ରତ ହୁଏ । ଏଇ ଦୃଷ୍ଟିରୁ କବିତା ବଦଳିବା ଦରକାର । ଅବଶ୍ୟ ଏଥିପାଇଁ କୌଣସି ଯୋଜନାର ଆବଶ୍ୟକତା ହୁଏ ନାହିଁ । କବି ଓ ପାଠକର ରୁଚିର ପରିବର୍ତ୍ତନ ସଙ୍ଗେ ସଙ୍ଗେ ସ୍ୱତଃସ୍ଫୁର୍ତ୍ତ ଭାବେ କବିତାର ନବ ରୂପାୟନ ଘଟେ । ଆଜିର କବିତା ଯେ ଆଉ କିଛିଦିନ ପରେ ନୂତନ ଭାବବସ୍ତୁ, ଶିଳ୍ପଯୋଜନା ଓ ଭାଷା ସଂରଚନା ଗ୍ରହଣ କରି ଅନ୍ୟ ଏକ ରୂପରେ ଆମ ଆଗରେ ଝଲସି ଉଠିବ-ଏଥିରେ ଆମେ ଆଶବାଦୀ ।

 

ସାଂପ୍ରତିକ କବିତାର ଭାବ ଓ ଭାଷା ସମୟକ୍ରମେ ବୈଚିତ୍ର୍ୟହୀନ ହୋଇପଡ଼ୁଛି । ଭବିଷ୍ୟତରେ କବି ନୂତନ ଭାବବସ୍ତୁ ନେଇ କବିତା ଲେଖିବ । କବି ଯଦି ରୋମାଣ୍ଟିକ୍‌ ମୋହରେ ଭାସି ନଯାଇ ତା’ର ପରିପାର୍ଶ୍ୱର ନବୋଭୂତ ଘଟଣା ଓ ସମସ୍ୟାଗୁଡ଼ିକ ସୂକ୍ଷ୍ମଭାବେ ପର୍ଯ୍ୟବେକ୍ଷଣ କରିବ, ତେବେ ତା’ର ଭାବସଂପଦ ନିଶ୍ଚୟ ସମୃଦ୍ଧ ହେବ । ନୂତନ କବି ଏ ବିଷୟରେ ନିଶ୍ଚୟ ସଚେତନ । ଓଡ଼ିଆ କବିତା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସମାଜ ଓ ଜୀବନର ଏକ ସାମଗ୍ରିକ ରୂପ ନିର୍ଯ୍ୟାସ ହେବ । ଅତୀତକୁ ଅସ୍ୱୀକାର ନକରି ତାର ସୂକ୍ଷ୍ମ ପ୍ରାଣପ୍ରବାହଟିକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଉପସ୍ଥାପନ କରିବାର ଚେଷ୍ଟା କରିବ । ଏ କ୍ଷେତ୍ରରେ ସିଂହାବଲୋକନର ଆବଶ୍ୟକତା ଅପରିହାର୍ଯ୍ୟ । ଅତୀତର ବହୁ ସଂଖ୍ୟକ ପ୍ରକାଶକ୍ଷମ, ଭାବୋଦ୍ଦୀପକ, କାବ୍ୟିକ ଶବ୍ଦାବଳୀକୁ ଛାଡ଼ିଦେଇ ଆମେ ଭାଷାକୁ ଦରିଦ୍ର କରିବାକୁ ଲାଗିଛୁ । କୃତ୍ରିମ ସହରୀ ଭାଷା ବହୁ ସମୟରେ ଏଥିପାଇଁ ଦାୟୀ । ସାରଳା ମହାଭାରତରେ ବ୍ୟବହୃତ ଶବ୍ଦାବଳୀ ଏବଂ ଓଡ଼ିଶାର ବିଭିନ୍ନ କୋଣର ଗ୍ରାମାଞ୍ଚଳରେ ବ୍ୟବହୃତ ଶବ୍ଦଗୁଡ଼ିକର ଶକ୍ତିଶାଳୀତାକୁ ବ୍ୟାପକଭାବେ କବିତାରେ ପ୍ରୟୋଗ କରିବାର ସମୟ ଆସିଛି । କାରଣ କାବ୍ୟଭାଷାର ସମୃଦ୍ଧିରେ ସମଗ୍ର ସାହିତ୍ୟିକ ଭାଷାର ସମୃଦ୍ଧି ।

 

ମିଥ୍‌ ଓ ପ୍ରତୀକ ପରି କାବ୍ୟ ଅନୁଷଙ୍ଗର ଅନୁସନ୍ଧାନ କଲାବେଳେ ପ୍ରାଚୀନ ସାହିତ୍ୟର ଗଭୀର ଅଧ୍ୟୟନ ଆବଶ୍ୟକ । ସାରଳା ମହାଭାରତ ପରି ପ୍ରାଚୀନ କାବ୍ୟ ପୁରାଣରେ ଯେଉଁଠି ଜୀବନକୁ ବହୁ ବିଚିତ୍ର ଦୃଷ୍ଟିରେ ଗଭୀରଭାବେ ପର୍ଯ୍ୟବେକ୍ଷଣ କରାଯାଇଛି, ତାହା ଲକ୍ଷ୍ୟ କରାଯିବା ଉଚିତ । ସାଧାରଣ ଜୀବନ ଭିତରୁ ଯେଉଁ ସୁନ୍ଦର ରୂପକଳ୍ପମାନ ନିର୍ମାଣ କରାଯାଇଛି ସେଗୁଡ଼ିକୁ ନୂତନ ଦୃଷ୍ଟିଭଙ୍ଗୀରୁ ଦେଖିବାକୁ ହେବ । କବିତା ଜୀବନକୁ ନେଇ ନିଜର ଶରୀର ନିର୍ମାଣ କରୁ, କେବଳ କଳ୍ପନାକୁ ନେଇ ନୁହେଁ, କବିର ଗଭୀର ଅନୁଭୂତି ମୌଳିକ କବିତ୍ୱର ନିତ୍ୟ ଅଭିନବତା ମଧ୍ୟ ଦେଇ ପ୍ରକାଶଲାଭ କରୁ । କବିର ବାର୍ତ୍ତା ବିଶ୍ୱମାନବର ପ୍ରାଣର ବାର୍ତ୍ତା ହେଉ । ଓଡ଼ିଆ କବିତା ଓ ଓଡ଼ିଶୀ ପ୍ରାଣ ପ୍ରବାହର ପ୍ରତିରୂପ ହୋଇ ଅନ୍ୟ ଭାଷାର କବିତାଠାରୁ ନିଜର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରୁ ।

 

ଦୀନକୃଷ୍ଣ କହିଥିଲେ- ‘‘କବି ହୋଇ କରୁଥିବ ନିର୍ମଳ କବିତ୍ୱ । କର୍ଣ୍ଣ ଦେଇ ଶୁଣୁଥିବ ରସିକ ପଣ୍ଡିତ ।’’ ରସିକ ସ୍ଥୂଳଅର୍ଥରେ ଜଣେ ପଣ୍ଡିତ ହେବାର ଆବଶ୍ୟକତା ନାହିଁ; ତା ପାଖରେ କବିତାକୁ ସହୃଦୟତାର ସହିତ ଅନୁଭବ କରିବାର ଶକ୍ତି ଓ ଆଗ୍ରହ ଥିବା ଦରକାର । କପଟତାହୀନ କବିତ୍ୱକୁ ଗ୍ରହଣ କରିବାଲାଗି ଦେଶରେ ରସିକ ପାଠକର ଅଭାବ ନାହିଁ । ତେଣୁ କବି ଯଦି ନିଜର ଆନ୍ତରୀଣ ଆବେଗକୁ ସ୍ୱଚ୍ଛ ଓ ନିର୍ମଳ ଭାବେ ପ୍ରକାଶ କରେ, ତା’ର କବିତ୍ୱ କଦାପି ମ୍ଳାନ ହେବ ନାହିଁ । ଭାବର ବିସ୍ମୃତିରେ, ଭାଷାର ଲାଳିତ୍ୟରେ, ଛନ୍ଦର ମାଧୁର୍ଯ୍ୟରେ କବିତା ପାଠକକୁ ମୁଗ୍‌ଧ କରିବା ଆବଶ୍ୟକ । ଏଥିପାଇଁ ତାକୁ ସମସ୍ତ କୃତ୍ରିମତାକୁ ପରିହାର କରିବାକୁ ପଡ଼ିବ ।

 

ଭବିଷ୍ୟତରେ ଓଡ଼ିଆ କବିତାରେ ବହୁ ନୂତନ ପରିବର୍ତ୍ତନ ସଂଘଟିତ ହେବାର ସୂଚନା ମିଳେ । ଆଜିର କବିତାରେ ଲକ୍ଷିତ ହେଉଥିବା ଛଦ୍ମ ବାସ୍ତବତାର ଆବରଣଟି ନିଶ୍ଚିତ ଭାବେ ସମୟକ୍ରମେ ଅପସରି ଯିବ । କବି ବାସ୍ତବ ଜୀବନର ନିବିଡ଼ ସଂସ୍ପର୍ଶରେ ଆସିବ । କବିତାର ଭାବବସ୍ତୁ ଓ ଉପସ୍ଥାପନା ଶୈଳୀ ଉଭୟ ଅକୃତ୍ରିମଭାବେ ବାସ୍ତବଧର୍ମୀ ହେବ । କାବ୍ୟଭାଷା ଅଧିକ ପ୍ରକାଶକ୍ଷମ ହେବା ସଙ୍ଗେ ସଙ୍ଗେ ଜୀବନ ପ୍ରତି ଗଭୀର ବ୍ୟଙ୍ଗାତ୍ମକ ଦୃଷ୍ଟି ପରିସ୍ଫୁଟ କରିବାକୁ ସମର୍ଥ ହେବ । ଆଧୁନିକ କବିତାକୁ ଉପଭୋଗ୍ୟ ହେବାରୁ ବଞ୍ଚିତ କରି ଆସିଛି ତାର ରୂକ୍ଷ ଗଦ୍ୟରୂପ । ତେଣୁ କବିତା ଗଦ୍ୟଶିଳ୍ପର ସର୍ବଗ୍ରାସୀ ମୋହରୁ ଦୂରେଇ ଯାଇ ଯଥାସମ୍ଭବ ନିଜକୁ ପଦ୍ୟଶିଳ୍ପ ସହିତ ସମନ୍ୱିତ କରିବ । ନୂତନ ଛନ୍ଦର ବିକାଶରେ କାବ୍ୟ ଶିଳ୍ପ ସମୃଦ୍ଧ ହେବ । ଚିତ୍ରକଳ୍ପ, ପ୍ରତୀକ ଆଦିର ପ୍ରାଚୁର୍ଯ୍ୟ କବିତାକୁ କୃତ୍ରିମ କରି ତୋଳେ । କବି ତାର ବକ୍ତବ୍ୟକୁ ସ୍ପଷ୍ଟଭାବରେ ପ୍ରକାଶ କରିବାର ସୁଯୋଗ ପାଏ ନାହିଁ । ଭବିଷ୍ୟତର କବିମାନେ ଭାବନାର ସହଜ ପ୍ରକାଶ ଲାଗି ଏଗୁଡ଼ିକର ଯଥେଚ୍ଛା ବ୍ୟବହାର ପରିହାର କରିବେ ଏବଂ ପାଠକ ମନରେ ସହଜରେ ଚିତ୍ର ଆଙ୍କିଦେବା ପରି ସ୍ୱଳ୍ପ ରୂପକଳ୍ପ ବ୍ୟବହାର କରିବେ ।

 

କବିତା ସମସାମୟିକ ସମାଜର ଜଟିଳ ମାନସିକତାକୁ ପ୍ରକାଶ କରିବାକୁ ଅଙ୍ଗୀକାର ବଦ୍ଧ ହେଲେ ହେଁ ମୂଳତଃ ଏହାର ସୃଷ୍ଟି ବ୍ୟକ୍ତିଗତ ଆବେଗ ପ୍ରବଣତାରୁ । କାଳେ କାଳେ ଏହା ରୋମାଣ୍ଟିକ ଭାବ ଓ ଭାଷାକୁ ନିଜଠାରୁ ବିଚ୍ଛିନ୍ନ କରି ପାରିନାହିଁ । ଫଳରେ ଏହାର ସ୍ୱାଭାବିକ ଶିଳ୍ପ ସୌନ୍ଦର୍ଯ୍ୟ ଅକ୍ଷୂର୍ଣ୍ଣ ରହିଛି । ଯେଉଁଠାରେ କାବ୍ୟିକତାକୁ ତ୍ୟାଗ କରିଛି, ସେଠାରେ ହୋଇଉଠିଛି ରୂକ୍ଷ ଗଦ୍ୟମୟ, କର୍କଶ ଓ କୃତ୍ରିମ । ବାସ୍ତବବାଦୀ ଚେତନା ରୋମାଣ୍ଟିକ୍‌ ଶୈଳୀରେ ପ୍ରକାଶ ପାଇଲେ ହିଁ ତାର କାବ୍ୟ-ଗୁଣ ବ୍ୟାହତ ହେବ ନାହିଁ । ସ୍ୱାଭାବିକ ଭାବରେ କବି ଭାବନା ପଦ୍ୟ ମାଧ୍ୟମରେ ପରିସ୍ଫୁଟ ହେବ । ପଦ୍ୟଧର୍ମିତାର ପୁନରୁତ୍‌ଥାନ ଘଟିଲେ ନୂତନ ଛନ୍ଦ ଯୋଜନା ସ୍ୱତଃସ୍ଫୁର୍ତ୍ତଭାବେ ଆସିବ । କବିତା ଏକ ଆବେଗମୟ ମୁହୂର୍ତ୍ତରୁ ସୃଷ୍ଟି ହୋଇଥିବାରୁ ଏହା ହେବ ସଂକ୍ଷିପ୍ତ ଓ ରସାନୁକୂଳ । କବିତାରେ ଗୋଟିଏ ନିର୍ଦ୍ଦିଷ୍ଟ ଭାବକୁ ସଂକ୍ଷିପ୍ତ ଭାବରେ ସୁନ୍ଦର କରି ପ୍ରକାଶ କରାଯାଇପାରେ । କ୍ଷୁଦ୍ର କବିତାର ଭାବ ପାଠକର ଅବବୋଧକୁ ସହଜରେ ସ୍ପର୍ଶ କରେ । ଦୀର୍ଘ କବିତାର ସମସ୍ତ ଭାବସଂପଦ ଓ ଶିଳ୍ପସୌନ୍ଦର୍ଯ୍ୟ ବିବର୍ତ୍ତନ କ୍ରମରେ ସ୍ୱଭାବସିଦ୍ଧ ସଂକ୍ଷିପ୍ତ କବିତାରେ ଚମତ୍‌କାର ଭାବେ ଫୁଟିଉଠିବ ।

 

ଓଡ଼ିଆ କବିତାର ଭବିଷ୍ୟତ ପ୍ରତି ଆମେ ଯଥେଷ୍ଟ ଆଶାନ୍ୱିତ ହେବା ସ୍ୱାଭାବିକ । କବିତାର କ୍ରମବିବର୍ତ୍ତନରୁ ସୂଚନା ମିଳେ ଯେ ଭବିଷ୍ୟତର କବିମାନେ ନିର୍ମଳ କବିତ୍ୱ କରିବାକୁ ଆଗ୍ରହୀ ହେବେ । ପାଠକର ରସାସ୍ୱାଦନକୁ ନିଜର କାବ୍ୟସୃଷ୍ଟିଠାରୁ ଗୁରୁତ୍ୱପୂର୍ଣ୍ଣ ମନେ କରିବେ । ଫଳରେ କବିତା ଏକ ନୂତନ ଦିଗନ୍ତ ସ୍ପର୍ଶ କରିବାକୁ ସମର୍ଥ ହେବ । କିନ୍ତୁ ବର୍ତ୍ତମାନଠାରୁ ଏ ଦିଗରେ ତତ୍‌ପରତା ପ୍ରକାଶ ପାଇବା ଉଚିତ୍‌ । ଯଥାଶୀଘ୍ର ନୂତନ ଆଲୋଡ଼ନ ସୃଷ୍ଟି ନହେଲେ ପାଠକର ସ୍ପୃହାହୀନତାଜନିତ ଅବକ୍ଷୟକୁ ରୋକି ହେବ ନାହିଁ ।

 

 

୨୫, ଆଣ୍ଡୃଜପଲ୍ଲୀ

ଶାନ୍ତିନିକେତନ- ୭୩୧୨୩୫

 

***

 

ମେହେର ସାହିତ୍ୟ - ଏକ ଦୃଷ୍ଟିପାତ

ଶ୍ରୀ ପାର୍ଥସାରଥି ଅଜୟ ବାରିକ୍‌

 

ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓ ଚଳିତ ଶତାବ୍ଦୀର ପ୍ରଥମ ପାଦରେ ଯେଉଁ ଦୁଇଜଣ ବିଖ୍ୟାତ କବି ଓଡ଼ିଆ କାବ୍ୟ ସାହିତ୍ୟରେ ଆଧୁନିକ ଯୁଗର ପ୍ରବର୍ତ୍ତକ, ସେମାନେ ହେଲେ ରାଧାନାଥ ରାୟ ଓ ସ୍ୱଭାବ କବି ଗଙ୍ଗାଧର ମେହେର ।

 

ରାଧାନାଥ ରାୟ ବଙ୍ଗଳା ଭାଷାରେ କବିତା ଲେଖା ଆରମ୍ଭ କରିଥିଲେ, ମାତ୍ର ବଙ୍ଗ, ବିହାର ଓ ଓଡ଼ିଶାର ଶିକ୍ଷା ବିଭାଗର ତତ୍‌କାଳୀନ ଅଧିକାରୀ ଭୂଦେବ ମୁଖାର୍ଜୀଙ୍କ ଉପଦେଶ ଅନୁସାରେ କେବଳ ଓଡ଼ିଆ ଭାଷାରେ କବିତା ରଚନା କରିବାରେ ବ୍ରତୀ ହେଲେ । ରାଧାନାଥ ତାଙ୍କ ଅଧିକାଂଶ କବିତାର ବିଷୟବସ୍ତୁ ଓ ରୀତି ପାଶ୍ଚାତ୍ୟ ସାହିତ୍ୟ, ବଙ୍ଗଳା ସାହିତ୍ୟ ଓ ସଂସ୍କୃତ ସାହିତ୍ୟରୁ ଆହରଣ ଓ ଗ୍ରହଣ କରିଥିଲେ ହେଁ, ସେସବୁକୁ ଉତ୍କଳର ପାଣି, ପବନ, ପରିସ୍ଥିତି ଓ ପ୍ରାକୃତିକ ବିଭବ ସହିତ ଏପରି ଭାବରେ ମିଶାଇ ଦେଇ କାବ୍ୟରଚନା କରିଛନ୍ତି ଯେ ଅନେକ ସମୟରେ ସେଗୁଡ଼ିକ ତାଙ୍କ ନିଜର ପ୍ରତିଭାପ୍ରସୂତ ବୋଲି ମନେହୁଏ । ସାହିତ୍ୟ ଜଗତରେ ଆହରଣ ଓ ଗ୍ରହଣ ଦୋଷାବହ ନୁହେଁ, ସମସ୍ତ କବି ଅଳ୍ପେ ବହୁତେ ଏହିପରି ଆହରଣ ଓ ଗ୍ରହଣ କରିଥାଆନ୍ତି । ମାତ୍ର ଏହି ଆହରଣ ଓ ଗ୍ରହଣ ସହିତ ରାଧାନାଥ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ବିରୋଧୀ ଓ ଅଶାଳୀନ କେତେକ ବିଷୟବସ୍ତୁ ତାଙ୍କର କାବ୍ୟମାନଙ୍କରେ ସଂଯୋଜନ କରିଥିବାରୁ ସେ ଅନେକ ସମୟରେ ସମାଲୋଚିତ ହୋଇଥାଆନ୍ତି । ଏ ସମ୍ପର୍କରେ ପ୍ରଚଣ୍ଡ ପ୍ରତିଭାଧର ପଣ୍ଡିତ ନୀଳକଣ୍ଠ ଦାସଙ୍କ ମନ୍ତବ୍ୟ ଉଲ୍ଲେଖଯୋଗ୍ୟ । ସେ ତାଙ୍କ ‘‘କୋଣାର୍କେ’’ କାବ୍ୟରେ ଲେଖିଛନ୍ତି-

 

‘‘କବି ରାଧାନାଥ ଆସିବେ କି ସେ ଯଯାତି ପାଶେ

ରାଣୀସନେ ସେ କି ହସିବେ ବିଦ୍ୟାସୁନ୍ଦର ହାସେ ।’’

 

ପୁନଶ୍ଚ;

‘‘କବିଙ୍କ କେଦାର ଗଉରୀ ଆସି ଯବନ ଦେଶୁ,

ନାଚି ଯିବେ ତବ ସ୍ୱପନେ ତଳେ ଅଭ୍ୟାସ ବଶୁ ।’’

 

କିମ୍ୱା;

‘‘ଘରଛାଡ଼ି କିଂପା ଯିବ ସେ ବୀରବାଳା ନନ୍ଦିକା,

ସହକାର ଦ୍ରୂମ ଗହନେ ଭେଦି କ୍ଷୀଣ ଚନ୍ଦ୍ରିକା ।’’

 

ଏବଂ ପରିଶେଷରେ;

‘‘କଉଶଲ୍ୟା ଗଙ୍ଗ ଧଉଳୀ ଏହି ନୟନେ ନାଚେ,

କବିଙ୍କି ସୁମରି ବିରାଗେ ମୁଖ ଫେରାଅ ପଛେ ।’’

 

ଗଙ୍ଗାଧର ମେହେରଙ୍କ କବିତା ଏ ପ୍ରକାର ସମାଲୋଚନାର ବହୁ ଊର୍ଦ୍ଧ୍ୱରେ; କାରଣ ତାଙ୍କ କବିତାରେ ସଂସ୍କୃତି ଓ ପରମ୍ପରାର ବିରୋଧ କିମ୍ୱା ଆଶାଳୀନ ବିଷୟବସ୍ତୁର ସଂଯୋଜନ ହୋଇନାହିଁ । ତାଙ୍କର ଅଭିନବ କଳ୍ପନା ଚାତୁରୀ ଓ ରଚନାର ମାଧୁରୀ ତଥା କବିତ୍ୱର ସ୍ୱଚ୍ଛନ୍ଦ ଲୀଳା ବିଳାସ, ଚରିତ୍ର ଚିତ୍ରଣର ଗୌରବ ଓ ପ୍ରକୃତିର ରୂପ ବୈଭବ ପ୍ରଭୃତିର ଅଙ୍କନ ନୈପୂଣ୍ୟ ଏବଂ ପ୍ରାଚୀନ ସାହିତ୍ୟର ଭାଷା, ଛନ୍ଦ, ଅଳଙ୍କାର ଆଦିର ଭିତ୍ତି ଉପରେ ନୂତନ ଯୁଗର ସରଳତା, ସରସତା, ପ୍ରାଞ୍ଜଳତା ଓ ଶୁଦ୍ଧତା ସମନ୍ୱିତ ସୁକୁମାର ରଚନାବଳୀ ସର୍ବାଙ୍ଗ ସୁନ୍ଦର ଓ ସର୍ବଜନାଦୃତ । ଏହିସବୁ ବୈଶିଷ୍ଟ୍ୟ ଦୃଷ୍ଟିରୁ ଆମ୍ଭମାନଙ୍କ ମତରେ ଏହି ଦୁଇ କବିଙ୍କ ମଧ୍ୟରେ ଗଙ୍ଗାଧରଙ୍କ ସ୍ଥାନ ରାଧାନାଥଙ୍କଠାରୁ ବହୁ ଉଚ୍ଚରେ ।

 

ଗଙ୍ଗାଧରଙ୍କର ପ୍ରତ୍ୟେକଟି ଲେଖା ‘‘ତପସ୍ୱିନୀ’’, ‘‘ପ୍ରଣୟବଲ୍ଲରୀ’’, ‘‘କୀଚକ ବଧ’’, ‘‘ଇନ୍ଦୁମତୀ’’ ବା ଅନ୍ୟ କୌଣସି କାବ୍ୟ, ତାଙ୍କର ପ୍ରତିଭାର ସମୁଜ୍ଜ୍ୱଳ ସ୍ୱାକ୍ଷର ବହନ କରିଛି । ସେସବୁ ଉତ୍କଳୀୟ ସୁଧୀ ସମାଜରେ ଚିର ଆଦୃତ ହୋଇ ରହିବ ।

 

ତାଙ୍କର ପ୍ରତିଭାର ଅନ୍ୟ ଏକ ବୈଶିଷ୍ଟ୍ୟ ତାଙ୍କ ରଚିତ ‘ଅର୍ଘ୍ୟଥାଳୀ’ରେ ବିଶେଷ ଭାବରେ ପରିସ୍ଫୁଟ । ଉକ୍ତ ‘‘ଅର୍ଘ୍ୟଥାଳୀ’’ ପୁସ୍ତକଟି କେତୋଟି କ୍ଷୁଦ୍ର କବିତାର ସମାବେଶ । ଅଧିକାଂଶ ଲେଖାର ଉଦ୍ଦେଶ୍ୟ ବୈପ୍ଳବିକ । ଗତାନୁଗତିକ ପନ୍ଥାରେ ଅନୁସୃତ କୁସଂସ୍କାର ଓ ଅଯୌକ୍ତିକ ପଦ୍ଧତି ଓ ରୀତିନୀତି ପରିତ୍ୟାଗ କରି ଯୁକ୍ତିଯୁକ୍ତ ଓ ନୂତନ ପନ୍ଥା ଅବଲମ୍ୱନ କରିବା ବାଞ୍ଛନୀୟ । ଏହି ଉପଦେଶ ସେ ‘‘ଅର୍ଘ୍ୟଥାଳୀ’’ର ଅନେକ କବିତାରେ ଅତି ସରଳ, ସାବଲୀଳ ଓ ହୃଦୟଗ୍ରାହୀ ଭାବ ଓ ଭାଷାରେ ପ୍ରକଟିତ କରିଛନ୍ତି । ପ୍ରକୃତିରୁ ସୁନ୍ଦର ଓ ସହଜ ଉଦାହରଣ ଦେଇ ସେ ଅନେକ ସତ୍ୟ ପ୍ରତିପାଦନ କରିଅଛନ୍ତି ଏବଂ କୁସଂସ୍କାର ପରିତ୍ୟାଗ କରିବାକୁ ଉଦ୍‌ବୋଧନ ଦେଇଛନ୍ତି । ଏଠାରେ ଅଳ୍ପ କେତୋଟି ଦୃଷ୍ଟାନ୍ତ ଦିଆଯାଇପାରେ- ‘‘ନର ଓ ମୟୂର’’ ପଦ୍ୟରେ ସେ ମନୁଷ୍ୟ ହୃଦୟର କୃତ୍ରିମତା ପ୍ରତି ଆକ୍ଷେପ କରିଛନ୍ତି । ସେହି କୃତ୍ରିମତା ଓ ବୃଥାଗର୍ବ ମନୁଷ୍ୟକୁ ଯେ କେତେ ଅସତ୍‌ ପଥରେ ନିଏ ଏବଂ ଶେଷରେ ନାନା ଅସଦ୍‌ ଗୁଣ ପ୍ରକଟିତ କରାଏ, ତାହା କବିତାର ଶେଷ ଭାଗରେ ବର୍ଣ୍ଣିତ ହୋଇଛି । ନରପତିଙ୍କୁ ଲକ୍ଷ୍ୟକରି ମୟୂରର ଉକ୍ତି-

 

‘‘ଭେକଟ ବିକଟ ରବେ ନଥାଏ ମୋ କର୍ଣ୍ଣ,

ନାଚୁଥାଏ ଉର୍ଦ୍ଧ୍ୱେ ଶୁଣି ଜଳଦ ଗର୍ଜନ ।।

ନୀଚର କୁବାଣୀ ସହି ଉଚ୍ଚର ଭର୍ତ୍ସନା

ହିତମଣି କର କିହେ ଉଚ୍ଚର ଅର୍ଚ୍ଚନା ।।

 

ଭୟଙ୍କର ବିଷଧର କରେ ଗର୍ଭସାତ୍‌

ନାଶ କି ଜିଘାଂସା ହେଲେ ତୁମ୍ଭ ହୃଦେ ଜାତ ।।

ଇନ୍ଦ୍ରଧନୁ ଦରଶନେ ବଢ଼େ ମୋ ଆନନ୍ଦ

ପରଶିରୀ ହୁଅଇ କି ତୁମ୍ଭ ପ୍ରୀତି ପଦ ।।

 

ପର୍ବତେ ମୋ ଯେଉଁ ସୁଖ ସେ ସୁଖ ଭୂମିରେ

ସମସୁଖୀ ଥାଅ କିହେ ପ୍ରାସାଦେ କୁଟୀରେ ।।

 

ନିଜର ସ୍ୱାଭାବିକ୍‌ ଧର୍ମ ଓ ସରଳତା ପରିତ୍ୟାଗ ନକରି ହୃଦୟରେ ଗର୍ବଭାବ ନଧରି ଚଳିଲେ ସଂସାରର ଅନେକ ଉପକାର କରି ପାରିବ, ମାତ୍ର ଅଯଥା ଗର୍ବ ଓ କୃତ୍ରିମତା ପ୍ରକାଶ କଲେ, ସଂସାରର ଉପକାର କରିବା ଦୂରେ ଥାଉ, ନିଜର ଆଚରଣ କଳୁଷିତ କରିବା ଏକମାତ୍ର ଫଳ ହେବ । ଏହି ସତ୍ୟ ଏଠାରେ ସୁନ୍ଦର ଭାବରେ ପ୍ରତିପାଦିତ ।

 

‘‘ବର୍ଷାଋତୁ ପ୍ରତି’’ରେ କବି ଉଚ୍ଚ ଓ ନୀଚ ହୃଦୟ ମଧ୍ୟରେ ପାର୍ଥକ୍ୟ ଦେଖାଇ କୃପଣଠାରୁ ଖଣ୍ଟର ସ୍ଥାନ ଉଚ୍ଚରେ ବୋଲି କହିଛନ୍ତି-

 

‘‘ନିଜେ ବିତରି ନ ଜାଣେ କୃପଣ,

ଖଣ୍ଟ ନିଅନ୍ତି ବଳେ ତାର ଧନ ।।

ଖଣ୍ଟ ହେଲେହେଁ ପରକୁ ପ୍ରଦାନ

କରି ଜାଣେ ଯେ ସେ ଲୋକ ପ୍ରଧାନ ।।’’

 

କବିଙ୍କର ଚମତ୍କାର ଯୁକ୍ତି ଯୋଗୁଁ ପାଠକ ଅଜ୍ଞାତ ଭାବରେ ତାଙ୍କ ସହିତ ଏକମତ ହୋଇଯାଏ । ତାଙ୍କ ମତରେ ଯେଉଁ ଲୋକ ଉଦାର ଦୃଷ୍ଟିରେ ସଂସାରର ମଙ୍ଗଳ ନକରେ ସେ ଯେଉଁ ଲୋକ ଅନ୍ୟାୟ ଉପାର୍ଜିତ ଧନରେ ଜଗତର ମଙ୍ଗଳ କରେ, ତା ଅପେକ୍ଷା ନୀଚରେ-

 

‘‘ନୀଚ ହୃଦୟ ସଞ୍ଚି ରଖେ ଧନ

ସାଧୁ ସାଧଇ ଲୋକ ପ୍ରୟୋଜନ ।।’’

 

ସାହିତ୍ୟର ନିଗୂଢ଼ ଦର୍ଶନ ତତ୍ତ୍ୱର ପ୍ରୟୋଗ ସମୟ ସମୟରେ ରସଭଙ୍ଗ କରାଏ ଓ ପାଠକ ମନରେ ବିରକ୍ତି ଜନ୍ମାଏ । ମାତ୍ର ତାଙ୍କର ଏହି କବିତାମାନଙ୍କରେ ଦର୍ଶନ ତତ୍ତ୍ୱ ଏପରି ଭାବରେ ସନ୍ନିବେଶିତ ଯେ ସେହି ତତ୍ତ୍ୱ ହିଁ କବିତାର ମାହାତ୍ମ୍ୟ ଓ ରସାଳତା ବୃଦ୍ଧି କରିଛି । ସଂସ୍କୃତ ତଥା ଭାରତୀୟ ପ୍ରାଦେଶିକ ସାହିତ୍ୟମାନଙ୍କରେ କଳ୍ପନାର ବିଳାସ ଅତିମାତ୍ରାରେ ଦେଖାଯାଏ । ଏହି କାରଣରୁ ପାଶ୍ଚାତ୍ୟ ସାହିତ୍ୟରେ ଯେତେ ବାସ୍ତବବାଦ ଦେଖାଯାଏ, ଭାରତୀୟ ସାହିତ୍ୟରେ ତାହା ଦେଖାଯାଏ ନାହିଁ ବୋଲି ଅନେକ ସମାଲୋଚକ ଅନୁଯୋଗ କରିଥାନ୍ତି । ପାଶ୍ଚାତ୍ୟ ସାହିତ୍ୟର ଭାବଧାରା ଏ ଦେଶରେ ପ୍ରଚଳିତ ହେଲାପରେ ସାହିତ୍ୟରେ କଳ୍ପନା ବିଳାସ ଓ ଅନେକ ସ୍ଥାନରେ ଆଦର୍ଶବାଦ ଛାଡ଼ି ବାସ୍ତବବାଦୀ ସାହିତ୍ୟ ସୃଷ୍ଟି କରାଯାଉଛି । ଓଡ଼ିଆ ସାହିତ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ରଚନାବଳୀ ସେହି ଶ୍ରେଣୀର । ମାତ୍ର ଗଙ୍ଗାଧରଙ୍କ ରୀତି ସ୍ୱତନ୍ତ୍ର । ସେ ଆଦର୍ଶବାଦ ଓ କଳ୍ପନା ବିଳାସ ନଛାଡ଼ି ମଧ୍ୟ ବାସ୍ତବବାଦର ସମାବେଶ ସ୍ୱକୀୟ ରଚନାରେ କରିଅଛନ୍ତି । ତଦ୍ୱାରା ସେ ପରମ୍ପରାକୁ ନଛାଡ଼ି ମଧ୍ୟ ନୂତନ ଭାବଧାରାକୁ ଗ୍ରହଣ କରିଛନ୍ତି । ତାଙ୍କର ନୈସର୍ଗିକ ପ୍ରତିଭାହିଁ କଳ୍ପନା ଓ ବାସ୍ତବତାର ସୁନ୍ଦର ସମନ୍ୱୟ କରି ତାଙ୍କର ରଚନାବଳୀକୁ ପ୍ରାଣସ୍ପର୍ଶୀ ଓ ମଧୁର କରିପାରିଛି । ‘‘ଖାଦ୍ୟୋତର ଖେଦ’’ କବିତାରେ ଅନ୍ୟର ସମ୍ପତ୍ତିରେ ବଡ଼ିମା ପ୍ରକାଶ କରିବା କିପରି ଅନ୍ତଃସାରଶୂନ୍ୟ ଓ କ୍ଷଣସ୍ଥାୟୀ ତାହା ଦର୍ଶାଇବାପାଇଁ କବି କହିଛନ୍ତି-

 

‘‘କରି ନଜାଣଇ ପରଧନେ ଅଭିମାନ,

କେମନ୍ତେ ପାରିବି ହୋଇ ଚନ୍ଦ୍ରମା ସମାନ ।’’

 

ତା’ପରେ ତାଙ୍କର ସ୍ୱଭାବ ସୁଲଭ ରୀତିରେ ଦାର୍ଶନିକ ତତ୍ତ୍ୱ ପ୍ରତିପାଦନ କରି ଯାହା କହିଛନ୍ତି ତାହା ଯଥାର୍ଥତାର ଅଧିକ ନିକଟବର୍ତ୍ତୀ ।

 

‘‘ନକର ମାନବେ କ୍ଷୁଦ୍ର ଜୀବେ ଉପହାସ

ନିଜର ଜୀବନ ଜ୍ୟୋତି କର ପରକାଶ ।’’

 

‘‘ଅନ୍ଧକାରର ଆତ୍ମପ୍ରସାଦ’’ରେ କବି କେତେକ ଲୋକବ୍ୟବହାରକୁ ବିଚିତ୍ର ବୋଲି ଅଭିହିତ କରିଛନ୍ତି । ସଂସାରରେ ବଳବାନ ଓ ତେଜସ୍ୱୀର ଦୋଷ କେହି ଧରନ୍ତି ନାହିଁ । ଦୁର୍ବଳ ଉପରେ ସବୁଦିନେ ଅତ୍ୟାଚାର ଚାଲିଥାଏ । ଏହି ମହାସତ୍ୟର ଉଦାହରଣ ଉପସ୍ଥାପନ କରିବାପାଇଁ ଅନ୍ଧକାର ମୁଖରେ କବି କହିଛନ୍ତି-

 

‘‘କେହି ମୋତେ ବୋଲିଥାନ୍ତି ଚୋରର ସହାୟ

ମାନବର କି ଅଦ୍‌ଭୂତ ବିବେଚନା ହାୟ ।।

ଆଲୋକରେ ଦେଖେ ଚୋର ଧନିକର ଧନ

ଆଲୋକରେ ତଡ଼ି ମୋତେ କରେ ତା ହରଣ ।।

 

କେହି ଅବା ବୋଲେ ମତେ ଲମ୍ପଟର ବନ୍ଧୁ

ମୋ ଯୋଗେ କୁପଥେ ପରା ଯାଏ କୁଳବଧୂ ।’’

କୁଳବଧୂ ମୂଖ କିଏ କରେ ପ୍ରଦର୍ଶନ

କିଏ ବା କରାଏ ତା’ର ଚିତ୍ତ ଆକର୍ଷଣ

 

ନ ଧରନ୍ତି କେହି କେବେ ତେଜସ୍ୱୀର ଦୋଷ

ସ୍ୱଭାବେ ଶୀତଳ ମୁହିଁ ସ୍ୱଭାବେ ମୋ ତୋଷ ।’’

 

ତାଙ୍କର ଏହି ଯୁକ୍ତି ଦୋଷଶୂନ୍ୟ । ମାତ୍ର କଷ୍ଟବୋଧ୍ୟ ବା କ୍ଳିଷ୍ଟ କଳ୍ପିତ ନୁହେଁ । ତେଣୁ ପାଠକ ଅନାୟାସରେ ସେ ଯୁକ୍ତି ବୁଝିପାରେ ଓ ତାଙ୍କର ମତକୁ ସମର୍ଥନ କରେ ।

 

‘‘ସୂର୍ଯ୍ୟ ପ୍ରତି ଦୀପ’’ ବଳବାନ୍‌ ଓ ଦୁର୍ବଳ ପ୍ରତି ଲୋକବ୍ୟବହାର କିପରି ଭିନ୍ନ ଭିନ୍ନ ତାହା ଚିହ୍ନାଇ ଦିଏ । ଉଭୟଙ୍କର ଗୁଣ ତମୋନାଶକ ହେଲେ ମଧ୍ୟ ଦୀପର ସେହି ଗୁଣକୁ ଲୋକ ବ୍ୟବହାରରେ ପ୍ରଶଂସା କରାଯାଏ ନାହିଁ ।

 

‘‘ତାରାସୂର୍ଯ୍ୟ’’ ପଦ୍ୟରେ ଉପକାରୀ ପ୍ରତି କୃତଜ୍ଞ ରହିବା ଓ ଉପକାରୀର ମହତ୍ତ୍ୱ ସ୍ୱୀକାର କରିବା ସର୍ବଥା ଉଚିତ୍‌ ବୋଲି କବିଙ୍କର ମତ । ତାଙ୍କ ମତରେ ଉପକାରକ୍ଷମ ବ୍ୟକ୍ତି ଉପକାରୀ ନହେଲେ ତା’ର ବିଶେଷତ୍ୱ ରହେ ନାହିଁ । କବିଙ୍କ ଭାଷାରେ-

 

‘‘ତୁମ୍ଭ ରାଜ୍ୟେ ଦିଅ ତୁମ୍ଭେ ପ୍ରଚୁର କିରଣ

ତେଣୁ ସେହିଠାରେ ଥିବ ତୁମ୍ଭ ରବିପଣ ।।

ଆମ୍ଭ ରାଜ୍ୟେ ଆମ୍ଭ ରବି କରେ ତମ କ୍ଷୟ

ଏଣୁ ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ ।।

ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ

ଆମ୍ଭ ତମ ନାଶିବାକୁ ନାହିଁ ତ ପ୍ରଭାବ ।।’’

 

‘‘ଜ୍ୟେଷ୍ଠ ଜାତିର ଅପକର୍ମର ପରିଣାମ’ରେ ଜ୍ୟେଷ୍ଠର ଗୌରବ ଯେ କନିଷ୍ଠ ପ୍ରତି ସ୍ନେହ ଓ ଶ୍ରଦ୍ଧାରେ ଓ ବିଶ୍ୱର ହିତ ସାଧନରେ ପ୍ରତିଷ୍ଠିତ, ଏକଥା କବି ଦର୍ଶାଇ ଦେଇଛନ୍ତି । ଅନ୍ୟ ସ୍ଥଳ ପ୍ରତି ଏ ସ୍ଥଳରେ ମଧ୍ୟ ତାଙ୍କର ମଧୁର ପଦ ଯୋଜନା । ଏହି ଚିନ୍ତାଦ୍ୟୋତକ କବିତାଟିକୁ ସୁନ୍ଦର ଓ ସୁଖପାଠ୍ୟ କରିଅଛି ।

 

ଆଳସ୍ୟପରାୟଣ ହୋଇ, ପରକୁ ଦୋଷ ଦେଇ, କେବଳ ଅନ୍ୟର ଆଶ୍ରାରେ ବା ସାହାଯ୍ୟରେ ସିଦ୍ଧିଲାଭ କରିବା ଅସମ୍ଭବ । ଏହି ସତ୍ୟକୁ ‘ଗଣେଶଙ୍କର ଆତ୍ମକଥା’ରେ ସେ ପ୍ରତିପାଦନ କରିଅଛନ୍ତି । ଅଳସୁଆମାନଙ୍କୁ ଲକ୍ଷ୍ୟକରି କବି ମଧୁର ଭର୍ତ୍ସନା ଦେବା ସଙ୍ଗେ ସଙ୍ଗେ ଏ ଜୀବନ କର୍ମମୟ ଓ କର୍ମ ନକରି ସଂସାରରେ ବଞ୍ଚିରହିବା ଅଧିକାର କାହାର ନାହିଁ ବୋଲି କହିଛନ୍ତି-। ଏହି କବିତାରେ, ଅନ୍ୟ କବିତାମାନଙ୍କ ପରି, ନୈୟାୟିକର ଯୁକ୍ତି ଓ ସାହିତ୍ୟିକର ସରସତା ଏକାଧାରରେ ବିଦ୍ୟମାନ । ଉଦାହରଣ ସ୍ୱରୂପ ନିମ୍ନୋକ୍ତ ପଦ ଦୁଇଟି ନିଆଯାଇପାରେ–

 

‘‘ବିଘ୍ନଙ୍କର ଯେବେ ରାଜା ହେଲି ମୁହିଁ ସେତ ହେଲେ ମୋର ପ୍ରଜା

ପ୍ରଜା ନାଶ କରି କାହିଁ ଉଡ଼ାଇବି ଅପକୀରତିର ଧ୍ୱଜା ।।

ମୃଗରାଜ ସିନା ମୃଗନାଶ କରେ ପାଶବ ସ୍ୱଭାବ ଧରି

ଦେବତା ହୋଇ ମୁଁ ସେ କ୍ରୂର ଅଧମ କର୍ମ କରିବି କିପରି ?’’

 

ମନୁଷ୍ୟର ଜୀବନ କର୍ମମୟ । ଏହା ଭାରତୀୟ ଦର୍ଶନର ବାଣୀ । ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଉକ୍ତ ତତ୍ତ୍ୱର ସୁନ୍ଦର ବ୍ୟାଖ୍ୟା କରିଛନ୍ତି । ଅଳସୁଆ ଲୋକ ସଂସାରରେ ନାନା ଦୁଃଖ ଭୋଗ କରେ । ଏହି ସତ୍ୟର ପ୍ରତିପାଦନ କବି ନିଜର ‘‘ପରିଶ୍ରମ’’, ‘‘କର୍ମଗୁଣ’’ ଆଦି କବିତାରେ କରିଅଛନ୍ତି । ଦାର୍ଶନିକ ଚିନ୍ତା ଏହି କବିତାମାନଙ୍କର ମୂଳ ବସ୍ତୁ ହେଲେ ମଧ୍ୟ ତହିଁରେ ଏକାଧାରରେ ସାହିତ୍ୟିକ ସରସତା, ମଧୁର ଭର୍ତ୍ସନା ଓ ଉପଦେଶ ବିଦ୍ୟମାନ ।

 

‘‘ଦେଶ ଦେଶାନ୍ତରେ ବିଚରି ପକ୍ଷୀ ପୋଷେ ଉଦର

କ୍ଷୁଧାରେ ମରଇ ଅଳସ ତେଜି ନପାରି ଘର ।।

ଘାସ ଖାଇ ପଶୁ ସତତ ନରେ ସାହାଯ୍ୟ କରେ

ଓହୋ କି ବିଚିତ୍ର ତଥାପି ନର ଓପାସେ ମରେ ।।

ନରକୁ ଦଇବ ଜଗତେ କିସ ନ ଅଛି ଦେଇ

ଦ୍ୱାରେ ଦ୍ୱାରେ ବୁଲି ତଥାପି ବୋଲେ ସେ ଦେହି ଦେହି ।।

ନିଜ ନିଜ ପେଟ ପୋଷନ୍ତି କୀଟ ପତଙ୍ଗ ଗଣ

ପେଟ ପାଇଁ ନର ଭିକାରୀ ଧରେ ପର ଚରଣ ।।’’

 

‘‘ଅର୍ଘ୍ୟଥାଳୀ’’ର କବିତାମାନ ସମାଜକୁ ପ୍ରକୃତ ଦିଗ୍‌ଦର୍ଶନ ଦିଏ । ଓଡ଼ିଆ ସାହିତ୍ୟରେ ଏ ପ୍ରକାର ରଚନା ବିରଳ । ବସ୍ତୁତଃ ‘‘ଅର୍ଘ୍ୟଥାଳୀ’’ର ପ୍ରତ୍ୟେକ କବିତା ଓଡ଼ିଆ ସାହିତ୍ୟରେ ଗୋଟିଏ ଗୋଟିଏ ରତ୍ନ ଓ ଗଙ୍ଗାଧରଙ୍କ ବୈଶିଷ୍ଟ୍ୟର ନିଦର୍ଶନ ।

 

ଗଙ୍ଗାଧରଙ୍କର ଆଉ ଗୋଟିଏ ବୈଶିଷ୍ଟ୍ୟ ହେଉଛି ତାଙ୍କର ‘‘କୃଷକ ସଙ୍ଗୀତ’’ ମାଳା । ଉତ୍କଳୀୟ, କବିମାନଙ୍କ ମଧ୍ୟରେ କେବଳ ଗଙ୍ଗାଧର ହିଁ ଏହି ଅନନ୍ୟ ସାଧାରଣ ମୂଲ୍ୟବୋଧର ଅଧିକାରୀ । ଉକ୍ତ କବିତାମାଳା ମଧ୍ୟରେ ‘‘ଅନ୍ନର ମହିମା’’ ‘‘କୃଷିର ଗୌରବ’’ ଓ ‘‘କୃଷକର ଆତ୍ମକଥା’’ ଅତ୍ୟନ୍ତ ଚିନ୍ତା ଦ୍ୟୋତକ ରଚନା । ଏହି କବିତାମାନଙ୍କର ପ୍ରତ୍ୟେକ ପଦ ଭାବଗର୍ଭକ ଓ ଦାର୍ଶନିକ ତତ୍ତ୍ୱରେ ଭରପୁର । ପ୍ରତ୍ୟେକରୁ ଗୋଟିଏ ଗୋଟିଏ ଉଦାହରଣ ଦିଆଯାଇ ପାରେ । ଭାଗବତକାର କହନ୍ତି–

 

‘‘ଅନ୍ନ ବିହୁନେ ହଂସ ହାନି, ଯୋଗ ସାଧିବା କାହା ଘେନି ।’’

 

ମେହେରଙ୍କ ଭାଷାରେ-

‘‘ଅନ୍ନ ଘେନି ଜ୍ଞାନ ଯେ ଅନ୍ନ ଘେନି ଧ୍ୟାନ

ଅନ୍ନ ଘେନି ମହତ୍ତ୍ୱ, ଅନ୍ନ ଘେନି ମାନ ।।

ବିଦ୍ୟାବୁଦ୍ଧି ଅନ୍ନରେ, ଅନ୍ନରେ ବିଜ୍ଞାନ

ଅନ୍ନ ନାହିଁ ଯହିଁରେ, ମହୀରେ ସେ ଏକା ମରୁସ୍ଥାନ ।’’

 

ଅନୁରୂପ ଭାବରେ ଧନର ମହତ୍ତ୍ୱ ଉପରେ ‘‘କୀଚକ ବଧ’’ କାବ୍ୟରେ ଗଙ୍ଗାଧର ଲେଖିଛନ୍ତି–

 

‘‘ଧନ କରେ ଦାନୀ, ଧନ କରେ ମାନୀ

      ଜ୍ଞାନୀ କରିପାରେ ଧନ

ଧନ ବଳେ ଠାଣି ଧନ ବଳେ ଆଣି

      ଧନର ସେବକ ଜନ ।’’

 

‘‘କୃଷିର ଗୌରବ’’ ସଙ୍ଗୀତରେ ଗଙ୍ଗାଧର କହନ୍ତି–

 

‘‘କୃଷି ତୋର ବେଦରେ କୃଷି ତୋ ପୂରାଣ

କୃଷି ବିନା ରହି ନ ପାରଇ ପରାଣ

କୃଷି ଘେନି ନୃପତି, କୃଷି ଘେନି ସଭ୍ୟ

କୃଷି ବଳେ ଆୟ ଶ୍ରୀ ସମ୍ପଦ ସକଳ ହୁଏ ଲଭ୍ୟ ।’’

 

‘‘କୃଷକର ଆତ୍ମକଥା’’ରେ କବି କୁହନ୍ତି–

 

‘‘ଭୂମି ଚଷିବାରେ ମୋ ନାହିଁ ଅବହେଳା ।

ନଜାଣଇ ନକ୍ଷତ୍ର ତିଥିବାର ବେଳା ।।

ଯେବେ ଯେବେ ବର୍ଷଣ ତେବେ ମୋ କର୍ଷଣ

ତେବେ ଏକା କରୁଛି ମୁହିଁ ଭୂମିରୁ ସୁଫଳ ଆକର୍ଷଣ ।’’

 

ପ୍ରୋକ୍ତ କବିତା ବ୍ୟତୀତ ବିଭିନ୍ନ ସମୟରେ ବିଭିନ୍ନ ଶସ୍ୟର ଚାଷ ପ୍ରଣାଳୀ ସମ୍ବନ୍ଧରେ କବି ସଙ୍ଗୀତ ରଚନା କରି ଅଛନ୍ତି । ତାହା ଯେପରି ଚାଷ ପ୍ରଣାଳୀ ବିଷୟରେ ସମ୍ୟକ ଜ୍ଞାନର ଆଧାର, ସେହିପରି ସାହିତ୍ୟିକ ମୂଲ୍ୟବୋଧରେ ଋଦ୍ଧିମନ୍ତ । ଗୋଟିଏ ଉଦାହରଣ ଦିଆଯାଇପାରେ-। ଲଙ୍କାମରିଚ ଚାଷ ବିଷୟରେ ଲେଖିଲା ବେଳେ କବି କହିଛନ୍ତି–

 

‘‘ପାଚି ଫଳ ସୁରଙ୍ଗ ହୁଏ ଅତି କଟୁ

କଟୁ ହୋଇ ରସନା ରଞ୍ଜକରେ ପଟୁ ।’’

ଶାଳୀ ଗାଳି ପରାଏ ଆଦର ତାହାର

ଘରେ ଘରେ ବ୍ୟଞ୍ଜନେ ଅଞ୍ଜନେ ସର୍ବଦା ବ୍ୟବହାର ।’’

 

ତାଙ୍କ କୃଷି ସଙ୍ଗୀତମାନଙ୍କରେ କୃଷି ବିଷୟରେ ଅନେକ ଅଜ୍ଞାତ ବା ଅଳ୍ପଜ୍ଞାତ ତଥ୍ୟର ସନ୍ଧାନ ମିଳିଥାଏ । ମରୁଡ଼ି ସହି ପାରିବା ଭଳି ଧାନ ବିହନ ଉତ୍ପାଦନ କରିବାର ପ୍ରଣାଳୀ ହେଲା, କବିଙ୍କ ଭାଷାରେ–

 

‘‘ଧାନ ଜାଇ ସାରିଲେ ରହେ ଯେଉଁ ମୂଳ

ଉଚ୍ଚଥିବ ଦଶ କି ଦ୍ୱାଦଶ ଆଙ୍ଗୁଳ ।।

ଯତନରେ ରଖିଲେ ସେହି ମୂଳମାନ

ପୁଣି ଫୁଟି ପତର ଫଳଇ ଆହୁରି ଧାନ ।।

 

ସେହି ଧାନ ବୁଣିଲେ ଆଗତ ବରଷ

ଗଛମାନ ତାହାର ହୁଅନ୍ତି ସରସ ।।

ନମରଇ ଅଳପ ବରଷିଲେ ଜଳ,

ମୂଳ ପଶି ଗଭୀରେ ଉପରେ ଫଳଇ ଭଲ ଫଳ ।’’

 

ଆମ୍ଭମାନଙ୍କ ମତରେ ତାଙ୍କର କୃଷି ସଙ୍ଗୀତମାନଙ୍କରେ ପ୍ରଦତ୍ତ ତଥ୍ୟାବଳୀ ପର୍ଯ୍ୟାଲୋଚନା କରିବା ଓ ସେହି ତଥ୍ୟମାନଙ୍କର ସମୀଚୀନତା ହୃଦୟଙ୍ଗମ କରି ଜନସାଧାରଣଙ୍କୁ ଅବଗାହୀତ କରିବା ଏକାନ୍ତ ଅପରିହାର୍ଯ୍ୟ ।

 

ସ୍ୱଭାବକବି ଗଙ୍ଗାଧର ତା୯।୮।୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣିମା ଶନିବାର ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମହାପ୍ରୟାଣ ତା୪।୪।୧୯୨୪ ମସିହା ଚୈତ୍ର ଅମାବାସ୍ୟା ଶୁକ୍ରବାର ଦିନ ହୋଇଥିଲା । ଏହି ଦୁଇଟି ତିଥି ପୂର୍ଣ୍ଣିମା ଓ ଅମାବାସ୍ୟା ବଡ଼ ମହତ୍ତ୍ୱପୂର୍ଣ୍ଣ । ଯେପରି ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ର ସମସ୍ତଙ୍କୁ ଆହ୍ଲାଦ ଦିଏ, ସେହିପରି ପୂର୍ଣ୍ଣିମାରେ ଜନ୍ମହୋଇ ଗଙ୍ଗାଧର ତାଙ୍କ ନିଜ ରଚନାବଳୀରେ ସମସ୍ତଙ୍କୁ ଆହ୍ଲାଦ ଦେଇ ଅମାବାସ୍ୟାର ଅନ୍ଧକାର ପରି ସମଗ୍ର ଓଡ଼ିଶାକୁ ଓ ଓଡ଼ିଆ ସାହିତ୍ୟକୁ ବିଷାଦ ଅନ୍ଧକାରରେ ନିମଗ୍ନ କରି ଚାଲିଗଲେ । ଦୁଃଖର ବିଷୟ ଯେ ତାଙ୍କ ରଚନାବଳୀରେ ପ୍ରକଟିତ ତାଙ୍କ ବହୁମୁଖୀ ପ୍ରତିଭାର ସମ୍ୟକ ଆଲୋଚନା ଓ ଗବେଷଣା ଏପର୍ଯ୍ୟନ୍ତ ହୋଇନାହିଁ ।

 

ମହାରଣା ସାହି

ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର-୨

***

 

Unknown

ସାରଳା ଦାସଙ୍କ ରାଜନୈତିକ ଦୃଷ୍ଟିଭଙ୍ଗୀ

ଡକ୍‌ଟର ସୂର୍ଯ୍ୟନାରାୟଣ ଦାସ

 

ସାରଳା ଦାସ ସମକାଳୀନ ରାଜନୈତିକ ଆଦର୍ଶ ତଥା କାର୍ଯ୍ୟକଳାପ ସମ୍ୱନ୍ଧରେ କେବଳ ଅବହିତ ନଥିଲେ, ସେଥି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ । ଅଧିକନ୍ତୁ ପ୍ରାଚୀନ ଭାରତୀୟ ରାଜନୈତିକ ପରମ୍ପରା ପ୍ରତି ମଧ୍ୟ ସେ ସଚେତନଶୀଳ ଥିଲେ । ତଥାପି, ସ୍ୱୀୟ ମହାଭାରତ ଗ୍ରନ୍ଥରେ ଅନେକ ପ୍ରାଚୀନ ପରମ୍ପରା ଓ ଆଦର୍ଶକୁ ସେ ପ୍ରାଧାନ୍ୟ ନ ଦେଇ ନିଜସ୍ୱ ଚିନ୍ତାଧାରା ଭିତ୍ତିରେ ରାଜନୈତିକ ସଂସ୍କାର ପ୍ରବର୍ତ୍ତନ ଦିଗରେ ଅଧିକ ପ୍ରୟାସୀ ହୋଇଛନ୍ତି । ମୂଳ ମହାଭାରତ ବର୍ଣ୍ଣିତ ବିଦୂର ନୀତି (ଉଦ୍‌ଯୋଗ ପର୍ବ–୩୩ଶରୁ ୪୦ଶ ଅଧ୍ୟାୟ) ଓ ଭୀଷ୍ମଙ୍କ ଉପଦେଶ (ଶାନ୍ତିପର୍ବ-୫୮-୫୯ ଅଧ୍ୟାୟ) ପ୍ରତି ବିଶେଷ ଗୁରୁତ୍ୱ ଦେଇ ନାହାନ୍ତି । ପ୍ଳାଟୋ, ଆରିଷ୍ଟୋଟଲ, କୌଟିଲ୍ୟ, ମେକ୍ୟାଭେଲିଙ୍କଠାରୁ ମାର୍କ୍‌ସ, ଗାନ୍ଧୀ, ବିନୋବାଙ୍କ ପର୍ଯ୍ୟନ୍ତ ସମସ୍ତ ବିଶିଷ୍ଟ ତତ୍ତ୍ୱଜ୍ଞ ଯେଭଳି ନିଜର ପରିବେଶ ଓ ପାରିପାର୍ଶ୍ୱିକ ଅବସ୍ଥାଦ୍ୱାରା ପ୍ରଭାବିତ, ସାରଳାଙ୍କ ରାଜନୈତିକ ବିଚାରଧାରା ମଧ୍ୟ ଅନୁରୂପ ସାମାଜିକ ପରିବେଶ ତଥା ଅନୁଭୂତି ଉପରେ ଆଧାରିତ, ଏହା ନିଃସନ୍ଦେହ । ଏଥିଯୋଗୁଁ ତାଙ୍କ ରାଜନୈତିକ ଚେତନା ଓ ଆଦର୍ଶ ଅଧିକ ଯୁଗୋପଯୋଗୀ ହେବା ସଙ୍ଗେ ସଙ୍ଗେ ଶାଶ୍ୱତ ଓ ଚିରନ୍ତନ ମୂଲ୍ୟବୋଧ ଆହରଣ କରିପାରିଛି ବୋଲି କୁହାଯାଇ ପାରେ । ନିମ୍ନରେ ଆଲୋଚିତ କେତୋଟି ବିଷୟରୁ ଏହା ସ୍ପଷ୍ଟୀଭୂତ ହୁଏ ।

 

ଶାସକମାନଙ୍କର ବିଳାସ ବାସନା, ବହୁନାରୀ ଭୋଗପ୍ରବୃତ୍ତି, ପ୍ରଜାଶୋଷଣ ମନୋବୃତ୍ତି ତଥା ଅତ୍ୟାଚାରୀ ମନୋଭାବାପନ୍ନ କାର୍ଯ୍ୟକଳାପର ନିନ୍ଦାଗାନ କରି ପ୍ରଜା ଅସନ୍ତୋଷର ବହ୍ନି ରାଜା ତଥା ରାଜ୍ୟର ସର୍ବନାଶ ଘଟାଇଥାଏ ବୋଲି ସାରଳା ସ୍ପଷ୍ଟ ଚେତାବନୀ ଶୁଣାଇଛନ୍ତି । (୧) ପାରିଧି ବା ମୃଗୟାକୁ କ୍ରୀଡ଼ାବିଳାସ ରୂପେ ଗ୍ରହଣ ନକରି ବନ୍ୟଜନ୍ତୁଙ୍କ ଊପଦ୍ରବରୁ ପ୍ରଜାଙ୍କ ରକ୍ଷଣ ନିମନ୍ତେ ଏହା ଏକ ରାଜକର୍ତ୍ତବ୍ୟ ରୂପେ ସେ ଗ୍ରହଣ କରିଛନ୍ତି । (୨) ଶିବପୁରରେ ଚଣ୍ଡାଳମାନଙ୍କ ଉତ୍ପାତକୁ ଦମନ କରି ବିଷ୍ଣୁଙ୍କର ପଣ୍ଡାଙ୍କୁ ଅମାତ୍ୟରୂପେ ଶାଢ଼ୀ ବାନ୍ଧିବା ଦୃଷ୍ଚ୍ରାନ୍ତ କାର୍ଲ ମାର୍କସ୍‌ଙ୍କ ଶ୍ରେଣୀ ସଂଘର୍ଷ ଓ ନିଃସ୍ୱ ଶ୍ରେଣୀୟ ବ୍ୟକ୍ତିର ଆଧିପତ୍ୟ ପ୍ରତିଷ୍ଠା ଆଦର୍ଶର ଏକ ନମୁନା ସ୍ୱରୂପ । (୩) ସିନ୍ଧୁ ନରପତିଙ୍କଦ୍ୱାରା ସ୍ଥାପିତ ଅହିଂସା ଉପନିବେଶ ଗାନ୍ଧୀ, ବିନୋବାଙ୍କ ସର୍ବୋଦୟ ଆଦର୍ଶ ତଥା ମିଳିତ ରାଜ୍ୟଗୋଷ୍ଠୀ ଗଠନ ପରିକଳ୍ପନାର ପୂର୍ବାଭାସ ମାତ୍ର (୪) । ବ୍ରାହ୍ମଣ୍ୟ ଓ ଶାବର ସଂସ୍କୃତିର ସମ୍ମିଶ୍ରଣରେ ଭେଦଭାବଶୂନ୍ୟ ସାର୍ବଜନୀନ ଜଗନ୍ନାଥ ସଂସ୍କୃତିର ଜୟଗାନ ସାରଳାଙ୍କ ଜାତୀୟତାବୋଧର ଚରମ ପରାକାଷ୍ଠା (୫) । ଏହାକୁ ରେନାସାଁ ଯୁଗୀୟ ପାଶ୍ଚାତ୍ୟ ଜାତୀୟତାବାଦ ଆଦର୍ଶର ପୂର୍ବରୂପ ଭାବେ ଗ୍ରହଣ କରାଯାଇ ପାରେ ।

 

ସାରଳା ମହାଭାରତ (ରାଧାରମଣ ପୁସ୍ତକାଳୟ) ଶାନ୍ତିପର୍ବ- ପୃ-୧୧-୧୨ ।

ଆଦ୍ୟପର୍ବ ପୃ-୧୬୪, ବନ- ପୃ- ୧୩୬, ଆଶ୍ରମିକ- ପୃ- ୪୬ ।

ଆଦ୍ୟ- ପୃ- ୨୨୪-୨୨୫ ।

ସଭା- ପୃ-୧୬୫ ।

ମୂଷଳୀ- ପୃ-୨୪-୪୧ ।

 

ସାରଳା ମୂଳ ମହାଭାରତର ଚରିତ୍ରଗୁଡ଼ିକରେ ଆରୋପିତ ଅଲୌକିକତା ବା ଆଧିଦୈବିକତାକୁ ଗ୍ରହଣ ନ କରି ସେମାନଙ୍କଠାରେ ମାନବତ୍ୱର ସନ୍ଧାନ କରି ସମାଜର ସାଧାରଣ ନରନାରୀ ଭାବରେ ଚରିତ୍ରଗୁଡ଼ିକୁ ଉପସ୍ଥାପନ କରିଛନ୍ତି । ପତିତଜନ ପ୍ରତି ଗଭୀର ସମବେଦନା ପ୍ରକାଶ ଦୃଷ୍ଟିରୁ ତାଙ୍କ ଆଦର୍ଶ ତଥା ସମାଜବାଦୀ ମନୋଭାବ ରବର୍ଟ ଉଏନ୍‌, ମାର୍କ୍‌ସ, ମିଲ୍‌, ଗାନ୍ଧୀ ଓ ବିନୋବାଙ୍କ ଆଦର୍ଶର ନିକଟବର୍ତ୍ତୀ, ଏଥିରେ ସନ୍ଦେହ ନାହିଁ । (୬)

 

ଆଦ୍ୟ- ପୃ-୧୦, ୮୮ ଓ ୮୯ ଏବଂ ଡ: ଉପେନ୍ଦ୍ର ନାଥ ମହାନ୍ତି ସଂପାଦିତ-ବିପ୍ଳବୀ କବି ସାରଳା ଦାସ- ପୃ-୪-୯ ।

 

ସାରଳା ମହାଭାରତ ମୁଖ୍ୟତଃ ଏକ ସମର କାବ୍ୟ ଓ ଲୋମହର୍ଷଣକାରୀ ଯୁଦ୍ଧ ବର୍ଣ୍ଣନାରେ ଅତିରଞ୍ଜିତ ହେଲେ ହେଁ, ଏହି ବିପୁଳ ରଣଚର୍ଯ୍ୟା ମଧ୍ୟରେ ସାରଳା ଶାନ୍ତି, ଅହିଂସା ଓ ଶୃଙ୍ଖଳା ଉପରେ ପ୍ରାଧାନ୍ୟ ଦେଇଛନ୍ତି ଏବଂ କ୍ରୋଧ, ଦ୍ୱେଷ, ଈର୍ଷ୍ୟାଦି ମାତ୍ସର୍ଯ୍ୟ ଗୁଣର ନିନ୍ଦା କରିଛନ୍ତି । ଦୟା, କରୁଣା, ବଦାନ୍ୟତା, ଜନସେବା ଓ ଯଜ୍ଞାନୁଷ୍ଠାନର ଉତ୍କର୍ଷ ପ୍ରତିପାଦନ ଲାଗି ସେ ସତତ ପ୍ରୟାସୀ । ଏଣୁ ରଣନୀତି ସଂପର୍କରେ ତାଙ୍କର ‘ଯୁଦ୍ଧ ବିନା ରାଜ୍ୟ ଅଧିକାର’ ନୀତି ଅତି ସୁସ୍ପଷ୍ଟ । ତାଙ୍କ ଭାଷାରେ–

 

ପ୍ରତାପାଦି ଗୁଣ ଥିବ ହୋଇବ ଅକ୍ରୋଧୀ

ପର ଭୂମିକୁ ଘେନିବ ସଂଗ୍ରାମ ନିରୋଧୀ ।

(ଆଦ୍ୟପର୍ବ, ପୃ-୮୯)

 

ଏହା ବ୍ୟତୀତ, ପ୍ରାଚୀନ ଭାରତର ଶ୍ରେଷ୍ଠ ରାଜନୀତିଜ୍ଞ କୌଟିଲ୍ୟଙ୍କ ସହ ସାରଳାଙ୍କ ବିଚାରଧାରାର ତୁଳନାତ୍ମକ ସମୀକ୍ଷାରୁ ମଧ୍ୟ ସାରଳା ଦାସଙ୍କ ସ୍ୱାତନ୍ତ୍ର୍ୟ ତଥା ଯୁଗୋପଯୋଗୀ ଆଦର୍ଶର ସୂଚନା ମିଳେ । କୌଟିଲ୍ୟ ରାଜାମାନଙ୍କର ଆବଶ୍ୟକ ଗୁଣାବଳୀକୁ ଚାରିଭାଗରେ ବିଭକ୍ତ କରି ମୋଟି ୬୪ଗୋଟି ଗୁଣର ଉଲ୍ଲେଖ କରିଛନ୍ତି । (୭) ଯଥା-

 

(କ) ଆଭିଗାମିକ ଗୁଣ– ୧। ମହାକୁଳୀନ ୨। ଦୈବସଂପନ୍ନ ୩। ବୁଦ୍ଧି ସଂପନ୍ନ ୪। ସତ୍ତ୍ୱ ସଂପନ୍ନ ୫। ବୃଦ୍ଧଦର୍ଶୀ ୬। ଧାର୍ମିକ ୭। ସତ୍ୟଭାଷୀ ୮। ଅବିସମ୍ୱାଦକ ୯। କୃତଜ୍ଞ ୧୦। ସ୍ଥୂଳଲକ୍ଷ୍ୟ ୧୧। ମହୋତ୍ସାହ ୧୨। ଦୃଢ଼ ନିଶ୍ଚୟ ୧୩। ଦୀର୍ଘସୂତ୍ରୀ ୧୪। ଶକ୍ୟ ସାମନ୍ତ ୧୫। ପାରିଷଦ ଯୁକ୍ତ ୧୬। ବିନୟକାମ ।

 

(ଖ) ପ୍ରଜ୍ଞାଗୁଣ– ୧। ଶାସ୍ତ୍ର ଶ୍ରବଣେଚ୍ଛା ୨। ଶବ୍ଦବୋଧ ୩। ଅର୍ଥବୋଧ ୪। ଧାରଣ (ସ୍ମରଣ) ଶକ୍ତି ୫। ବିଷୟଜ୍ଞାନ ୬। ତର୍କଜ୍ଞାନ ୭। ଦୋଷ ତ୍ୟାଗ ଓ ୮। ତତ୍ତ୍ୱାଭିନିବେଶ ।

 

(ଗ) ଉତ୍ସାହଗୁଣ- ୧। ଶୌର୍ଯ୍ୟ ୨। ଅମର୍ଷ ୩। ଶୀଘ୍ରତା ଓ ୪। ଦକ୍ଷତା ।

 

(ଘ) ଆତ୍ମସଂପତ୍‌ଗୁଣ– ୧। ବାଗ୍ମୀତା ୨। ପ୍ରଗଳ୍‌ଭତା ୩। ସ୍ମୃତିମାନ୍‌ ୪। ମତିମାନ୍‌ ୫। ବଳବାନ ୬। ଉଦଗ୍ର (ଉନ୍ମତଚିତ୍ତ) ୭। ସଂଯମୀ ୮। କୃତଶିଳ୍ପ (ହସ୍ତୀଅଶ୍ୱାଦି ବିଦ୍ୟାନିପୁଣ) ୯। ଦଣ୍ଡନାୟୀ ୧୦। ପ୍ରତିକାରୀ ୧୧। ହ୍ରୀମାନ ୧୨। ପ୍ରାକୃତିକ ବିପଦରେ ସାହାଯ୍ୟକାରୀ ୧୩। ଦୂରଦର୍ଶୀ ୧୪। ଦେଶକାଳପାତ୍ର ବିବେଚକ ୧୫। ସନ୍ଧିବିଭାଗୀ ୧୬। ଯୋଦ୍ଧା ବା ବିକ୍ରମୀ ୧୭। ଦାନୀ ୧୮। ଶତ୍ରୁଛିଦ୍ର ସନ୍ଧାନୀ ୧୯। ରାଜକୋଷ ରକ୍ଷାକାରୀ ୨୦। ଆତ୍ମଗୋପନକାରୀ ୨୧। ଦୀନଜନ ପ୍ରତି ଦୟାଶୀଳ (ଅଦୀନାଭିହାସୀ) ୨୨। ସୌମ୍ୟବନ୍ତ ୨୩। କାମଶୂନ୍ୟ ୨୪। କ୍ରୋଧଶୂନ୍ୟ ୨୫। ଲୋଭଶୂନ୍ୟ ୨୬। ଗର୍ବଶୂନ୍ୟ ୨୭। ଦ୍ରୋହଶୂନ୍ୟ ୨୮। ଚପଳଶୂନ୍ୟତା ୨୯। ପୈଶୂନ୍ୟ ଶୂନ୍ୟ ୩୦। ପ୍ରିୟ ଭାଷୀ ୩୧। ସ୍ମିତଭାଷୀ ଓ ୩୨। ବୃଦ୍ଧ ଓ ଅଭିଜ୍ଞମାନଙ୍କ ଉପଦେଶ ଅନୁଯାୟୀ କର୍ମଚାରୀ (ବୃଦ୍ଧୋପଦେଶାଚାରୀ) ।

 

ଅନନ୍ତ ରାମକର ସଂପାଦିତ କୌଟିଲ୍ୟ ଅର୍ଥଶାସ୍ତ୍ରମ୍‌ଉତ୍ତରାର୍ଦ୍ଧ-ପୃ ୧୪୪-୧୪୮ ।

 

ସାରଳା ମହାଭାରତରେ ଶାସକମାନଙ୍କ ଗୁଣାବଳୀର ଶାସ୍ତ୍ରୀୟ ବିଭାଗୀକରଣ କରାଯାଇନଥିଲେ ହେଁ ସେସବୁର ବିସ୍ତୃତ ଉଲ୍ଲେଖ ରହିଛି ଏବଂ ସେଥିପ୍ରତି ପ୍ରାଧାନ୍ୟ ଦିଆଯାଇଛି-। ଏପରିକି ଉପର୍ଯ୍ୟୁକ୍ତ ୩୨ଟି ଆତ୍ମସଂପତ୍‌ ଗୁଣର ସୂଚନା ମଧ୍ୟ ପରୋକ୍ଷ ଭାବରେ ମଧ୍ୟ ପର୍ବରେ ପ୍ରଦତ୍ତ ହୋଇଛି ।

 

ବତିଶ ଗୁଣ ଥିଲେ ସେ ହୁଅଇ ଭୂପତି

ତେତିଶ ଗୁଣ ବହିଲେ ହୁଏ ସିନା ମନ୍ତ୍ରୀ ।

(ମଧ୍ୟପର୍ବ-ପୃ-୧୦୫)

 

୧। ନ୍ୟାୟରେ ପ୍ରଜାପାଳନ ୨। ପ୍ରଜାକଷ୍ଟ ନିବାରଣ ୩। ଦୋଷୀ ପ୍ରତି ଉଚିତ ଦଣ୍ଡବିଧାନ ୪। ନିର୍ଦ୍ଦୋଷକୁ କ୍ଷମାଦାନ ୫। ଦେବତା, ବ୍ରାହ୍ମଣ ଓ ଦୀନଜନଙ୍କୁ ଦାନ ୬। ତୀର୍ଥସ୍ଥାନରେ ଦାନ ୭। ଯଜ୍ଞାନୁଷ୍ଠାନ ୮। ହବିର୍ଭାଗ ଦାନ ୯। ଦେବତା ଓ ବ୍ରାହ୍ମଣଙ୍କ ପୂଜା ୧୦। ବ୍ରାହ୍ମଣ, କୃଷକ, ଗୁଣିଜନ ଓ ଗୋଜାତି ପ୍ରତି ଦୟା ପ୍ରଦର୍ଶନ ୧୧। ଗୋପାଳ ଓ ସୈନିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ ୧୨। ଗୋଧନ ଓ ଅଶ୍ୱଗଜାଦିର ସୁରକ୍ଷା ୧୩। ଗୋଚର ଭୂମିର ବ୍ୟବସ୍ଥା ୧୪। ଗୁପ୍ତଚର ମାଧ୍ୟମରେ ସମ୍ୱାଦ ସଂଗ୍ରହ ବ୍ୟବସ୍ଥା ୧୫। ବିଦେଶୀ ଦୂତ ପ୍ରତି ସନ୍ଦେହ ୧୬। ସ୍ତ୍ରୀ ଜାତି ପ୍ରତି ଅବିଶ୍ୱାସ ୧୭। ପରଦାର ଓ ପରଦ୍ରବ୍ୟ ପ୍ରତି ଅନାସକ୍ତି ୧୮। ଲୋଭ ଓ ସଞ୍ଚୟ ମନୋଭାବ ବର୍ଜନ ୧୯। କୁଶଯ୍ୟା କୁସଙ୍ଗ କୁତୀର୍ଥ ବର୍ଜନ ୨୦। ସନ୍ଧି ସ୍ଥାପନ ୨୧। ଶରଣ ରକ୍ଷଣ ୨୨। ସଜ୍ଜନ ପାଳନ ୨୩। ତପୋଧନ ଉଦ୍ଧାରଣ ୨୪। ଜିତେନ୍ଦ୍ରିୟ ୨୫। ବିଜିତ ଆହାରୀ ୨୬। ଶାସ୍ତ୍ରଜ୍ଞ ଓ ଶାସ୍ତ୍ରବିଦ୍ୟା ନିପୂଣ ୨୬। କ୍ରୋଧଶୂନ୍ୟ ୨୮। ଅଭିମାନ ଶୂନ୍ୟ ୨୯। ପାରିଧି ଓ ହିଂସ୍ରଜନ୍ତୁ ଶିକାର ୩୦। ଶତ୍ରୁ ନିଧନ ୩୧। ଦୁଷ୍ଟ ନିବାରଣ ୩୨। ଅନ୍ଧାରୀ ବିଜେକାରୀ ୩୩। ସଂଗ୍ରାମ ନିରୋଧୀ ୩୪। ପ୍ରତାପୀ ୩୫। ସଞ୍ଜାପୂର୍ବକ ରାଜସ୍ୱ ଆଦାୟକାରୀ ୩୬। ପୁରାଣ ପ୍ରବଚନାଦି ବ୍ୟବସ୍ଥା ୩୭। ଏକାଦଶୀ ବ୍ରତ ପାଳନକାରୀ ୩୮। ପ୍ରଜାଙ୍କ ଗୁହାରୀ ଶ୍ରବଣକାରୀ ୩୯। ମନ୍ତ୍ରୀ ପରାମର୍ଶ ଗ୍ରହଣକାରୀ ଓ ତାହା ସମୂହ ପ୍ରଜାମତର ବିପରୀତ ହେବା ସ୍ଥଳେ ବହୁଜନମତ ଗ୍ରହଣ । (୯) (କ୍ରମିକ ସଂଖ୍ୟା ୪, ୮, ୯, ୧୦, ୧୧, ୧୬, ୧୭, ୧୮, ୨୫ରେ ପ୍ରଦତ୍ତ ଏକାଧିକ ଗୁଣାବଳୀ ବିଚାରକୁ ନେଲେ ସମସ୍ତ ରାଜଗୁଣର ମୋଟି ସଂଖ୍ୟା ୫୪ ଅଟେ)

 

ଆଦ୍ୟପର୍ବ- ପୃ-୧୦, ୮୮-୮୯, ୧୩୧, ୨୦୭ ଓ ଶାନ୍ତିପର୍ବ ପୃ-୧୨ ।

୯.

ଲେଖକଙ୍କ ‘ସାରଳା ମହାଭାରତରେ ରାଜନୈତିକ ମୂଲ୍ୟବୋଧ’

ପୃ- ୧୯୧-୧୯୨ ଓ ୩୦୧ ଦ୍ରଷ୍ଟବ୍ୟ ।

 

ଏହି ତୁଳନାତ୍ମକ ବିଚାରରୁ ସୁସ୍ପଷ୍ଟ ଯେ ସାରଳା ଦାସ ଅମର୍ଷ (କ୍ଷମାହୀନତା), ସଂବୃତ (ଆତ୍ମଗୋପନକାରୀ), ସ୍ଥୂଳ ଲକ୍ଷ୍ୟ, ଶତ୍ରୁ ସନ୍ଧାନ, ଦୀର୍ଘସୂତ୍ରୀ, ଆଦି ପାରମ୍ପରିକ ଗୁଣାବଳୀ ଉପରେ ଗୁରୁତ୍ୱ ଦେଇ ନାହାନ୍ତି; ଅପରନ୍ତୁ ଦାନ, ଧର୍ମ, ଦେବାର୍ଚ୍ଚନ, ଯଜ୍ଞାନୁଷ୍ଠାନ ଗୋପାଳନ, ଗୁଣୀଜନ ପ୍ରତି ସମ୍ମାନ, କବି ଓ ଜ୍ଞାନୀଜନଙ୍କର ହିତ ସାଧନ, କୃଷି ଓ କୃଷକର ଉନ୍ନତି ବିଧାନ ତଥା ସୁସ୍ଥ ଓ ଆଦର୍ଶ ସମାଜ ଗଠନ ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି । ତେବେ ଜମି ବନ୍ଦୋବସ୍ତ, କର ନିର୍ଦ୍ଧାରଣ, ମାପ ଓଜନ ନିୟନ୍ତ୍ରଣ, ମୁନାଫାଖୋର ପ୍ରବୃତ୍ତି ନିବାରଣ, ଦରଦାମ ନିୟନ୍ତ୍ରଣାଦି ବିଷୟରେ ସେ କୌଟଲ୍ୟଙ୍କ ଅନୁରୂପ ମତ ପୋଷଣ କରିଛନ୍ତି । ସାରଳାଙ୍କ ସମୟରେ ବିବାହ ପ୍ରଥା, ଜାତିଭେଦ ବିଚାର, ସାମ୍ରାଜ୍ୟଲିପ୍‌ସା, ଧର୍ମଧାରଣା ପ୍ରଭୃତି ଯେଭଳି ମୂଳ ବୈଦିକ ଆଦର୍ଶଠାରୁ ଦୂରେଇଯାଇ ଏକ ବିକୃତ ରୂପ ନେଇଥିଲା, ତାକୁ ପରିମାର୍ଜିତ କରି ମୂଳ ବୈଦିକ ଆଦର୍ଶର ସୁଦୃଢ଼ୀକରଣ ଦିଗରେ ତାଙ୍କର ପ୍ରୟାସ ନିତାନ୍ତ ତାତ୍‌ପର୍ଯ୍ୟପୂର୍ଣ୍ଣ । (୧୦)

 

ସାରଳାଙ୍କ ରାଜନୈତିକ ଦୃଷ୍ଟିଭଙ୍ଗୀର ବିଶ୍ଳେଷଣରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ତାଙ୍କ ନୈତିକତାପୂର୍ଣ୍ଣ ଗଣକଲ୍ୟାଣଧର୍ମୀ ବୈପ୍ଳବିକ ଶାସନାଦର୍ଶ କେବଳ ବୈଦିକ ବା ସ୍ମୃତିଶାସ୍ତ୍ରୀୟ ଆଦର୍ଶର ପରିମାର୍ଜିତ ରୂପ ନୁହେଁ କିମ୍ୱା କୌଟଲ୍ୟ, ବୃହସ୍ପତି ବା ଶୁକ୍ରାଚାର୍ଯ୍ୟଙ୍କ ନୀତିସମୂହର ସମୁନ୍ନତ ବିଚାର ନୁହେଁ; ତଦୁପରି, ତାହା ବିଶ୍ୱର ଅଧିକାଂଶ ରାଜନୈତିକ ତତ୍ତ୍ୱର ଅନୁରୂପ ତଥା ସେସବୁର ସଂକ୍ଷିପ୍ତସାର ଭଳି ମନେହୁଏ । ସାରଳାଙ୍କ ରାଜନୈତିକ ଆଦର୍ଶରେ ପ୍ଳାଟୋ ଓ ଆରିଷ୍ଟୋଟଲଙ୍କ ଚିନ୍ତାଧାରାର ସାମ୍ୟ ପରିଲକ୍ଷିତ ହେବା ହୁଏତ ଅସ୍ୱାଭାବିକ ମନେ ହୋଇ ନପାରେ, କିନ୍ତୁ ଜିନ ବୋଦାଂଙ୍କ ନ୍ୟାୟବାନ ରାଜା, ଫିଲିପ ମାଲାଙ୍କଥାନଙ୍କ ମିଳିତ ରାଜ୍ୟଗୋଷ୍ଠୀ ପରିକଳ୍ପନା, ଜ୍ୱିଙ୍ଗଲିଙ୍କର ଗଣତାନ୍ତ୍ରିକ ରାଷ୍ଟ୍ରଚେତନା ଏବଂ ମିଲ, ହିଗଲ୍‌, ଗ୍ରୀନ, ମେରିୟାନା ପ୍ରମୁଖଙ୍କ ବ୍ୟକ୍ତିଚେତନା, ମାନବତାବାଦ, ଆଧ୍ୟାତ୍ମିକତା, ଗଣମଙ୍ଗଳ ଧାରଣାଦି ସହିତ ସାରଳାଙ୍କ ଆଦର୍ଶ ଯେ ସାମଞ୍ଜସ୍ୟ ରକ୍ଷାକରି ପାରୁଛି ଏହା କଦାପି କମ ତାତ୍‌ପର୍ଯ୍ୟପୂର୍ଣ୍ଣ ନୁହେଁ । ଏହା ବ୍ୟତୀତ, ଚଳିତ ଶତାବ୍ଦୀର ରବର୍ଟ ଭଏନ୍‌, ମାର୍କସ, ଏଞ୍ଜେଲସ, ଲେନିନ, ସୋରେଲ, ଟଲଷ୍ଟୟ ପ୍ରମୁଖଙ୍କ ବୈପ୍ଳବିକ ଚିନ୍ତାଧାରାର ଆଭାସ ମଧ୍ୟ ସାରଳାଙ୍କ ରଚନାରେ ପରିସ୍ଫୁଟ । ଏପରିକି, ଗାନ୍ଧୀ, ନେହେରୁ, ତିଳକ, ଗୋଖଲେ, ଲାଲାଜୀ, ବିନୋବା, ବିବେକାନନ୍ଦ, ଅରବିନ୍ଦ, ଗୋପବନ୍ଧୁଙ୍କ ଆଦର୍ଶାବଳୀର ପ୍ରାକ୍‌ସୂଚନା ସାରଳା ମହାଭାରତରେ ଉପଲବ୍‌ଧ । (୧୧)

 

୧୦

ତତ୍ରୈବ- ପୃ-୩୦୩-୩୦୪ ।

୧୧.

‘ସାରଳା ମହାଭାରତରେ ରାଜନୈତିକ ମୂଲ୍ୟବୋଧ’ ଗ୍ରନ୍ଥର ୭ମ ପରିଛେଦରେ ସବିଶେଷ ବର୍ଣ୍ଣନା ଉପଲବ୍‌ଧ ।

 

ଏସବୁ ଦୃଷ୍ଟିରୁ ସାରଳାଙ୍କ ରାଜନୈତିକ ଆଦର୍ଶାବଳୀ ଯେ ପାରମ୍ପରିକ ଚେତନାର ବାହକ ଓ ନିଜସ୍ୱ ପୁରୋଦୃଷ୍ଟି ସମୃଦ୍ଧ ଏହା ନିଃସନ୍ଦେହ । ଏହି ଦ୍ୱିବିଧ ଆଦର୍ଶର ସ୍ୱରୂପ ନିମ୍ନରେ ପ୍ରଦତ୍ତ ତୁଳନାତ୍ମକ ବିବରଣୀରୁ ସୁସ୍ପଷ୍ଟ ହେବ । ପୁନଶ୍ଚ, ସାରଳାଦାସଙ୍କ ଆଦର୍ଶାବଳୀ ତାଙ୍କ ସମୟରେ କିଭଳି ଦୂରଦୃଷ୍ଟି ସମ୍ପନ୍ନ ଭବିଷ୍ୟଦର୍ଶୀ ତାହା ମଧ୍ୟ ସହଜରେ ଅନୁମେୟ ।

 

ଆଦୃତ ପରମ୍ପରା

ନିଜସ୍ୱ ପୁରୋଦୃଷ୍ଟି

ଗଣମତ ଓ ଗୁଣୀଜନ ପ୍ରତି ସମ୍ମାନ

ସାମୂହିକ ଗଣକଲ୍ୟାଣ ।

ହିତୈଷୀ ଏକଛତ୍ରବାଦ

ନିଃସ୍ୱଶ୍ରେଣୀର ଅଭ୍ୟୁତ୍‌ଥାନ ।

ସୀମିତ ଯୁଦ୍ଧ ଓ ମାର୍ଜିତ କୁଟନୀତି

ଆଇନ ଓ ନ୍ୟାୟପ୍ରତି ସମ୍ମାନ ।

କୃଷି ଓ କୃଷକର ଉନ୍ନତି,

ଶାସିତଙ୍କ ସନ୍ତୋଷବିଧାନ ।

ଗୋଜାତି ଓ ଗୋଚର ବିକାଶ

ପ୍ରତିରୋଧ ଓ ସନ୍ତୁଳନ ନୀତି ।

ହିଂସ୍ରଜନ୍ତୁ ଉପଦ୍ରବ ନିବାରଣ

ଅନ୍ତର୍ବର୍ତ୍ତୀ ସରକାର ଭାବନା ।

ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷା

ସଂଘୀୟ ରାଜ୍ୟ ପରିକଳ୍ପନା ।

ଶତ୍ରୁ ଆକ୍ରମଣରୁ ସୁରକ୍ଷା

ରାଜ୍ୟଗୋଷ୍ଠୀ ଚିନ୍ତାଧାରା ।

ସମୁଚିତ ରାଜସ୍ୱ ଆଦାୟ ନୀତି

ସାମାଜିକ ସାମ୍ୟଭାବନା ।

ବୃତ୍ତିଭିତ୍ତିକ କର୍ମ ବିଭାଜନ

ନାଗରିକ ଅଧିକାର ଚେତନା ।

ଗୁପ୍ତଚର ବ୍ୟବସ୍ଥା ଓ ଅନ୍ଧାରୀବିଜେ

ଶାନ୍ତି, ମୈତ୍ରୀ ଓ ମାନବବାଦ ।

ପୁରାଣ ଓ ଜ୍ୟୋତିଷଶାସ୍ତ୍ରରେ ବିଶ୍ୱାସ

ସର୍ବଧର୍ମ ସମନ୍ୱୟ ଚେତନା ।

ଅହିଂସା, ସଂଯମ ଓ ଶୃଙ୍ଖଳା

ବର୍ଣ୍ଣଭେଦ ବିରୋଧ ।

ତୀର୍ଥାଟନ ଓ ଯଜ୍ଞାନୁଷ୍ଠାନ

ଯୁବତୀ ବିବାହ ଓ ପରିବାର ନିୟନ୍ତ୍ରଣ

ଦାନ, ଧର୍ମ ଓ ଦେବାର୍ଚ୍ଚନ

ବାସଗୃହ ଯୋଗାଣ ।

ସାକାର ଓ ନିରାକାର ଉପାସନା

ଉନ୍ନତ ଶିକ୍ଷା ଓ ଚିକିତ୍ସା ବ୍ୟବସ୍ଥା

ଗୁରୁ ଦକ୍ଷିଣା ଓ ଅତିଥିସତ୍କାର

ବାଣିଜ୍ୟ ବ୍ୟବସାୟ ନିୟନ୍ତ୍ରଣ ।

ନାରୀଜାତି ପ୍ରତି ସମ୍ମାନ

ମାପ ଓଜନ ନିର୍ଦ୍ଧାରଣ

ବୃକ୍ଷରୋପଣ, କୂପତଡ଼ାଗ ଖନନ

ଜଳସେଚନ ଓ ବନୀକରଣ ।

ଜଳଛତ୍ର ଓ ଅନ୍ନଦାନ ଇତ୍ୟାଦି ।

ଶିଳ୍ପବିକାଶ ଓ ନିଶାନିବାରଣାଦି ।

 

ସଂକ୍ଷେପରେ ପ୍ରକାଶ କଲେ, ସାରଳା ଦାସଙ୍କ ଆଦର୍ଶାବଳୀ ଅତୀତ ଓ ଭବିଷ୍ୟତର ରାଜନୈତିକ ଚେତନା ସ୍ରୋତର ଏକ ସଂଯୋଗ ସେତୁ । ଥମାସ୍‌ ମୂର୍‌ଙ୍କ ‘ୟୁଟୋପିଆ’ ଓ କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ ଭଳି ତାଙ୍କର ଆଦର୍ଶ ସମୂହ ପରବର୍ତ୍ତୀ କାଳର ଉଭୟ ପାଶ୍ଚାତ୍ୟ ଓ ଭାରତୀୟ ରାଜନୈତିକ ତତ୍ତ୍ୱାବଳୀ ମଧ୍ୟରେ ଉପଲବ୍‌ଧ ହୁଏ । ଏଥିଯୋଗୁଁ ସାରଳାଙ୍କ ରାଜନୈତିକ ଆଦର୍ଶଗୁଡ଼ିକୁ କାଳାତୀତ ଓ ଶାଶ୍ୱତ ମୂଲ୍ୟବୋଧର ପ୍ରତୀକ ରୂପେ ଗ୍ରହଣ କରାଯିବା ବିଧେୟ ।

 

ଅର୍ଥପରାମର୍ଶଦାତା,

ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଭୁବନେଶ୍ୱର

***

 

ଭୀମଭୋଇ ଓ ଖଲିଆପାଲି

ଶ୍ରୀ ରାଜେନ୍ଦ୍ର ପ୍ରସାଦ ମିଶ୍ର

 

      କୌଣସି ପ୍ରତିଭା ପ୍ରତିଭାତ ହେବା ପୂର୍ବରୁ ସେଥିପ୍ରତି ସମାଜ ଓ ଶାସନର ନଜର ନଥାଏ । ପରବର୍ତ୍ତୀ କାଳରେ ସେହି ପ୍ରତିଭାର ମୂଲ୍ୟାୟନ ଓ ଜୀବନୀ ସ୍ଥିର କରିବାକୁ ଇତିହାସକୁ କେତେକ କିମ୍ୱଦନ୍ତୀ, ଜନଶ୍ରୁତି ତାଙ୍କର ରଚନାବଳୀରେ ପରୋକ୍ଷ-ପ୍ରତ୍ୟକ୍ଷ ଭାବରେ ସୂଚିତ ଜୀବନବୃତ୍ତକୁ ଆଧାର କରି ଆଗେଇବାକୁ ପଡ଼ିଥାଏ । ମହାତ୍ମା ଭୀମଭୋଇଙ୍କ ଜୀବନରେ ତାହାହିଁ ଘଟିଥିଲା । ଶିକ୍ଷା ଓ ସଭ୍ୟତାରୁ ବଞ୍ଚିତ, ନୀଚ କନ୍ଧ ଜାତିରେ ଜନ୍ମିତ ମହାତ୍ମା ଭୀମଭୋଇ କେବେହେଲେ କବି ଓ ମହାତ୍ମା ଭାବରେ ପ୍ରତିଷ୍ଠିତ ହେବାର ‘ବାସନା’ ରଖି ନଥିଲେ । ସତ୍ୟ ମହିମା, ଧର୍ମ ଅର୍ଚ୍ଚନା ଓ ପ୍ରସାର ନିମିତ୍ତ ରଚିତ ଭଜନାବଳୀ ହିଁ ଏକ ଉତ୍କୃଷ୍ଟ ସାହିତ୍ୟ ଭାବରେ ପ୍ରତିଷ୍ଠିତ । ତେଣୁ ସେ ନିଜେ ସ୍ୱଭାବତଃ ନିଜ ଜୀବନୀ ସମ୍ପର୍କରେ ସଚେତନ ନଥିଲେ । ଦେଖାଯାଇଛି ଭୀମଭୋଇଙ୍କ ରଚିତ ଗ୍ରନ୍ଥମାନଙ୍କରେ କାଁ ଭାଁ ତାଙ୍କର ଜୀବନୀ ଲିଖିତ । ଏତଦ୍‌ବ୍ୟତୀତ ତାଙ୍କ ଜୀବନୀ ସମ୍ପର୍କରେ ଅନ୍ୟ କୌଣସି ତତ୍‌କାଳୀନ ଲିପିବଦ୍ଧ ତଥ୍ୟ ମିଳିନାହିଁ । ତେଣୁ ମହାତ୍ମା ଭୀମଭୋଇଙ୍କ ଜୀବନୀ ସମ୍ପର୍କରେ କିଛି ଜାଣିବାକୁ ହେଲେ, ତାଙ୍କ ସ୍ୱରଚିତ ଗ୍ରନ୍ଥ ଓ ଜନଶ୍ରୁତି- ଏ ଦୁଇଟିକୁ ଆଧାର ଭାବରେ ଗ୍ରହଣ କରାଯାଇ ପାରେ, କିନ୍ତୁ ଐତିହାସିକ ଦୃଷ୍ଟିକୋଣରୁ ତାଙ୍କର ସାହିତ୍ୟ ‘ଅଳଙ୍କାର’ରେ ଦୂଷିତ ଓ ଜନଶ୍ରୁତି ନାନା କଳ୍ପନା ଜଳ୍ପନାର ସମ୍ମିଶ୍ରଣରେ ଉଭଟ । ଉଦାହରଣ ସ୍ୱରୂପ କବିଙ୍କ ଅନ୍ଧତ୍ୱ । ମହାତ୍ମା ଭୀମଭୋଇ ଲେଖନ୍ତି- ‘‘ବେନି ଭୂଜରେ ପ୍ରତ୍ୟେକ୍ଷେ ଦେଖିଅଛି ଥିଲା ଶଙ୍ଖଚକ୍ର ଚିହ୍ନ’’ । ଅନ୍ୟ ପକ୍ଷରେ ଭୀମଭୋଇଙ୍କ ଆବିର୍ଭାବ ସମ୍ପର୍କରେ ଜନଶ୍ରୁତିରୁ କହିବାକୁ ଯାଇ କବିରାଜ ରାହାସ ବିହାରୀ ଦାସ ‘ଶ୍ରୀଗୁରୁ ମହାତ୍ମା’ରେ ଲେଖନ୍ତି ‘‘ନୀରବ ପଲ୍ଲବ ଉପରେ ଦୁର୍ଲ୍ଲଭ ପୁରୁଷ ଶୂନ୍ୟରୁ ଆସି/ କରିଛି ଶୟନ ଦିଶଇ ଶୋଭନ ଯାଜ୍ଜଲ୍ୟ ରୂପ ପ୍ରକାଶି ଯେ’’ । ତେଣୁ ଏପରି ପରିସ୍ଥିତିରେ କୌଣସି ସିଦ୍ଧାନ୍ତରେ ଉପନୀତ ହେବାକୁ ହେଲେ ଅନେକ ସମୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

 

୨। ମହାତ୍ମା ଭୀମଭୋଇ ତାଙ୍କର ଛୟାଳିଶରୁ ପଚାଶବର୍ଷ ଜୀବନ କାଳରେ ଏକ ତୃତୀୟାଂଶରୁ ଅଧିକ ଅର୍ଥାତ୍‌ଅଠର ବର୍ଷ (୧୮୭୭-୧୮୯୫) ସମୟ ପୂର୍ବତନ ସୋନପୁର ଗଡ଼ଜାତ ରାଜ୍ୟର ଖଲିଆପାଲି ଠାରେ ଅତିବାହିତ କରିଥିଲେ । ଜୀବନର ପ୍ରାରମ୍ଭିକ ଷୋହଳବର୍ଷକୁ ବାଦ ଦେଲେ ତାଙ୍କ ସାଧନା ସମୟର ଅର୍ଦ୍ଧାଂଶ ଖଲିଆପାଲିର ପାଣିପବନରେ ଅତିବାହିତ କରି ସତ୍ୟ ମହିମା ଧର୍ମ ପ୍ରଚାର ସହିତ ଲୋକ ସମ୍ପର୍କ ରଖିଥିବା ସ୍ୱାଭାବିକ । ମହିମା ଗୋସେଇଁଙ୍କ ‘ଆଜ୍ଞା’ରେ ଧର୍ମପ୍ରଚାରକ ଭାବରେ ଗୋଡ଼ କାଢ଼ିବା ଦିନଠାରୁ ହିଁ ଉଭୟେ ହରି ପଣ୍ଡା ଓ ବସୁ ପଣ୍ଡା ନିରବଚ୍ଛିନ୍ନ ଭାବରେ ଭୀମଭୋଇଙ୍କୁ କାବ୍ୟ ଲିଖନରେ ସାହାଚର୍ଯ୍ୟ ଦେଇଥିବା ଅନସ୍ୱୀକାର୍ଯ୍ୟ । ମହାତ୍ମା ଭୀମଭୋଇ ମହାତ୍ମା ଭାବରେ ବିଖ୍ୟାତ ହୋଇ ଗଲାପରେ ଏବଂ ଏପରିକି ତାଙ୍କ ଦେହାବସାନ ପରେ ମଧ୍ୟ ଉଭୟେ ନିଷ୍ଠାପର ଭାବରେ ମଠ ପରିଚାଳନା କରିଥିଲେ । ଭୀମଭୋଇ ଗ୍ରନ୍ଥାବଳୀର ସଂଗ୍ରାହକ କରୁଣାକର ସାହୁ ମୁଖବନ୍ଧରେ ଲେଖନ୍ତି ଯେ ଭୀମଭୋଇ ‘ଜୀବନ କାଳରେ ଯୋରନ୍ଦା ଯାଇ ନାହାନ୍ତି’’ । ସୁନାମଧନ୍ୟ ଐତିହାସିକ ଏନ୍‌ଚାର୍ଲଟ୍‌ ଆଇସମେନ ତାଙ୍କର ‘ମହିମାଧର୍ମ’ ସଂଦର୍ଭରେ ଲେଖନ୍ତି ଯେ ମହିମା ଗୋସେଇଁଙ୍କ ଦେହାବସାନ ପରେ ୧୮୭୬ରେ ଯୋରନ୍ଦାରେ ଗଠିତ ମହିମା ସଭା (Council)ରେ ସଭ୍ୟ ଭାବରେ ଭୀମଭୋଇ ଗୃହୀତ ହୋଇଥିଲେ ମଧ୍ୟ ମଠ ଓ ସମାଧି ମନ୍ଦିର ନିର୍ମାଣରେ ଅଂଶଗ୍ରହଣ କରି ନଥିଲେ । ତେଣୁ ମହାତ୍ମା ଭୀମଭୋଇଙ୍କ ଜୀବନୀ ସମ୍ପର୍କରେ ଅବହିତ ହେବାପାଇଁ ରେଢ଼ାଖୋଲ ରାଜ୍ୟ ଏବଂ ଯୋରନ୍ଦା ଅପେକ୍ଷା ଖଲିଆପାଲିକୁ ଅଧ୍ୟୟନର କେନ୍ଦ୍ର ଭାବରେ ଗ୍ରହଣ କଲେ ଅଧିକ ତଥ୍ୟ ମିଳିପାରିବ ଓ ତାତ୍ତ୍ୱିକ (Histriocity) ଦୃଷ୍ଟିରୁ ଉତ୍କୃଷ୍ଟ ହେବ ।

 

୩। ଖଲିଆପାଲି ବାସିନ୍ଦା ଶ୍ରୀ ରାହାସ ବିହାରୀ ଦାସ ଭୀମଭୋଇଙ୍କ ସହକର୍ମୀ ହରି ପଣ୍ଡାଙ୍କଠାରୁ ଶୁଣି ତାଙ୍କର ପୁସ୍ତିକା ‘ଶ୍ରୀ ଗୁରୁ ମହାତ୍ମା’ରେ ଭୀମଭୋଇଙ୍କ ଜନ୍ମସ୍ଥାନ ଓ ସୋନପୁର ରାଜା ନୀଳାଧର ସିଂହଙ୍କ ମହିମା ଧର୍ମ ପ୍ରତି ମନୋଭାବ ସମ୍ପର୍କରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପରିବେଷଣ କରନ୍ତି । (ଆହେ ସୁଜ୍ଞ ଜନେ ଦୋଷ ମୋ ନଘେନ ଯାହା କରିଛି ଲିଖନ/ ହରିପଣ୍ଡା ବ୍ରହ୍ମଚାରୀଙ୍କ ମୁଖରୁ ଶୁଣିଥିଲି ଯାହା ପୁଣ ଯେ’’) । ମହାତ୍ମା ଭୀମଭୋଇଙ୍କ ଜନ୍ମ ସମ୍ୱନ୍ଧରେ ଅନେକ କଥା ଶୁଣିବାକୁ ମିଳେ । କେତେକ କହନ୍ତି ଯେ ଭୀମଭୋଇ ରେଢ଼ାଖୋଲ ଅନ୍ତର୍ଗତ ‘ଗ୍ରାମଡ଼ିହ’ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଅନ୍ୟ କେତେକଙ୍କ ମତରେ ତାଙ୍କୁ ବଲାଙ୍ଗୀର ଜିଲ୍ଲାର ବୀର ମହାରାଜପୁର ଥାନା ଅନ୍ତର୍ଗତ ‘ଜଟାସିଂଗା ତାଳବଣିଆଁ’ରୁ କନ୍ଧ ଦମ୍ପତି ଗୋଟାଇ ଆଣିଥିଲେ । ଆଉ ଏକ ମତରେ କନ୍ଧବସତି ନଥିବା ‘ଯୋରନ୍ଦା’ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପୁଣି କୁହାଯାଏ ଯେ ସେ ରେଢ଼ାଖୋଲର କନ୍ଧରା ଗ୍ରାମରେ ରହି ‘କଙ୍କଣ ପଡ଼ା’ଠାରେ କୁଠିଆ ଭାବରେ ରହୁଥିଲେ । କିନ୍ତୁ ‘ଶ୍ରୀ ଗୁରୁ ମହାତ୍ମା’ ପୁସ୍ତିକା ଏକ ନୂତନ ଦିଗ୍‌ଦର୍ଶନ ଦିଏ । ଏହା ଅନୁସାରେ ମହାତ୍ମା ଭୀମଭୋଇଙ୍କ ଜନ୍ମ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ସବଡ଼ିଭିଜନର ‘ପାଇକଶର’ଠାରେ ହୋଇଥିଲା । ସେହି ଗ୍ରାମର ସରୋବରରୁ ତାଙ୍କୁ ଉଦ୍ଧାର କରାଯାଇ ସମଗ୍ର ଗ୍ରାମବାସୀଙ୍କ ଉପସ୍ଥିତିରେ ସେଠାକାର ଗ୍ରାମାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଲାଳନ ପାଳନ ପାଇଁ ଅପୁତ୍ରିକ ଜନାର୍ଦ୍ଦନ ଭୋଇଙ୍କୁ ସମର୍ପଣ କରାଗଲା । (ଜନାର୍ଦ୍ଦନ ଭୋଇ ଘରେ ପୁତ୍ର ନାହିଁ ନେଉ ବୋଇଲେ କୁମର ଯେ) । ଭୀମଭୋଇଙ୍କୁ ପାଞ୍ଚ ବର୍ଷ ହେଲା ବେଳକୁ ଜନାର୍ଦ୍ଦନଙ୍କ ମୃତ୍ୟୁ ହେଲା । ତାଙ୍କ ଭାଇ ଏ ଖବର ପାଇ ରେଢ଼ାଖୋଲରୁ ଆସି ନିଜେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରି ଉଭୟ ମାତା ପୁତ୍ରଙ୍କୁ ସାଙ୍ଗରେ ନେଇ କଙ୍କଣ ପଡ଼ାରେ ରହିଥିଲେ । ‘ପାଇକଶର’ ଗ୍ରାମ ଅଦ୍ୟାବଧି ବିଦ୍ୟମାନ । ବର୍ଣ୍ଣନାନୁସାରେ ଏକ ସରୋବର ମଧ୍ୟ ଅଦ୍ୟାବଧି ରହିଅଛି ।

 

୪। ଏନ୍‌ଚାର୍ଲଟ୍‌ ଆଇସମେନ ତାଙ୍କର ଅଗ୍ରଗଣ୍ୟ ପ୍ରବନ୍ଧ ‘ମହିମା ଧର୍ମ’ରେ ଉଲ୍ଲେଖ କରନ୍ତି ଯେ ‘‘He (Bhima Bhoi) built his own Ashram in Khaliapale with the ‘consent of the Raja of Sonepur, Niladhar Singh.’’ ଏ ସମ୍ପର୍କରେ ସମସ୍ତ ଐତିହାସିକ ଓ ସମାଲୋଚକ ଏକମତ । କିନ୍ତୁ ‘ଶ୍ରୀ ଗୁରୁ ମହାତ୍ମା’ ଅନୁସାରେ ଗୁଲୁଣ୍ଡା (ଯୁଲୁଣ୍ଡା) ମଠକୁ ତୀର୍ଥଚାରୀ ନାଗା ବାବାମାନେ ଆସି ‘ଉଦ୍ଧତ’ ହେବାରୁ ଭୀମଭୋଇ ତାଙ୍କ ସହଚରମାନଙ୍କ ସହିତ ଶଙ୍କରାବାଟ ଦେଇ ଆସି ଭୂର୍ଷାପାଲିଠାରେ ‘ମାସେ’ ରହିଲେ । (ଏକ ମାସ ତହିଁ ପୂର୍ଣ୍ଣମୀ ଶେଷ କରି) । ମହିମା ଗୋସେଇଁଙ୍କ ଦେହତ୍ୟାଗର ଠିକ୍‌ ଏକବର୍ଷ ପରେ ଖଲିଆପାଲି ଗୌନ୍ତିଆ ତ୍ରିଲୋଚନ ବଗର୍ତ୍ତୀଙ୍କଦ୍ୱାରା ଆହୂତ ହୋଇ ଖଲିଆପାଲିକୁ ଆସି ମଠ ସ୍ଥାପନ କଲେ । (ସମାଦର କରି ଗ୍ରାମର ଲୋକେ ପାଛୋଟି ଆଣି / ଗ୍ରାମ ଅଧିକାରୀ ମହିମା ଗୁରୁ ମହିମା ଜାଣିହେ, ତୋଳାଇଲେ ମଠ ଗ୍ରାମର ପୂର୍ବଦିଗେ ବହନ / ରହିଲେ ଶ୍ରୀଗୁରୁ ତହିଁରେ ସଙ୍ଗେ ଭକତ ଗଣ) ସପ୍ତପାବଚ୍ଛ ବିଶିଷ୍ଟ ୧୪ ହାତ ଦୈର୍ଘ୍ୟ ଓ ପ୍ରସ୍ଥ ମଞ୍ଚ ଉପରେ ପୂର୍ଣ୍ଣମୀ ଯାତ୍ରାପାଳନ ହେଉଥିଲା । ମହାତ୍ମା ଭୀମଭୋଇଙ୍କୁ ‘ପହଣ୍ଡି ମଣାଇଁ’ ମଞ୍ଚ ଉପରକୁ ଅଣାଯାଉଥିଲା ଓ ସପ୍ତାମୃତ ‘ପୟରେ’ ତାଙ୍କ ପାଦ ପ୍ରକ୍ଷାଳନ କରି ଭକ୍ତମାନେ ‘ପାଦଉଦକ’ ପାଦ କରୁଥିଲେ । ସୋନପୁର ରାଜ୍ୟର ତତ୍‌କାଳୀନ ରାଜା ନୀଳଧର ସିଂହ ବ୍ରାହ୍ମଣ୍ୟଧର୍ମର ପୃଷ୍ଠପୋଷକ ଥିଲେ । କେହି କେହି କହନ୍ତି ଯେ, ନୀଳଧର ସିଂହ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକ ହେଲେ ମଧ୍ୟ ଅନ୍ୟ ଧର୍ମ ପ୍ରତି ଉଦାର ମନୋଭାବ ପୋଷଣ କରୁଥିଲେ । କିନ୍ତୁ ଯେତେବେଳେ ଭୀମଭୋଇ ନୀଚ କନ୍ଧ ଜାତିରେ ଜନ୍ମିତ ହୋଇଥିଲେ ମଧ୍ୟ ବ୍ରାହ୍ମଣମାନଙ୍କୁ ମହିମା ଧର୍ମରେ ଦୀକ୍ଷିତ କରି ସେମାନଙ୍କୁ ପଦୋଦକ ସେବନ ନିମିତ୍ତ ଦେଉଥିବାରୁ ଓ ତାଙ୍କଠାରୁ ପୂଜା ଅର୍ଚ୍ଚନା ଗ୍ରହଣ କରୁଥିବାରୁ ବ୍ରାହ୍ମଣଧର୍ମ ମୁକାବିଲାର ସମ୍ମୁଖୀନ ହେଲା । ଫଳରେ ବ୍ରାହ୍ମଣମାନଙ୍କ ତୀବ୍ର ବିରୋଧ ହେବାରୁ ରାଜା ନୀଳାଧରଙ୍କ ଦରବାରକୁ ତାଙ୍କୁ ଡାକରା ହେଲା । ନିଜେ ଭୀମଭୋଇ ନ ଯାଇ ହରି ପଣ୍ଡା, ବସୁ ପଣ୍ଡା ଓ ଅନ୍ୟାନ୍ୟ ଶିଷ୍ୟମାନେ ଦରବାରକୁ ଯାଇଥିବା ପ୍ରକାଶ (ଶ୍ରୀଗୁରୁ ମହାତ୍ମା- ଭୀମଭୋଇ କନ୍ଧ ଜାତିରେ ଏହା ବଡ଼ ଅନୀତି / ବ୍ରାହ୍ମଣ ବୈଷ୍ଣବ ତାହାକୁ ପୂଜା କରନ୍ତି ନିତି । x x x ଶୁଣିଲା ବେଳୁ ସେ ବିଷୟ ହୃଦୟ କମ୍ପେ ବିଶେଷ / ଯାଅ ତାକୁ ଧରି ଆଣିବ କହି ରାଜା ଆଦେଶ) ଦରବାରରେ ଅଗ୍ନି ପରୀକ୍ଷା ଦେଇ ମହାତ୍ମ୍ୟର ପରିଚୟ ଦେବାକୁ ରାଜାଦେଶ ହେଲା । କିନ୍ତୁ ପୂଜା ସାମଗ୍ରୀ ଯୋଗାଡ଼ ହୋଇ ନ ପାରିବାରୁ ଯୁବରାଜଙ୍କ ଅନୁଗ୍ରହରେ ଏହା ‘ସାତଦିନ’ ପାଇଁ ବାତିଲ କରାଗଲା-। ମାତ୍ର ଉକ୍ତ ସମୟ ଆସିବା ପୂର୍ବରୁ ରାଜାଙ୍କ ଦେହାନ୍ତ ହୋଇଥିବା ଏ ପୁସ୍ତିକାରୁ ପ୍ରକାଶ-। ସୋନପୁର ଷ୍ଟେଟ୍‌ର ତୃତୀୟ ବନ୍ଦୋବସ୍ତ ଯାହା ୧୯୧୧ ରୁ ୧୯୨୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଥିଲା-। ସେଥିରେ ଏ ମଠର ଜମିଜମା ସଂପର୍କରେ ଆଦୌ କୌଣସି ତଥ୍ୟ ନାହିଁ । ହରି ପଣ୍ଡାଙ୍କ ନାମରେ ତିରିଶି ଏକର ଜମି ରୟତି ଅଛି ।

 

ଶୁଣାଯାଏ ଯେ ପ୍ରଥମ ଥର ଅଗ୍ନି ପରୀକ୍ଷା ହୋଇ ନ ପାରି ଫେରି ଆସିବା ପରେ ସୋନପୁର ରାଜପ୍ରାସାଦ ନିଆଁରେ କିଛି ସମୟ ପାଇଁ ହୁତାଶନ ହୋଇଥିଲା । ଏପରି ଅନେକ ଅଲୌକିକ ଘଟଣାମାନ ଭୀମଭୋଇଙ୍କ ସମ୍ପର୍କରେ ଶୁଣାଯାଏ । ଭୀମଭୋଇ ଗ୍ରନ୍ଥାବଳୀର ସଂଗ୍ରାହକ ଶ୍ରୀ କରୁଣାକର ସାହୁ ମୁଖବନ୍ଧରେ ଲେଖନ୍ତି- ସମୟେ ସମୟେ ଭୀମ ସ୍ତ୍ରୀ ବେଶ ଧାରଣ କରୁଥିବାର ଶୁଣାଯାଏ ।’’ ଏହା ଭୀମଭୋଇଙ୍କ ତାନ୍ତ୍ରିକ ସାଧନା । ଏବେ ମଧ୍ୟ କନ୍ଧମାନେ ତନ୍ତ୍ରବଳରେ ବାଘର ରୂପ (ପାଲଟା ବାଘ) ହେଉଥିବାର ଶୁଣାଯାଏ । ଯଥାର୍ଥରେ ଏନଚାର୍ଲଟ ଆଇସ୍‌ମେନ୍‌ ତାଙ୍କର ମହିମାଧର୍ମ ସନ୍ଦର୍ଭରେ ଲେଖନ୍ତି ‘a rather tantric trend developed in Khaliapale ?’

 

ଭୀମଭୋଇଙ୍କର ଏତାଦୃଶ ସେବା-ପୂଜା ଘେନି ମଠ ସ୍ଥାପନା ଫଳରେ ତାଙ୍କୁ ଯେ କେବଳ ରାଜଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିଲା ତାହା ନୁହେଁ ଗୁରୁଆଜ୍ଞା ନିୟମ ନିଷ୍ଠାରୁ ବିଚଳିତ ହେବାର ମନେ କରାଯାଇ ତାଙ୍କ ନିକଟରୁ କୌଣସି ପ୍ରକାର ଭିକ୍ଷାଦ୍ରବ୍ୟ ମହିମା ସନ୍ନ୍ୟାସୀମାନେ ଗ୍ରହଣ କରିବେ ନାହିଁ ବୋଲି ନିଷେଧାଦେଶ ଜାରି ହେଲା । ଏହା ଅଦ୍ୟାବଧି ପାଳିତ ହେଉଅଛି ।

 

ଯୋରନ୍ଦା ଗାଦି ମନ୍ଦିର ଏବଂ ଖଲିଆପାଲି ମଠ ଓ ଗାଦି ମନ୍ଦିର ସତ୍ୟ ମହିମା ଧର୍ମର ଦୁଇଟି ଦିଗ । ଗୋଟିଏ ହେଲା ଡୋର କଉପୀନଧାରୀ ଅବଧୂତ ସନ୍ନ୍ୟାସୀ ଏବଂ ଅନ୍ୟଟି ହେଲା ଗୃହସ୍ଥ ଭକ୍ତ । ଯେପରି ସିଦ୍ଧ ଗୋବିନ୍ଦବାବା ପ୍ରଭୁଙ୍କ ଠାରେ ବଳ୍‌କଳବାନା ଗ୍ରହଣ କରି ଆଜି ଅବଧୂତ ପରମ ସନ୍ନ୍ୟାସୀ ହୋଇଥିଲେ । ସେହିପରି ଭକ୍ତ ଭୀମଭୋଇ ଆଜି ଗୃହସ୍ଥ ଭକ୍ତ ରୂପେ ପରିଚିତ । ଭୀମଭୋଇ ଆଦୌ ଡୋର କଉପୀନ ଗ୍ରହଣ କରି ନ ଥିବା ଓ ଯୋରନ୍ଦା ମଠକୁ ଯିବାକୁ ନିଷେଧାଜ୍ଞା ଥିଲା ବୋଲି ମନେହୁଏ । ଯୋରନ୍ଦା ମଠରେ ନାରୀମାନଙ୍କୁ ନ୍ୟୂନ ସ୍ତରରେ ଗ୍ରହଣ କରାଯାଇ ନିମ୍ନମାନ ଦିଆ ଯାଇଥାଏ । ମହିମାଧର୍ମ କାନୁନରେ ସ୍ତ୍ରୀ ଲୋକମାନେ ସନ୍ନ୍ୟାସିନୀ ହେବା ସଂପୂର୍ଣ୍ଣ ନିଷିଦ୍ଧ । କିନ୍ତୁ ଖଲିଆପାଲି ମହିମାଗାଦିରେ ସେମାନଙ୍କୁ ‘ସାଧିକା’ ଭାବରେ ଗ୍ରହଣ କରାଯାଇ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ । ଢେଙ୍କାନାଳ ଜିଲ୍ଲା ମଢ଼ି ଗ୍ରାମର ବ୍ରାହ୍ମଣ କନ୍ୟା ଅନ୍ନପୂର୍ଣ୍ଣା ସ୍ୱୟଂ ମହିମା ଗୋସେଇଁଙ୍କଦ୍ୱାରା ମହିମା ଦୀକ୍ଷା ଦିଆଯାଇ ଜୁଲୁଣ୍ଡାରେ ଭୀମଭୋଇଙ୍କୁ ସାହଚର୍ଯ୍ୟ ଦେବା ପାଇଁ ପ୍ରେରିତ ହୋଇଥିବା ବିଷୟ ସର୍ବସମ୍ମତ । ତାହା ପୂର୍ବରୁ ଭୀମଭୋଇ କୌଣସି ନାରୀ ସାଧିକା ଗ୍ରହଣ କରି ନଥିଲେ କିମ୍ବା ଦାର ପରିଗ୍ରହ କରି ନଥିଲେ । ତେବେ କ’ଣ ନାରୀ ସାଧିକା ଗ୍ରହଣ କରିବା ଏବଂ ସାଂସାରିକ ଜୀବନ ଯାପନ କରିବା ଗୁରୁ ଆଜ୍ଞା ଥିଲା ? ବିଖ୍ୟାତ ଐତିହାସିକ ଏନଚାର୍ଲଟ ଆଇସ୍‌ମେନ କହନ୍ତି ଯେ, ଭୀମଭୋଇ ଚାରିଜଣ ‘ସଙ୍ଗିନୀ’ଙ୍କୁ ନେଇ ରହୁଥିଲେ । ତନ୍ମଧ୍ୟରୁ ଦୁଇଜଣ ନୈସର୍ଗିକ ଏବଂ ଆଉ ଦୁଇଜଣ ସାଂସାରିକ । ମାତା ଅନ୍ନପୂର୍ଣ୍ଣା ମହିମାଧର୍ମୀଙ୍କଦ୍ୱାରା ସାକ୍ଷାତ୍‌ ଦେବୀ ଭାବରେ ସମ୍ମାନିତା ହେଉଥିଲେ । ନଅ ଦିବସୀୟା ଶିଶୁ କନ୍ୟା ଶ୍ରୀୟାଦେବୀଙ୍କୁ ମଠକୁ ଅଣାଯାଇ ସନ୍ନ୍ୟାସିନୀ ଭାବରେ ଜୀବନ ଯାପନ କରି ଖଲିଆପାଲି ଗାଦି ମଠରେ ଥିବା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ । ଦେବୀ ଅନ୍ନପୂର୍ଣ୍ଣାଙ୍କ ବ୍ୟତୀତ ଅନ୍ୟ ଚାରିଜଣ ମହିଳାଙ୍କୁ ଶିଷ୍ୟତ୍ୱ ଦେଇଥିବା ପ୍ରକାଶ । ସେମାନେ ହେଲେ ବଲାଙ୍ଗୀର ଭୂର୍ଷାପାଲି ମୋହନ ଦାଶଙ୍କ ଝିଅ ସୁମେଧା, ସୁବର୍ଣ୍ଣ ଦେବୀ, ରମ୍ପିଲା ଐଶ୍ୱର ବାବାଙ୍କ ଝିଅ ସରସ୍ୱତୀ । ଭୀମଭୋଇଙ୍କର ସ୍ୱଜାତ ପୁତ୍ର କପିଳେଶ୍ୱର ଏବଂ ଝିଅ ଲାବଣ୍ୟବତୀ ସୁମେଧାଙ୍କର ଗର୍ଭରୁ ଜନ୍ମଲାଭ କରିଥିବା ବିଷୟ ଶ୍ରୀଗୁରୁ ମହାତ୍ମା ପୁସ୍ତକରୁ ଜଣାପଡ଼େ । (କପିଳେଶ୍ୱର ମାତ ଗୁରୁଙ୍କ ତୃତୀୟ) ।

 

ତେବେ ପ୍ରଶ୍ନ ଉଠେ ଯଦି ଗୃହସ୍ଥ ଜୀବନ ଯାପନ କରି ସତ୍ୟ ଓ ମହିମାଧର୍ମର ମୁଖ କାହାଳୀ ଭାବରେ କାର୍ଯ୍ୟ କରିବାକୁ ଗୁରୁ ଆଜ୍ଞା ଥିଲା, ସେ ପ୍ରଚାରକ ଭାବରେ ଗୋଡ଼ କାଢ଼ିଲେ କାହିଁକି ? ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ଭୀମଭୋଇ ପୁସ୍ତକରେ ସୀତାକାନ୍ତ ମହାପାତ୍ର କହନ୍ତି ଯେ, ସେ ଖଲିଆପାଲିଠାରେ ରହି କେବଳ ସାହିତ୍ୟ ସାଧକ ନ ଥିଲେ ‘He prayed and preached, composed and sang................. He sought a synthesis between life of the world and the life of the spirit. Ma Arnapurna her spiritual consort, who a great spiritual force in the Ashram’ ତେବେ ମାତା ଅନ୍ନପୂର୍ଣ୍ଣାଙ୍କୁ ଭୀମଭୋଇଙ୍କ ‘ସହଧର୍ମିଣୀ’ (କରୁଣାକର ସାହୁ) ବୋଲି କହିବା ଆଦୌ ସମୀଚୀନ ନୁହେଁ । ସେ ଥିଲେ ଜଣେ ଉତ୍ତର ସାଧିକା ଓ ‘ଗୁରୁ ଆଜ୍ଞା’ କ୍ରମେ ମହିମା ଧର୍ମରେ ଏକ ନୂତନ ପ୍ରୟୋଗ ।

 

ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ସମଗ୍ର ପଶ୍ଚିମ ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କରେ ତଥା ଢେଙ୍କାନାଳରେ ଏକ ଅଭିନବ ଧାର୍ମିକ ଚେତନାର ଉଦ୍ରେକ ହୋଇଥିଲା, ଯାହା ହିନ୍ଦୁଧର୍ମରେ ଏକ ସଂସ୍କାର ଆଣି ଥୋଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ହିନ୍ଦୁଧର୍ମର ମୌଳିକତାକୁ ଅକ୍ଷତ ରଖି ବିଭୂସତ୍ତାକୁ ବ୍ରହ୍ମ ନିର୍ଗୁଣ ନିରାକାର ଆଦି ତତ୍ତ୍ୱକୁ ଏକ ମାର୍ଜିତ ରୂପ ଦେଲା । ସେତେବେଳେ ଏ ଅଞ୍ଚଳରେ ବ୍ରାହ୍ମଣ୍ୟଧର୍ମ ବିସ୍ତାର ଲାଭ କରିଥିଲା ଏବଂ ରାଜାମାନେ ଏହାର ପ୍ରଧାନ ପୃଷ୍ଠପୋଷକ ଥିଲେ । ବ୍ରାହ୍ମଣମାନେ ହିଁ ଶାସ୍ତ୍ର, ଗୀତା; ଭାଗବତ ଇତ୍ୟାଦି ପଠନ ଅଧିକାର ପାଇ ପାରିଥିଲେ ଓ ବ୍ରାହ୍ମଣେତର ଜାତିର ଲୋକମାନେ ଦୂରାଚାର, ପାପୀ ବ୍ୟକ୍ତି ରୂପେ ପରିଗଣିତ ହେଉଥିଲେ । ହିନ୍ଦୁଧର୍ମର ଏହି ସ୍ୱରୂପକୁ ବିରୋଧ କରି ଇଂରେଜ ଶାସନରେ ଖ୍ରୀଷ୍ଟିୟାନ ଧର୍ମର ପ୍ରଚାର କ୍ରମଶଃ ଏ ଅଞ୍ଚଳରେ ପ୍ରସାରଲାଭ କରି ଆସୁଥିଲା । ଫଳରେ ହିନ୍ଦୁ ବ୍ରାହ୍ମଣ୍ୟଧର୍ମ ଏକ ନୂତନ ଆକ୍ରମଣର ସମ୍ମୁଖୀନ ହେଲା । କାରଣ ବ୍ରାହ୍ମଣେତର ବ୍ୟକ୍ତିମାନେ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ ହେଉଥିଲେ । ଏହି ସମୟକୁ ମୂର୍ତ୍ତିପୂଜା ଓ ବ୍ରାହ୍ମଣେତର ଭାବନାର ତୀବ୍ରାତିତୀବ୍ର ସମାଲୋଚନା ସହିତ ଏହି ଅଲେଖ, ନିର୍ଗୁଣ, ନିରାକାର ବ୍ରହ୍ମ ବିଶ୍ଳେଷଣ କରି ଯେଉଁ ଧାର୍ମିକ ବିପ୍ଳବର ଆରମ୍ଭ ହେଲା, ସେଥିପାଇଁ ମୁଖ୍ୟତଃ ତିନିଜଣ ମହାପୁରୁଷ ଦାୟୀ । ସେମାନେ ହେଲେ ବୈଷ୍ଣବଧର୍ମୀ ଚନ୍ଦ୍ରମଣି ଦାସ (୧୮୩୭-୧୮୯୧), ଯେ ସୋନପୁର ରାଜ୍ୟର ବାଘପାଲି (ବଡ଼ମାଲ) ଠାରେ ମଠ ସ୍ଥାପନ କଲେ । ମହିମାଧର୍ମୀ ମହାତ୍ମା ଭୀମଭୋଇ, ଯେ ସୋନପୁର ରାଜ୍ୟର ଖଲିଆପାଲି ଠାରେ ମଠ ସ୍ଥାପନ କଲେ ଏବଂ ଚୈତନ୍ୟ ଦାସ ଯେ ଖଡ଼ିଆଲ ରାଜ୍ୟ (ବଡ଼ମୂଳା) ଠାରେ ଆଶ୍ରମ ସ୍ଥାପନ କରି ସିଦ୍ଧି ସାଧନ କଲେ । ଚନ୍ଦ୍ରମଣି ଦାସଙ୍କ ‘ସୁଧାସାର ଗୀତା’ ଭୀମଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ ଓ ‘ଭଜନମାଳା’ ଚୈତନ୍ୟ ଦାସଙ୍କ ନିର୍ଗୁଣ ମହାତ୍ମ୍ୟ ଏ ଦିଗରେ ପଥ ପ୍ରଦର୍ଶକ । ବଲାଙ୍ଗୀରରେ ସନାତନ ଧର୍ମର ଉଦ୍ରେକ ଏଥିଯୋଗୁଁ ହୋଇଥିବା ଦର୍ଶାଯାଏ । ସେ ପର୍ଯ୍ୟନ୍ତ ବୌଦ୍ଧଧର୍ମ, ଯାହା ଜାତି ଭେଦ ଓ ମୂର୍ତ୍ତି ପୂଜାକୁ ଗ୍ରହଣ କରେ ନାହିଁ, କୌଣସି କାରଣବଶତଃ ଏ ଅଞ୍ଚଳକୁ ପ୍ରବେଶ କରିପାରି ନଥିଲା ।

 

ହୋଇପାରେ ଯେ, ମହିମାଧର୍ମ ବୌଦ୍ଧଧର୍ମର ଏକ ପୁନର୍ବିନ୍ୟାସ । କିନ୍ତୁ ଯେଉଁ ବିପର୍ଯ୍ୟୟରୁ ହିନ୍ଦୁଧର୍ମ ଏ ଅଞ୍ଚଳରେ ରକ୍ଷା ପାଇଲା, ସେଥିପାଇଁ ତଥା ଏ ଅଞ୍ଚଳର ସେହି ସ୍ୱାର୍ଥ ପାଇଁ ଏମାନେ ଯୁଗ ଯୁଗ ସ୍ମରଣୀୟ ହୋଇ ରହିବେ । ପରସ୍ପର ସହିତ ଯୋଗାଯୋଗ ନଥିଲେ ମଧ୍ୟ ସମାନ ଭାବରେ ଆଶ୍ରମ ଜୀବନ ଯାପନ କରି, ଏକମାତ୍ର ଉଦ୍ଦେଶ୍ୟ ରକ୍ଷାକରି ଏମାନେ ନିର୍ଗୁଣ, ନିରାକାର ବ୍ରହ୍ମଚେତନା ସୃଷ୍ଟି କରିଥିବା, ବର୍ତ୍ତମାନ ଏକ ପ୍ରଣିଧାନର ବିଷୟ ।

 

ସା ପୋ. ଖାରୀ

ଜି. ସୋନପୁର ।

***

 

ଗାଁର ଡାକ : ଏକ ଅନୁଶୀଳନ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ଉପନ୍ୟାସ ଗୋଟିଏ ଶୈଳୀ, ଆତ୍ମଜୀବନୀ ଆଉ ଗୋଟିଏ ଶୈଳୀ । ମାତ୍ର ଏକ ବିଶେଷ ଅନୁରାଗର ବଶବର୍ତ୍ତୀ ହୋଇ ଏଇ ଆତ୍ମଜୀବନୀକୁ ଯେତେବେଳେ ଉପନ୍ୟାସର ଛଳରେ ଅଥବା ଶୈଳୀରେ କହିବା ଲାଗି ମନ କରାଯାଏ, ଆମେ ତାହାକୁ ବହୁ ପରିମାଣରେ ଗୋଟିଏ ରମ୍ୟରଚନା ବୋଲି କହିପାରିବା କି ? କିମ୍ୱା, ହୁଏତ ଏପରି ମଧ୍ୟ କୁହାଯାଇ ପାରିବ କି ଯେ, ଆମ ଭାଷାମାନଙ୍କରେ କ୍ରମଶଃ ଏକ ସାବାଳକତା ପ୍ରାପ୍ତ ହୋଇ ଆସୁଥିବା ଗଦ୍ୟ ଯେତେବେଳେ ଆପଣାର ଏକ ପ୍ରକାଶଶୈଳୀ ହିସାବରେ ରମ୍ୟରଚନାକୁ ମନ କଲା, ସତକୁ ସତ ସେହିପରି ଏକ ଅନୁରାଗରୁ ସାହିତ୍ୟରେ ଉପନ୍ୟାସର ଆବିର୍ଭାବ ହେଲା କି ? ଏକ ଆତ୍ମଜୀବନୀକୁ ରମ୍ୟରଚନାର ଢଙ୍ଗରେ ଲେଖିବା- ଏହା ଅଧିକାଂଶତଃ ଏକ ଉପନ୍ୟାସଧର୍ମୀ ବିବେକର ସଙ୍କେତ ଦେଇଥାଏ । ଭାରତୀୟ ତଥା ଭାରତ ବାହାରର କେତେକ ସାହିତ୍ୟରେ ଏଭଳି ଉପନ୍ୟାସ ସବୁ ରହିଛି, ଯାହାକୁ ପଢ଼ୁଥିବା ସମୟରେ ସଂପୃକ୍ତ ଲେଖକ ସତେ ଅବା ନିଜର ଜୀବନକଥା କହୁଥିବା ପରି ଲାଗୁଥାଏ ଏବଂ ଏଭଳି ଆତ୍ମଜୀବନୀମାନ ବି ରହିଛି, ଯାହାକୁ ପଢ଼ୁଥିବା ବେଳେ ସତେ ଅବା ଲେଖକ ଉପନ୍ୟାସଟିଏ ଲେଖିଥିବା ପରି ମନେ ହୋଇଥାଏ । ଉପନ୍ୟାସର ଆରମ୍ଭ-ଯୁଗରେ ଉପନ୍ୟାସକାରମାନେ ସଚରାଚର ତୃତୀୟ ପୁରୁଷରେ ଉପନ୍ୟାସଟିଏ ଲେଖୁଥିଲେ । ଦିବ୍ୟ ଚକ୍ଷୁଟିଏ ଲାଭ କରିଥାନ୍ତୁ ବା ନକରିଥାନ୍ତୁ, ସେମାନେ ସତେଅବା ସଂପୃକ୍ତ କ୍ଷେତ୍ରଟିର ବାହାରେ ସଞ୍ଜୟର ଭୂମିକାରେ ଛିଡ଼ା ହୋଇ ଅନ୍ଧ ଶ୍ରୋତାମାନଙ୍କୁ ଘଟଣାମାନ ଶୁଣାଉଥିଲେ ଓ ଘଟଣାର ବହିରାବରଣ ସହିତ ବକ୍ତବ୍ୟଗୁଡ଼ିକର ବୟାନ କରୁଥିଲେ । ତା’ପରେ କେତେକ ଉପନ୍ୟାସକାର ପ୍ରଥମ ପୁରୁଷରେ କଥା କହିଲେ- ଆପଣାର ବର୍ଣ୍ଣନଗୁଡ଼ିକ ସହିତ ସେମାନେ ଅଧିକ ପରିମାଣରେ ସଂଶ୍ଳିଷ୍ଟ ହେଲେ । ସାହିତ୍ୟ ଏହା ଫଳରେ କମ୍‌ didaction ହେଲା । ସାହିତ୍ୟକାର ପାଠକମାନଙ୍କର ଅଧିକ ନିକଟବର୍ତ୍ତୀ ପରି ଲାଗିଲେ । ଯେଉଁ ସମସ୍ୟାର ବା ସମସ୍ୟାଗୁଡ଼ିକର ଅବତାରଣା କରି ମୁଁ ଉପନ୍ୟାସଟିଏ ଲେଖୁଛି, ବାହାରେ ଛିଡ଼ାହୋଇ ମୁଁ ସେଗୁଡ଼ିକର ଚିତ୍ରାଲିମ୍ପନ କରିବି, ଏହା ହେଉଛି ଗୋଟିଏ କଥା ଏବଂ ମୁଁ ମଧ୍ୟ ସେହି ଉପନ୍ୟାସରେ ପାତ୍ର ଅଥବା ପାତ୍ରୀଟିଏ ହେବି, ମୁଁ ମଧ୍ୟ ନିଜକୁ ଉପସ୍ଥାପିତ ସମସ୍ୟାଗୁଡ଼ିକ ମଧ୍ୟରେ ଜଡ଼ାଇ ରଖିଥିବି ଓ ଉପନ୍ୟାସଟି ଭିତରେ ବାଟ ଚାଲୁଥିବି, ଏହା ହେଉଛି ଆଉ ଗୋଟିଏ କଥା ।

 

ଶ୍ରୀଯୁକ୍ତ ବିଭୂତି ଭୂଷଣ ବନ୍ଦୋପାଧ୍ୟାୟଙ୍କର ଉପନ୍ୟାସ ‘ପଥେର ପାଁଚାଲୀ’କୁ ଆମେ କେତେଯାଏ ଉପନ୍ୟାସର ଗଢ଼ଣ ଦେଇ ଲେଖା ଯାଇଥିବା ଲେଖକଙ୍କର ଆତ୍ମଜୀବନୀ ବୋଲି କହିପାରିବା, ସେ କଥାଟି ଉପରେ ମତଭେଦ ଅବଶ୍ୟ ପ୍ରକାଶ ପାଇପାରେ । ମାତ୍ର, ଶ୍ରୀ ଶରତ ଚାଟାର୍ଜୀଙ୍କର ‘ଶ୍ରୀକାନ୍ତ’ ଉପନ୍ୟାସମାଳାକୁ ଆମେ ଏକାଧିକ ଯୌକ୍ତିକତା ସହିତ ଆତ୍ମଜୀବନୀମୂଳକ ବୋଲି ଅବଶ୍ୟ କହିପାରିବା । ଶ୍ରୀମତୀ ଆଶାପୂର୍ଣ୍ଣା ଦେବୀଙ୍କର ‘ପ୍ରଥମ ପ୍ରତିଶ୍ରୁତି’ ମଧ୍ୟ ସେହି କାଟର ବୋଲି କୁହାଯିବ । ହିନ୍ଦୀ ସାହିତ୍ୟରେ ଶ୍ରୀଯୁକ୍ତ ହୀରାନନ୍ଦ ସଚ୍ଚିଦାନନ୍ଦ ବାତ୍ସାୟନଙ୍କର ‘ଶେଖର’ ଉପନ୍ୟାସଟି ମଧ୍ୟ ଲେଖକଙ୍କର ନିଜ ଜୀବନାନୁଭୂତି ଗୁଡ଼ିକଦ୍ୱାରା ଅନୁପ୍ରେରିତ ହୋଇଥିଲା । ଋଷିଆର ମାକ୍‌ସିମ୍‌ ଗର୍କୀଙ୍କର ‘My Universities’ କିମ୍ୱା ଡେନ୍‌ମାର୍କର ମାର୍ଟିନ ଆନର୍‌ସନ୍‌ ନେକସିଭଙ୍କର Ditte, Menneskebarn ମଧ୍ୟ ସେହିପରି ଗୋଟିଏ ଗୋଟିଏ ଉଜ୍ଜ୍ୱଳ କୃତି, ଯେଉଁଥିରେ କି ସେହି ଲେଖକମାନେ ନିଜକୁ ଦର୍ପଣ କରି ଚତୁଷ୍ପାର୍ଶ୍ୱସ୍ଥ ଜୀବନ ତଥା ସମୟଟିର ଏକ ସମଗ୍ର ଛବି ପ୍ରଦାନ କରିବାଲାଗି ସାହିତ୍ୟିକ ପ୍ରୟାସମାନ କରିଛନ୍ତି । ଆହୁରି ଅନ୍ୟାନ୍ୟ ସାହିତ୍ୟରେ ମଧ୍ୟ ଆମକୁ ଏହିପରି ଅଧିକ ଦୃଷ୍ଟାନ୍ତମାନ, ଦେଖିବାକୁ ମିଳିପାରେ । ମାତ୍ର, ଗୋଟିଏ କଥାକୁ ଅବଶ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ, ଉପନ୍ୟାସମାନେ ରମ୍ୟରଚନା ହେବାକୁ ମନ କଲେ ତଥା ଆତ୍ମଜୀବନୀମାନେ ଉପନ୍ୟାସ ଭଳି ହେବାକୁ ମନ କଲେ ତାହା ଅଧିକ ଅନ୍ତରଙ୍ଗତାର ସୃଷ୍ଟି କରିଥାଏ । ତାହା ଯେ କେବଳ ଅଧିକ ମୁଖପାଠ୍ୟ ହୁଏ ସେତିକି ନୁହେଁ, ତାହା ଅଧିକ ସୁଖଗ୍ରାହ୍ୟ ମଧ୍ୟ ହୋଇଥାଏ ।

 

ଓଡ଼ିଆ ସାହିତ୍ୟରେ ଗତ ପ୍ରାୟ ଶହେବର୍ଷ ମଧ୍ୟରେ ବହୁସଂଖ୍ୟକ ଆତ୍ମଜୀବନୀ ଲେଖାଯାଇଛି । ପଦ୍ୟ ହୋଇଥିଲେ ମଧ୍ୟ ଭୀମଭୋଇଙ୍କର ‘ସ୍ତୁତିଚିନ୍ତାମଣି’କୁ ଏକ ଆତ୍ମଜୀବନୀ ବୋଲି କୁହାଯାଇ ପାରିବ କି ? ଆପଣାର ତଥାକଥିତ ବାହ୍ୟ ପରିବେଶଗତ ଜୀବନଠାରୁ ଆରମ୍ଭ କରି ଗଭୀରତମ ଅନ୍ତର୍ଗତ ଆସ୍ପୃହା ତଥା ଉପଲବ୍‌ଧି ପର୍ଯ୍ୟନ୍ତ ସମଗ୍ର କଥନଟିକୁ ଯଦି ଆତ୍ମଜୀବନୀ ବୋଲି କୁହାଯିବ, ତେବେ ‘ସ୍ତୁତିଚିନ୍ତାମଣି’ ଆମର ଯାବତୀୟ ତଉଲରେ ନିଜକୁ ଏକ ଆତ୍ମଜୀବନୀ ବୋଲି ଅବଶ୍ୟ ଦାବୀ କରିବାକୁ ଆସିବ । ଭୀମଭୋଇଙ୍କର ପ୍ରାୟ ଜଣେ ସମସାମୟିକ ଶ୍ରୀ ଫକୀରମୋହନ ସେନାପତିଙ୍କର ‘ଆତ୍ମଜୀବନ ଚରିତ’, ଆପଣାର ଗୁଣ ସମୃଦ୍ଧିରେ ହୁଏତ ଏପର୍ଯ୍ୟନ୍ତ ଆପଣାର ସର୍ବବନ୍ଦନୀୟ ସ୍ଥାନଟିକୁ ଅବିଚ୍ୟୁତ କରି ରଖିଆସିଛି । ଏଇଟି ତ ଅବିକଳ ଏକ ଉପନ୍ୟାସ ପରି । ପରବର୍ତ୍ତୀ ପର୍ଯ୍ୟାୟମାନଙ୍କରେ ଲିଖିତ ବହୁସଂଖ୍ୟକ ଆତ୍ମଜୀବନୀକୁ ଆମେ ଅନାବଶ୍ୟକ ଭାବରେ ଅତି ଆତ୍ମସଚେତନ ବ୍ୟକ୍ତିମାନଙ୍କର ସ୍ୱଲିଖିତ ଜୀବନବର୍ଣ୍ଣନା ବୋଲି କହିପାରିବା । ଆପଣାକୁ ‘ହିରୋ’ ବୋଲି କଳ୍ପନା କରି ମଧ୍ୟ ‘ଆତ୍ମଜୀବନୀ’ ଲେଖା ଯାଇପାରେ । ତଥାପି ମହନୀୟ ବ୍ୟତିକ୍ରମ୍‌ ଗୁଡ଼ିକ ସର୍ବଦା ରହିଥାଏ । ଗୋଟିଏ ପାଖରେ ତୁଚ୍ଛା ବର୍ଣ୍ଣନାତ୍ମକ ତଥା ପ୍ରଦର୍ଶନମୂଳକ ନିଦର୍ଶନମାନ ରହିଥାଏ । ପଢ଼ିଲା ବେଳକୁ ଭାରି ମୁଣ୍ଡ ବାଜେ । ତଥାପି ଫତୁରାନନ୍ଦ, କବିଚନ୍ଦ୍ର କାଳୀଚରଣ, ଲକ୍ଷ୍ମୀନାରାୟଣ ସାହୁ, ଏମାନେ ଗୋଟିଏ ଗୋଟିଏ ବ୍ୟତିକ୍ରମ ହୋଇ ରହିଥାନ୍ତି । ନିଜ ନିଜ ବାଟ ଚାଲୁଥିବା ପାଠକମାନଙ୍କୁ ଆହ୍ଲାଦ ଦିଅନ୍ତି, ସାଙ୍ଗ ଭଳି ମନେ ହେଉଥାନ୍ତି ।

 

ଓଡ଼ିଶାର ଏହି ପରିପ୍ରେକ୍ଷୀଟି ଉପରେ ଆମେ ପ୍ରଫେସର ଶ୍ରୀ ଭୁବନେଶ୍ୱର ବେହେରାଙ୍କର ପ୍ରାୟ ସଦ୍ୟ-ପ୍ରକାଶିତ ‘‘ଗାଁର ଡାକ’’ ପୁସ୍ତକଟିକୁ ଯଥାସମ୍ଭବ ଅଧିକ ନିକଟରୁ ଦେଖିବାର ପ୍ରୟାସଟିଏ କରିବା । ବହିଟିର ମୁଖବନ୍ଧରେ ସେ ଏହି ପୁସ୍ତକଟି ଉପନ୍ୟାସର ଶୈଳୀରେ ଲିଖିତ ହୋଇଛି ବୋଲି କହିଛନ୍ତି । ତଥାପି ନିଜର ‘ଅଙ୍ଗେ ନିଭାଇଥିବା ଅନୁଭୂତି ସମୂହକୁ’’ ହିଁ ସେ ଏଥିରେ ପ୍ରକାଶ କରିଛନ୍ତି । ବକ୍ତବ୍ୟଗୁଡ଼ିକୁ ‘ମୁଖପାଠ୍ୟ’’ କରିବାର ଅଭିପ୍ରାୟରେ ଏଥିରେ ସେ ବେଳେ ବେଳେ ସାମାନ୍ୟ କିଛି କଳ୍ପନାର ଆଶ୍ରୟ ନେଇଛନ୍ତି ସତ, ମାତ୍ର ମୁଖ୍ୟ ଘଟଣାବଳୀକୁ ଯଥାସମ୍ଭବ ଅକ୍ଷୁଣ୍ଣ ରଖିଛନ୍ତି । ପାଠକମାନଙ୍କ ମଧ୍ୟରୁ କାହାରି ମନରେ ‘ଆଘାତ ନଦେବା’ ଉଦ୍ଦେଶ୍ୟରେ ଅନେକ ସ୍ଥଳରେ ସେ ଜାଣି ବୁଝି ଚରିତ୍ରମାନଙ୍କର ନାମ ବଦଳାଇ ଦେଇଛନ୍ତି । ମାତ୍ର ଉଲ୍ଲେଖ କରି ରଖିବା ଉଚିତ ଯେ, ଲେଖକ ପ୍ରଥମ ପୁରୁଷରେ ନୁହେଁ, ତୃତୀୟ ପୁରୁଷରେ ହିଁ ଆପଣାର ଏହି ଜୀବନୋପନ୍ୟାସଟିକୁ ଲେଖିଛନ୍ତି । ନିଜର ଜୀବନୀ ଲେଖିବ, ଅଥଚ ତାହାକୁ ତୃତୀୟ ପୁରୁଷରେ ଲେଖିବ-ଓଡ଼ିଆ ସାହିତ୍ୟରେ ଏଇଟି ହେଉଛି ଏକ ଅଭିନବ ଉଦାହରଣ । ଉପନ୍ୟାସଟିର ନାୟକ ହେଉଛନ୍ତି ବୁଦ୍ଧଦେବ, ସିଏ ହେଉଚନ୍ତି ଲେଖକ ନିଜେ । କଳାହାଣ୍ଡି ଗଡ଼ଜାତରେ ନିଜର ଗାଁରେ ସୁଧାମୟ ବାଲ୍ୟକାଳଟିକୁ ଅତିବାହିତ କରିଥିବା ବୁଦ୍ଧଦେବ ଆପଣାର ନିୟତିଗୁଡ଼ିକଦ୍ୱାରା ବହୁପ୍ରକାର ଆକର୍ଷିତ ହୋଇ ସବାଶେଷରେ ମୁଣ୍ଡଳା ବୁଲାଇଦେଇ ସେହି ଗାଁ ଆଟିକୁ ଫେରି ଆସିଛନ୍ତି । ଏହି ପରିଧିଟିର ବିଭିନ୍ନ ପର୍ଯ୍ୟାୟରେ କଟକ ରହିଛି, ପାଟଣା ରହିଛି, ସମ୍ବଲପୁର ଓ ଦିଲ୍ଲୀ ରହିଛି, ଆମେରିକା ଓ ପଶ୍ଚିମ ଆଫ୍ରିକା ବି ରହିଛି । ପ୍ରବୀଣ ଆଧୁନିକ ଇଞ୍ଜିନିଅରିଙ୍ଗ୍‌ର ଦକ୍ଷତା ବଳରେ ମାଆ ସଦୃଶ ମହାନଦୀର ଗର୍ଭରୁ ହୀରାକୁଦର ଆମ ଆଧୁନିକ ବନ୍ଧରାକ୍ଷସ କିଭଳି ଜନ୍ମଲାଭ କରିଥିଲା, ପ୍ରଫେସର ବେହେରା ସେହି କାହାଣୀଟିକୁ ମଧ୍ୟ ଆମଲାଗି ଜଳଜଳ କରି ବର୍ଣ୍ଣନା କରି ଥୋଇ ଦେଇଛନ୍ତି ।

 

ତାଙ୍କ ସମୟର କଳାହାଣ୍ଡିରେ ଥିବା ନିଜ ଗାଆଁଟିରେ ଅତିବାହିତ ହୋଇଥିବା ଆପଣାର ଜୀବନଟିକୁ ପ୍ରଫେସର ବେହେରା ଯେଉଁ ଭାଷା ଏବଂ ଛନ୍ଦବେଢ଼ଣରେ ବର୍ଣ୍ଣନା କରିଛନ୍ତି, ତାହାକୁ ସମଗ୍ରତଃ romantic ଏବଂ pastoral ବୋଲି କୁହାଯିବ । ବିଶେଷତଃ ନିଜର ତଥାକଥିତ କୃତିପୂର୍ଣ୍ଣ ଜୀବନଟାକୁ ବୁଲିସାରି ଯେତେବେଳେ ସେ ନିଜର ସେହି ଗାଆଁଟିକୁ ଫେରିଆସିବା ପରେ ବହିଟିକୁ ଲେଖିଛନ୍ତି, ସେତେବେଳେ ଭାଷା ଏବଂ ଶୈଳୀ ସେହିଭଳି ହେବା ଅତ୍ୟନ୍ତ ସ୍ୱାଭାବିକ । ବହିର ମୁଖଶାଳାଟାରେ ହିଁ ସେ ଜୀବନ ବିଧାତାଙ୍କ ଆଗରେ ‘‘ନେଇଯା ଏ ଧନଦୌଲତ ନେଇବି ଯା ମୋ’ ଯୌବନ, କିନ୍ତୁ ଫେରାଇଦେ ମୋତେ ମୋ’ କାଗଜ ଡଙ୍ଗା, ଶ୍ରାବଣର ବାରିଧାରା, ଆଉ ମୋ’ ବାହ୍ୟଜୀବନ’’ ବୋଲି ଅଳି କରିଛନ୍ତି । କହିବା ବାହୁଲ୍ୟ, ମୁଖ୍ୟତଃ ସେହି କାରଣରୁ ପୁସ୍ତକର ପ୍ରଥମ ଅଧ୍ୟାୟଟି ସମସ୍ତ ପୁସ୍ତକର ଅଧ୍ୟାୟଗୁଡ଼ିକ ମଧ୍ୟରୁ ସବୁଠାରୁ ଅଧିକ ସୁଖପାଠ୍ୟ ହୋଇଛି । ସେ ଗାଁ ଛାଡ଼ି ପାଠପଢ଼ି ବାହାରକୁ ଯାଉଥିବା ସମୟରେ ମଧ୍ୟ ଗାଆଁରେ ଛାଡ଼ି ଯାଉଥିବା ବନ୍ଧୁତାର ପ୍ରସାରଣଗୁଡ଼ିକୁ ଝୁରୁଛନ୍ତି । ଅବଶ୍ୟ ଏ କଥା ସତ ଯେ, ଡୋରିଗୁଡ଼ିକ ଜୀବନର ବୃହତ୍ତର ପ୍ରସାରଣଗୁଡ଼ିକର ସ୍ତରକୁ ଆସି କେତେ କୁଆଡ଼େ ଗୁରାଇ ତୁରାଇ ହୋଇ ଯାଇଛି । କେତେ କେତେ ଆହ୍ୱାନ ଏବଂ ଆସ୍ଥାନର ଦାବୀ ଅନୁସାରେ କ୍ରମଗ୍ରନ୍ଥିଳ ହୋଇଆସିଛି ଏବଂ, ସେହି ପରବର୍ତ୍ତୀ ଭୂମିକାଗୁଡ଼ିକର ଭାଷା ମଧ୍ୟ କ୍ରମେ ବଦଳି ବଦଳି ଯାଇଛି । ଘଟଣାଗୁଡ଼ିକର ବର୍ଣ୍ଣନା ସମୟରେ ସତେଅବା କୌଣସି ସାମ୍ବାଦିକ ଲେଖି ପଠାଇଥିବା ବିବରଣୀର ଭାଷା ଭଳି ମନେ ହେଉଛି । ତଥାପି, ସ୍ୱୟଂ ନାୟକ ବୁଦ୍ଧଦେବ ସେହିସବୁ ଘଟଣା ସହିତ କେତେ ବେଶୀ ଅଥବା କେତେ କମ୍ ସଂପୃକ୍ତ ଥିଲେ, ତାହାର ବି କିଞ୍ଚିତ୍ ପରିଚୟ ପ୍ରାପ୍ତ ହୋଇଯାଉଛି । ପ୍ରଫେସର ବେହେରାଙ୍କର ଏହି ଜୀବନ ବର୍ଣ୍ଣନାଟିକୁ ପାଠ କରିବା ପୂର୍ବରୁ ଆପଣ ଯଦି ଡକ୍‌ଟର ଶ୍ରୀରାମଚନ୍ଦ୍ର ଦାଶଙ୍କର ଆତ୍ମଜୀବନୀ ପୁସ୍ତକଟିକୁ ପଢ଼ିଥିବେ, ତେବେ ଶ୍ରୀଯୁକ୍ତ ବେହେରା ତାଙ୍କର ସମକାଳୀନ ସଫଳ ଏକାଧିକଙ୍କ ତୁଳନାରେ ଆପଣାର ଚାରିପାଖଟିର ଆଲୋଡ଼ନଗୁଡ଼ିକ ସହିତ ଅପେକ୍ଷାକୃତ ଅଧିକ ସଂଲଗ୍ନ ଏବଂ ସଂପୃକ୍ତ ହୋଇ ରହିଥିଲେ ବୋଲି ହୁଏତ ଜଣା ପଡ଼ିଯାଉଛି । ୧୯୪୨ ମସିହା ଅଗଷ୍ଟ ଆନ୍ଦୋଳନ ସମୟରେ ସେହି ପାଟଣାରେ ଉଚ୍ଚ ପାଠ ପଢ଼ୁଥିବା ଅନ୍ୟ କେତେକ ଓଡ଼ିଆ ଯୁବକ ରାତି ଅନ୍ଧାରରେ ଗଙ୍ଗାରେ ଡଙ୍ଗା ଭଡ଼ା କରି ପଳାୟନ କରିଥିବା ସମୟରେ ଯୁବକ ବେହେରା ଯେ ଅନ୍ତତଃ କେତେ ସମୟ ସକାଶେ ଆପଣାକୁ ସେହି ଆନ୍ଦୋଳନଟି ଭିତରେ ନିଜ ମାର୍ଗରେ ନିଜକୁ ତ୍ରିୟାଶୀଳ କରି ରଖିଥିଲେ, ସେ କଥାଟି ଧରା ପଡ଼ି ଯାଉଛି ।

 

ସ୍ୱାଧୀନ ଭାରତବର୍ଷ ଯେପରି ମାର୍ଗରେ ଯିବା ଉଚିତ ଥିଲା, ସେ ବାଟରେ ଗଲା ନାହିଁ । ଯେଉଁମାନେ ମଙ୍ଗ ଧରିଥିଲେ, ସେମାନେ ଅନ୍ୟ ପ୍ରକାରର ଏପରି ଏକ ନେତୃତ୍ୱର ଅରମା ଭିତରେ ଆସି ପଶିଗଲେ, ଯାହା ଫଳରେ କି ସବୁ ଅବାଗିଆ ହୋଇଗଲା । ପ୍ରଫେସର ବେହେରା ନିଜ ଜୀବନରେ ଏହି କାରଣରୁ ସତେଅବା ନିଜ ଭିତରେ ଏକ ବିଷାଦଯୋଗର ସମ୍ମୁଖୀନ ହୋଇଥିଲେ-। ତାଙ୍କର ପେଟରେ ନବନିର୍ମାଣର ସ୍ୱପ୍ନବୋଳା କେତେ କେତେ ବିଦ୍ୟା ଏବଂ ଏହି ଦେଶରେ ଅନେକ କିଛି ସମ୍ଭବ ହୋଇପାରିବ ତଥା ଅନେକ ଦାରିଦ୍ର୍ୟକୁ ସମୃଦ୍ଧିରେ ପରିଣତ କରାଯାଇ ପାରିବ ବୋଲି କେତେ ନା କେତେ ବିଶ୍ୱାସ । ଅଥଚ, ଦେଶର ଶାସନ ଏପରି ଏକ ଅସଙ୍ଗତି ଭିତରେ ଆସି ପଶିଯାଇଛି ଓ ଏକ ସାମନ୍ତବାଦୀ ସ୍ୱାର୍ଥକାମୀ ଦୃଷ୍ଟି ରଜ୍ଜୁଗୁଡ଼ାକୁ ଏପରି ଭାବରେ ମାଡ଼ି ବସିଛି, ଯେଉଁଥି ସକାଶେ କି ଜଣେ ବିଦ୍ୟାବାନ୍ ପ୍ରସ୍ତୁତ ଓ ସମ୍ମତ ତରୁଣ ନକ୍‌ସା କାଟି ସବୁ କହିଦେଇ ପାରୁଥିଲେ ମଧ୍ୟ ତଥାପି ସେହି ନକ୍‌ସା ଅନୁସାରେ ବିଶେଷ କିଛି କରି ପାରୁନାହିଁ । ଉଚ୍ଚ ଦରମା ପାଉଛି, ଅଥଚ ମନମୁତାବକ ଅର୍ଥାତ୍ ନିଜର ସାମର୍ଥ୍ୟ ମୁତାବକ କାର୍ଯ୍ୟଗୁଡ଼ିକୁ କରି ପାରୁନାହିଁ । ଏହିପରି ଏକ ଅବସାଦ ସମୟରେ ପ୍ରଫେସର ବେହେରାଙ୍କର ନିଜ କିଶୋର ବୟସର ଜଣେ ଶିକ୍ଷକଙ୍କ ସହିତ ଭେଟ ହେଲା । ଶିକ୍ଷକ ତାଙ୍କୁ ଗୀତାର ଉପଦେଶ ଦେଲାପରି ଆପଣାର କାର୍ଯ୍ୟଟିକୁ ହିଁ ଯଥାସମ୍ଭବ ଅଧିକ ଯୋଗ୍ୟ ଭାବରେ କରିଯିବାକୁ ପରାମର୍ଶ ଦେଇଥିଲେ-। ଏହାଦ୍ୱାରା ଶ୍ରୀ ବେହେରାଙ୍କର ଅସନ୍ତୋଷଟା ହୁଏତ ଶାନ୍ତ ହୋଇଗଲ, ମାତ୍ର ଅସଲ ସମାଧାନ ହୋଇ ପାରିଲା କି ? ଗୋଟାଏ ପଥବିଚ୍ୟୁତ ପ୍ରତିବଦ୍ଧତାହୀନ System ଭିତରେ ଜଣେ ବ୍ୟକ୍ତି ତଥାକଥିତ ନିଜର କର୍ମଦାୟିତ୍ୱ ଗୁଡ଼ିକୁ ଯଥାସମ୍ଭବ ବିବାଦରହିତ ତଥା ସୂଚାରୁ ଭାବରେ ତୁଲାଇ ଦେବାକୁ ହିଁ ଯଥେଷ୍ଟ ବୋଲି ଧରିନେଲେ ସେ ପ୍ରକୃତରେ ଅସଲ ବାଧାଗୁଡ଼ିକୁ ଟଳାଇଦେଇ ପାରିବ କି ?

 

ଆପଣାର କର୍ମଜୀବନରେ ପ୍ରଫେସର ବେହେରା କେତେ ପଦପଦବୀରେ ରହିଲେ, ଅବଶେଷରେ ନିଜର ଗାଆଁକୁ ଫେରିଆସିଲେ । ‘‘କି ସୁନ୍ଦର ସତରେ ଗାଁ ପିଲାଙ୍କ ଜୀବନ’’ କାହିଁ ସେ ଗାଁ ଆଉ କାହିଁ ଏ ଜୀବନହୀନ ସହର’-ଏଗୁଡ଼ିକ ପୁସ୍ତକଟିର ଆରମ୍ଭରେ ଛାୟାନାୟକ ବୁଦ୍ଧଦେବଙ୍କର ଉକ୍ତି । ପ୍ରଫେସର ବେହେରା ନିଜ ଜୀବନରେ ଯାହାସବୁ ହେଲେ ଅବଦାନ ରହିଛି-। ଗାଆଁକୁ ଫେରିଆସିଲେ ବି ସମ୍ମୁଖକୁ ଦେଖି ବାଟ ଚାଲୁଥିବା ଜଣେ ବ୍ୟକ୍ତି ସତରେ କ’ଣ ପରିତ୍ରାଣ ପାଇଯିବାର ଏକ ଆଶ୍ରୟ ସିନା ପାଇବ, ମାତ୍ର ଆଉ ଅଧିକ କ’ଣ ସମ୍ଭବ ହେବ ? ଆମ ଦେଶର ସହରମାନେ ଯେ ଆମ ଗାଆଁଗୁଡ଼ିକ ତୁଳନାରେ ଅଧିକ ଅସୁନ୍ଦର ଓ ଅଧିକ ଜୀବନହୀନ, ସେକଥା ପୂର୍ଣ୍ଣ ବିବେକର ସହିତ ହୁଏତ ଆଦୌ କୁହାଯାଇ ପାରିବ ନାହିଁ । ସାମୂହିକ ଜୀବନର ଯେଉଁସବୁ ଆକର୍ଷଣ ଜଣେ ବ୍ୟକ୍ତିକୁ ପ୍ରକୃତରେ ପ୍ରେରଣା ଦେଇପାରେ, ତାହା ଏବେ ଆମ ଦେଶର ଗାଆଁରେ ନାହିଁ, ସହରରେ ମଧ୍ୟ ନାହଁ । ତେଣୁ ଆମେ ସହରର ଖାଇ ଗାଆଁର ଗାଇଲେ ତାହା ଆମ ସାହିତ୍ୟର ଏକ ଅତୀତ ଯୁବକୁ କିଞ୍ଚିତ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବ ସିନା, ଆଉ ଅଧିକ କିଛି କରି ପାରିବ ନାହିଁ । ବର୍ତ୍ତମାନର ଯନ୍ତ୍ରଣାଗୁଡ଼ିକ ସହରରେ ଯେତିକି, ଗାଆଁରେ ମଧ୍ୟ ସେତିକି । ତେଣୁ, ଆହ୍ୱାନଗୁଡ଼ିକ ଗାଆଁରେ ରହିଛି, ସହରରେ ବି ରହିଛି । ଉଭୟ ଥାନରେ ହିଁ ବୀରମାନଙ୍କର ଅପେକ୍ଷା ରହିଛି । ତରୁଣ ସାହିତ୍ୟକାର ଶ୍ରୀ ସାରଦାପ୍ରସାଦ ମିଶ୍ରଙ୍କର ‘‘ଅପହଞ୍ଚ ଇଲାକାର ଅଧୀଶ୍ୱର’’ ନାମ ଗୋଟିଏ ଗଳ୍ପ ଏକାବେଳେକ ଅନ୍ୟ ଆଲୋକରେ ଏବଂ ଅନ୍ୟ ଅନୁରାଗରେ ପ୍ରାୟ ସେହି ଆହ୍ୱାନଟିର ସମ୍ମୁଖୀନ ହେବାର ପ୍ରୟାସ କରିଛି।

 

ଆଲୋଚ୍ୟ ଏହି ପୁସ୍ତକଟି ଉପନ୍ୟାସ ଓ ଆତ୍ମଜୀବନୀ ଭିତରେ ରହିଥିବା ପରମ୍ପରାଗତ ବ୍ୟବଧାନକୁ ମୋଟେ ମାନିନାହିଁ, ପୁସ୍ତକକାର ସବାଆଗ ସେହି କାରଣରୁ ହିଁ ଆମର ଅଭିନନ୍ଦନୀୟ ହୋଇ ରହିବେ । ଏହି ବ୍ୟବଧାନଗୁଡ଼ିକ-ଏପରିକି ଗଦ୍ୟ ଓ ପଦ୍ୟ ଭିତରେ ଥିବା ବ୍ୟବଧାନଗୁଡ଼ିକ ଆମ ବିଚାରରୀତିର ସୀମାଗୁଡ଼ିକ ଭିତରୁ ବାହାରି ଯେଡ଼େ ସହଜରେ ଅପସରି ଯିବେ, ଆମ ସାହିତ୍ୟ ପାଇଁ ତାହା ସେତେ ଅଧିକ ଶୁଭଙ୍କର ହେବ । ସେତେବେଳେ ଆମେ ଗଳ୍ପ, କବିତା, ନାଟକ, ଉପନ୍ୟାସ, ଆତ୍ମଜୀବନୀ ଓ ରମ୍ୟରଚନା ସବୁକିଛି ଭିତରେ ସବାଆଗ ସାହିତ୍ୟକୁ ହିଁ ଦେଖି ଶିଖିବା ।

 

ଗାଁର ଡାକ ପ୍ରଫେସର ଭୁବନେଶ୍ୱର ବେହେରାଙ୍କର ଗ୍ରନ୍ଥମନ୍ଦିର, କଟକ କର୍ତ୍ତୃକ ପ୍ରକାଶିତ ସଦ୍ୟତମ ଗ୍ରନ୍ଥ । ପ୍ରଫେସର ବେହେରା ମୁଖବନ୍ଧରେ ଏହି ଗ୍ରନ୍ଥଟିକୁ ଏକ ଉପନ୍ୟାସ ବୋଲି କହିଛନ୍ତି । ଏହି ରଚନା ନିମନ୍ତେ ଶ୍ରୀ ବେହେରା ଶାରଳା ପୁରସ୍କାର ଓ ସମ୍ମାନରେ ଅଳଂକୃତ ହୋଇଛନ୍ତି । ଏହି ପ୍ରବନ୍ଧଟି ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କର ଏକ ଅନ୍ତରଙ୍ଗ ଅନୁଶୀଳନ ।

-ସମ୍ପାଦକ

***

 

ପୁଷ୍ପଗିରି

ଶ୍ରୀ ବାନାମ୍ବର ଆଚାର୍ଯ୍ୟ, ସାହିତ୍ୟାଚାର୍ଯ୍ୟ

 

୧୯୩୮ ମସିହା ‘ମଡ଼ର୍ଣ୍ଣରିଭ୍ୟୁ’ ପତ୍ରିକାରେ 'An Exploration to Dangaposi' (‘ଡେଙ୍ଗାପୋସି-ବର୍ଶନ’-ପ୍ରକୃତ ନାମ ଡାଙ୍ଗୁଆପଶି) ନାମରେ ଗୋଟିଏ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ସେହିଦିନୁ ଅନେକ ପ୍ରତ୍ନତାତ୍ତ୍ୱିକ କେନ୍ଦୁଝରର ସଦର ସବ୍‌ଡ଼ିଭିଜନ୍‌ର ଅରଣ୍ୟ ମଧ୍ୟରେ ଥିବା ଏହି ସ୍ଥାନକୁ ଆସି ଅନୁସନ୍ଧାନ କରିଯାଇଛନ୍ତି । କିନ୍ତୁ ଏଇ ସ୍ଥାନର ପ୍ରାଚୀନ ନାମ କଅଣ ଥିଲା ବା କି ହେତୁ ଏହା ପ୍ରସିଦ୍ଧ ଥିଲା–ଏ ବିଷୟରେ କେହି ନିର୍ଦ୍ଦିଷ୍ଟ ଅଭିମତ ପ୍ରଦାନ କରି ନାହାନ୍ତି । ଏ ପର୍ଯ୍ୟନ୍ତ ଏଠାକୁ ଆସିଥିବା ଅନୁସନ୍ଧିତ୍ସୁ ଦର୍ଶକମାନେ ଡାଙ୍ଗୁଆପଶି ଗ୍ରାମ ନିକଟରେ ଥିବା ଚିତ୍ର (Fresco painting) ଓ ତନ୍ମିକଟବର୍ତ୍ତୀ କ୍ଷୁଦ୍ର କ୍ଷୁଦ୍ର ପ୍ରସ୍ତରମାନଙ୍କ ଉପରେ ଥିବା ଲିପିମାନ ଦେଖି ଯାଇଛନ୍ତି । ଏଇ ଡାଙ୍ଗୁଆପଶି, ସୀତାନାମ୍ନୀ ପୂର୍ବପଶ୍ଚିମ ବାହିନୀ ଗୋଟିଏ କ୍ଷୁଦ୍ର ଗିରିନଦୀର ଉତ୍ତର ଦିଗରେ ଅବସ୍ଥିତ ।

 

(କ)

ଡାଙ୍ଗୁଆପଶି ଗ୍ରାମ ।

(ଖ)

ରାବଣଛାୟା ଓ ମୁନିଗୁମ୍ଫା ପ୍ରଭୃତି ସ୍ତୂପର ଧ୍ୱଂସାବଶେଷ ।

(ଗ)

ଠାକୁରାଣୀଶାଳ (ପ୍ରସ୍ତରସ୍ତୂପ) ।

(ଘ)

ସୀତାଭଞ୍ଜଗ୍ରାମ ।

(ଙ)

ବିହାରର ଧ୍ୱଂସାବଶେଷ ।

(ଚ)

ଫୁଲଚାଙ୍ଗୁଡ଼ି ବା ଫୁଲପାହାଡ଼ି, ୧୯୩୫ ଫୁଟ ଉଚ୍ଚ ।

 

ଗତ ଗ୍ରୀଷ୍ମାବକାଶରେ ଲେଖକ କେନ୍ଦୁଝରର ଛୋଟରାୟ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଭଞ୍ଜ ଦେଓ ବି: ଏ, ଦେଓ୍ୱାନ ଶ୍ରୀଯୁକ୍ତ ଲାଲ୍ ଡୋଙ୍ଗର ସିଂହଙ୍କ ପ୍ରେରଣାରେ ଉକ୍ତ ସ୍ଥାନକୁ ଅନୁସନ୍ଧାନ ପାଇଁ ଯାଇଥିଲା । ଅନୁସନ୍ଧାନ ପ୍ରସଙ୍ଗରେ ଯାଇ ନଦୀର ଅପର (ଦକ୍ଷିଣ) ତୀରରେ ଯାହା ଦେଖିଛି ତାହା ନିମ୍ନରେ ବିବୃତ ହେଲା–

 

ଡାଙ୍ଗୁଆପଶି ଗ୍ରାମର ପ୍ରାନ୍ତଭାଗରେ ଥିବା ଠାକୁରାଣୀଶାଳର ସଳଖରେ ସୀତାକୁ ପାର ହେଲେ ଗୋଟିଏ ଉଚ୍ଚଭୂମି ପଡ଼େ । ଏହାର ଚତୁର୍ଦ୍ଦିଗ ଇତସ୍ତତଃ ବିକ୍ଷିପ୍ତ ଇଷ୍ଟକ ଖଣ୍ଡରେ ପୂର୍ଣ୍ଣ । ଏହି ଉଚ୍ଚଭୂମି ଉପରେ ଈଷତ୍ ଦକ୍ଷିଣ-ପୂର୍ବ ଅଭିମୁଖରେ ଗମନ କଲେ ପରିଖା ପରି ପ୍ରତୀୟମାନ ହେଉଥିବା ଗୋଟିଏ ନାଳ ପଡ଼େ । ଏଇ ନାଳକୁ ଅବତରଣ କରିବା ସ୍ଥାନରେ ଗୋଟିଏ ଭଗ୍ନ ପ୍ରାଚୀରର ବିସ୍ତୃତ ଧ୍ୱଂସାବଶେଷ ଦୃଷ୍ଟିଗୋଚର ହୁଏ । ପୂର୍ବପରି ଈଷତ୍ ଦକ୍ଷିଣପୂର୍ବାଭିମୁଖରେ ଏହି ନାଳକୁ ଅତିକ୍ରମ କଲେ ଆଉ ଗୋଟିଏ ଉତ୍ତର ଦକ୍ଷିଣଭାବେ ବିସ୍ତୃତ ଆୟତାକାର ଉଚ୍ଚଭୂମି ପଡ଼େ-। ଏହାର କେତେକାଂଶ କ୍ଷୁଦ୍ର ଜଙ୍ଗଲରେ ଆବୃତ ଓ ଅନ୍ୟ ଅଂଶ ଚାଷ ଜମିରେ ପରିଣତ ହୋଇଛି । ଏ ଭୂମିଟି ପୂର୍ବପଶ୍ଚିମଗାମୀ ତିନିଗୋଟି ପ୍ରାଚୀରଦ୍ୱାରା ଚାରିଭାଗରେ ବିଭକ୍ତ ହୋଇଛି । ଏଥି ମଧ୍ୟରୁ ଦକ୍ଷିଣ ଦିଗରେ ଥିବା ଭାଗଟି ଦକ୍ଷିଣ ପୂର୍ବ ଆଡ଼କୁ କ୍ରମଶଃ ସୂକ୍ଷ୍ମହୋଇ ଆସିଛି । ଏହି ଦିଗରେ ଫୁଲଚାଙ୍ଗୁଡ଼ି ନାମକ ପର୍ବତ ବିଦ୍ୟମାନ । ଏହାର ଲୋକ ପ୍ରଚଳିତ ଅନ୍ୟ ନାମ, ଫୁଲପାହାଡ଼ି । ଏହାର ଉଚ୍ଚତା ୧୯୩୫ ଫୁଟ । ଏତତ୍ସନ୍ନିହିତ ଭାଗଟିର ଚତୁର୍ଦ୍ଦିଗରେ ମାତ୍ର ଫୁ୩ଟ ବ୍ୟବଧାନରେ ସମାନ୍ତରାଳଭାବେ ଅବସ୍ଥିତ ଦୁଇଗୋଟି ପ୍ରାଚୀରର ଚିହ୍ନ ବିଦ୍ୟମାନ । ତାହାର ଉତ୍ତରରେ ସ୍ଥିତ ଅନ୍ୟ ଭାଗଟି ମଧ୍ୟ ସେହିପରି ଯାମଳ ପ୍ରାଚୀରଦ୍ୱାରା ପରିବେଷ୍ଟ୍ରିତ । ଏହି ଭାଗଟିର ଉତ୍ତର ସୀମାରେ ଗୋଟିଏ କ୍ଷୁଦ୍ରନାଳ ପ୍ରବାହିତ ହୋଇ ଶେଷଭାଗଟିକୁ ଏଥିରୁ ବିଚ୍ଛିନ୍ନ କରି ରଖିଚି-। ଶେଷ ଭାଗଟିର ଦକ୍ଷିଣ-ପୂର୍ବ କୋଣରେ ପ୍ରାୟ ଫୁ୬୦ଟ ପର୍ଯ୍ୟନ୍ତ ପ୍ରାଚୀରର ଚିହ୍ନ ଦେଖାଯାଏ । ଏହି କୋଣରେ ୩୦’x ୩୦’ ପ୍ରମାଣ ଗୋଟିଏ ଅଳ୍ପୋଚ୍ଚ ସ୍ତୂପଅଛି । ଅନ୍ୟ ଅଂଶରେ ପ୍ରାଚୀରର ଚିହ୍ନ ନାଇଁ; କିନ୍ତୁ ଭଙ୍ଗା ଇଟା ଖଣ୍ଡ ଓ ଖପରା ପ୍ରଚୁର ପରିମାଣରେ ପଡ଼ି ରହିଚି ।

 

ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣଆଡ଼ୁ ଗଣନା କଲେ ତୃତୀୟ ଭାଗର ଦକ୍ଷିଣ-ପଶ୍ଚିମ କୋଣରେ ମଧ୍ୟ ଗୋଟିଏ ଅନୁଚ୍ଚସ୍ତୁପ ଅଛି । (*)

 

* ମୋର ମନେହୁଏ, ଏହା ବୋଧିଶ୍ରୀଙ୍କଦ୍ୱାରା ନିର୍ମିତ ବିହାରର ଧ୍ୱଂସାବଶେଷ । କୃଷ୍ଣାନଦୀ ତୀରସ୍ଥ ନାଗାର୍ଜୁନ କୋଣ୍ଡା ଶିଳାଲେଖରୁ ଜଣାଯାଏ ଯେ ବୋଧିଶ୍ରୀ ବିହାରଟିଏ ନିର୍ମାଣ କରିସାରି ନାଗାର୍ଜୁନ କୋଣ୍ଡାରେ ଅନ୍ୟ ଗୋଟିଏ ବିହାର ନିର୍ମାଣ କରିଥିଲେ ।

 

ଉଲ୍ଲିଖିତ ବର୍ଣ୍ଣନାରୁ ପ୍ରତୀତ ହେଉଛି ଯେ, ଫୁଲଚାଙ୍ଗୁଡ଼ି ବା ଫୁଲପାହାଡ଼ି ନାମରେ ପ୍ରସିଦ୍ଧ ପର୍ବତର ଉତ୍ତର-ପଶ୍ଚିମରେ ଡାଙ୍ଗୁଆପଶିର ନିକଟବର୍ତ୍ତୀ ଚିତ୍ର (Fresco painting) ଓ ଅନ୍ୟ ପ୍ରସ୍ତର ଲେଖାମାନ ବିଦ୍ୟମାନ । ଏହାକୁ ପଣ୍ଡିତ ବିନାୟକ ମିଶ୍ର କୌଣସି ବୌଦ୍ଧସ୍ତୁପର ଅବଶେଷ ବୋଲି ସ୍ଥିର କରିଛନ୍ତି । ତେଣୁ ଫୁଲଚାଙ୍ଗୁଡ଼ି ବା ଫୁଲପାହାଡ଼ିକୁ ହୁଏନ୍‌ସା-ବର୍ଣ୍ଣିତ ପୁଷ୍ପଗିରିରୂପେ ଓ ଡାଙ୍ଗୁଆପଶି ନିକଟବର୍ତ୍ତୀ ସ୍ତୂପଦ୍ୱୟକୁ ପୁଷ୍ପଗିରିର ଉତ୍ତର ଓ ଉତ୍ତର ପଶ୍ଚିମସ୍ଥିତ ଆଶ୍ଚର୍ଯ୍ୟଜନକ ସ୍ତୂପରୂପେ ଗ୍ରହଣ କରିବା କେତେ ପରିମାଣରେ ଯୁକ୍ତିଯୁକ୍ତ, ତାହା ନିମ୍ନରେ ଆଲୋଚିତ ହେଉଛି ।

 

ସତ ୧୩୪୧ ସାଲ ଶ୍ରାବଣମାସର ‘ସହକାର’ ପତ୍ରିକାରେ ଉତ୍କଳର ଯୁବକ ଐତିହାସିକ ଶ୍ରୀମାନ୍ କେଦାରନାଥ ମହାପାତ୍ର ପୁଷ୍ପଗିରି ବର୍ଣ୍ଣନା ପ୍ରସଙ୍ଗରେ Watterଙ୍କ Huintsang ପୁସ୍ତକରୁ ନିମ୍ନଲିଖିତ କେତେକ ପଂକ୍ତି ଉଦ୍ଧାର କରିଅଛନ୍ତି–

 

In a great mountain on the South-west frontier of the country is a Sangharam called Puspagiri (Puse-po-ki-li) the stone stupa belonging to it exibits very many spiritual wonders (miracles). On past days it emits a bright light. For this cause believers from far and near, flock together here and present as offerings beautifully embroidered (flower) camopus (umbrellas). They place these underneath the VASE (dewvessel) at the top of the cupola and let them stand there fixed as needles in the stone. The the north-west of this is a current, on the mountain is a stupa where the same wonders occur as in the former case. The two stupas were built by the demons (spiritual or devine beings) and hence are derived the extraordinary miracles.

 

ହୁଏନ୍‌ସାଂଙ୍କ ଏହି ବିବରଣୀ ପାଠ କଲେ ଜଣାଯାଏ ଯେ,-

 

(୧)

ଓଡ଼୍ର ଦେଶର ଦକ୍ଷିଣ ପଶ୍ଚିମ ଦିଗରେ ପୁଷ୍ପଗିରି ନାମରେ ପର୍ବତଟିଏ ଥିଲା ।

(୨)

ସେଠାରେ ଗୋଟିଏ ପ୍ରସ୍ତରର ସଂଘାରାମ ଥିଲା ଏବଂ ତାହା ଦେବତା ବା ମାନବ ନିର୍ମିତ; ମନୁଷ୍ୟର କୃତି ନୁହେଁ ।

(୩)

ପୁଷ୍ପଗିରି ସଂଘାରାମର ଗମ୍ବୁଜ ଉପରିଭାଗରେ ଗୋଟିଏ ପାତ୍ର (Vessel) ଅର୍ଥାତ୍ ଶିଶିର ସଂପ୍ରଦାର୍ଥ ସ୍ଥାପିତ ଆଧାର ବିଶେଷ (dew-vessel) ଅବସ୍ଥିତ ଥିଲା ।

 

ଏହି ବିବରଣୀ ସଙ୍ଗେ ଫୁଲ-ଚାଙ୍ଗୁଡ଼ି ବା ଫୁଲପାହାଡ଼ି ନାମରେ ପରିଚିତ ପର୍ବତର ଅବସ୍ଥିତି, ଆକୃତି ଓ ପ୍ରକୃତିର କି ପ୍ରକାର ସୌସାଦୃଶ୍ୟ ଅଛି ଅଧୁନା ତାହା ବିଚାରଣୀୟ ।

 

ଫୁଲଚାଙ୍ଗୁଡ଼ି ବା ଫୁଲପାହାଡ଼ି ଏହି ନାମ ସଂସ୍କୃତ ପୁଷ୍ପଗିରିର ଓଡ଼ିଆ ନାମ । ଫୁଲଚାଙ୍ଗୁଡ଼ି ବୋଲି ଯେଉଁ ନାମାନ୍ତର ଏହି ପାହାଡ଼ର ଅଛି, ତାହାର ମଧ୍ୟ ପୁଷ୍ପଗିରି ଶବ୍ଦ ସହିତ ଧ୍ୱନିଗତ ଓ ଅର୍ଥଗତ ସାଦୃଶ୍ୟ ସ୍ପଷ୍ଟ । ପୁଣି ହୁଏନସାଂଙ୍କ ପୁଷ୍ପଗିରିର ବର୍ଣ୍ଣନା ସଙ୍ଗେ Vase ବା ଚାଙ୍ଗୁଡ଼ିର ସମ୍ପର୍କ ଥାଇପାରେ ।

 

ହୁଏନ୍‌ସାଂଙ୍କ ବର୍ଣ୍ଣନାନୁସାରେ ଗମ୍ବୁଜର ଉପରିଭାଗରେ ଗୋଟିଏ ପାତ୍ର (ପାତ୍ରାକାର ପ୍ରସ୍ତର) ଥିଲା । ଫୁଲଚାଙ୍ଗୁଡ଼ି ପାହାଡ଼ରେ ଗୋଟିଏ ଚାଙ୍ଗୁଡ଼ି (ପୁଷ୍ପାଧାର) ସଦୃଶ ବିଶାଳ ପଥର ସର୍ବପେକ୍ଷା ଉଚ୍ଚ ଓ କ୍ରମସୂକ୍ଷ୍ମାୟମାଣ ଅଂଶୁରେ ଅବସ୍ଥିତ ରହିଛି । ଏହାକୁ ଏଠା ଲୋକେ ଚାଙ୍ଗୁଡ଼ି ପଥର ବୋଲି କହି ଥାଆନ୍ତି । ଅତଏବ Watterଙ୍କ ଅନୁବାଦରେ ଯେଉଁ Vase ବା dew vessel ଶବ୍ଦ ବ୍ୟବହୃତ ହୋଇଛି ତାହାର ଏହି ଚାଙ୍ଗୁଡ଼ି ଶବ୍ଦ ସଙ୍ଗେ ତୁଲ୍ୟାର୍ଥକତା ଅଛି । ଏହି ପଥର ତଳେ ଚାରିଗୋଟି ଦ୍ୱାର-ବିଶିଷ୍ଟ ଗୋଟିଏ ଗୁମ୍ଫା ଅଛି । ପାହାଡ଼ଟିର ଅଧିକାଂଶ ଭାଗ ମୃତ୍ତିକାମୟ । ତେଣୁ ଅଧୁନା ଏହି ଗୁମ୍ଫା, ଗୋଟିଏ ପ୍ରାକୃତିକ ଗହ୍ୱର ପରି ପ୍ରତୀତ ହୋଇଛି ।

 

ହୁଏନସାଂ କହିଛନ୍ତି ଯେ ପୁଷ୍ପଗିରି ଓଡ଼୍ର (*) ଦେଶର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ଓଡ଼୍ର ଦେଶର ସୀମା ହୁଏନସାଂଙ୍କ ଆଗମନ ବେଳେ (ସପ୍ତମ ଶତାବ୍ଦୀରେ) କି ପ୍ରକାର ଥିଲା ତାହା ସ୍ଥିର ସିଦ୍ଧାନ୍ତିତ ହୋଇ ନାହିଁ । ତେବେ B. C Mazumdar ଙ୍କ "Orissa in the making" ପୁସ୍ତକରେ କେନ୍ଦୁଝର, ମୟୁରଭଞ୍ଜ ପ୍ରଭୃତି ଗଡ଼ଜାତର ପାର୍ବତୀୟ ଅଞ୍ଚଳ, ଓଡ଼୍ରଦେଶ ନାମରେ ଅଭିହିତ ହେଉଥିବାର ଲେଖାଅଛି । କେନ୍ଦୁଝରର ଆନନ୍ଦପୁର ସବ୍‌ଡ଼ିଭିଜନ (Lower Kendujher) ଷୋଡ଼ଶ ଶତାବ୍ଦୀରେ କେନ୍ଦୁଝର ରାଜ୍ୟର ଅନ୍ତର୍ଭୁକ୍ତ ହେଲା । ପ୍ରବାଦ ଅଛି ଯେ କେନ୍ଦୁଝର ତତ୍‌କାଳୀନ ରାଜା ଭକ୍ତକବି ଗୋବିନ୍ଦ ଭଞ୍ଜ, ପୁରୁଷାତ୍ତମ ଦେବଙ୍କ କାଞ୍ଚୀ ଯୁଦ୍ଧରେ ସହାୟତା କରିଥିବାରୁ ପ୍ରୋକ୍ତ ରାଜ୍ୟାଂଶ ଲାଭ କରିଥିଲେ । ଅତଏବ ଷୋଡ଼ଶ ଶତାବ୍ଦୀର ପୂର୍ବକାଳରେ କେନ୍ଦୁଝରର ପାର୍ବତୀୟ ଅଞ୍ଚଳ ଅର୍ଥାତ୍ ସଦର ଓ ଚମ୍ପୁଆ ସବ୍‌ଡ଼ିଭିଜନ ଏକ ପ୍ରଦେଶର ଓ ସମତଳ ଅଞ୍ଚଳ ଅନ୍ୟ ପ୍ରଦେଶର ଅନ୍ତର୍ଭୁକ୍ତ ଥିଲା ବୋଲି ଜଣା ଯାଉଛି । (**)

 

(*) ହୁଏନ୍‌ସାଂ ଏଇ ଦେଶର ନାମ ଯାହା ଲେଖିଛନ୍ତି, ତାକୁ ଅନୁବାଦ କରନ୍ତି, ‘ଉ-ଚ । ଏହା ‘ଉତ୍କଳ’ ବା ଉତ୍କଳ’ ହେବା ସମ୍ଭବ । ଏହାର ଠିକ୍ ପରେ ଯାଜପୁର (ଗୁହେଶ୍ୱରପାଟକ)ର ଭୌମମାନେ ଥିଲେ, ‘ଉତ୍କଳେଶ୍ୱର’ । (ସ–ନ. ଭ)

 

(**) ଆନନ୍ଦପୁର ସହରରୁ ଅଳ୍ପ ଦୁରରେ ଗୋଟିଏ ପରିଖା ବେଷ୍ଟିତ ଉଚ୍ଚଭୂମି ଅଛି । ଏହା ପୂର୍ବେ ବୌଦ୍ଧପୀଠ ଥିଲା । ଏଠାରୁ ଅନକ ବୌଦ୍ଧମୂର୍ତ୍ତି ସ୍ଥାନାନ୍ତରିତ ହୋଇଅଛି । ଏହାକୁ ଲୋକେ ଲଲାଟକେଶରୀ ଗଡ଼ ବୋଲି କହନ୍ତି । ଲଲାଟକେଶରୀ ବା ଲଳିତେନ୍ଦ୍ରକେଶରୀ ୭ମ ଶତାବ୍ଦୀର ୧ମ ପଦରେ ରାଜତ୍ୱ କରୁଥିଲେ । ଆନନ୍ଦପୁର ସେତେବେଳେ ତାଙ୍କ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । କେହି କେହି ୧୦ମ ଶତାବ୍ଦୀକୁ ଲଲାଟେନ୍ଦୁଙ୍କ ରାଜତ୍ୱ କାଳ ବୋଲି କହିଅଛନ୍ତି ।

 

କର ବଂଶୀୟ ପ୍ରଥମ ଶୁଭାକର ଦେବଙ୍କ ତାମ୍ର ଶାସନରୁ ଜଣାଯାଏ ଯେ, ବାଲେଶ୍ୱର ଜିଲ୍ଲାର ଆଧୁନିକ କୁପାରି ଗ୍ରାମ ସେତେବେଳେ ଉତ୍ତର ତୋଷଳର ଅନ୍ତର୍ଭୁକ୍ତ ଥିଲା ଓ ପର୍ବତଶ୍ରେଣୀସ୍ଥିତ କୋମ୍ପାରକ ନାମରେ ପରିଚିତ ହେଉଥିଲା । ଏଠାରେ ଅନେକ ବୌଦ୍ଧ କୀର୍ତ୍ତି ଅଛି (ସହକାର ୧୩୪୧ ଶ୍ରାବଣ) । ଏହି ଗ୍ରାମ Lower Kendujher ବା ଅଧୁନାତନ ଆନନ୍ଦପୁର ସବ୍‌ଡ଼ିଭିଜନର ନକଟବର୍ତ୍ତୀ ହୋଇ ଥିବାରୁ ସମଗ୍ର ଆନନ୍ଦପୁର ସବ୍‌ଡ଼ିଭିଜନଟି ମଧ୍ୟ ତତ୍‌କାଳରେ ଉତ୍ତର ତୋଷଳର ଅନ୍ତର୍ଭୁକ୍ତ ଥିବାର ଅନୁମିତ ହୁଏ । ଅତଏବ ହୁଏନ୍‌ସାଂଙ୍କ ଆଗମନ ବେଳେ (ସପ୍ତମ ଶତାବ୍ଦୀରେ) କେନ୍ଦୁଝରର ସଦର ସବ୍‌ଡ଼ିଭିଜନ୍ ଓଡ଼୍ର ଦେଶର ଦକ୍ଷିଣ ସୀମା ରୂପେ ଅବସ୍ଥିତ ଥିଲା । ପ୍ରାଚୀନ କେନ୍ଦୁଝର (ସଦର ଓ ଚମ୍ପୁଆ ସବ୍‌ଡ଼ିଭିଜନ) ଯେ ଓଡ୍ର ଦେଶର ଅନ୍ତର୍ଭୁକ୍ତ ଥିଲା, ଏ ବିଷୟରେ ଯଯାତି-କର୍ତ୍ତୃକ ତୋଷଳରୁ ପ୍ରଦତ୍ତ ଦାନପତ୍ରରୁ ଜଣାଯାଏ । ସେଥିରେ ମଧ୍ୟଦେଶରୁ ଆସି ଓଡ଼୍ର ଦେଶସ୍ଥ ଶିଳାଭଞ୍ଜ ପାଟୀରେ ବାସ କରୁଥିବା ଶଙ୍ଖପାଣି ନାମକ ବ୍ରାହ୍ମଣକୁ ସେ ଦାନ କରିଥିବାର ଲେଖାଅଛି । ଭଞ୍ଜବଂଶୀୟ ତାମ୍ର ଶାସନମାନଙ୍କରେ ଶିଳାଭଞ୍ଜ ନାମକ ଜଣେ ରାଜାଙ୍କର ନାମ ଦେଖାଯାଏ । କେନ୍ଦୁଝରରେ ସନ୍ଥେଇ ଭଞ୍ଜ ନାମରେ ଦୁଇଟି ସ୍ଥାନ ଅଛି । ଫୁଲଚାଙ୍ଗୁଡ଼ି ପାହାଡ଼ ଯେଉଁ ସ୍ଥାନରେ ଅବସ୍ଥିତ, ତାହାର ନାମ ସୀତାଭଞ୍ଜ । ଏହି ନାମର ଶିଳା-ଭଞ୍ଚ ସହିତ ସୌସାଦୃଶ ଥିବାରୁ ଏହି ସ୍ଥାନ ପୂର୍ବେ ଶିଳାଭଞ୍ଜପାଟୀ ନାମରେ ଅଭିହିତ ହେଉଥିବ ବୋଲି ଅନୁମାନ କରାଯାଇ ପାରେ । ତଥାପି ଏହା ପ୍ରତ୍ନତତ୍ତ୍ୱାନୁସନ୍ଧିତ୍ସୁମାନଙ୍କର ଗବେଷଣୀୟ । ସେ ଯାହା ହେଉ, ଭଞ୍ଜାନ୍ତ ନାମ ବିଶିଷ୍ଟ ଗ୍ରାମ କେବଳ କେନ୍ଦୁଝରରେ ଏବେ ସୁଦ୍ଧା ଦୃଷ୍ଟ ହେଉଥିବାରୁ ଶିଳାଭଞ୍ଜପାଟୀ ଆଧୁନିକ କେନ୍ଦୁଝର ମଧ୍ୟରେ ଅବସ୍ଥିତ ଥିଲା ଓ କେନ୍ଦୁଝର ଓଡ଼୍ର ଦେଶର ଅନ୍ତର୍ଭୁକ୍ତ ଥିଲା, ଏହା କହିବା ସମୀଚୀନ । ଅତଏବ ଆଧୁନିକ କେନ୍ଦୁଝର ଫୁଲ-ପାହାଡ଼ି ଓଡ଼୍ର ଦେଶରେ ଥିଲା । ହୁଏନ୍‌ସାଂ ବର୍ଣ୍ଣିତ ପୁଷ୍ପଗିରି ମଧ୍ୟ ଓଡ଼୍ର ଦେଶରେ ଅବସ୍ଥିତ ଥିଲା-। ଅନ୍ୟତ୍ର ପୁଷ୍ପଗିରି ବା ତତ୍‌ସଂଜାତୀୟ ପଦଦ୍ୱାରା ଅଭିହିତ କୌଣସି ପର୍ବତ ଥିବାର ପ୍ରମାଣ ନ ମିଳିଥିବାରୁ ଗୁମ୍ଫାମଣ୍ଡିତ ଏହି ଫୁଲଚାଙ୍ଗୁଡ଼ିକୁ ପୁଷ୍କଗିରି ବୋଲି ନିର୍ଦ୍ଦେଶ କରିବାରେ କୌଣସି ବାଧା ନାହିଁ ।

 

ହୁଏନ୍‌ସାଂ ଲେଖିଛନ୍ତି ଯେ, ପୁଷ୍ପଗିରିରେ ପ୍ରସ୍ତରର ସଂଘାରାମ ଥିଲା । ତାହା ଦେବ ବା ଦାନବ ନିର୍ମିତ ।

 

ଏଠାରେ ପ୍ରସ୍ତର ନିର୍ମିତ ଅର୍ଥରେ କାରୁକାର୍ଯ୍ୟ ମଣ୍ଡିତ ବୋଲି କେହି କେହି କହିଥାନ୍ତି । ତାହା ଭ୍ରମାତ୍ମକ । କାରଣ ସପ୍ତମ ଶତାବ୍ଦୀରେ ଯାହା ଦାନବ ବା ଦେବତାଦ୍ୱାରା ନିର୍ମିତ ବୋଲି କଥିତ ହେଉଥିଲା, ତାହା ଯେ ତତ୍‌କାଳେ ମଧ୍ୟ ଅତି ପୁରାତନ ବୋଲି ଗୃହୀତ ହେଉଥିଲା, ଏଥିରେ ସନ୍ଦେହ ନାହିଁ । ଯେଉଁ କାର୍ଯ୍ୟ ଦେଖିଲେ ମନୁଷ୍ୟର ସାମର୍ଥ୍ୟର ଅତିରିକ୍ତ ବୋଲି ଧାରଣା ଜାତ ହୁଏ, ତାହାକୁ ଦେବ ବା ଦାନବ କାର୍ଯ୍ୟ ବୋଲି କୁହାଯାଇଥାଏ । ଏଠାରେ (ଫୁଲ-ପାହାଡ଼ି ଅଞ୍ଚଳରେ) ସବୁଶାଳ ଗଣ୍ଡଶୈଳମାନଙ୍କ ଉପରେ ତାଦୃଶ ଗଣ୍ଡଶୈଳମାନ ଅବସ୍ଥିତ ହୋଇ ଗୃହ ସଦୃଶ ଅନେକ ଆଶ୍ରୟ ସ୍ଥାନ ସୃଷ୍ଟି କରିଅଛନ୍ତି । ତାହା ଦେଖିଲେ ମନେହୁଏ, ସତେ ଯେପରି କେହି ଏ ଗୁଡ଼ିକ ସଜାଡ଼ି ଗୃହ ରଚନା କରିଛି । ଗୋଟିଏ ଗୋଟିଏ ପଥର ତଳେ ଶତ ଶତ ଲୋକ ସ୍ୱଚ୍ଛନ୍ଦରେ ବସି ଉଠି ପାରିବେ । ଏହି ପ୍ରକାରେ ସଜ୍ଜିତ ବିଶାଳ ଗଣ୍ଡଶୈଳମାନ ଯେଉଁ ଗୁମ୍ଫା ସବୁ ସୃଷ୍ଟି କରିଥିଲେ; ତାହାକୁ ନାଗାର୍ଜ୍ଜୁନ ପ୍ରଭୃତି ଯୋଗୀମାନେ ଯୋଗ ସାଧନାର୍ଥ ବ୍ୟବହାର କରୁଥିଲେ-। ଛଅ ସାତଶ ବର୍ଷ ପରେ ତାହା ଦାନବ ନିର୍ମିତ ବୋଲି ଅଭିହିତ ହେବା କିଛି ବିଚିତ୍ର ନୁହେଁ ।

 

ଆହୁରି ମଧ୍ୟ ପଣ୍ଡିତ କୁମୁଦାକରମତି ସ୍ୱପ୍ରଣୀତ ତ୍ରିସମୟରାଜ ସାଧନ ନାମକ ବୌଦ୍ଧତନ୍ତ୍ର ଗ୍ରନ୍ଥରେ ସର୍ବତ, ଅରଣ୍ୟ; ଗୁହା (ପ୍ରାକୃତିକ ଗହ୍ୱର), ଗୃହ, ଆରାମ, ପ୍ରଭୃତିକୁ ଯୋଗ ସାଧନ ପକ୍ଷେ ପ୍ରଶସ୍ତ ବୋଲି ଲେଖିଛନ୍ତି । ମନେହୁଏ, ହୁଏନ୍‌ସାଂଙ୍କ ଆଗମନ ପୂର୍ବରୁ ବୌଦ୍ଧଯୋଗୀମାନେ ଅରଣ୍ୟ ମଧ୍ୟସ୍ଥିତ ଏହି ବିବିକ୍ତ ଗୁହାକୁ ଯୋଗସାଧନର ଅନୁକୂଳ ଜାଣି ଏଠାରେ ବାସ କରୁଥିଲେ । ତେଣୁ ପ୍ରସ୍ତର ସ୍ତୁପ ଅର୍ଥରେ କାରୁକାର୍ଯ୍ୟମଣ୍ଡିତ ବୋଲି ବୁଝିବା ଅସମୀଚୀନ ।

 

ଏହି ଫୁଲ-ପାହାଡ଼ିର ପ୍ରାୟ ଉତ୍ତରରେ ଡାଙ୍ଗୁଆପଶି ଗ୍ରାମଠାରୁ ଅଳ୍ପ ପୂର୍ବରେ ରାବଣ ଛାୟା ବୋଲି ଗୋଟିଏ ବିଶାଳ ଗଣ୍ଡଶୈଳ ଅଛି । ପ୍ରାୟ ୧୫ ଫୁଟ ଉଚ୍ଚ ଗୋଟିଏ ପଥର ଉପରେ ଆଉ ଗୋଟିଏ ବିଶାଳ ପଥର ଥୁଆ ହୋଇଛି । ସେହି ଥୁଆ ହୋଇଥିବା ପଥରଟି ଆଧାର ରୂପେ ଅବସ୍ଥିତ ପଥରର ଉର୍ଦ୍ଧ୍ୱତନ ସମତଳ ଅଂଶକୁ ନିଜର ଅର୍ଦ୍ଧାଂଶଦ୍ୱାରା ସମୂର୍ଣ୍ଣରୂପେ ଆବୃତ କରିଅଛି । ଏହାର ଅପରଅର୍ଦ୍ଧାଂଶ ପଦାକୁ ବାହାରି ପଡ଼ିଛି । ବହିର୍ଗତ ଅଂଶର ତଳଭାଗ ସମତଳ ଓ ମସୃଣ । ଏହା ଲମ୍ବାରେ ପ୍ରାୟ ବାର ଫୁଟ ଚଉଡ଼ାରେ ଛଅ ବା ସାତ ଫୁଟ ହେବ । ଏହି ଅଂଶରେ ଗୋଟିଏ ଯୁଦ୍ଧଯାତ୍ରାର ଚିତ୍ର ଅଙ୍କିତ ହୋଇଛି ଏବଂ ତାହା ତଳେ ଧାଡ଼ିଏ ବ୍ରାହ୍ମୀ ଲିପିରେ ଲେଖା ରହିଛି । ଏହା ନିକଟରେ ଇଟା ସ୍ତୂପଦ୍ୱାରା ପରିବେଷ୍ଟିତ ମୁନି ଗୁମ୍ଫା ନାମକ ଆଉ ଗୋଟିଏ ଗୁମ୍ଫୀଯୁକ୍ତ ପର୍ବତ ଅଛି । ଏହାଠାରୁ ପଶ୍ଚମ ଦିଗରେ ଠାକୁରାଣୀଶାଳ ବୋଲି ଅଭିହିତ ହେଉଥିବା ଗଣ୍ଡଶୈଳ ସମଷ୍ଟିରେ ରଚିତ ଗୋଟିଏ ଦେବାୟାତନ ଅଛି । ଏହାହିଁ ହୁଏନ୍‌ସାଂଙ୍କ ବିବରଣୀରେ ବର୍ଣ୍ଣିତ ହୋଇଥିବା ଦ୍ୱିତୀୟ ସ୍ତୁପ । ଏଠାରେ ମଧ୍ୟ ଆଶ୍ଚର୍ଯ୍ୟଜନକ କୁହୁକମୟ ଘଟନା ସଂଘଟିତ ହେଉଥିଲା ବୋଲି ସେ ଲେଖିଛନ୍ତି ।

 

‘‘ରାବଣ ଛାୟା’’ ନାମରୁ ଏହା ସ୍ପଷ୍ଟଭାବେ ପ୍ରତୀତ ହେଉଛି ଯେ, ଏହା ଦାନବନିର୍ମିତ ବୋଲି ବହୁ କାଳରୁ ପ୍ରବାଦ ଚଳି ଆସୁଛି । ହୁଏନ୍‌ସାଂ ଦାନବ-ନିର୍ମିତ ବୋଲି ଯାହା କହିଅଛନ୍ତି, ତାହା ସହିତ ଏହି ନାମର ଦୃଢ଼ ସମ୍ବନ୍ଧ ବିଦ୍ୟମାନ । *

 

* ଏହି ମୁନି ଗୁମ୍ଫା ସ୍ତୂପ ନିକଟରେ ଗୋଟିଏ ଚତୁର୍ମୁଖ ଶିବଲିଙ୍ଗ ଅବସ୍ଥିତ । ଏଠିକା ଲୋକେ ଏହାକୁ ‘ସ୍ତୁପଲେଖା’ ବୋଲି କହନ୍ତି । ଏହି ଶିବଲିଙ୍ଗର ଅବସ୍ଥିତି, ଏହି ସ୍ଥାନକୁ ବୌଦ୍ଧପୀଠ ବୋଲି ପ୍ରମାଣିତ କରିବାରେ ଅନ୍ତରାୟ ହୋଇ ନପାରେ । କାରଣ ହୁଏନ୍‌ସାଂଙ୍କ ବର୍ଣ୍ଣନାରେ ଅଛି ଯେ, ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନେ ଏ ଦେଶରେ ପରସ୍ପର ବନ୍ଧୁ ଭାବରେ ବାସ କରୁଥିଲେ । ଏହା ମଧ୍ୟ ପାହାଡ଼ପୁର ନକଟରେ ଆବିଷ୍କୃତ ଗୋଟିଏ ପ୍ରସ୍ତର ଖୋଦିତ ଲିପିଦ୍ୱାରା ସମର୍ଥିତ ହୋଇଅଛି । ସେ ଲେଖାଟିରେ ଲିଖିତ ହୋଇଛି-ବଙ୍ଗର ରାଜା ଧର୍ମପାଳଙ୍କ ରାଜତ୍ୱ କାଳରେ (୮୦୦ଖ୍ରୀଷ୍ଟାବ୍ଦ) ଧର୍ମରାଜ ଅର୍ଥାତ୍ ବୁଦ୍ଧଦେବଙ୍କ ଆୟତନରେ (abode) ଗୋଟିଏ ଚତୁର୍ମୁଖ ଲିଙ୍ଗ ସ୍ଥାପିତ ହୋଇଥିଲା । ଏହି ଲେଖାରେ ସୂର୍ଯ୍ୟ, ଶିବ ଓ ବିଷ୍ଣୁଙ୍କ ମୂର୍ତ୍ତି ଅଙ୍କିତ ହୋଇଛି । (Revealing India's Past P-127) ।

 

ଏହି ସ୍ଥାନ ଅତି ପ୍ରାଚୀନ । ୧୯୩୮ ମସିହାରେ ଏଠାରୁ ୩୭ଟି କୁଶାଣ ତାମ୍ର ମୁଦ୍ରା ଆବିଷ୍କୃତ ହୋଇଥିଲା । ନାନା ଆକାର ଓ ବର୍ଣ୍ଣର ଅସଂଖ୍ୟ ପଥର ମାଳି ଏହିଠାରୁ ଏଠା ଲୋକଙ୍କଦ୍ୱାରା ସଂଗୃହୀତ ହୋଇ ବ୍ୟବହୃତ ହେଉଅଛି । ଗତ ମେ ମାସରେ ଏ ସ୍ଥାନର ପୂର୍ବ ପ୍ରାପ୍ତ ମୁଦ୍ରା ଅପେକ୍ଷା ବୃହଦାକାର ତାମ୍ର ମୁଦ୍ରାଟିଏ (ସମ୍ଭବତଃ ହବିଷ୍କଙ୍କର) ଲେଖକଙ୍କଦ୍ୱାରା ସଂଗୃହୀତ ହୋଇଛି । କୁଶାଣ ବଂଶୀୟ ପ୍ରଧାନ ବୌଦ୍ଧ ସମ୍ରାଟମାନଙ୍କ ମୁଦ୍ରା ମିଳୁ ଥିବାରୁ ଏହା ବୌଦ୍ଧପୀଠ ଥିଲା ବୋଲି ଧାରଣା ଜାତ ହେବା ସ୍ୱାଭାବିକ । ଏଠାରେ ଗୋଟିଏ ପଥର-ନିର୍ମିତ ଭଙ୍ଗା ସିଂହ ମୂର୍ତ୍ତି ସୀତା ନଦୀର ଦକ୍ଷିଣ ତୀରରେ ଗ୍ରାମ ଦେବତା ରୂପେ ପୂଜିତ ହେଉଛି । ଏହା ଠିଆ ଭାବରେ ଦୁଇ ଫାଳ ହୋଇ ଯାଇଛି । ଏହା ଗଠନ ଠିକ୍ ସାରନାଥର ତୋରଣ ସ୍ଥିତ ସିଂହର ଗଠନ ପରି ।

 

ସ୍ଥାନ ଓ ଲିପିର ପ୍ରାଚୀନତା, ନାମର ସାମ୍ୟ, ପ୍ରାଚୀନ ମୁଦ୍ରା, ଚତୁର୍ଦ୍ଦିଗରେ ଅସଂଖ୍ୟ ଇଷ୍ଟକ ଓ ପ୍ରସ୍ତର ନିର୍ମିତ ସ୍ତୂପର ଧ୍ୱଂସାବଶେଷ ପ୍ରଭୃତି ଦେଖି ଏହା ଯେ ଦିନେ ପ୍ରାଚୀନ ଭାରତରେ ବୌଦ୍ଧ ଯୁଗରେ ପ୍ରସିଦ୍ଧ ସ୍ଥାନରୂପେ ପୂଜା ପାଉଥିଲା, ଏହା ମନରେ ସ୍ୱତଃ ଉଦିତ ହୁଏ ।

 

କନିଂହାମ୍ ଓ ରାଖାଲଦାସ ବାନାର୍ଜିଙ୍କ ମତକୁ ଖଣ୍ଡନ କରିବାକୁ ଯାଇ ଶ୍ରୀମାନ୍ କେଦାରନାଥ ମହାପାତ୍ର ଯେଉଁ ପ୍ରାମାଣିକ ଯୁକ୍ତି ପ୍ରଦର୍ଶନ କରିଅଛନ୍ତି, ତାହା ଅଭିନନ୍ଦନୀୟ । କନିଂହାମ ଖଣ୍ଡଗିରି ଓ ଉଦୟଗିରିକୁ ପୁଷ୍ପଗିରିରୂପେ ନିର୍ଦ୍ଦିଷ୍ଟ କରିଥିଲେ । କିନ୍ତୁ ଖାରବେଳଙ୍କ ହାତୀ-ଗୁମ୍ଫା ଲିପିରେ ତାହାର ନାମ କୁମାର ପର୍ବତ ଓ କୁମାରୀ ପର୍ବତ ଥିବାର କେଦାର ବାବୁ ପ୍ରମାଣ ସହ ଦର୍ଶାଇ ଅଛନ୍ତି ।

 

ରାଖାଲଦାସ ବାନାର୍ଜି କଟକ ଜିଲ୍ଲାର ଉଦୟଗିରିରେ ଏ ପର୍ଯ୍ୟନ୍ତ ଅପଠିତ ଓ ଅନନୁଦିତ ଅବସ୍ଥାରେ ଥିବା ପର୍ବତ ଗାତ୍ରାଙ୍କିତ ଲେଖର ନିକଟବର୍ତ୍ତୀ ଧ୍ୱଂସାବଶେଷକୁ ପୁଷ୍ପଗିରି ବୋଲି ଓ ରତ୍ନଗିରିର ଧ୍ୱଂସାବଶେଷକୁ ପୁଷ୍ପଗିରିର ଉତ୍ତର ପଶ୍ଚିମରେ ସ୍ଥିତ ଆଶ୍ଚର୍ଯ୍ୟଜନକ ସ୍ତୁପ ବୋଲି ଅନୁମାନ କରିଅଛନ୍ତି । ପ୍ରାଚୀନ ତିବ୍ଦତ ଇତିହାସରେ ରତ୍ନଗିରି ନାମର ଉଲ୍ଲେଖ ଥିବାରୁ ଓ ଉଦୟଗିରି ନାମରେ ପୁଷ୍ପଗିରି ନାମ ସଙ୍ଗେ ଧ୍ୱନିଗତ ବା ଅର୍ଥଗତ ସାମ୍ୟ ନ ଥିବାରୁ ଏ ପ୍ରକାର ଅଭିମତ ଗ୍ରାହ୍ୟ ନୁହେଁ ।

 

ତେଣୁ ଲେଖକ ଫୁଲଚାଙ୍ଗୁଡ଼ି ହିଁ ପୁଷ୍ପଗିରି, ଏହି ମତ ଦୃଢ଼ ଭାବେ ପୋଷଣ କରୁଚି । ଉତ୍କଳର ଜିଜ୍ଞାସୁ ଐତିହାସିକମାନେ ଏ ବିଷୟରେ ଗବେଷଣା କରି ନିଜ ମତ ପ୍ରକାଶ କରିବେ ବୋଲି ଆଶା କରାଯାଏ ।

 

(ବିଚ୍ଛା ୧୩୫୪ ସଂଖ୍ୟା ନବଭାରତରେ ପ୍ରକାଶିତ ଏହି ପ୍ରବନ୍ଧଟି ଡଃ ବାଉରୀବନ୍ଧୁଙ୍କର ସୌଜନ୍ୟରୁ ପ୍ରାପ୍ତ ।)

 

***

 

ଏକାଡେମୀ ସମାଚାର

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀ

 

ପଲ୍ଲୀକବିଙ୍କ ୧୧୯ତମ ଜୟନ୍ତୀ ଅବସରରେ ତା ୨୨-୧୨-୯୪ ରିଖ ସଂଧ୍ୟାରେ ସ୍ଥାନୀୟ ସୂଚନାଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀପକ୍ଷରୁ ପଲ୍ଲୀକବି ନନ୍ଦକିଶୋର ଫାଉଣ୍ଡେସନ ସହଯୋଗିତାରେ ଅନୁଷ୍ଠିତ ଏକ ଉତ୍ସବରେ କବିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରାଯାଇଥିଲା ।

 

ସାହିତ୍ୟ ଏକାଡେମୀର ଉପ-ସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗୀତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡଃ ଶରତଚନ୍ଦ୍ର ଶତପଥୀ ମୁଖ୍ୟବକ୍ତା ଓ ବିଶିଷ୍ଟ ସାହିତ୍ୟିକ ଡଃ ଭାବଗ୍ରାହୀ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଖ୍ୟାତନାମା ସାହିତ୍ୟିକ ଓ ଗବେଷକ ଡକ୍ଟର ଅସିତ କବିଙ୍କୁ ଏହି ଅବସରରେ ‘‘ପଲ୍ଲୀକବି ନନ୍ଦକିଶୋର ସମ୍ମାନ-୧୯୯୪’’ ପ୍ରଦାନ କରାଯାଇଥିଲା । ସଭା ଆରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

 

ବ୍ୟାସକବି ଫକୀର ମୋହନଙ୍କ ୧୫୩ତମ ଜୟନ୍ତୀ ପାଳନ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଫକୀରମୋହନ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ଜୟନ୍ତୀ ପାଳନ ଉପଲକ୍ଷେ ବାଲେଶ୍ୱରସ୍ଥ ଶାନ୍ତିକାନନଠାରେ ତା ୧୪।୧।୯୫ ରିଖରେ ଏକ ସାମୂହିକ ଆଲୋଚନା-ଚକ୍ରର ଆୟୋଜନ କରାଯାଇଥିଲା ।

 

ପୂର୍ବାହ୍‌ଣ ୯ଘଣ୍ଟା ସମୟରେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଶ୍ରୀ ଚନ୍ଦ୍ର କୁମାର ମହାନ୍ତିଙ୍କ ସଭାପତିତ୍ୱରେ ବ୍ୟାସକବିଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା ।

 

ପୂର୍ବହା୍‌ଣ ଦଶଘଣ୍ଟା ସମୟରେ ସ୍ମାରକୀ ବକ୍ତୃତା ପ୍ରଦାନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଶ୍ରୀ କିଶୋରୀ ଚରଣ ଦାସ ଏଥିରେ ସଭାପତିତ୍ୱ କରିଥିଲେ । ଏକାଡେମୀ ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସାରସ୍ୱତ ଉତ୍ସବରେ ଶ୍ରୀ ଚିନ୍ତାମଣି ବେହେରା ଏବଂ ଶ୍ରୀ ବ୍ରଜନାଥ ରଥ ଯଥାକ୍ରମେ ମୁଖ୍ୟବକ୍ତା ଏବଂ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥିଲେ । ଏହି ଅବସରରେ ଏକାଡେମୀ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

 

 

***